ଓଡିଆ ଶିଶୁ ଗପ

Classics

2  

ଓଡିଆ ଶିଶୁ ଗପ

Classics

ବିକ୍ରମ ବେତାଳ - ୧୬

ବିକ୍ରମ ବେତାଳ - ୧୬

5 mins
7.6K


ରାକ୍ଷସର ଧର୍ମ - ୧୬

ଦାନବର ଏପରି ଅଭିଳାଶ ପୂର୍ଣ୍ଣ ପ୍ରଶ୍ନ ଶୁଣି ଶଙ୍କର ଶାସ୍ତ୍ରୀ କହିଲେ ଏଇ ସମସ୍ୟାର ସମାଧାନ ରାସ୍ତା ବି ଅଛି । କଥା କ’ଣ କି, ରାଜ୍ୟର ଜନସଂଖ୍ୟା ଏତେ ବଢିଯାଇଛି ଯେ ଲୋକଙ୍କୁ ଦୁଇବେଳା ଦୁଇମୁଠା ଆହାର ତ ଠିକ୍ ଭାବରେ ମିଳୁନାହିଁ । ଫଳରେ ଭୋକ ଉପାସରେ ସଢି ସେମାନେ ମରୁଛନ୍ତି । ଆପଣ ସେମାନଙ୍କୁ ଖାଆନ୍ତୁ ବା ନ ଖାଆନ୍ତୁ ସେମାନଙ୍କର କିନ୍ତୁ ମରିବା ନିଶ୍ଚିତ । ଯଦି ଆପଣଙ୍କର ଆହାର କାମରେ ତାଙ୍କର ଜୀବନ ଲାଗିଯାଏ, ତେବେ ରାଜ୍ୟର ମଧ୍ୟ ଅନେକ ଲାଭ ହେବ । ଜନସଂଖ୍ୟା ନିୟନ୍ତ୍ରଣ କରି ହେବ, ଯାହା ଦ୍ୱାରା କି ଜନସଂଖ୍ୟା ବୃଦ୍ଧି ହେବାର ପରିମାଣ ଆପେ ଆପେ କମିଯିବ । ତାଛଡା ପ୍ରଜାମାନେ ବି କୌଣସି ଆପତ୍ତି କରିବେ ନାହିଁ । ଆପଣଙ୍କୁ ଦୋଷ ନ ଦେଇ ବରଂ ସେମାନେ ଆପଣଙ୍କୁ ଅତ୍ୟଧିକ ପ୍ରଶଂସା କରିବେ । ଶଙ୍କର ଶାସ୍ତ୍ରୀଙ୍କ ଏଭଳି ଯୁକ୍ତିକୁ ରାକ୍ଷସ ବିଶ୍ୱାସ କଲା । ତେଣୁ ସେ ଅତ୍ୟନ୍ତ ଆଗ୍ରହର ସହିତ କହିଲା, କିନ୍ତୁ ଏବେ ଯିଏ ରାଜା ଅଛି, ତାଙ୍କର କ’ଣ ହେବ?

ଏହା ଶୁଣି ଶଙ୍କର ଶାସ୍ତ୍ରୀ କହିଲା ଆପଣଙ୍କର ତାଙ୍କ ବିଷୟରେ ଚିନ୍ତା କରିବା କିଛି ବି ଦରକାର ନାହିଁ । ସେ ଦାୟିତ୍ୱ ମୋର । ଏମିତି ବି ସେ ଆପଣଙ୍କୁ ଦେଖୁଦେଖୁ ରାଜ୍ୟ ଛାଡି ଚାଲିଯିବେ । ତାଙ୍କୁ ହତ୍ୟାକରି ଆପଣ ମଧ୍ୟ ସିଂହାସନ ଅଧିକାର କରି ପାରିବେ । କିନ୍ତୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ମୁଁ ଦେବି ନାହିଁ । ଏପରି ଯୁକ୍ତି କରିବି ଯେ, ରଜା ନିଜ ଇଚ୍ଛାରେ ରାଜ ସିଂହାସନ ଆପଣଙ୍କୁ ଅର୍ପଣ କରି ରାଜ୍ୟରୁ ସବୁଦିନ ଲାଗି ବିଦାୟ ନେଇଯିବେ । ଆପଣଙ୍କୁ କେବଳ ମୋ ସହିତ ରାଜଧାନୀ ଯାଏଁ ଯିବାକୁ ପଡିବ ।” ପ୍ରାଣରକ୍ଷା ପାଇଁ ଶଙ୍କର ଶାସ୍ତ୍ରୀ ନିଜ ବୁଦ୍ଧି କୋଠରୀରୁ ଶେଷ ଉପାୟ ବାହାର କଲେ । ଏହା ମଧ୍ୟ ଅମୋଘ ଅସ୍ତ୍ର ପରି କାମ କଲା । ତାଙ୍କ କଥାରେ ପଡି ରାକ୍ଷସ ସଙ୍ଗେ ସଙ୍ଗେ ରାଜଧାନୀକୁ ଯିବା ପାଇଁ ବାହାରି ପଡିଲା ।

