ଭିଟାମାଟି
ଭିଟାମାଟି


ଆଖିରେ ଆଜି ଆନନ୍ଦର ଅଶ୍ରୁ।ଭଗବାନଙ୍କ ଦୟାରୁ ସବୁକିଛି ଅଛି।ସମାଜରେ ଆଜି ବିପୁଲ ର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି।ପାଖ ଆଖରେ ସଭା ସମିତି ହେଲେ ଆଜି ଆଜି ଖୋଜା ପଡେ ବିପୁଲକୁ।ଜଣେ ନ୍ୟାୟବନ୍ତ ବିଚାରକ ଭାବରେ।ପାଖରେ ଧନ ଦୌଲତ, ଗାଡି,ବ୍ୟାଙ୍କ ବାଲାନ୍ସ ସବୁ କିଛି ଅଛି ।ଜୀବନଟା ଆଜି କଟୁଛି ଖୁବ ଶାନ୍ତିରେ ।
ହେଲେ ବେଳେ ବେଳେ ଅଶାନ୍ତ ହୋଇଯାଏ ବିପୁଲ ପୁରୁଣା କଥାକୁ ନେଇ।ସେଦିନ ଗୁଡିକୁ ଭାବିଲେ ଆନନ୍ଦର ଅଶ୍ରୁ ବଦଳରେ ଦୁଃଖ କଷ୍ଟର ଲୁହ ଝରି ଆସି ଓଦା କରିଦିଏ ଦୁଇ ଗାଲର ପୁଷ୍ଟଭୂମିକୁ।
ବଡ଼ କଷ୍ଟରେ ବାପା ତାର ବାର ଦୁଆରେ ମୂଲ ଲାଗି ଯାହା ଗଣ୍ଡେ ଆଣୁଥିଲେ ।ସେଥିରେ ସେ ,ବାପା ,ବୋଉ,ଭଉଣୀ ଆଉ ଜେଜିମା ଚଳିବା ବଡ଼ କଷ୍ଟ ହେଉଥିଲା।ତଥାପି ବାପା ତାର ହାର ମାନିନଥିଲେ ଗରିବିର ବୋଝ ଆଗରେ।ଲୁହ ଲହୁକୁ ଏକାଠି କରି ଦିନ ତମାମ କଠିନ ହାଡ଼ଭଙ୍ଗା ପରିଶ୍ରମ କରୁଥିଲେ।ଜମି ବୋଲି ଯାହା ଖଣ୍ଡେ ନିଜର ଥିଲା ,ସେଇଟା ବି ବେସିଦିନ ରହି ନଥିଲା ବାପାଙ୍କର ହୋଇ।
ଦିନେ ହଠାତ ଛୋଟ ବେଳେ ବାପାଙ୍କର ଦେହ ବହୁତ ଖରାପ ହୋଇଥିଲା ।ବାପା ପୁରା କତରା ଲଗା ହୋଇଯାଇଥିଲେ ।ଏମିତିରେ ଗାଁ ବଇଦ ଠୁ ଯାହା ଔଷଧ ଆଣିଲେ କିଛିବିକାମ ଦେଲାନି ।ବରଂ ଦିନକୁ ଦିନ ତା ବାପାଙ୍କ ଦେହ ବହୁତ ଖରାପ ହେବାର ଲାଗିଥାଏ ।ଶେଷରେ କିଛି ଚାରା ନପାଇ ବିପୁଲର ବୋଉ ଗାଁ ମହାଜନ ଠାରୁ କିଛି ଟଙ୍କା କରଜ ଆଣିଥିଲେ।ହେଲେ ପ୍ରତିବଦଳରେ ନିଜର ଜମି ଖଣ୍ଡିକୁ ବନ୍ଧକ ପକାଇବାକୁ ପଡିଥିଲା ।ସେହି ପଇସାରେ ବାପାଙ୍କୁ ନେଇ ବୋଉ ଗଲା କଟକ ବଡ ଡାକ୍ତରଖାନା କୁ ।ସେଠି କିଛି ଦିନର ଚିକିତ୍ସା ପରେ ତା ବାପାଙ୍କର ହୋଇଗଲା ସ୍ୱର୍ଗବାସ ।ସେ ହୋଇଗଲା ବାପ ଛେଉଣ୍ଡ ।ତାପରେ ବୋଉ ପର ଘରେ ବାସନ ମାଜେ ଆଉକିଛି ଛୋଟ ମୋଟ କାମ କରି ବଡ଼ କଷ୍ଟରେ ପରିବାର କୁ ଚଳାଇଲେ।
