STORYMIRROR

Titi Sarangi

Inspirational

2  

Titi Sarangi

Inspirational

ଭସାଣୀ

ଭସାଣୀ

2 mins
14.2K


ମେଢ ସଜା ହବ ,ମାଆ ଆସିବେ ବୋଲି ସବୁଠି କୋଳାହଳ ଚାଲେ ମାସକ ଆଗରୁ ।ମୂର୍ତ୍ତି ଗଢିବାରେ ମଗ୍ନ ହୁଏ ମୂର୍ତ୍ତିକାର ଆଉ ପେଣ୍ଡାଲ୍ ସଜେଇବାରେ ବ୍ଯସ୍ତ ରୁହନ୍ତି ସାଇ ପିଲେ ।ନଈ ପଠାରୁ କାଶତଣ୍ଡୀର ହସ ଆଉ ସଞ୍ଜ ପହରେ ସଜ ଶେଫାଳୀର ମହକ ଜଣେଇ ଦିଏ ଦୂର୍ଗାପୂଜା ପାଖ ହେଲାଣି ।ବହୁ ଆକାଂକ୍ଷିତ ଦିନଟି ଆସେ ପାର୍ବଣର ଛନ୍ଦେ ଛନ୍ଦେ ।ମୁଗ୍ଧ ବିଭୋର ଭାବଟିଏ ଜମାଟ ବାନ୍ଧିବା ବେଳକୁ ଚାରି ପଟେ ଭସାଣୀର ରବ ଶୁଭେ ।ଆଉ ଭସେଇ ନଦେଇ ଉପାୟ ନାହିଁ ।ଏତେ ଭାବ ,ଏତେ ଭଲ ପାଇବା କଣ ବେଶୀ ସମୟ ସମ୍ଭାଳି ରଖିପାରେ ଛାତି !!ସେଇ ଗୁଡାକ ହିଁ ଭସେଇ ଦେବାକୁ ହୁଏ ଭସାଣୀରେ ।ତା ସାଥୀରେ ଝୁରିବା ପଣଟିଏ ଝରୁଥାଏ ହୃଦୟର କୋଣରୁ ଆର ବର୍ଷକୁ ଆଉ ଥରେ ଭେଟ ହେବା ପାଇଁ ।

ସମୟ ସୁଅରେ କେତେ କଣ ଭାସି ଯାଉଛି ।ହେତୁ ହେଲା ଦିନୁ ଗୋଟିଏ ଦିନର ଆୟୁଷ ଭାସି ଯାଉଛି ସ୍ମୃତିଟିଏ ହାତରେ ଧରେଇ କୋଉ ଅଥଳ ସାଗର ଭିତରକୁ ।ମନ ଭିତରଟା ଖାଲି ଗୋଳେଇ ଘାଣ୍ଟି ହଉଛି ସେତିକି ଅନୁଭବକୁ ଭୁଲି ହୁଏନି ବୋଲି ।ହେଲେ ଆଉ ଥରେ ଭୋଗିବାକୁ ଫେରେନି ସେଇ ଦିନଟି ।ସୁଖର ହଉ କି ଦୁଃଖର ହଉ ।ଜୀବନ ବି ତ ପାଳି ଚାଲିଛି ପ୍ରତି ନିୟତ ଭସାଣୀ ଉତ୍ସବ ।

ବେଙ୍ଗମାଆର ଝିଅ ଦିଟା ।ସାନଟା ପେଟରେ ଥିଲା ବେଳୁ ତା ବାପା କଲିକତା କାମ କରିଗଲା ଯେ ଆଉ ଫେରିଲାନି ।ଆଉ ଗୋଟେ ମାଈକିନା ଧରି ସେ ସେଇଠି ରହିଲା ବୋଲି ଗାଁ ଲୋକେ କହୁଛନ୍ତି ।ଦୁଃଖ ସତେକି ଅଜାଡି ହେଇ ପଡିଲା ତା ମୁଣ୍ଡରେ ।କଞ୍ଚା ବୟସରେ ବିଧବା ନହେଇ ବି ବିଧବା ଭଳି ବଞ୍ଚିଲା ।ହେଲେ ଜୀବନ ପ୍ରତି ଅଭିଯୋଗ କଲାନି ।ସମୟ ସୁଅରେ ଭାସିଗଲା ବେଳେ କିଏ କେତେ କଥା କହିଲେ ।ଶୁଣି ନଶୁଣିଲା ଭଳି ଦିନ ଦିନକର ଦୁଃଖକୁ ଭସେଇ ଚାଲିଲା ।ତା ମାଈପୀପଣ ପ୍ରତି ଆସିଥିବା ପ୍ରଶ୍ନବାଚୀକୁ ଉପଯୁକ୍ତ ଉତ୍ତରରେ ସଜେଇଲା ନିଜ ଝିଅ ଦିଜଣଙ୍କ ବ୍ଯକ୍ତିତ୍ବରେ ।ସମୟ ଭସେଇ ନେଲା ତା ଦିନକୁ ଆଉ ଝିଅମାନଙ୍କୁ ଭଲ ଘର ଆଉ ବର ଦେଖି ବାହା କରେଇବାର ଯୋଗ୍ଯତା ସେ ହାସଲ କଲା ।ସମୟର ଗୋଟେ ବିରାଟ ପରୀକ୍ଷାରେ ସତେ ଅବା ସେ ଉତ୍ତୀର୍ଣ୍ଣ ହେଇଗଲା।ଝିଅମାନେ ଏବେ ତାର ଭଲରେ ଅଛନ୍ତି ।ବେଙ୍ଗମାଆ ବି ଭଲରେ ଅଛି ।ତଥାପି ସେ ସମୟକୁ ଦୋଷ ଦିଏ।ସମୟଟା ସତରେ ସବୁ କିଛି ଭସେଇ ନେଇ ଯାଏ ।ଭସାଣୀ ପ୍ରତିଦିନ ଚାଲିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational