Bismita Sahoo

Tragedy

5.0  

Bismita Sahoo

Tragedy

ବିଶ୍ୱାସ

ବିଶ୍ୱାସ

5 mins
658



୧୦ଟା ବାଜିବାକୁ ଆଉ ମାତ୍ର ୨୫ ମିନିଟ ବାକି ଅଛି। ସ୍ତ୍ରୀ ବି ଘରେ ନାହାନ୍ତି। ଶଳା ବାହାଘର ପାଇଁ ମାସେ ପୂର୍ବରୁ ବାପ ଘରକୁ ଗଲେଣି। ନିଜକୁ ନିଜେ ରୋଷେଇ କରି ଖାଇବାକୁ ପଡୁଛି। କାଲି ଇଣ୍ଡିଆ - ପାକିସ୍ତାନ କ୍ରିକେଟ ମ୍ୟାଚ ରାତି ଅନିଦ୍ରା ହେଇ ଦେଖୁଥିଲେ। ତେଣୁ ଡେରିରେ ଆଖି ଖୋଲିଲା। ଏବେ ମାତ୍ର ୨୫ ମିନିଟ ରେ କେତେବେଳେ ରୋଷେଇ କରି , ନିଜେ ଖାଇ ଅଫିସ ବାହାରିବେ ମହାନ୍ତି ସାର ବୁଝି ପାରୁନଥିଲେ।


ତରତର ହେଇ ପ୍ରେସର କୁକରରେ ଚାଉଳ ସହିତ ଆଳୁ ଦିଟା ପକେଇ ଗ୍ୟାସରେ ବସେଇଦେଲେ। ତରବରରେ ସାର୍ଟ ଟି ମୁଣ୍ଡ ପଟେ ଗଳେଇଛନ୍ତି ଦେଖିଲା ବେଳକୁ ଉପର ବଟନ ଟି ଖୋଲା ହେଇନି। ଜବରଦସ୍ତି ମହାନ୍ତି ମାଷ୍ଟ୍ରେ ସାର୍ଟ ଟିକୁ ତଳକୁ ଟାଣି ଦେଲେ। ଖପ ଖପ କରି ଦି ଟା ବଟନ ଛିଣ୍ଡି ତଳେ ପଡ଼ିଗଲା। ଓଃ ଏବେ କଣ କରିବେ। ଅନ୍ୟ ସାର୍ଟ ଗୁଡିକୁ ସଫା କରିବେ ବୋଲି ଗାଧୁଆ ଘରେ ସର୍ଫ ପକେଇ ବତୁରେଇଛନ୍ତି। ଏବେ କଣ ପିନ୍ଧିକି ଯିବେ? ସୁତା ଛୁଞ୍ଚି କୋଉଠି ଅଛି ମିଳୁନି। ଟେବୁଲ ଉପରେ ପଡିଥିବା ସେଫ୍ଟିପିନ୍ ଟିକୁ ସାର୍ଟରେ ଗେଞ୍ଜି ପକେଇଲେ। ସତରେ ଘରେ ସ୍ତ୍ରୀ ନଥିଲେ କେତେ ହଇରାଣ ହେବାକୁ ପଡୁଛି। ପାଖରେ ଥିଲେ ସେ ଗରଗର ସିନା ହୁଏ ହେଲେ ସ୍କୁଲ ବାହାରିଲା ବେଳକୁ ଜୋତା ପଲିସ କରି ସଫା ରୁମାଲକୁ ଚାରିଭାଙ୍ଗ କରି ହାତକୁ ବଢ଼େଇ ଦେବ, ତା ସହିତ ଟିଫିନ ଡବା ବି। ଏବେ ସେସବୁ ଭାବି କିଛି ଲାଭ ନାହିଁ।


ପ୍ରେସର କୁକର ର ହୁଇସିଲ କେତେବେଳୁ ବାଜିଲାଣି। କୁକର୍ ଟିକୁ ସିଙ୍କ ପାଖକୁ ନେଇ ଟ୍ୟାପ ଖୋଲି ଦେଖେଇ ଦେଲେ। ଢ଼ାଙ୍କୁଣୀ ଖୋଲି ଦେଖିଲାବେଳକୁ ଭାତ ସବୁ କ୍ଷୀରି ହେଇଯାଇଛି। ସେଇ ପାଣିଆ ଭାତରେ ଆଳୁ ସିଝା ଓ ଲଙ୍କା ଚକଟି ଯେନତେନ ଭାବରେ ଉଦରସ୍ଥ କଲେ। ଡେରି ହେଇଗଲାଣି। ଆଜି ତାଙ୍କ ଉପସ୍ଥାନରେ ନାଲି ଛକି ବାଜିବ ବୋଧେ।


  ଏବେ ଯେଉଁ ନୂଆ ହେଡ ମାଷ୍ଟ୍ରେ ଆସିଛନ୍ତି ବାପ୍ ରେ ବାପ୍। ତାଙ୍କ ଆଗରେ ବାଘ ବି ମୂଷା ପାଲଟି ଯିବ। ୧୦ ଟା ମାନେ ଦଶ ଟା। ୧୦ଟା ଏକ ବାଜିଗଲେ ଉପସ୍ଥାନ ଖାତାରେ ନାଲି ଛକି ବାଜି ଯିବ। ଇଆଡ଼େ ପୁଣି ଶିକ୍ଷା ସହାୟକ ଚାକିରୀ। ସ୍ଥାୟୀ ହେବାକୁ ଆହୁରି ଦି ବର୍ଷ ବାକି ଅଛି। କେଡ଼େ କଷ୍ଟରେ ସରକାରୀ ଚାକିରୀ ଖଣ୍ଡେ ହାତକୁ ଆସିଛି। ସେ ଯଦି କରଛଡ଼ା ହେଇଗଲା ତେବେ ତାଙ୍କ ସଂସାର ଉଚ୍ଛନ୍ନ ହେଇଯିବ।    ଏସବୁ ଭାବିବାକୁ ଆଉ ସମୟ ନାହିଁ। ଦଦରା ସାଇକେଲ ପେଲି ପେଲି ଜଲଦି ପହଞ୍ଚିବାକୁ ପଡ଼ିବ। ଏଇ ସାଇକେଲର ପୁଣି ଗୋଟେ ଇତିହାସ ଅଛି। ୧୦ମ ରେ ପ୍ରଥମ ଶ୍ରେଣୀ ପାଇଥିଲା ବୋଲି ବାପା ଖୁସିରେ ଉପହାର ଦେଇଥିଲେ। ସେବେଠୁ ସାଇକେଲ ଟି ତାଙ୍କର ପୁରା ବିଶ୍ୱସ୍ତ ସେବକ ପାଲଟି ଯାଇଛି। ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେଲା ପରେ ସେ ଇଆଡୁ ସିଆଡୁ ଚାକିରୀ ନ ଖୋଜି ଯଦି ମାଷ୍ଟ୍ର ଟିଏ ହେଇଥାନ୍ତେ କେବେଠାରୁ ଫୁଲ ସ୍କେଲ ର ଦରମା ପାଇ ଗୋଡ଼ ଉପରେ ଗୋଡ଼ ପକେଇ ବସିଥାନ୍ତେ। ହେଲେ ତାଙ୍କର ତ ଭାଗ୍ୟ ଖରାପ। ସବୁଆଡୁ ନିରାଶ ହେବା ପରେ ତାଙ୍କ ମୁଣ୍ଡରେ ଯାଇ ଏଇ ଚାକିରୀ କଥା ପଶିଲା। ଲଗାତାର ପାଞ୍ଚ ଦିନ ହେଲାଣି କୌଣସି ନା କୌଣସି କାରଣରୁ ସେ ସ୍କୁଲରେ ବିଳମ୍ବରେ ପହଂଚୁଛନ୍ତି। ଯଦି ହେଡସାରେ ତାଙ୍କ ନା ରେ ଉପର ବିଭାଗକୁ ଅଭିଯୋଗ କରିଦିଅନ୍ତି ତେବେ ଜୀବନ ସାରା ସେ ଶିକ୍ଷା ସହାୟକ ହେଇ ରହିଯିବେ, ନଚେତ ତାଙ୍କୁ ଚାକିରୀ ରୁ ଛଟେଇ କରିଦେବେ। 


   ଆରେ ଆରେ - ଓହୋ - ଏ କଣ ହେଲା?

