ଭୁଲ
ଭୁଲ
ମଣିଷ ତା' ଜୀବନରେ ଅନେକ ଭୁଲ କରିଥାଏ, ସେଥିରୁ କିଛି ଭୁଲ ତାକୁ ଶିକ୍ଷା ଦେଇଥାଏ ଏବଂ ଆଉ କିଛି ଭୁଲ ତା'ର ସ୍ମୃତି ହୋଇରହିଯାଇଥାଏ । ସେଭଳି ଏକ ଭୁଲ ଶିବାନୀ ଜୀବନରେ ଘଟିଥିଲା ଯାହା ସେ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ । ଶିବାନୀ ଭୁବନେଶ୍ୱରର ରମାଦେବୀ କଲେଜରେ ପଢ଼ୁଥିବା ସମୟରେ ଘରୁ ଫୋନ୍ ଆସିଲା ଓ.ଟି.ଇ.ଟି ଆବେଦନ କରିବା ପାଇଁ । ସେ କମ୍ପ୍ୟୁଟରରେ ଦେଖିଲା ସେହି ଦିନ ହିଁ ଆବେଦନର ଶେଷ ଦିନ । ତେଣୁ ସେ ନଖାଇ ନପିଇ ୟୁନିଟ-୩ରେ ଥିବା କ୍ୟାପିଟାଲ ହାଇସ୍କୁଲକୁ ବାହାରି ଗଲା । ଦେଖିଲା ଆବେଦନ କରିବା ପାଇଁ ଶହ ଶହ ପିଲା ସେଠାରେ ରୁଣ୍ଡ ହୋଇଛନ୍ତି । ସେ ଧାଡିରେ ଠିଆହୋଇ ଆବେଦନ ଫର୍ମ ଆଣିଲା । ସେହି ଆବେଦନ ଫର୍ମକୁ ପୂର୍ଣ୍ଣ କରି ପୁଣି ଧାଡିରେ ଠିଆହୋଇ ଦେବାକୁ ପଡିବ । ବାସ୍ତରୀ ଜଣଙ୍କ ପରେ ସେ ଠିଆହୋଇଥିଲା ।
ଏମିତି ହେଉ ହେଉ ସମୟ 4:30 ହୋଇଗଲା । ତେଣୁ ଆବେଦନ ପତ୍ର ରଖୁଥିବା ସାର୍ ଏବଂ ମ୍ୟାଡାମମାନେ କହିଲେ ସମୟ ବହୁତ ହୋଇଗଲା ଆଉ ଆବେଦନ ପତ୍ର ରଖାଯିବ ନାହିଁ । ଏହା ଶୁଣି କେତେକ ପିଲା ଆବେଦନ ପତ୍ର ରଖିବା ପାଇଁ ସାର୍ ଏବଂ ମ୍ୟାଡ଼ାମଙ୍କୁ ନେହୁରା, କାକୁତି ମିନତି ଓ ବିଭିନ୍ନ ପ୍ରକାର ଅନୁରୋଧ କଲେ ।
ପିଲାମାନଙ୍କଠାରୁ ଏଭଳି ଅନୁରୋଧ ଶୁଣି ଜଣେ ମ୍ୟାଡାମ୍ କହିଲେ, ଲେଖି ଲେଖି ଆମ ହାତ ଗୋଡ ବିନ୍ଧିଲାଣି, ଏମିତିରେ ବି ସରକାର ଆମକୁ 4ଟା ପର୍ଯ୍ୟନ୍ତ କାମ କରିବାକୁ କହିଛି, ତା'ଠାରୁ ଅଧିକ ସମୟ କାମ କରିବାକୁ ନୁହେଁ । ମ୍ୟାଡାମଙ୍କର ଏଭଳି କଥା ଶୁଣି ଶିବାନୀ ହଠାତ୍ ତାଙ୍କୁ ଉତ୍ତର ଦେଲା
"ଯଦି ସରକାର ଆପଣଙ୍କୁ 4ଟା ଯାଏଁ କାମ କରିବାକୁ କହିଛି, ତାହା ହେଲେ ଆପଣମାନେ ଏପର୍ଯ୍ୟନ୍ତ କ'ଣ କରୁଛନ୍ତି ! ଘରକୁ ଯାଇନାହାନ୍ତି କାହିଁକି !"
