Pramod Kumar Jena

Tragedy

3  

Pramod Kumar Jena

Tragedy

ବନ୍ଧନ

ବନ୍ଧନ

3 mins
7.8K


ଗାଆଁର ବାତାବରଣ ସହର ଠାରୁ ପୁରା ଅଲଗା l ଏଠି ସମସ୍ତଙ୍କ ସହିତ ସମସ୍ତଙ୍କର ସମ୍ପର୍କ ଅଛି l ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ସମସ୍ତଙ୍କୁ କିଛି ନା କିଛି ସମ୍ବୋଧନ କରି ଡାକନ୍ତି l କିଏ ମଉସା, କିଏ ଦାଦା, କିଏ ଅଜା ତ କିଏ ଜେଜେ l ଭାବ ଆଦାନପ୍ରଦାନ ଠାରୁ ଆରମ୍ଭ କରି ଟାହି ଟାପରା ପର୍ଯ୍ୟନ୍ତ l ଗାଧୁଆ ତୁଠ କଥା ନ କହିବା ଭଲ l କାହା ଘରେ ସୋରିଷ ଫୁଟିଲେ, ସାରା ଗାଆଁଟା ଯାକରେ ଘରେ ଘରେ ବାସେ l ବାହାଘର, ବ୍ରତଘର, ପର୍ବପର୍ବାଣୀ ଏବଂ ସମସ୍ତ ପ୍ରକାର ଉତ୍ସବରେ ପ୍ରତ୍ୟେକ ଲୋକଙ୍କର ସାହାଯ୍ୟ ସହଯୋଗ ଥାଏ l ସେଥିପାଇଁ ଛୁଟି ମିଳିଲେ ଗାଆଁ ଆଡକୁ ଟିକେ ପଳେଇ ଆସିବା ପାଇଁ ଭଲ ଲାଗେ l ଖରାଦିନଟାରେ ପୁରୁଣା ସାଙ୍ଗସାଥୀଙ୍କ ମେଳରେ ଗପଟା ଯେତିକି ଜମେ, ଗରମଟା ସେତିକି ବାଧେ l ଭୁବନେଶ୍ୱରରେ ତ ଏ.ସି. ଅଛି l ତେଣୁ ଗାଆଁକୁ ଆସିଲେ ଟିକେ ଅସୁବିଧା ହୁଏ l ଭାବିଥିଲି ଏ.ସି. ଲଗେଇଦେବି l କିନ୍ତୁ ବାପା ମନା କଲେ l ତାଙ୍କୁ ଫ୍ୟାନ୍ ଭଲ ଲାଗେ l ଏ.ସି.ରେ କୁଆଡେ ସେ ଅଣନିଃଶ୍ୱାସୀ ହୋଇଯାଆନ୍ତି l କପାଳକୁ ଆଜି ଆଉ ଗୋଟିଏ ଅସୁବିଧା ହୋଇଯାଇଛି l ବଡ ଅସୁବିଧା କହିଲେ ଚଳେ l ଗାଆଁ ମୁଣ୍ଡର ଟ୍ରାନ୍ସଫର୍ମର୍ ଜଳି ଯାଇଛି l ମରାମତି ହେବାକୁ କେଜାଣି କେତେ ଦିନ ଲାଗିବ ଜଣା ନାହିଁ l ମନ୍ଦିର ବେଢା ଖୋଲା ଜାଗାରେ ସାଙ୍ଗମାନଙ୍କ ସାଙ୍ଗରେ ସନ୍ଧ୍ୟାଟା କଟିଗଲା l ହେଲେ ରାତିରେ ଶୋଇବି କେମିତି ? ଛାତ ଉପରକୁ ଯାଇ ଖାଲି ପଟିଟା ପକେଇ ଶୋଇ ପଡିଲି l