ହେଲେ ଏତିକିରେ କୋଉ ତାଙ୍କ ଦୁଃଖ କମିବାକୁ ଥିଲା।ତା ବାପାଙ୍କର ମୃତ୍ୟୁ ପରେ ମହାଜନ ଟଙ୍କା ମାଗିଲା ।ହେଲେ ଏତେ ଗୁଡିଏ ଟଙ୍କା ବା ତା ବୋଉ କୋଉଠୁ ପାଇବ।ଶେଷରେ ଘରଡିହ ,ତା ଜନ୍ମର ଭିଟାମାଟି ଖଣ୍ଡିକୁ ଜମିଦାର ଜବର ଦଖଲ କରିନେଲା।ଗାଁ ଲୋକ ସବୁ ଦେଖି ଜାଣି ବି ଚୁପ ରହିଲେ।କାରଣ ସେମାନେ ବି ସୁବିଧା ଅସୁବିଧାରେ ତାଠୁ ଅର୍ଥ କରଜ ନେଉଥିଲେ।ତେଣୁ ସେମାନେ ମହାଜନଙ୍କ ବିରୋଧରେ ପଦୁଟିଏ ବି କହିଲେନି ।ଶେଷରେ ବାଧ୍ୟ ହୋଇ ଗାଁ ଛାଡିଲେ ତାଙ୍କ ପରିବାର ।ବହୁତ କଷ୍ଟରେ ଅନ୍ୟ ଏକ ଗାଁରେ ସରକାରୀ ଜମିରେ ଜରି ପାଲ ଘେରାଟିଏ କରି ସେଥିରେ ରହିଲେ।ସେହି ଗାଁରେ ତା ବୋଉ କିଛି ଲୋକଙ୍କ ଘରେ ରୋଷେଇ ବାସ କରେ ଓ ବିପୁଲ ପାଖ ବଜାରରେ ଗୋଟେ ଚାହା ଦୋକାନରେ କାମ କରେ ।ହେଲେ ଏ ସବୁ ଭିତରେ ସେ ପାଠ ପଢିବାକୁ ଭୁଲି ନଥାଏ।କାମରୁ ଟିକେ ଫୁରୁସତ ମିଳିଲେ ପାଠ ପଢ଼ାରେ ମନ ଲଗାଉଥିଲା।ଏମିତିରେ ଗଡି ଚାଲିଲା ସମୟ।
କଥାରେ ପରା ଅଛି ଭଗବାନଙ୍କ ପାଖରେ ପହଂଚିବାଜୁ ଡେରି ହୋଇପାରେ ହେଲେ ଚେଷ୍ଟା କଲେ ଅସଫଳ ହେବେ ନାହିଁ ।ଶେଷରେ ପାଠର ଗୋଟିଏ ପରେ ଗୋଟିଏ ସଫଳତାର ସିଡିକୁ ଚଢି ଚଢି ଚାଲିଥାଏ ବିପୁଲ।
ସେଦିନ ବିପୁଲ ଜରିପାଲର ଘର ଆଗରେ ଗଦା ହୋଇଥାନ୍ତି ବହୁତ ଲୋକ ।ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ଯାଏଁ ।ସମସ୍ତଙ୍କ ମୁଁହରେ ବିପୁଲ ର ପ୍ରସଂଶା ।ବିପୁଲ ଓଡିଶା ସରକାରଙ୍କ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏକ ନମ୍ବର ହୋଇଛି ।ଘର ଆଗରେ ବେଢ଼ିଥାନ୍ତି ଖବର କାଗଜ ଠୁ ବିଦ୍ୟୁତ ଗଣମାଧ୍ୟମର ପ୍ରତିନିଧି ମାନେ ।ସମସ୍ତେ ଜାଣିଲେ ବିପୁଲ ବିଷୟରେ ।