ଶଙ୍କର ଶାସ୍ତ୍ରୀ ଚାହୁଁଥିଲେ ରାକ୍ଷସ ତାଙ୍କୁ ନ ମାରୁ କିମ୍ବା ତାଙ୍କ ସହିତ ଜଙ୍ଗଲ ବାହାର ଯାଏଁ ଆସୁ । କିନ୍ତୁ ରାକ୍ଷସ ହାବୁଡରେ ଯିଏ ଥରେ ପଡିବ, ସିଏ ତାକୁ ଏତେ ସହଜରେ କେବେବି ଛାଡିବ ନାହିଁ । ରାକ୍ଷସ କବଳରୁ ମୁକ୍ତି ପାଇବା ଅସମ୍ଭବ । ତେଣୁ ନିଜର ବୁଦ୍ଧି ବିଦ୍ୟା, କୌଶଳ ପ୍ରୟୋଗ କରି ତାକୁ ଜଙ୍ଗଲ ବାହାରକୁ ଆଣିବା ପାଇଁ ସେ ଖୁବ୍ ଚେଷ୍ଟା କରିଥିଲେ । ଶେଷରେ ତାଙ୍କର ସର୍ବ ଶେଷ କୌଶଳର ଜାଲରେ କପୋତ ପଡିବା ଭଳି ସେ ରାକ୍ଷସ ମଧ୍ୟ ଧରାଦେଲା । ଦୁହେଁ ଜଙ୍ଗଲ ବାହାରକୁ ଆସିବା ରାସ୍ତାରେ ଚାଲିଲେ । ଯେତେବେଳ ଯାଏଁ ଶଙ୍କର ଶାସ୍ତ୍ରୀ ଜଙ୍ଗଲ ଭିତରେ ଯାଉଥିଲେ, ଭୟଭୀତ ହୋଇ ଏପଟକୁ ସେପଟକୁ ଚାହିଁ ବଡ ସତର୍କତାର ସହ ସେ ଆଗେଇ ଚାଲିଥିଲେ । ଯେମିତି ଜଙ୍ଗଲ ଅତିକ୍ରମ କରି ଆସିଛନ୍ତି ସେ ଏଥର ନିର୍ଭୟରେ ଚାଲିଲେ । ନିଶ୍ଚିତ ହୋଇ ବେପରୁଆ ଢଙ୍ଗରେ ଗୁଣୁ ଗୁଣୁ ଶ୍ଳୋକ ବୋଲିବା ସେ ଆରମ୍ଭ କଲେ ।

ତାଙ୍କର ଏପରି ବ୍ୟବହାରରେ ସେ ରାକ୍ଷସ ଜଣକ ଖୁବ୍ ଆଶ୍ଚର୍ଯ୍ୟ ହେଲା । ଏହାର କାରଣ ପଚାରିବାରୁ ଶଙ୍କର ଶାସ୍ତ୍ରୀ ହସି ହସି କହିଲେ, ଜଙ୍ଗଲରେ ସିଂହ, ବାଘ, ଭାଲୁ ଆଦି ହିଂସ୍ର ଜନ୍ତୁମାନଙ୍କର ଭୟ ରହିଛି । କାଳେ କେଉଁ ଦିଗରୁ କେଉଁ ସମୟରେ ସେମାନେ ହଠାତ୍ ଆକ୍ରମଣ କରିବେ, ତାହା ତ ମୋଟେ କହିହେବ ନାହିଁ । ଆମେ ଜଙ୍ଗଲର ସୀମା ଅତିକ୍ରମ କରି ସାରିଲେଣି । ତେଣୁ ମୁଁ ଏବେ ନିର୍ଭୟରେ ଚାଲିଛି ।

ତା’ପରେ ସେ ରାକ୍ଷସ ଅତ୍ୟନ୍ତ ବିନୟ ଭାବରେ ପ୍ରଶ୍ନ କଲା, କ’ଣ ଜଙ୍ଗଲୀ ପଶୁମାନେ ଜଙ୍ଗଲ ବାହାରକୁ କେବେବି ଆସନ୍ତି ନାହିଁ?”

