Rajalaxmi Mohanty

Tragedy Inspirational

4.5  

Rajalaxmi Mohanty

Tragedy Inspirational

ଭିନ୍ନ ଏକ ଶପଥ

ଭିନ୍ନ ଏକ ଶପଥ

6 mins
378



 ସନ୍ଧ୍ଯା ବେଳୁ ବର୍ଷା ହେଉଛି ଯେ ଛାଡିବାର ନାଁ ଧରୁନି। କିଏ ଜାଣିଥିଲା ଏ ଅଦିନିଆ ବର୍ଷାଟା ଏମିତି ଲାଗିରହିବ ବୋଲି। 


ତମକୁ କେତେଥର କହିଛି ଚାଳଟା ଛପର କରିଦିଅ ଏବର୍ଷ। ମୋ କଥା ତ ଶୁଣିଲନି। ଏବେ କ'ଣ କରିବା। ଏ ବର୍ଷା ତ ଛାଡୁନି ବିଲକୁଲ। 


ଗେହ୍ଲିର କଥା ଶୁଣି ହରିଆ ଟିକେ ଶଙ୍କି ଗଲା। ସତେତ ଏ ବର୍ଷା ଜମାରୁ ବି ଛାଡୁନି। ଦିନ ହେଇଥାନ୍ତା କି। କିଛି କରି ହେଇଥାନ୍ତା। ଏ କିଟିମିଟି ଅନ୍ଧାରରେ କ'ଣ କରିହେବ ଯେ। ବିଜୁଳି ତ ନାହିଁ, ପବନରେ ଲଣ୍ଠନଟା ବି ଜଳୁନି। ଏତେ ଜୋରରେ ବର୍ଷା ଛେଚୁଛି ଯେ ତା ଗର୍ଜ୍ଜନରେ ହରିଆ ର ଡାକ କାହା କାନରେ ପଡୁନି। ଗେହ୍ଲି କେତେଥର କହିଛି ବର୍ଷା ପାଣି ଚାଳପଟେ ଘରେ ପଡିଲାଣି। ସେ ବିଚରା କ'ଣ କରିଥାନ୍ତା ଯେ ଆଉ। କେତେବଳେ ତ ଟଙ୍କାଟା ବଳିଲାନି ଆଉ ଘର ଛପର କେମିତି କରିଥାନ୍ତା। ଦୁଇବର୍ଷ ହେଲା ଫସଲ ନାହିଁ। ନଡା କିଣିକି ଆଣି ଛପର କରିବାକୁ ଟଙ୍କା ଯୋଗାଡ କରିପାରିଲାନି। ଏ ବର୍ଷ ଟିକେ ଫସଲ ଭଲ ହେଇଛି। ନଡା ବି ଅଛି। ସନିଆ ସାଙ୍ଗେ କଥା ହେଇଥିଲା ଏଇ ସୋମବାରରେ ଦୁହେଁ ମିଶିକି ଘର ଛପର କରିଥାନ୍ତେ। ତା ଆଗରୁ ଏ ବର୍ଷା ସବୁ ସାରିଦେଲା। 


 ଖଟିଆ ଉପରେ ନାତୁଣୀ ଲୋପା କୁ କୋଳରେ ଜାକିଜୁକି ଧରି ବସିଛନ୍ତି ହରିଆର ବୋଉ। ସେପଟେ ହରିଆ ଓ ଗେହ୍ଲି ଅନ୍ଧାରରେ କାନ୍ଥକୁ ଆଉଜି ଧରି ସମ୍ଭାଳି ରଖିବାର ଅପଚେଷ୍ଟା କରିଚାଲିଛନ୍ତି। 