ସେ ଜାଣନ୍ତି ପରା। ଆଜି ସେ ଅମୁଙ୍ଗୁଳିଆ ହେଡ ମାଷ୍ଟ୍ରେଙ୍କୁ ମନେ ପକେଇଛନ୍ତି ମାନେ ଦୁନିଆଟା ଯାକର ଅଘଟଣ ତାଙ୍କ ସହିତ ଘଟିବ। 


"ଏ ପିଲା ଭଲ ଅଛୁ ତ? ତୋର କିଛି ହେଇନି ତ"


ଓହୋ ୧୦ ଟା ୧୦। ବାଜିଲାରେ ବାପା ବାଜିଲା ନାଲି ଛକି। ମାଷ୍ଟ୍ରେ ମନକୁ ମନ ବିଳିିବିଳେଇଲେ। 


   କିଛି ଟୋକା ଟାକଳିଆ ଭଦ୍ରଲୋକି ସାଜି ତାଙ୍କୁ ଘେରିଗଲେ। 

- ଆଜ୍ଞା ବ୍ୟସ୍ତ ହେବାର କିଛି ଦରକାର ନାହିଁ। ଆପଣ ଆପଣଙ୍କ ରାସ୍ତାରେ ଯାଆନ୍ତୁ। ଆମେ ୟାକୁ ଦେଖି ନେବୁ। ଏ ପିଲା ଗୁଡିକୁ ଚିହ୍ନି ନାହାନ୍ତି ଆଜ୍ଞା। ଏମାନଙ୍କର ପୁରା ଗ୍ୟାଙ୍ଗ ଅଛି। ଗାଡ଼ି କି ସାଇକେଲ ଦେଖିଲେ ଜାଣିଶୁଣି ମୁଣ୍ଡ ତଳେ ଦେଇଦେବେ। ତାପରେ ଗାଡିବାଲାଠୁ ପଇସା ମାଗିବେ।


    ଆରେ ସତେ ତ, ଏମିତିଆ ଘଟଣା ସମ୍ପର୍କରେ ହିନ୍ଦୀ ସାର କିଛି ଦିନ ତଳେ କହୁଥିଲେ। ହେଇଥିବ। କିଏ ଜାଣେ। ନର ମାୟା ତ ନାରାୟଣଙ୍କୁ ଅଗୋଚର। ସେ କି ବା ଛାର। ହେଲେ ପିଲାଟି ମୁଣ୍ଡରୁ ଯେଉଁ ରକ୍ତ ଧାର ଗୁଡ଼ିକ ବହିବାରେ ଲାଗିଛି ସେ କଣ ରକ୍ତ ନୁହେଁ। ଅବଶ୍ୟ କିଛି ଅବିଶ୍ୱାସ କଥା ନୁହେଁ। ଆଗରୁ ମୁଣ୍ଡରେ ପିଲାଟି ବୋଧେ ନାଲି ରଙ୍ଗ ବୋଳି ତାଙ୍କ ସାଇକେଲ ତଳେ ଜାଣିଶୁଣି ପଡ଼ିଗଲା। 



- ଏ ପିଲା ତୋତେ କଣ ଆଉ କୋଉ ଗାଡ଼ି ମଟର ଦିଶିଲାନି , ଶେଷରେ ଏ ଅଧମକୁ ବାଛିଲୁ। ଯାହା ତ ମଣିଷ ଶୋଧା ଖାଉଛି, ଲାଗୁଛି ଚାକିରୀରୁ ହାତ ଧୋଇବାକୁ ପଡ଼ିବ। ତମ ମାନଙ୍କ ଚିନ୍ତା କଣ? ଭଲ ବ୍ୟବସାୟ କରୁଛ। ଅନ୍ୟକୁ ଠକି, ପର ତଣ୍ଟି ଚିପି ଟଙ୍କା ନେଲାବେଳେ ତମକୁ ଟିକେ ଲାଜ ଲାଗୁନି। କଣ ନ ଜାଣିଲା ପରି ପଡ଼ି ରହିଛୁ। ଯାଉନୁ ଫିଲ୍ମ ରେ ମିଶିବୁ। ଭଲ ଦି ପଇସା କମେଇବୁ। 



    ନେତାମାନେ ଅନର୍ଗଳ ଭାଷଣ ଦେଲା ପରି ମାଷ୍ଟ୍ରେ ବହେ ପିଲାଟିକୁ ବକି ଗଲେ। ତା ଡେଣା ଧରି ବସେଇଦେଲେ। ଭଲ ତାମସା ଚାଲିଛି କହି ମହାନ୍ତି ସାର ସାଇକେଲକୁ ଆଗକୁ ମୋଡ଼ିଲେ। 