ଏହା ଶୁଣି ଶଙ୍କର ଶାସ୍ତ୍ରୀ ନୀତିବାଣୀ ଶୁଣାଇବା ଭଙ୍ଗୀରେ କହିଲେ, ହେ ଦାନବରାଜ, ମାଛ ଜଳରେ ସ୍ୱାଭାବିକ ଭାବରେ ଜୀବନ ଧାରଣ କରିପାରେ । ଗ୍ରାମ ଓ ନଗରରେ ମନୁଷ୍ୟ ବି ସ୍ୱାଭାବିକ ଭାବରେ ବସବାସ କରେ । ସେହିପରି ସିଂହ, ବାଘ, ଭାଲୁ ଆଦି ଜନ୍ତୁମାନେ ଜଙ୍ଗଲରେ ରହିଲେ ସେମାନେ ନିଜକୁ ନିରାପଦ ମନେ କରନ୍ତି । ଯଦି ସେମାନେ ଗ୍ରାମ ଓ ନଗର ଭିତରକୁ ଆସିବେ, ତେବେ ମନୁଷ୍ୟମାନେ ତାଙ୍କୁ ଘେରିଯାଇ ମାରି ପକାଇବେ । ସେହିପରି ମନୁଷ୍ୟ ଜଙ୍ଗଲ ଭିତରେ ରହିଲେ ହିଂସ୍ରଜନ୍ତୁ ସେମାନଙ୍କୁ ମାରିଦେବେ । ପ୍ରକୃତି ଯାହା ପାଇଁ ଯେଉଁ ସ୍ଥାନ ତିଆରି କରିଛି, ସେ ସେଠାରେ ରହିବା ସବୁଠାରୁ ଭଲ । ଏହାକୁ ପରା କହନ୍ତି ସୃଷ୍ଟି-ଧର୍ମ ।

ଜଙ୍ଗଲ ପାରହୋଇ କିଛି ଦୂର ଯିବାପରେ ଏକ ନଦୀ କୂଳରେ ଗୋଟିଏ ଗୁରୁକୁଳ ଆଶ୍ରମ ପଡିଲା । ସେଠାରେ କେତେଜଣ ବିଦ୍ୟାର୍ଥୀ ବ୍ୟାୟାମ କରୁଥିଲେ ଓ ଅନ୍ୟ କେତେଜଣ ଧନୁର୍ବିଦ୍ୟା ଶିଖୁଥିଲେ । ଖଡ୍ଗ ଓ ଢାଲର ଅଭ୍ୟାସ ମଧ୍ୟ ଚାଲିଥାଏ । ଏକ ଉଚ୍ଚ ଆସନରେ ଉପବେଶନ କରି ସେମାନଙ୍କର ଗୁରୁପ୍ରତିମା ଶିଷ୍ୟମାନଙ୍କର କୌଶଳ ଲକ୍ଷ୍ୟ କରୁଥାଆନ୍ତି ।

ଦୀର୍ଘବାହୁକୁ ଏଇ ଦୃଶ୍ୟ ବଡ ବିଚିତ୍ର ଓ ଆଶ୍ଚର୍ଯ୍ୟଜନକ ମନେ ହେଲା । ତେଣୁ ସେ ଜାଣିବାକୁ ଚାହିଁଲା । ଏଠାରେ କ’ଣ ସବୁ ଚାଲିଛି?