ଭୁଷ୍ କରି ଗୋଟେ ଶବ୍ଦ ହେଲା। ଶଙ୍କି ଉଠିଲେ ହରିଆ ବୋଉ। ନାତୁଣୀକୁ ଆହୁରି ଜୋରରେ ଭିଡିଧରି ଡାକିଲେ ହରିଆ...ହରିଆ... ହରିରେ। ଗେହ୍ଲି ...ଆଲୋ ଗେହ୍ଲି...ମୋ ଡାକ ଶୁଭୁଛି ରେ ମାଆ? ବିଚରାର ପାକୁଆ ପାଟିର କଥା ସେ ପବନରେ କୁଆଡେ ମିଳେଇ ଯାଉଥିଲା। ଓଦା କାନ୍ଥ ଭିତରୁ କେବଳ ଗଁ..ଗଁ ଶବ୍ଦ ହିଁ ଶୁଭୁଥିଲା। ଧିରେ ଧିରେ ସେ ଗଁ..ଗଁ ଶବ୍ଦବି କୁଆଡେ ମିଳେଇ ଗଲା। ନାତୁଣୀ କୁ ଗୋଟିଏ ହାତରେ ଧରି ଅନ୍ଧାରରେ ଦରାଣ୍ଡି ହେଉଥାଏ ଖାଲି ହରିଆ ବୋଉ। କିଟିମିଟି ଅନ୍ଧାର ଭିତରେ ମାଟିର ଗଦା ଭିତରୁ ଖାଲି ଅନ୍ଧାର ଛଡା ଆଉ କିଛି ବି ପାଉନଥାଏ ବିଚାରି। 


ଧିରେ ଧିରେ ବର୍ଷା ଛାଡିଲା। ପବନ ବି ଥମିଲା। ଯିଏ ଯେମିତି ସାହି ଭାଇ ହାତରେ ଲଣ୍ଠନ ଗୋଟେ ଗୋଟେ ଧରି ବାହାରକୁ ଆସିଲେ କାହାର କ'ଣ କ୍ଷୟ କ୍ଷତି ହେଇଛି ଦେଖିବାକୁ ।


"ଆରେ ହରିଆର ଗୋଟେ ପଟ କାନ୍ଥ ପଡିଯାଇଛିରେ "। କିଏ ଜଣେ ଚିତ୍କାର କରି କହିଲା। ଭୁଷ୍ ଭାଷ୍ ହେଇ ଘର ଭିତରେ ପଶିଗଲେ ତିନି ଚାରିଜଣ।ହରିଆବୋଉ ହାତରୁ ଛୁଆ ଟିକୁ ଜଣେ କୋଳକୁ ନେଇଗଲା। ଆଉ ଜଣେ ହରିଆ ର ବୋଉକୁ। "ଆରେ ମୋ ପୁଅ ବୋହୂକୁ ଆଗ ଦେଖ ରେ "କାନ୍ଦିକାନ୍ଦି ଥମି ଆସିଥିବା ସ୍ବରରେ କହିଲେ ହରିଆ ବୋଉ। ସାଙ୍ଗେ ସାଙ୍ଗେ ମାଟି ବିଦାରି ପକେଇଲେ ସାହି ଭାଇ ମାନେ। ନିଶୁଡି ପଡିଯାଇଥିବା ଦେହ ଦୁଇଟି ମିଳିଗଲା। ଅବଶ୍ଯ ପ୍ରାଣହୀନ। ତଥାପି ସେଇ ରାତିରେ ନେଇ ଦୌଡିଲେ ନିକଟସ୍ଥ ସ୍ବାସ୍ଥ୍ଯ କେନ୍ଦ୍ର କୁ ଆଶାର ସମ୍ଭାବନା ଟିଏ ଧରି। କିନ୍ତୁ ନାଁ। ବହୁତ ବିଳମ୍ବ କରିଦେଲ ବୋଲି ଡାକ୍ତର ବାବୁ କହିଲେ। 


