ବର୍ଷା ଆସିଛି
ବର୍ଷା ଆସିଛି
“ଏଇ ଦେଖ। ବର୍ଷା ଆସିଛି।”
“ବର୍ଷା ତ ମୋ ସାମ୍ନାରେ। ଆଉ ଆସିବ କଣ।”
“ଆରେ ମୁଁ ନୁହେଁ ! ବର୍ଷା। ଜିଦ୍ଦି ବର୍ଷା। ଅଭିମାନୀ ବର୍ଷା। ଦେଖ ଏଇ ଅମାନିଆ ବର୍ଷା ଆସିଛି।”
“ତୁମେ ବି କୋଉ କମ୍ ଅମାନିଆ କି?”
“ହୁଁ ତୁମର ଯୋଉ କଥା। ଆଛା, ଚାଲନା ବାହାରକୁ।”
“ବାହାରକୁ କାହିଁକି?”
“ଆରେ କାହିଁକି କଣ ପଚାରୁଛ ? ବାହାରକୁ ଯିବା । ଭିଜିବା । ନାଚିବା । ବର୍ଷାରେ ନିଜକୁ ହଜେଇ ଦେବା !”
“ଏହେ ! ବର୍ଷାରେ କିଏ ଭିଜେ? ଘରେ ବସି ଚା’ ପକୁଡି ଖାଇଲେ କେମିତି ହୁଅନ୍ତା ?”
“ଠିକ ସମୟରେ ଭୂଲ କଥା କହିବା ବୋଧେ ତୁମ ଆଜନ୍ମ ଅଭ୍ୟାସ।”
“ଆରେ ! ଏଥିରେ ଭୂଲ କଣ ? ପୁଣି ବର୍ଷାରେ ଭିଜିଲେ ଥଣ୍ଡା ଧରିବ। ଜର ହେଇଯିବ। କାଶ ବି ହେଇପାରେ !”
“ଛି ! ଏତେ ଅନରୋମାଣ୍ଟିକ ଲୋକ ତମେ !”
“ଆରେ ଅନରୋମାଣ୍ଟିକ କଣ? ସତ କଥା ତ ! ଆଉ ବର୍ଷାରେ କିଏ ନାଚେ କହିଲ? ”
“ବର୍ଷାରେ ତ ସମସ୍ତେ ନାଚନ୍ତି। କେବେ ମୟୁର ଦେଖିନ? କେମିତି ବର୍ଷା ଦେଖିଲେ ନିଜ ପୁଚ୍ଛ ଖୋଲି ନାଚିଯାଏ।”
“କେଜାଣି ! ସିନେମାରେ ଦେଖିଥିଲେ ଦେଖିଥିବି। ସତରେ ତ କେବେ ଦେଖିନି। ପୁଣି ମୋ ଚଷମା କାଚରେ ପାଣି ପଡିଗଲେ ମତେ କିଛି ଦେଖା ବି ଯିବନି !”
“ହେ ପ୍ରଭୁ ! ମୁଁ କଣ ଯେ କହିବି। ଏମିତି ସୁନ୍ଦର ପାଗରେ ତୁମକୁ ଥଣ୍ଡା ଜର କାଶ ଆଉ ଚଷମା କାଚ କଥା ମନେ ପଡୁଛି? ଧନ୍ୟ କହିବ ତୁମକୁ।”
“ଆରେ ହଁ, ଆଉ ଗୋଟିଏ କଥା ତ କହିବାକୁ ଭୁଲିଗଲି। ଚାରିଆଡେ ପୁଣି କାଦୁଅ ପଚପଚ।”
“କାଦୁଅ ?”
“ହଁ, କାଦୁଅ। ଛି! ଫେର୍ ରାତିରେ ସେ ଯେଉଁ ବେଙ୍ଗରଡି। ସାପ ଭୟକୁ ବି ଏଡାଇ ଦିଆଯାଇ ନପାରେ। ସେଇଥିପାଇଁ ମୁଁ ଜମା ଭଲ ପାଏନା ଏଇ ବର୍ଷାକୁ।”
“ଆଚ୍ଛା ! ଜମା ଭଲ ପାଅନି ନା? ରୁହ ଦେଖିବି ଆଜି କେମିତି ଭିଜିବନି !”
“ଆରେ ଆରେ। ଏମିତି ଟାଣିଟାଣି ମତେ କୁଆଡେ ନଉଚ?”
“ଆସ ଆସ। ଆସ କହୁଛି। ଦେଖିବି ମୋ ସାଙ୍ଗରେ ଆଜି ଭିଜିବନି କେମିତି ! ଦେଖିବି ବର୍ଷାକୁ ତମେ ଭଲ ପାଇବନି କେମିତି !”
ସତକୁ ସତ ସେ ଟାଣିନେଲା ମତେ। ଆଉ ସତକୁ ସତ ବର୍ଷାରେ ମୁଁ ଭିଜିଗଲି। ବର୍ଷା ଭିତରେ ହଜିଗଲି। ବର୍ଷା ଧାର ପ୍ରେମ ହେଇ ଆମ ଉପରେ ଅଜାଡି ହେଇଗଲା। ସେ ମୋର ହେଇଗଲା । ଆଉ ମୁଁ ତା’ର ହେଇଗଲି।
ବର୍ଷେ ପରେ ଆଜି ପୁଣି ବର୍ଷା ଆସିଛି । ସେମିତି ଜିଦ୍ଦି । ସେମିତି ଅମାନିଆ । ସେମିତି ଅଭିମାନୀ । ହେଲେ ଏବେ ମତେ ଆଉ କେହି ଟାଣେନାହିଁ । ଭିଜିବାକୁ ଆଉ କୁହେନାହିଁ । ବର୍ଷା ମତେ ବର୍ଷାକୁ ଭଲପାଇବା ଶିଖେଇ ପାରିନାହିଁ ! କିନ୍ତୁ ଚାଲିଗଲାବେଳେ ନିହାତି ଦେଇଯାଇଛି ବର୍ଷାକୁ ଭଲ ନ ପାଇବାର ପୁଣି ନୂଆ କାରଣଟିଏ !