ବ୍ଲାକମେଲ୍
ବ୍ଲାକମେଲ୍
ଆଜି ଶେଫାଳୀର ଜୀବନ ଏକ ଭିନ୍ନମୋଡରେ ଗତି କରୁଛି । ଏତେ ଦିନ ଧରି ଯାହାକୁ ସେ ଏକ ନୀରସ ଶୁଷ୍କ ବନ୍ଦିତ୍ୱର ଜୀବନ ଭାବୁଥିଲା ତାହା ଯେ ତା ପାଇଁ ସୁରକ୍ଷାରଏକ ଅଭେଦ୍ୟ ବଳୟ ଥିଲା ଆଜି ବୁଝି ପାରୁଛି । ଯେଉଁ ନୀତି ନିୟମ ଓ କଟକଣାକୁ ସେ କଣ୍ଟା ବୋଲି ଭାବୁଥିଲା ସେଇ କଣ୍ଟା ହିଁ ତା ଜୀବନ ରୂପକ ଗୋଲାପକୁ ବାହାରର ହଜାର ଲୋଲୁପ ଦୃଷ୍ଟି ଓ କୀଟଙ୍କ ଆକ୍ରମଣରୁ ରକ୍ଷା କରୁଥିଲା । ତାପରି ଶାନ୍ତ ସରଳ ଝିଅଟି କେମିତି ସେ ଠକର ପାଲରେ ପଡିଗଲା କେଜାଣି?ଶେଫାଳୀ ଏକ ଗାଁ ପରିବେଶରୁ ପରିପାଳିତହେଇ ଆସିଛି । ଗାଁର ସ୍କୁଲ କଲେଜରେ ପଢିଛି । ବଡବଡ ସିଟି ସହରର ଚଳଣି ବାବଦରେ ତାର ବେଶି ଅଭିଜ୍ଞତା ନାହିଁ । ହେଲେ ତାର ବାହାଘର ହେଇଗଲା ଏକ ସହରର ଓକିଲ ପରିବାରରେ । ତା ଶଶୁର ହାଇକୋର୍ଟ ଜଜ୍ । ତାର ସ୍ୱାମୀ ଅମରେଶ ବି ଜଣେ ନାମୀ ଓକିଲ । ସୁନ୍ଦର ଘର ପରିବାର ତାକୁ ମିଳିଛି ହେଲେ ଏକ୍ଲାପଣର ସେ ଶିକାର । ସ୍ୱାମୀଙ୍କ ପାଖରେ ତା ପାଇଁ ସମୟ ନାହିଁ । ସବୁବେଳେ କାମ କାମ ହେଇ ଦିନ ସରିଯାଏ । ରାତିରେ ବି ମହକିଲଙ୍କ ଫୋନ କଲ୍ ଚାଲିଥାଏ । ଚାକର ବାକର ତ କାମ ପାଇଁ ଅଛନ୍ତି । ତା ପାଇଁ କିଛି କାମ ନାଇଁ । ଏପରି ଅବସ୍ଥାରେ ଦିନେ ସାଙ୍ଗ କଥାରେ ପଡି ସ୍ମାର୍ଟଫୋନଟିଏ କିଣି ଆଣିଲା ।
ଫେସବୁକ ହ୍ୱାଟସପ୍ ଖୋଲି ସାଙ୍ଗଙ୍କ ସହ ଯୋଗାଯୋଗ ରଖି ପାରିଲା । ତାଙ୍କସହ କଥା ବାର୍ତ୍ତା କରି ସମୟ କଟିବାକୁ ଲାଗିଲା ଆରାମରେ । ଏବେ ତାର ଫ୍ରେଣଲିଷ୍ଟରେ ଅନେକ ନୂତନ ବନ୍ଧୁ ଯୋଗ ହେଇ ଗଲେଣି । ଅନେକ ପୁରୁଷ ବନ୍ଧୁ ବି ତା ସହ ଗୁଡ ମର୍ନିଙ୍ଗ ଗୁଡ ନାଇଟର ଶୁଭକାମନା ଭରା ମେସେଜ ପଠାଉଛନ୍ତି । ହେଲେ ସେମାନଙ୍କ ଭିତରେ ସୋମେସ ଅଲଗା । ସେ ଜଣେ ସୋମ୍ୟ ସୁନ୍ଦର ଯୁବକ । ରିଟାୟର ଆର୍ମି ଅଫିସର ଜଣେ ଭଲ କବି ମଧ୍ୟ । ସେ ଶେଫାଳୀର ପ୍ରଶଂସାର ପୋଲ ବାନ୍ଧି ଦିଏ । ତାର ଆଖି ନାକ ସୁଢଳ ଶରୀରର ତୁଳନା ସିନେମା ହିରୋଇନଙ୍କ ସହ କରେ । ତାର ସୁବିଧା ଅସୁବିଧା ବୁଝେ । ତାକୁ ମିଠା ମିଠା କଥା କହି ବୋରିୟତରୁ ବଞ୍ଚାଏ । ଥରେ ସେ କହିଲା ତାକୁ ବହୁତ ଭଲ ପାଉଛି ତୁମ ବିନା ବଞ୍ଚି ପାରିବିନି । ଶେଫାଳୀ କହିଲା ସେ ତା ସ୍ୱାମୀ ବିନା ଅନ୍ୟକୁ ଭଲ ପାଇବା ମନା । ସେ କହିଲା ତୁମେ ନହେଲେ ନାଇଁ ତୁମ ଦେହର ନିଷିଦ୍ଧ ଇଲାକାର ଫଟୋ ଉଠାଇ ମତେ ଦିଅ ତାକୁ ଦେଖି ମୁଁ ବଞ୍ଚିଯିବି । ସରଳମନା ଶେଫାଳୀ କିଛି ନ ଭାବି ନିଜର ଫଟୋ ଉଠାଇ ତାକୁ ଦେଇ ଦେଲା । ତାପରେ ସେ ବ୍ଲାକମେଲିଙ୍ଗ କରିବା ଆରମ୍ଭ କରିଦେଲା । ସେ ତାକୁ ଟଙ୍କା ମାଗିଲା । ନ ଦେଲେ ତା ସ୍ୱାମୀକୁ ଫଟୋସବୁ ଦେଖାଇଦେବ ବୋଲି ଧମକ ଦେଲା । ନିଜର ପାରିବାରିକ ଜୀବନ ଏବେ ବିପଦରେ ଥିଲା । ସେ ବାଧ୍ୟ ହୋଇ ନିଜ ପାଖରେ ଯାହା ଟଙ୍କା ଥିଲା ତାକୁ ଦେବାକୁ ଲାଗିଲା । ଫୋନ କଲ୍ ଆସିଲେ ଏବେ ସେ ଡରିବାକୁ ଲାଗିଲା । ଥରେ ତ ସେ ହଦ୍ ହି କରିଦେଲା । ସେ ପଚାଶ ହଜାର ଟଙ୍କା ମାଗିଲା ଓ ସେ ବାଧ୍ୟହୋଇ ସ୍ୱାମୀଙ୍କ ବ୍ୟାଗରୁ ଚୋରି କରି ଦେଲା । ଏସବୁ କାମ ଓକିଲ ପତିଙ୍କ ନଜରରୁ ଲୁଚି ରୁହନ୍ତା କେମିତି । ସେ ସ୍ତ୍ରୀଙ୍କ ସବୁ କାମକୁ ନଜର ରଖିବା ଆରମ୍ଭ କରିଦେଲେ । ସେ ଶୋଇଥିବା ବେଳେ ତାର ଫୋନ୍ ଚେକ୍ କଲେ । ଜଣେ ଲୋକର ଅନେକ କଲ୍ ଆସୁଥିବାର ଦେଖି ସେ ହ୍ୱାଟସପ୍ ଚେକ୍ କରି ଦେଖିଲେ ଅନେକ ଧମକିଭରା ଚାଟ ଅଛି । ସେ ସବୁ ଜାଣିଗଲେ । ସେ ଲୋକଟାକୁ ଫୋନକରି ବହୁତ ଗାଳିଦେଲେ ତାକୁ ପୋଲିସରେ ଦେବେ ବୋଲି ଧମକ ଦେଲେ । ସେ ଲୋକଟି ଡରିଗଲା ଆଉ କେବେ କୌଣସି ସ୍ତ୍ରୀକୁ ଏମିତି ହଇରାଣ କରିବନି ବୋଲି କହିଲା । ଆଉ ଏହା ବି ମାନିଲା ଯେ ସେହିଁ ଶେଫାଳୀକୁ ଫସାଇଥିଲା । ହେଲେ ଶେଫାଳୀ ସବୁବେଳେ ସ୍ୱାମୀକୁ ଭଲପାଏ ବୋଲି କୁହେ । ଏବେ ଅମରେଶ ନିଜର ଭୁଲ ବି ବୁଝି ପାରିଥିଲା । ସେ ଶେଫାଳୀକୁ ସବୁବେଳେ ଅବହେଳା କରି ଆସିଛି । ସେ ତାକୁ ଏବେ ସମୟ ଦେବାକୁ ଲାଗିଲା । ସନ୍ଧ୍ୟାରେ ଟିକେ ଜଲ୍ଦି ଘରକୁ ଫେରିଲା । ଶେଫାଳୀର ରନ୍ଧାର ତାରିଫ କଲା । ଯାହା ଫଳରେ ଶେଫାଳୀ ମୁହଁରେ ହସଧାରେ ଫୁଟି ଉଠିଲା । ରବିବାର ଦିନ ଶେଫାଳୀକୁ ଧରି ସପିଙ୍ଗକୁ ଗଲା ତାର ପସନ୍ଦର ଜିନିଷ କିଣିଦେଇ ବାହାରେ ରେଷ୍ଟୁରାଣ୍ଟରେ ଖୁଆଇ ଆଣିଲା । ଏବେ ଶେଫାଳୀ ଗର୍ଭବତୀ ହୋଇଛି । ନୂତନ ଅତିଥିର ଆଗମନ ହେବ । ଏବେ ଶେଫାଳୀ ବହୁତ ଖୁସି ରହୁଛି । ତା ଜୀବନର ଅଶାନ୍ତ ଗ୍ରହଟି ହଟି ଯାଇଛି । ତାର ଜୀବନର ଗାଡି ଏବେ ଠିକ ବାଟରେ ଚାଲିଛି । ଏବେ ସେ ବୁଝି ପାରୁଛି କାହିଁକି ଅମରେଶ ତାକୁ ଏ ସ୍ମାର୍ଟଫୋନ ଓ ଫେସବୁକ ପ୍ରଭୃତିରୁ ଦୂରେଇ ରହିବାକୁ କହୁଥିଲେ ।
ସେ କଣ ତାକୁ ଫୋନଟେ କିଣିଦେଇ ପାରିନଥାନ୍ତେ । ହେଲେ ସେ ଜାଣିଥିଲେ ତାଙ୍କ ସ୍ତ୍ରୀ ଜଣେ ସରଳଝିଅ ତାକୁ ଏ ସହରୀ ଧୂର୍ତ୍ତ ଯୁବକମାନେ ଶିକାର କରିପାରନ୍ତି । ଏବେ ଅମରେଶ ପ୍ରତି ଶେଫାଳୀର ଭଲ ପାଇବା ଆହୁରି ବଢିଯାଇଛି । ସେ ଅମରେଶ ଭିତରେ ଭଗବାନଙ୍କ ପରି ପବିତ୍ରତା ଦେଖିପାରିଛି । ଯିଏ ତାର ଏତେ କଥା ଜାଣିବି କାହାକୁ କିଛି ନଜଣାଇ ସବୁ ବିଷକୁ ଶିବଙ୍କ ପରି ପିଇଗଲେ ଓ ତାକୁ ଠିକ୍ ରାସ୍ତାକୁ ଟାଣି ଆଣିଲେ । ଯଦି ସମସ୍ତଙ୍କୁ ତାଙ୍କ ପରି ଜଣେଜଣେ ଗାଇଡ ମିଳିଯାନ୍ତେ ତାହେଲେ ଆଜିକାଲିକା ଯୁବତୀମାନେ ବ୍ଲାକମେଲିଙ୍ଗରୁ ବଞ୍ଚିଯାନ୍ତେ । ଆଉ ଉପରକୁ ଭଦ୍ର ଦିଶୁଥିବା ଶିକ୍ଷିତ ବଡବଡ ଚାକିରିଆ ଲୋକଗୁଡାକ ବି ଏସବୁ ବ୍ଲାକମେଲିଙ୍ଗ କରିବା ଶୋଭା ଦିଏନି । ସେମାନେ ସମାଜକୁ ଦିଗ୍ଦର୍ଶନ ଦେବାକଥା ଅଥଚ ନିଜେ ଏମିତି ଘୃଣ୍ୟ କାମ କେମିତି କରି ପାରନ୍ତି ଯେ ।