   ତିନି ବର୍ଷର ଝିଅ ବାପା ମାଆ ଛେଉଣ୍ଡ ହେଇଗଲା। ଏଇବର୍ଷ ସ୍କୁଲ ଯାଇଥାନ୍ତା। କେତେବଡ ସ୍ବପ୍ନ ଦେଖିଥିଲା ହରିଆ,ମାଟି ରେ ମାଟି ହେଇ ଖଟିବି ପଛେ ଝିଅକୁ ବହୁତ ପାଠ ପଢେଇ ଡାକ୍ତର କରିବି ।ମାଟିରେ ମିଶି ମାଟି ତ ହେଇଗଲା। ହେଲେ ସ୍ବପ୍ନଟି ଅଧୂରା ରହିଗଲା। ସାହି ଭାଇ ମିଶି ଚାନ୍ଦା ଆଦାୟ କରି ଯେମିତି ସେମିତି କରି ଶୁଦ୍ଧି କ୍ରିୟା ଟି ସାରିଦେଲେ। ହରିଆ ବୋଉ ର ଘରଟିକୁ ଟେକି ଟାକି ସଜାଡି ଠିଆ କରିଦେଲେ। ବାର୍ଧକ୍ୟ ଭତ୍ତାରେ ତେଲ ଲୁଣ ଟିକେ ଯୋଗାଡ କରିଦିଏ। ନାତୁଣୀକୁ ଧରି ଗାଁ ରେ ଦି ଚାରିଘର ବୁଲି ଆସିଲେ ଚାଉଳ ଗଣ୍ଡାକ ବି ଯୋଗାଡ ହେଇଯାଏ। ସେଇ ଜୀବନର ପରମାୟୁ ବି କମ୍ ଥିଲା। ଦୁଇବର୍ଷ ପରେ ଗୋଟେ ଶୀତ ରାତିରେ ପ୍ରବଳ ଥଣ୍ଡାରେ ଦେହରେ ଜର ତାତି ଆସିଲା ଯେ ଆଉ ଛାଡିଲାନି ହରିଆବୋଉର। ଗାଁର ପିଲାମାନେ ଯେତେ ଔଷଧ କିଣିଆଣି ଦେଲେବି କିଛି କାମ କଲାନି। ଦୁଇଦିନ ପରେ ତିନିଦିନକୁ ବୁଢୀ ଆଉ ଉଠିଲାନି। ବିଚାରୀ ଲୋପାମୁଦ୍ରା ପୁଣି ଥରେ ଏକୁଟିଆ ହେଇଗଲା। 


    ଗାଁର କିଛି ଶିକ୍ଷିତ ପିଲା ମାନେ ବସି ନିଷ୍ପତ୍ତି ନେଲେ। ଥାନା ଅଧିକାରୀ ଙ୍କୁ ଡାକି ସବୁ ଜଣେଇଲେ। ସହରରୁ ପ୍ରଶାସନିକ ଅଧିକାରୀ ମାନେ ଆସିଲେ। ଝିଅଟିକୁ କୋଳେଇ ନେଲେ। ଗାଁର ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା। ସେମାନେ ନିରୂପାୟ ଥିଲେ। କାନ୍ଦି କାନ୍ଦି ଝିଅକୁ ବିଦାୟ ଦେବା ଛଡା ଆଉ କିଛି କରିବାର ସାମର୍ଥ୍ଯ ସେମାନଙ୍କର ନଥିଲା। 


ପାଞ୍ଚ ବର୍ଷ ର ଝିଅ ଲୋପାମୁଦ୍ରା ପନ୍ଦର ବର୍ଷର ହେଲାଣି। ଘର ଛାଡି ଆସିବା ଦଶ ବର୍ଷ ହେଇଗଲାଣି। ନାଁ ସେ କାହାକୁ ମନେ ପକେଇପାରୁଛି ନାଁ ତାକୁ କିଏ ମନେ ପକଉଥିବ ।କେବଳ ଏତିକି ତାର ମନେ ଅଛି ତା ବାପାଙ୍କର କୁଆଡେ ସ୍ବପ୍ନ ଥିଲା ସେ ବହୁତ ପାଠ ପଢି ଭଲ ଡାକ୍ତର ହେବ ବୋଲି। ସବୁଦିନ ରାତିରେ ଶୋଇଲାବେଳେ ତା ଜେଜେମା ତାକୁ ଏଇ ଗପ କହି ଶୁଆଇଦିଅନ୍ତି। ସବୁ କିଛି ଭୁଲି ଯାଇଛି ହେଲେ ଏଇକଥାଟିକୁ ଭୁଲିପାରୁନି ସେ ।କାହିଁରେ ମନ ଏତେବଡ ଆଶା ବାନ୍ଧିଛୁ। ସାମାନ୍ଯ ଅନାଥାଶ୍ରମର ଅନ୍ତେବାସିନୀ ଟେ ସିଏ। ଏତେବଡ ସ୍ବପ୍ନ ଦେଖିବା ତା ପାଇଁ ମନା। ହେଲେ ବି ଏ ମନ କେଉଁ ବୁଝୁଛି ଯେ। ସବୁଦିନ ଶୟନେ ସ୍ବପ୍ନେ ଜାଗରଣେ କେବଳ ଏଇ ଗୋଟିଏ ସ୍ବପ୍ନ ଦେଖୁଛି ସେ। 


