STORYMIRROR

Paramita Mishra

Inspirational

4  

Paramita Mishra

Inspirational

ବିଲେଇ

ବିଲେଇ

3 mins
603


ପିଲା ଦିନୁ ତାର ଆମିଶରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ। ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା ପରେ ବାବା ସହ ବସିପଡେ।ସିଂଗଡା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ। ଏମିତି ରେ ପିଲା ବେଳେ ଗୁଦୁଲୁଗୁମା ଟାଏ ହୋଇଥାଏ।ପୁରିଲା ପୁରିଲା ଦେହ। ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ ଲାଗେ। ଯୋଗକୁ କୋଡପୋଛ ଛୁଆ ତେଣୁ ବେଶି ଗେହ୍ଲା। ବୋଉ ବି ତାକୁ ବଡ ଭାଗଟା ଦେଇଦିଏ। ବାବା କେତେ ଆକଟ କରନ୍ତି ବେଶି ମୋଟା ହେଇଯିବ।ଖାଇବାରେ ଖାଲି ରୁଟି ଦିଅ ତାକୁ। ଏସବୁ କଥାରେ କିନ୍ତୁ ତାର କିଛି ଯାଏ ଆସେ ନାହିଁ। ଭୋକ ଲାଗିଲେ ସେ କାହାକୁ ଅପେକ୍ଷା ବି କରେନି ନିଜେ ବାଢି ଆଣି ଖାଇନିଏ। ସମସ୍ତଙ୍କୁ ଦେଲା ବାଦେ କଡେଇଟା ବୋଉ ତାକୁ ଧରେଇ ଦିଏ। ଆଉ ତାର ଯୋଉ ଖୁସି କଣ କହିବି। ବେଳେ ବେଳେ କାହାକୁ ଟିକେ ଖାଇବାକୁ ବାଢି ଦେବାକୁ କହିଲେ ସେ ପ୍ରଥମେ କୌଣସି ତରକାରୀରୁ ଟିକେ ନିଜେ ଖାଇନିଏ। ଜେଜି କହିଦିଅନ୍ତି,ହେଇ ଲୋ ବିଲେଇ ହାତରେ ମାଛ କେଳଉଛ ପରା ଯା ସଇଲା ସବୁ। ଏଇ ବିଲେଇ ନାଆ ଟା ଶୁଣିଲା ମାତ୍ରେ ଏତେ ରାଗିଯାଏ ସେ।ମୋଟା ବୋଲି ଘରଠୁ ଦୁର ସ୍କୁଲରେ ପଢେଇଲୁ ସେଠୁ ବି ଫେରିଲି ବେଳେ ଠେଲାରୁ ଖାଇପିଇ ଆସେ, କେତେ ଚେଷ୍ଟା ପରେ ବଡ଼ ହେବା ପରେ ବି ତାର ଅଭ୍ୟାସ ସବୁ ଗଲାନି।


ଏବେ ଆମ ସୁମନର ବାହା ସରିଲାଣି।


ସୁମନ!


ମୋ ସାନ ଭଉଣୀ। ବାହାଘର ପରେ କିଛି କାରଣ ଯୋଗୁଁ ସେ ଘରକୁ ଆସି ପାରିନଥିଲା। ବହୁତ ଦିନ ପରେ ସ୍ବାମୀ ସହ ଘରକୁ ଆସିଥାଏ। କିଛି ସମୟର କଥାବାର୍ତ୍ତା ପରେ ବୋଉ ଖାଇବାକୁ ବାଢିବାକୁ ଗଲେ ପଛେ ପଛେ ଆମ ବିଲେଇ ବି ଦୌଡିଲା ଦୁଇ ଶଡୁଙ୍କୁ କଥା ହେବାକୁ ଛାଡି ମୁଁ ଆଉ ବାପା ବି ତା ପଛରେ ଗଲୁ ବାପା କହୁଥିଲେ ଏ ବିଲେଇର ଅଭ୍ଯାସ ଟା ଏଯାଏଁ ଗଲାନି। କିନ୍ତୁ ଯେତେବେଳେ ସୁମନକୁ କହିବାର ଶୁଣିଲୁ "ବୋଉ ମତେ ଆଉ ଜ୍ବାଇଁ କୁ ଆମିଶ ଦେବୁନି" ଆମେ ସବୁ ଶୁଣିକି କାବା।