ଶିବାନୀର ଏଭଳି ବ୍ୟବହାର ଦେଖି ସଵୁ ସାର୍ ଏବଂ ମ୍ୟାଡାମମାନେ ନାଲି ଆଖି କରି ଅନେଇ ରହିଲେ । ଶିବାନୀକୁ ମଧ୍ୟ ସବୁ ପିଲା ବାରଣ କଲେ, ଏଭଳି କହି ସାର୍ ଓ ମ୍ୟାଡାମମାନଙ୍କୁ ନରଗେଇବା ପାଇଁ ।
ପିଲାଙ୍କ ଅନୁରୋଧ କ୍ରମେ ସାର୍ ଓ ମ୍ୟାଡାମମାନେ ପୁଣି ଥରେ ଆବେଦନ ପତ୍ର ରଖିବା କାର୍ଯ୍ୟ ଆରମ୍ଭ କରିଦେଲେ । କିଛି ସମୟ ପରେ ଟଏଲେଟ ଯିବାପାଇଁ ସେହି ମ୍ୟାଡାମ୍ ଜଣଙ୍କ ବାହାରକୁ ଆସିଲେ । ଶିବାନୀ ଏହା ଦେଖି ଧାଇଁ ଧାଇଁ ଯାଇ ମ୍ୟାଡାମଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ଛଳ ଛଳ ଲୁହଭରା ଆଖିରେ କ୍ଷମା ପାର୍ଥନା କଲା । କହିଲା-
"ମ୍ୟାଡାମ୍ ମୁଁ ଆପଣଙ୍କୁ କଣ କହିଛି ମୁଁ ନିଜେ ତାହା ଜାଣିନି । ସକାଳୁ ଭୋକିଲା ପେଟରେ ଏଠି ଅଛି ପୁଣି କାଲି ମୋର କଲେଜରେ ପରୀକ୍ଷା, ସେଥିପାଇଁ ମୁଁ ମୋର ହିତାହିତ ଜ୍ଞାନ ହରେଇ ଦେଇଥିଲି । ମୁଁ ଆପଣଙ୍କ ପାଖେ ଦୋଷୀ । ମୋତେ କ୍ଷମା କରିଦିଅନ୍ତୁ ।"
ଏହା ଶୁଣି ମ୍ୟାଡାମ୍ ଜଣଙ୍କ ଶିବାନୀକୁ ପଚାରିଲେ ତୁମେ କୋଉଠି ପଢୁଛ ! ଶିବାନୀ ରମାଦେବୀ କଲେଜ କହିଲା । ତା'ପରେ ମ୍ୟାଡାମ୍ ଜଣଙ୍କ ମୁରୁକି ହସି ଶିବାନୀର ପିଠିକୁ ଥାପୁଡ଼େଇ କହିଲେ, ତୁମେ ଏତେ ବଡ କଲେଜରେ ପଢିକି ଏମିତି ହେଉଛ । ପ୍ରତ୍ୟେକ ମଣିଷ ତା ଜୀବନରେ କିଛି ନା କିଛି ଭୁଲ କରିଥାଏ, ସିଏ ଜାଣତରେ ହେଉ ଅବା ଅଜାଣତରେ । କିନ୍ତୁ କେହି ନିଜ ଭୁଲକୁ ଦେଖନ୍ତିନି କି ସେହି ଭୁଲ ପାଇଁ ନିଜକୁ ଦୋଷୀ କୁହନ୍ତି ନାହିଁ । ତୁମେ ତୁମ ଭୁଲ ବୁଝି ପାରିଲ ସେଇଟା ହିଁ ବଡ଼ କଥା । ତା'ପରେ ମ୍ୟାଡାମ୍ ଟଏଲେଟରୁ ଆସି ଶିବାନୀକୁ ଡାକି ତା'ର ଆବେଦନ ଫର୍ମ ପ୍ରଥମେ ରଖିଲେ ।