ଧେତ୍ ସ୍ବପ୍ନରେ ସେ ଡାକ୍ତରାଣୀ ହେଇଥିଲା ମ ସତରେ ନୁହେଁ। ଉଠ୍ ଲୋପା, ସେତିକି ହେଇଥାଉ ତୋର ସ୍ବପ୍ନ ଦେଖା। ନିତ୍ଯକର୍ମ ଉଠିକି ଜଲଦି ସାରେ। ନିଜକୁ ନିଜେ କହିଲା ଲୋପା। 


ଆଜି କିଏ ଜଣେ ବଦାନ୍ଯ ବ୍ଯକ୍ତି ଅନାଥାଶ୍ରମ କୁ ଆସୁଛନ୍ତି କିଛି ଦାନ କରିବା ପାଇଁ। ଅନାଥାଶ୍ରମର ଚେୟାରମ୍ୟାନ ସାର୍ କହିଯାଇଛନ୍ତି ଦଶଟା ସୁଦ୍ଧା ସମସ୍ତେ ପ୍ରସ୍ତୁତ ହେଇ ହଲ୍ କୁ ଆସିବା ପାଇଁ। 


 ସମସ୍ତଙ୍କ ସହ ଯାଇ ଯୋଗ ଦେଲା ଲୋପା ହଲ୍ ରେ। ସମ୍ନାରେ ଜଣେ ବୟସ୍କ ମହିଳା ଛିଡା ହେଇଥିଲେ। ତାଙ୍କ ସାଙ୍ଗରେ ତାଙ୍କ ପୁଅକି କ'ଣ ସେହି ବୟସର। ଖାଇବାକୁ ଆଣିଥିଲେ ଖେଚୁଡି ଡାଲମା,ଖିରି ଓ ଖଟା। ଆଶ୍ରମର ସମୁଦାୟ ତିରିଶି ଜଣ ଅନ୍ତେବାସୀଙ୍କ ପାଇଁ ନିଜେ ହାତରେ ରାନ୍ଧି କି ଆଣିଛନ୍ତି ବୋଲି ତାଙ୍କ କଥାରୁ ଜଣାପଡୁଛି।ତା ସାଙ୍ଗରେ ସମସ୍ତଙ୍କ ପାଇଁ ବିସ୍କୁଟ ,ଚୁଡା ମିକ୍ସଚର ,ଡ୍ରେସ୍ ,ପେନ୍ ଓ ଖାତା। 


  ଆଶ୍ରମର ଚେୟାରମ୍ଯାନ ରଥ ବାବୁ ମାଡାମ ଙ୍କୁ ସହଯୋଗ କରିବାକୁ ନିର୍ଦେଶ ଦେଲେ ତାଙ୍କ ଅନ୍ତେବାସୀ ମାନଙ୍କୁ। ଲୋପା ସହିତ ଆଉ କିଛି ପିଲା ଆଗକୁ ବାହାରି ଆସିଲେ। ଧାଡିରେ ସମସ୍ତଙ୍କୁ ବସେଇ ଖାଇବାକୁ ବାଢିଦେଲେ କିରଣ ମାଡାମ ଓ ତାଙ୍କ ପୁଅ ରାଜବୀର। ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରୁଥିଲା ଲୋପା। ଲୋପାର କାର୍ଯ୍ଯ ଶୈଳୀ, ଆଗ୍ରହ ଓ ହସହସ ମୁହଁଟି ବହୁତ ଆକର୍ଷିତ କରୁଥିଲା କିରଣ ମାଡାମ ଙ୍କୁ। 