ଆମେ ଜାଣିଥିଲୁ ତା ଶାଶୁ ଘରେ ଆମିଶ ପଶେନି।କିନ୍ତୁ ଜାଣି ନଥିଲୁ ଜ୍ବାଇଁ ବି ଜମା ଆମିଶ ଖାଆନ୍ତିନି ବୋଲି। ସବୁ ଥାଳିରୁ ହାତ ମାରି ଖାଇବା ପିଲା କହୁଛି ସେ ଖାଇ ନାହାନ୍ତି ମୁଁ କେମିତି ଖାଇବି। ବୋଉ ମୋର କାନ୍ଦ କାନ୍ଦ ହୋଇଗଲା। ବୋଉ କହିଲା ସେଇଥିପାଇଁ ମୋ ଝିଅ ଝଡ଼ି କି କଳା କାଠ ପଡି ଯାଇଛି। କେତେ କରି କହିଲା ପରେ ବି ସୁମନ କିନ୍ତୁ ଜମାରୁ ଆମିଶ ଖାଇଲାନି। ଯାଉ ଯାଉ ବୋଉର କନ୍ଦା କଟା ଆହୁରି ଚାଲିଥାଏ। କହୁଥିଲା ତୋର୍ ଯେତେ ବେଳେ ଖାଇବାକୁ ଇଚ୍ଛା ହେବ କହିବୁ ମୁଁ ଟିଫିନ୍ ରେ ପଠେଇ ଦେବି। ସୁମନ କିନ୍ତୁ ଗଲାବେଳେ ସୁନ୍ଦରରେ ବୋଉକୁ ବୁଝେଇ ଦେଇ ଗଲା "ତୋ ଜ୍ବାଇଁ ତ ମତେ ମନା କରିନାହାନ୍ତି ବୋଉ କିନ୍ତୁ ତାଙ୍କର ଆମିଶକୁ ନେଇ ଯୁକ୍ତି ଟି ମୋ ମନକୁ ପାଇଲା, ମୁଁ ନିଜ ଇଛାରେ ଆମିଶ ଛାଡି ଦେଇଛି।"ତୁମ ଜ୍ବାଇଁ କଣ କହିଲେ ଜାଣିଛ ବୋଉ? କହିଲେ, ମୁଁ ଚାହେଁନି ମୋ ସ୍ତ୍ରୀ କୋଉ ନିରପରାଧିର ମାଂସ ଖାଉ, ଯେହେତୁ ମୁଁ ତୁମର ସ୍ବାମୀ ଓ ତୁମକୁ ବହୁତ୍ ଭଲପାଏ ତେଣୁ ଆମର ସବୁ ପାପପୁଣ୍ୟର ଭାଗିଦାର ଆମେ ଦୁହେଁ ହେବା। ଆମିଶ ଭକ୍ଷଣ ଦ୍ବାରା ଯେଉଁ ସବୁ ପାପ ତୁମେ କରିଛ ଆଜିଠୁ ସେସବୁ ପାପ ମୋର ହେଲା ଆଉ ଆଗକୁ ବି ତୁମେ ଯେତେଥର ଖାଇବ ସେସବୁ ପାପ ବି ମୋର ହିଁ ହେବ। ମୁଁ ଜାଣି ଶୁଣି ସବୁ ପାପ ତାଙ୍କ ମୁଣ୍ଡରେ କେମିତି ଲଦିଦେବି କହିଲୁ। ବୋଉ ଆଖିରୁ ଲୁହ ପୋଛିଲା।


ସମୟ, ବାତାବରଣ, ଆପଣା ପଣ ଆଉ ଜୀବନସାଥୀର ସ୍ନେହ ମଣିଷକୁ ସମ୍ପୂର୍ଣ୍ଣ ବଦଳେଇ ଦିଏ।


କହିବାର ତାତ୍ପର୍ଯ୍ୟ ଯେ ମନୁଷ୍ୟ ଜୀବନରେ ପ୍ରତି ପର୍ଯ୍ୟାୟରେ ପରିବର୍ତ୍ତନ ତ ନିଶ୍ଚୟ ହୁଏ କିନ୍ତୁ ଏକ ସୁସ୍ଥ ପରିବର୍ତ୍ତନ ଆମକୁ ଉନ୍ନତି ଆଡକୁ ବାଟ କଡାଏ।



Rate this content
Log in

Similar oriya story from Inspirational