ସମସ୍ତଙ୍କ ମୁଁହରେ ବିପୁଲ ର ପ୍ରଶଂସା ।ହେଲେ ଏତେ ସବୁ ପରେବି ବିପୁଲ ମନରେ ଦୁଖଟିଏ ଉଙ୍କି ମାରୁଥାଏ।ନିଜ ଜନ୍ମଭୂମିକୁ ପରକରି।
ସେ ଚାହିଁଥିଲେ ଜମିଦାର ବିରୋଧରେ ମକଦମା କରି ନିଜ ଭିଟାମାଟିକୁ ମୁକୁଳାଇ ପାରିଥାନ୍ତ ।ହେଲେ ସେମିତି ସେ କରିନଥିଲା।
ଦିନେ ହଠାତ ଗାଁ ଜମିଦାର ଆସି ପହଁଚିଲେ ତା ସରକାରୀ ବଙ୍ଗଳାରେ।ସେ ତାଙ୍କ ଯଥାମାନ୍ୟ ସତ୍କାର କଲା ।ଗଲା ବେଳକୁ ଜମିଦାର ନିଜ ଭୁଲକୁ ସ୍ୱୀକାର କରି ବିପୁଲକୁ କ୍ଷମା ପ୍ରାଥନା କଲେ।ଗଲାବେଳେ ବିପୁଲର ଭିଟାମାଟିର ପଟ୍ଟା ଖଣ୍ଡିକୁ ବିପୁଲହାତରେ ଧରାଇ ଦେଇଯାଇଥିଲେ ।ପଟ୍ଟା ଖଣ୍ଡିକୁ ପାଇ କିଛି ସମୟ ହଜିଯାଇଥିଲା ବିପୁଲ ପୁରୁଣା ସ୍ମୃତିରେ ।ଲାଗୁଥିଲା ସତେ ଯେମିତି ତା ବାପା ତା ଆଗରେ ଛିଡା ହୋଇଛନ୍ତି ।ଯେଉଁଠି ତା ବାପା ନିତି ପଖାଳ ସାଙ୍ଗରେ ଆଳୁ ଚଟଣି ତାକୁ ଖୁଆଉଥିଲେ ।ସେ ଫେରି ଆସିଲା ନିଜ ଗାଁକୁ ।ଭଲ ଘର ଖଣ୍ଡେ ତିଆରି କଲା ଗାଁରେ ।ବାହାସାହା ହୋଇ ପିଲା ଛୁଆର ସଂସାର କଲା ଖୁବ ସୁଖ ସ୍ୱଚ୍ଛନ୍ଦରେ ।
ଚାକିରୀରୁ ଅବସର ପରେ ଗାଁକୁ ଫେରି ଆସିଛି ବିପୁଲ ।କେବଳ ଭିଟାମାଟିର ମୋହରେ ,ଆକର୍ଷଣରେ।ନିଜକୁ ଦୂରେଇ ରଖିପାରିଲାନି ସହରରର ଚାକଚମକରେ ।ଯେତେ ହେଲେ ଗାଁ ଗାଁ ଆଉ ସହର କୋଉ ତାର ସମକକ୍ଷ ହୋଇପାରିବ।ଜୀବନରେ କିଏ କୋଉ ସ୍ୱପ୍ନ ଦେଖେ ହେଲେ ପିଲାଦିନୁ ବିପୁଲ ଆଖିରେ ଥିଲା ଗୋଟିଏ ସ୍ବପ୍ନ କେମିତି ମୁକୁଳାଇବ ତାର ବନ୍ଧକ ପଡିଥିବା ଭିଟାମାଟିକୁ ।ଯାହା ସମୟ କ୍ରମରେ ଦିନେ ପୂରଣ ହୋଇଥିଲା ।ଶେଷ ଜୀବନ ତକ ସେ ବାନ୍ଧି ହୋଇରହିଥିଲା ଭିଟାମାଟିର ମୋହରେ ।ଜନ୍ମଭୂମି ଗାଁର ପାଣି ପବନରେ ନିତି ହଜୁଥିଲା ସେ ।