   ଖାଇବା ପର୍ବ ସରିଲା ପରେ ସମସ୍ତେ ଧାଡିରେ ଛିଡାହେଲେ। ମାଡାମ ଓ ତାଙ୍କ ପୁଅ ଗୋଟିଗୋଟି କରି ଆଣିଥିବା ଉପହାର ସବୁ ପିଲାମାନଙ୍କ ହାତରେ ଦେଉଥିଲେ ଓ ସେମାନଙ୍କର ନାଁ ବି ପଚାରୁଥିଲେ। ଲୋପାର ପାଳି ଆସିଲା। ହସିହସି ସେ ଆସି ଛିଡାହେଲା କିରଣ ମାଡାମ ଙ୍କ ସାମ୍ନାରେ। 


ଝିଅ ତୁମ ନାଁ କ'ଣ? 


ଲୋପାମୁଦ୍ରା ମହାନ୍ତି। 


କ'ଣ ପଢୁଛ ଏବେ? 


ଦଶମ ଶ୍ରେଣୀ ପରୀକ୍ଷା ଦେଇଛି। 


ଆଗକୁ ଆଉ ପଢିବାର ଇଚ୍ଛା ଅଛି? 


ବହୁତ ଅଛି। 


ପାଠ ପଢି କ'ଣ ହେବ ବୋଲି ଇଚ୍ଛା ରଖିଛ? 


ଡାକ୍ତର। 


ଚମକି ପଡିଲେ କିରଣ ମାଡାମ। 

ଏମିତି ଏକ ବଣମଲ୍ଲୀ କ'ଣ ବଣରେ ଫୁଟି ବଣରେ ମଉଳି ଯିବ?ଯାହାର ସୁଗନ୍ଧରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଇପାରିବେ ସେ କ'ଣ ଏମିତି ବଣରେ ଝଡି ପଡିବ! କେହି ତାର ସୁଗନ୍ଧକୁ ଜାଣି ପାରିବେନି? 


ସେଦିନ ଆଶ୍ରମରୁ ଫେରିବା ବାଟରେ ବହୁତ ଅନ୍ୟମନସ୍କ ରହିଲେ କିରଣ ମାଡାମ। ମନେ ପଡୁଥିଲା ତାଙ୍କର ଅତୀତ। ସେ ନିଜେ ଡାକ୍ତର ହେବା ପାଇଁ କେତେ ସଂଘର୍ଷ କରିଥିଲେ। ଶେଷରେ ଜୀବନ ବାବୁଙ୍କ ସହଯୋଗ ପାଇ ତାଙ୍କ ର ସ୍ବପ୍ନ ପୂରଣ ହେଇଥିଲା। ସେହି ଜୀବନ ବାବୁ ହିଁ ଶେଷରେ ତାଙ୍କର ଜୀବନସାଥି ହେଇଥିଲେ। ଦୁଇଜଣ ମିଶିକି ସ୍ବପ୍ନ ଦେଖିଥିଲେ ସେମାନଙ୍କ ପୁଅ ଝିଅ ଦୁଇଜଣଙ୍କୁ ଡାକ୍ତର କରିବେ। ସାରା ପରିବାର ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବେ। ସେ ସ୍ବପ୍ନ ପୂରା କରିବାକୁ ରହିଲେନି ଜୀବନ ବାବୁ ।ଅଧା ବାଟରେ ହାତ ଛାଡି ଚାଲିଗଲେ ଅଫେରା ରାଇଜକୁ ଗୋଟେ ସଡକ ଦୁର୍ଘଟଣାର ଶିକାର ହେଇ।ସାଙ୍ଗରେ ଝିଅକୁ ବି ନେଇଗଲେ। ତାଙ୍କରି ଶ୍ରାଦ୍ଧ ଦିବସରେ ପ୍ରତିବର୍ଷ ଏଇ ଆଶ୍ରମକୁ ସେ ସେଥିପାଇଁ ଆସନ୍ତି। ଜୀବନ ବାବୁଙ୍କ ଭଳି ସେତୁ ବାନ୍ଧିବାର ସ୍ବପ୍ନ ଦେଖୁଥିବା ମଣିଷଟେ ପାଇଁ ଗୁଣ୍ଡୁଚି ଭଳି କିଛି ସାହାଯ୍ୟ କରିବା ପାଇଁ।