 -ପାଣି ........ପା.....ପା.....ପାଣି। ବାବୁ....ଟିକେ ........ପାଣି ଦିଅ।


ନିଆଁରେ ପାଣି ପଡ଼ିଲା ପରି ମାଷ୍ଟ୍ରେଙ୍କ ରାଗ କୁଆଡ଼େ ଉଭେଇ ଗଲା। ସେ ତା ଆଖି ଦୁଇଟିକୁ ଅନେଇଲେ। ଶିକାରୀ ଆଗରେ ହରିଣ ଛୁଆଟେ ଯେମିତି କାକୁସ୍ଥ ଭାବରେ ଅନାଏ ସେ ସେପରି ସାରଙ୍କୁ ଚାହିଁ ରହିଥିଲା। ବ୍ୟାଗରୁ ପାଣି ବୋତଲ ବାହାର କରି ପିଲାଟିକୁ ପିଆଇଲେ। ଟିକିଏ ତାଜା ଲାଗିବାରୁ ପିଲାଟି ବସିବା ଜାଗାରୁ ଉଠି କହିଲା



ମୁଁ ଚୋର କି ବଦମାସ ନୁହେଁ ବାବୁ। ଏଇ ପାଖ ବସ୍ ଷ୍ଟାଣ୍ଡ ରେ ବାଦାମ ବିକେ। ଏଇ ଦି ତିନି ଦିନ ହେଲା ବେପାରଟା ଟିକେ ମାନ୍ଦା ପଡ଼ିଛି। ମୋର ଗୋଟିଏ ବଡ଼ ଭଉଣୀ ଅଛି।ତା ନାଁ ରିତା। ସେ ଜଣେ ବାବୁ ଘରେ ବାସନ ମାଜେ। ମା, ବା ଦିଜଣ ଯାକ କେବେଠୁ ମରିଗଲେଣି। ଆମେ ଭାଇ ଭଉଣୀ , ଦିହେଁ ଦିହିଁକି ସାହା। କେହି କାହାକୁ ଘଡ଼ିଏ ନ ଦେଖିଲେ ଭାତ ହଜମ ହୁଏନି। ସବୁ ଠିକ୍ ଠାକ୍ ଚାଲିଥିଲା ବାବୁ। ହେଲେ ଚାରି ଦିନ ହେଲାଣି ମୋ ରିତା ଅପା ଗୋଟେ ଟ୍ରକ୍ ଡ୍ରାଇଭର ସାଙ୍ଗରେ ଲୁଚି ପଳେଇଛି। ତାକୁ ଖୋଜି ଖୋଜି ନ ଖାଇ ନ ପିଇ ଏଇଠି ଚେତା ହରେଇ ପଡ଼ିଗଲି। ହୋସ୍ ଆସିଲା ବେଳକୁ ଦେଖିଲି ଆପଣ ଠିଆ ହେଇଛନ୍ତି। ସତ କହୁଛି ବାବୁ ମୋ ଭଉଣୀ ମୋତେ ବହୁତ ଭଲ ପାଏ। ମୁଁ ନ ଖାଇଲେ ସେ ଖାଏନି। କେମିତି କେଜାଣି ସେ ମୋତେ ଛାଡ଼ି ଚାଲିଗଲା। ମୁଁ ଜାଣେ, ମୋ ପାଖରେ ଥିଲାବେଳେ ରିତା ଅପା ଭଲରେ ଗଣ୍ଡେ ଖାଇ ପାରୁନଥିଲା କି ଖଣ୍ଡେ ପିନ୍ଧି ପାରୁନଥିଲା। ସେ ପଞ୍ଜାବୀ ଡ୍ରାଇଭର କହିଛି ମୋ ଅପାକୁ ରାଣୀ କରି ରଖିବ। ଭଳି କି ଭଳି ଡ୍ରେସ ପିନ୍ଧିବାକୁ ଦେବ। ନୂଆ ନୂଆ ଜାଗା ବୁଲେଇବ। ତାକୁ ରାଣୀ କରି ରଖିବ। ମୋତେ କହିକି ଯାଇଥିଲେ ମୁଁ ଜମା ନାହିଁ କରିନଥାନ୍ତି। ତା ଖୁସିରେ ମୋ ଖୁସି। ହେଲେ ସେ ମୋତେ ବିଶ୍ୱାସ କଲାନି। ତା ରାସ୍ତାର କଣ୍ଟା ମୋତେ ଭାବିଲା।


    ଏହାକହି ପିଲାଟି ଜୋର ରେ କାନ୍ଦିବାକୁ ଲାଗିଲା। ତାକୁ ପ୍ରବୋଧନା ଦେଉ ଦେଉ ତା ମୁହଁରୁ ବିଶ୍ୱାସ ଶବ୍ଦଟି ଶୁଣି ମାଷ୍ଟ୍ରେ ଚମକି ପଡ଼ିଲେ।