ଶଙ୍କର ଶାସ୍ତ୍ରୀ ଗୁରୁଙ୍କୁ ଅଭିବାଦନ ଜଣାଇବା ପରେ କହିଲେ, ଏହା ଏକ ଗୁରୁକୁଳ ଆଶ୍ରମ । ଏଠାରେ ଗୁରୁଙ୍କ ତତ୍ୱାବଧାନରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ପୁତ୍ର ଓ ରାଜକୁମାରମାନେ ଯୁଦ୍ଧବିଦ୍ୟା ଓ ଶାସ୍ତ୍ରବିଦ୍ୟା ଅଧ୍ୟୟନ କରୁଛନ୍ତି । ମାତୃ ଦେବୋଭବ, ପିତୃ ଦେବୋଭବ, ଗୁରୁ ଦେବୋଭବ ହେଉଛି ଆମର ଆଦର୍ଶ । ଅର୍ଥାତ୍ ମାତା, ପିତାଙ୍କ ପରି ଗୁରୁ ମଧ୍ୟ ପୂଜନୀୟ । ଅଯୋଧ୍ୟା, କୋଶଳ ଓ ଅବନ୍ତୀ ନଗରର ରାଜା ଏହି ଗୁରୁଙ୍କର ଶିଷ୍ୟ ଅଟନ୍ତି । ସେ ଯଦି ଇଚ୍ଛା କରିବେ, ତେବେ ସାରା ସଂସାରକୁ ମଧ୍ୟ ସେ ଜୟ କରିପାରିବେ । ଏପରି କଥା ଶୁଣି ଦୀର୍ଘବାହୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପୁଣି ଶଙ୍କର ଶାସ୍ତ୍ରୀଙ୍କୁ ପଚାରିଲା “ଯଦି ଗୁରୁପ୍ରତିମ ରାଜା ହୋଇ ସବୁ ପ୍ରକାରର ସୁଖଭୋଗ କରିପାରିବେ, ତେବେ ସେ ଏଠାରେ ସନ୍ନ୍ୟାସୀଙ୍କ ପରି ଦରିଦ୍ରଜୀବନ ବିତାଉଛନ୍ତି କାହିଁକି?”

ସବୁ ଶୁଣି ଶଙ୍କର ଶାସ୍ତ୍ରୀ କହିଲେ, ଗୁରୁପ୍ରତିମ ଜଣେ ଗୁରୁ । ସେ ଜଣେ ଜ୍ଞାନୀ ବ୍ୟକ୍ତି । ସମସ୍ତ ପ୍ରକାର ଶସ୍ତ୍ର ଓ ଶାସ୍ତ୍ର ବିଦ୍ୟା ତାଙ୍କୁ ଜଣାଅଛି । ତାଙ୍କର ଧର୍ମ ହେଲା ଜ୍ଞାନ ବିତରଣ କରିବା, ରାଜ୍ୟ ଶାସନ କରିବା ନୁହେଁ । ତେଣୁ ସେ ନିଜର ଗୁରୁଧର୍ମ ପାଳନ କରୁଛନ୍ତି । ଏତିକି କହି ଶଙ୍କର ଶାସ୍ତ୍ରୀ ଅଟକି ଯାଇ ଆକାଶକୁ କିଛି ସମୟ ଚାହିଁ ରହିଲେ । ତା’ପରେ ସେ କହିଲେ – ସାରା ସଂସାରଚକ୍ର ଏପରି ଧର୍ମପାଳନ କରି ତିଷ୍ଠି ରହିଛି । ସୂର୍ଯ୍ୟ, ମେଘ, ପବନ ସମସ୍ତଙ୍କର ନିଜସ୍ୱ ଧର୍ମ ଅଛି ।

ଏଣେ ଶଙ୍କର ଶାସ୍ତ୍ରୀ କହି ଚାଲିଥାଆନ୍ତି । କିନ୍ତୁ ଦୀର୍ଘବାହୁ ଅଚାନକ ପଛକୁ ଚାହିଁକରି ଜଙ୍ଗଲ ଆଡକୁ ଦ୍ରୁତଗତିରେ ଦୌଡି ପଳାଇଲା । ଏସବୁ ଦେଖି ସେ ବିଦ୍ୱାନ ନିଜ ବାକ୍ୟ ପୂରଣ ନକରି ରାକ୍ଷସକୁ ବଡ ପାଟିରେ ଡାକିଲେ, ଆରେ ହେ, ଦାନବରାଜ କୁଆଡକୁ ଯାଉଛ… ଫେରିଆସ… । କିନ୍ତୁ ଦେଖୁ ଦେଖୁ ଦୀର୍ଘବାହୁ ଆଖି ଆଗରୁ କେଉଁଆଡେ ଅଦୃଶ୍ୟ ହୋଇଗଲା ।