 ପୁଅକୁ ଉପଯୁକ୍ତ ଶିକ୍ଷା ଦେଇ ଡାକ୍ତରୀ ତ ପଢଉଛନ୍ତି। ହେଲେ ତା'ର ଭବିଷ୍ଯତ ଚିନ୍ତା ଘାରି ପକଉଛି ତାଙ୍କୁ। ବୋହୂଟେ ବି ଡାକ୍ତର ହେବା ଆବଶ୍ଯକ। ସେମିତି ଝିଅ ମିଳିବେ ଅନେକ, କିନ୍ତୁ ଜୀବନ ବାବୁଙ୍କ ଆଦର୍ଶରେ ଚାଲିବାଭଳି ଝିଅ ମିଳିବା କଷ୍ଟ। ସଂପୂର୍ଣ୍ଣ ଉତ୍ସର୍ଗୀକୃତ ସେବାପରାୟଣ ମନୋଭାବ ଥିବା ଦରକାର। ଟଙ୍କାର ମୂଲ୍ୟ ଠାରୁ ଜୀବନର ମୂଲ୍ଯ ଅଧିକ ବୋଲି ଯିଏ ଭାବୁଥିବ। ସେଇ ଭଳି ମନୋଭାବ ସେ ଲୋପା ଠାରେ ପାଇଛନ୍ତି। ଯେମିତି ଜୀବନ ବାବୁ ତାଙ୍କ ଠାରେ ପାଇଥିଲେ। କାହିଁକି କେଜାଣି ପ୍ରଥମ ଦେଖାରେ ଲୋପାର ହୃଦୟଟା ଯେ ପୂରା ସଫା ସେଇଭଳି ପ୍ରତୀତ ହେଉଛି।


କ'ଣ ଏତେ ଭାବୁଛ ମାମା? ଭାରି ଅନ୍ଯମନସ୍କ ଲାଗୁଛ ଆଶ୍ରମରୁ ଫେରିବା ପରେ? ପଚାରିଲା ରାଜବୀର। 


ହଁ ,ସେମିତି ଏକ ଗୁରୁତ୍ବପୂର୍ଣ୍ଣ କଥା ଭାବୁଛି। ତୋତେ ଜଣେଇବି ତ ନିଶ୍ଚୟ, ଯେହେତୁ କଥା ଟା ଟିକେ ଗୁରୁତ୍ବପୂର୍ଣ୍ଣ। ତଥାପି ଭାବିବାକୁ ଆଜି ରାତିଟା ସମୟ ଦେ ବାବା। 


ତା ପରଦିନ ସକାଳୁ ନିଜର ମନକଥା ଜଣେଇଥିଲେ ରାଜବୀର ପାଖରେ। ରାଜବୀର ଠାରୁ ସମ୍ମତି ପାଇବା ପରେ ପୁଣିଥରେ ପୁଅକୁ ସାଙ୍ଗରେ ନେଇ ଯାଇଥିଲେ ଆଶ୍ରମ। ଆଶ୍ରମର ଚେୟାରମ୍ୟାନ ଙ୍କ ସହ କଥା ହେଇସାରି ନିଜର ଇଛା ଅଭିଳାଷ ଜଣେଇସାରିବା ପରେ ଆଶ୍ରମର ଔପଚାରିକତା ସଂପୂର୍ଣ୍ଣ କରିସାରି ଲୋପାକୁ ସାଙ୍ଗ ରେ ନେଇ ଆସିଥିଲେ ନିଜ ସାଥିରେ। ସହରର ସବୁଠୁ ଭଲ କଲେଜରେ ତା'ର ନାଁ ଲେଖେଇଦେଲେ। ନିଜେ କିରଣ ମାଡାମ ଓ ରାଜବୀର ଙ୍କ ତତ୍ତ୍ଵାବଧାନ ରେ ଲୋପାର ପାଠ ପଢା ଜାରି ରହିଲା। ଯୁକ୍ତ ଦୁଇ ପରୀକ୍ଷା ରେ ସନ୍ତୋଷଜନକ ନମ୍ବର ରଖି ମେଡିକାଲ ପ୍ରବେଶିକା ପରୀକ୍ଷା ରେ ବି ପ୍ରଥମ ଥରରେ ସଫଳତା ହାସଲ କଲା ଲୋପାମୁଦ୍ରା।