   ସତରେ ଏ ଦୁନିଆ ବଡ଼ ବିଚିତ୍ର। କେହି କାହାକୁ ଆଜି ସହଜରେ ବିଶ୍ୱାସ କରୁନାହାନ୍ତି। ଯାହାକୁ ଦେଖ ସେ ତୁମକୁ ଅବିଶ୍ୱାସ ନଜରରେ ଦେଖିବ। ସେ ନିଜେ ବି କାଳେ ହେଡ ମାଷ୍ଟ୍ରେ ତାଙ୍କ ଚାକିରୀ ଖାଇଯିବେ, ସେଥିପାଇଁ ତାଙ୍କୁ ସର୍ବଦା ଅବିଶ୍ୱାସ ନଜରରେ ଦେଖନ୍ତି। ଏଇଠି ପିଲାଟି ଘାଇଲା ହେଇ ପଡିଛି, ସମସ୍ତଙ୍କର ତା ପ୍ରତି ଅବିଶ୍ୱାସ। 


   ମହାନ୍ତି ସାର ପିଲାଟିକୁ ଡାକ୍ତରଖାନା ନେବାକୁ ବାହାରିଲେ। ହେଲେ ପିଲାଟି ନିଜେ ଝାଡ଼ି ଝୁଡ଼ି ହେଇ ଅଣ୍ଟାରେ ବାନ୍ଧିଥିବା ଗାମୁଛାରେ ମୁଣ୍ଡରୁ ରକ୍ତଗୁଡ଼ିକୁ ପୋଛି ଦେଇ ଆଗକୁ ଚାଲିଲା। 


- ଆରେ ରହ , କୁଆଡେ ଯାଉଛୁ। ଆମେ ଡାକ୍ତରଖାନା ଯିବା ପରା। ସେଠି ତୋର ଭଲରେ ବ୍ୟାଣ୍ଡେଜକରି ହୋଟେଲକୁ ଯିବା। ତୁ ପରା ଚାରିଦିନ ହେଲାଣି କିଛି ଖାଇନୁ।


- ନାଇଁ ବାବୁ ଭୋକ ନାହିଁ। ମୁଁ କୁଆଡ଼େ ଆଉ ଯିବି। ଯାଏ ସେ ବସ୍ ଷ୍ଟାଣ୍ଡକୁ। କାଳେ ମୋ ଭଉଣୀ ମିଳିଯିବ। ମୋତେ ସିନା ସେ ବିଶ୍ୱାସ କଲାନି ହେଲେ ମୋର ଭଗବାନଙ୍କ ଉପରେ ଅଗାଢ ବିଶ୍ୱାସ ଅଛି। ମୋ ରିତାଅପା ମୋତେ ନିଶ୍ଚୟ ମିଳିବ।


ସତରେ ଏ ପିଲାଟି ପରି ସଭିଏଁ ଯଦି ପରସ୍ପରକୁ ବିଶ୍ୱାସ କରନ୍ତେ ତେବେ ସାରା ପୃଥିବୀ ସ୍ୱର୍ଗ ପାଲଟି ଯାଆନ୍ତା। ଏଇ ଅବିଶ୍ୱାସ ପାଇଁ ଦେଶ-ଦେଶରେ, ଭାଇ-ଭାଇରେ, ବାପା-ପୁଅ , ବନ୍ଧୁ- ବନ୍ଧୁରେ ଖାଲି କନ୍ଦଳ ହାଣକଟା ଚାଲିଛି। ବିଶ୍ୱାସ ରୂପକ ଅମୃତ ଯଦି ସଭିଙ୍କ ଶରୀରରେ ସିଞ୍ଚି ହେଇଯାଆନ୍ତା ପ୍ରତିଟି ହୃଦୟରେ ସ୍ନେହ ମମତାର ପୁଷ୍ପ ପଲ୍ଲବୀତ ହୁଅନ୍ତା। ଏକ ସୁନ୍ଦର ହସ ଖୁସି ପୃଥିବୀର ପରିକଳ୍ପନା କରି ପାଟିଯାଏ ବହି ଆସିଥିବା ଲୁହ କେଇ ବୁନ୍ଦାକୁ ପୋଛି ମହାନ୍ତି ସାର ଆଗକୁ ବଢିଲେ। 



Rate this content
Log in

Similar oriya story from Tragedy