କାହାଣୀକୁ ଏଇଠାରେ ଶେଷକରି ବେତାଳ ବିକ୍ରମାଦିତ୍ୟଙ୍କୁ ପ୍ରଶ୍ନକଲା, ରାଜନ, ଦୀର୍ଘବାହୁ ତ ରାଜାହେବା ଉଦ୍ଧେଶ୍ୟରେ ଜଙ୍ଗଲରୁ ବାହାରି ଶଙ୍କର ଶାସ୍ତ୍ରିଙ୍କ ସହିତ ରାଜଧାନୀକୁ ଆସୁଥିଲା । କିନ୍ତୁ ସେ ଗୁରୁପ୍ରତିମଙ୍କ ସମ୍ବନ୍ଧରେ ଶୁଣିବାପରେ ଜଙ୍ଗଲକୁ ପୁନର୍ବାର ଫେରିଗଲା କାହିଁକି? ଶାସ୍ତ୍ର ବିଦ୍ୟା ନିପୁଣ ଗୁରୁ ଓ ଶସ୍ତ୍ରବିଦ୍ୟା ଅଭ୍ୟାସ କରୁଥିବା ଶିଷ୍ୟମାନଙ୍କୁ ଦେଖି ସେ ଆଉ ଭୟଭୀତ ହୋଇ ପଡିଲାକି…? ନା… ତା’ ମନରେ ସନ୍ଦେହ ହେଲା ଯେ, ଶଙ୍କର ଶାସ୍ତ୍ରୀ ନିଜର ପ୍ରାଣ ବଂଚାଇବା ପାଇଁ ତା’ ସହିତ ଛନ୍ଦ କପଟ କରି ତାକୁ ରାଜଧାନୀକୁ ନେଇ ମାରି ପକାଇବେ? ଯଦି ଏପରି ସେ ଭାବିଥାଆନ୍ତା, ତେବେ ତ ସେ ପ୍ରଥମରୁ ଶଙ୍କର ଶାସ୍ତ୍ରୀଙ୍କୁ ମାରି ପକାଇଥାନ୍ତା । କିନ୍ତୁ ସେ ଏପରି କରିନାହିଁ । ଯଦି ମୋର ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ତୁମେ ନୀରବ ରହିବ, ତେବେ ତମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।

ତା’ପରେ ମୌନଭଙ୍ଗ କରି ବିକ୍ରମାଦିତ୍ୟ କହିଲେ, ଦୀର୍ଘବାହୁର ବିଭିନ୍ନ ଜିଜ୍ଞାସା, ବା ଜାଣିବା କଥାର ଉତ୍ତର ଦେବା ସମୟରେ ତାକୁ ଶାସ୍ତ୍ରୀ ନିଜର ବିଦ୍ୟା ବୁଦ୍ଧି ପ୍ରୟୋଗ କରି ପ୍ରତ୍ୟେକ ବସ୍ତୁର ସ୍ୱାଭାବିକ ଧର୍ମ ବିଷୟରେ ବୁଝାଉଥିଲେ । ସେହି କଥାରୁ ରାକ୍ଷସକୁ ନିଜର ଧର୍ମ ବିଷୟରେ ସଙ୍କେତ ମିଳିଗଲା । ସେ ଯେତେବେଳେ ଜାଣିପାରିଲା ଯେ, ବନ୍ୟ ପଶୁମାନଙ୍କର ଧର୍ମ ଜଙ୍ଗଲରେ ରହିବା, ମନୁଷ୍ୟର ଧର୍ମ ଗ୍ରାମ ବା ନଗରରେ ବସବାସ କରିବା, ଗୁରୁଙ୍କର ଧର୍ମ ଶିଷ୍ୟମାନଙ୍କୁ ଶିକ୍ଷାଦାନ କରିବା, ସେ ବି ତା’ ରାକ୍ଷସର ଧର୍ମ ପାଳନ କରିବା ପାଇଁ ତୁରନ୍ତ ଜଙ୍ଗଲ ମଧ୍ୟରେ ଥିବା, ତା’ର ଗୁମ୍ଫାକୁ ଫେରି ଯିବାକୁ ଶ୍ରେୟ ମଣିଲା ।

ଏହିପରି ଭାବରେ ରାଜାଙ୍କର ମୌନଭଙ୍ଗ କରାଇବାରେ ସଫଳ ହୋଇ ସେ ଶବ ଓ ଶବସ୍ଥିତ ବେତାଳ ହଠାତ୍ ରାଜାଙ୍କର କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲିପଡିଲା ।


Rate this content
Log in

Similar oriya story from Classics