 କିରଣ ମାଡାମ ଯେଉଁ ମେଡିକାଲରେ ପ୍ରଫେସର ସେଇ କଲେଜରେ ରାଜବୀର ଓ ଲୋପାମୁଦ୍ରା ଦୁହେଁ ଛାତ୍ର ଛାତ୍ରୀ। ରାଜବୀର ଲୋପାମୁଦ୍ରା ଠାରୁ ଚାରିବର୍ଷ ସିନିୟର। କିରଣ ମାଡାମ ଅପେକ୍ଷା କରିଥିଲେ ଲୋପାମୁଦ୍ରା ର ଏମ୍ ବିବିଏସ୍ ଶେଷ ହେବା ପର୍ଯ୍ୟନ୍ତ। ସେଦିନ ଲୋପାମୁଦ୍ରା କୁ ସାଙ୍ଗରେ ଧରି ଗାଡିରେ ଆଣି ଆସିଲା ବେଳେ ନିଜର ମନକଥା ସବୁ ଖୋଲି କହିଲେ। ଲୋପାମୁଦ୍ରା ଆଖିରେ ଅଶ୍ରୁ ଜକେଇ ଆସିଲା। ଠିକ୍ ସେଇ ସ୍ବପ୍ନ ତା ବାପାବି ଦେଖିଥିଲେ। ଏକା ଭଳି ଚିନ୍ତାଧାରା ର ମଣିଷ ମାନଙ୍କୁ ଭଗବାନ ଏକାଠି କରିଦେଇ ଥିବାରୁ ମନେମନେ କୃତଜ୍ଞତା ଢାଳି ଦେଉଥିଲା ଈଶ୍ବରଙ୍କ ପାଦତଳେ। 


ଆଜି ରାଜବୀର ସହ ଲୋପାମୁଦ୍ରା ର ଶୁଭପରିଣୟ। ଏହିପରି ଏକ ଶୁଭଦିନରେ ତାକୁ ଆଶ୍ରୟ ଦେଇଥିବା ଓ ତା ପରି ଅନେକ ଅନାଥ ଶିଶୁଙ୍କୁ କୋଳେଇ ନେଇଥିବା ଆଶ୍ରମଟିକୁ ବା କେମିତି ଭୁଲି ପାରିବ ଲୋପାମୁଦ୍ରା। ଶାଶୁ କିରଣ ମାଡାମ ଓ ସ୍ବାମୀ ରାଜବୀର ଙ୍କ ସହ ଆଶ୍ରମ ଯାଉଛି ସେ। ସେହି ଆଶ୍ରମରେ ଅତୀତର ଦିନ ଗୁଡିକୁ ସ୍ମରଣ କରିବ ଓ ତା ପରି ଅନେକ ଛୋଟ ବଡ ପିଲାମାନଙ୍କର ମୁହଁରେ ହସ ଦେଖି ସେ ବିମୋହିତ ହେବ। ଆଉ ସେହି ଭଳି ଆଶ୍ରମର ପିଲା ମାନଙ୍କ ପାଇଁ ବିନାମୂଲ୍ଯରେ ସେ ଜୀବନସାରା ରୋଗୀସେବା କରିବାର ଶପଥ ନେବ।


Rate this content
Log in

Similar oriya story from Tragedy