ପାଖ ଘର ହରିଆ l ସେମାନେ ବାରିପଟେ ଶୋଇଛନ୍ତି l ଛାତ ଉପରୁ ଚାହିଁଲେ ଦେଖାଯାଏ l ବୋଉ କହୁଥିଲା, କାଲି ହରିଆ ଆଉ କେତେ ଜଣ ଯିବେ ଦାଦନ ଖଟିବା ପାଇଁ l କିଏ ଜଣେ ଦଲାଲ ଆସି ନେଇଯିବ l ମନେ ମନେ ଭାବିଲି କୋଉ କଣ୍ଟ୍ରାକ୍ଟର୍ କିଏ ଜାଣେ ? ରେଜିଷ୍ଟର୍ଡ୍ ତ ? ମଶା ଗୋଟେ ଗୋଟେ ଲାଗିବା ଆରମ୍ଭ କରିଦେଲେ l ଗରମକୁ ମଶା l ନିଦ ଲାଗୁ ନ ଥାଏ l ବୋଉ କିନ୍ତୁ ଆରାମରେ ଶୋଇଗଲା l ହଠାତ୍ କାହାର କଥାବାର୍ତ୍ତା ଶୁଣାଗଲା l କାନ ଡେରିଲି l ଆର ପଟ ବାଡିରେ ଶୋଇ ହରିଆ ଆଉ ତା’ ବୋହୁ କଥା ହେଉଛନ୍ତି l

: ହେଇଟି ଶୁଣୁଛ l କାହିଁକି ଦାଦନ ଯିବ ?

: ଏତେ ଗୁଡିଏ ଟଙ୍କା କରଜ ଅଛି l କେମିତି ଶୁଝିବା ? ଶହେ ନୁହେଁ, ଦୁଇ ଶହ ନୁହେଁ l ମହାପାତ୍ର ବୁଢା କହୁଥିଲା, ସୁଧ ମୂଳ ମିଶେଇ ବାରହଜାର ହେଇଗଲାଣି l

: ଯୋଠିକି ଯିବି, ତା’ ଜାଗା ନାଆଁ ତ ଜାଣିନ l କେମିତି ରହିବ ? କ’ଣ ଖାଇବ ? କୋଉ ଦିନ ଆସିବ ?

: ତୁ ଏମିତି ଘାବୁରେଇଲେ ହେବ ? ଆମେ ପରା ସାତ ଜଣ ଯାଉଛୁ l

କିଛି ସମୟ ଦୁହେଁ ଚୁପ୍ ରହିଲେ l କିଛି ସମୟ ପରେ ତା’ ବୋହୁ କହିଲା, ହେଇଟି ଶୁଣୁଛ l ମୁଁ ପଧାନ ଘର ଦୋକାନରେ ଚାଉଳ ପାଛୁଡି ଦୁଇ କୋଡି ରଖିଲିଣି l ଆଉ କେତେଟା ଟଙ୍କା କ’ଣ ବଳେଇବ ? ତମେ ରହୁନ l ମୁଁ ଦିନ କେଇଟାରେ ଶୁଝି ଦେବି l ଦାଦନ କାହିଁକି ଯିବ ? ବଡ ବିକଳରେ କହୁଥିଲା ହରିଆ ବୋହୁ l

ହରିଆ କହିଲା, ‘ଆଲୋ ବାର ହଜାର ଟଙ୍କା କେତେ ଦିନରେ ଯୋଗାଡ କରିବୁ ? ସେ ହିସାବ କିତାବ ତୋ ମୁଣ୍ଡରେ ପଶିବନି l’

ଆଉ କାନ ପାରିବାକୁ ଇଚ୍ଛା ହେଲାନି l ହରିଆ ସ୍ତ୍ରୀର ସେଇ ବିକଳ କଥା କେଇ ପଦ ମୋ କାନରେ ବାଜୁଥାଏ l ବିଚରା ଜାଣିନି, ବାର ହଜାର ଆଉ ଦି କୋଡିର ବ୍ୟବଧାନ କେତେ l ଏକ ଅଜଣା ଆଶଙ୍କାରେ ଡରି ଯାଇଛି ସେ l ନିଜ ସାଧ୍ୟମତେ ଆପ୍ରାଣ ଚେଷ୍ଟା କରିବ ବୋଲି ଆଶ୍ୱାସନା ଦେଉଛି l ତା’ ସ୍ୱାମୀ ତା’ ପାଖରେ ଥାଉ, ସୁଖ ହେଉ କିମ୍ବା ଦୁଃଖ ହେଉ l କାଲି ହୁଏତ ହରିଆ ଦାଦନ ଖଟିବାକୁ ଚାଲିଯିବ l ଆଉ ତା’ ସ୍ତ୍ରୀର ଏଇ କେଇ ପଦ କଥାକୁ ସେ ସମ୍ବଳ କରି କେତେ ମାସର କଷ୍ଟ ସହିଯିବ l ଏଇ ତ ସ୍ୱାମୀ ସ୍ତ୍ରୀର ବନ୍ଧନ l


Rate this content
Log in

Similar oriya story from Tragedy