ଭଗ୍ନ କୋଣାର୍କ
ଭଗ୍ନ କୋଣାର୍କ
ସବ୍ୟସାଚୀ କୁଣ୍ଡୁ
“ରେଭେନସାରେ ପଢା ସରିବାପରେ ପୁଣି ଦେଖା ହେବା ଅସମ୍ଭବ ଥିଲା, ପୁରୀରୁ ଭୂବନେଶ୍ଵର ବେଶୀ ଦୂର ନୁହେଁ, ମାତ୍ର ଆଜକୁ ପ୍ରାୟ ତିରିଶ ବର୍ଷ ପୂର୍ବରୁ ସମ୍ଭବ ନଥିଲା ପ୍ରତିଦିନ ଯାଇ ତମକୁ ଦେଖା କରିବା ପାଇଁ। କିନ୍ତୁ କଣ ପାଇଁ ଦେଖା କରିବି? ତମେ କିଏ ? କଣ ସମ୍ପର୍କ ଆମର ??” ମୋ ମନରେ ଉଙ୍କି ମାରେ ଏଇ ପ୍ରଶ୍ନ , ହଁ, ଆଜି ବି।
ତମେ ଜୀବନକୁ ନେଇ ଅନେକ ରଙ୍ଗୀନ ସ୍ଵପ୍ନ ଦେଖୁଥିଲ ; ବିବାହ, ସ୍ଵାମୀ, ପିଲାଛୁଆ ଓ ସଂସାର । ଆଉ ମୁଁ ପାଠ ପଢା ସରିବା ପରେ କେମିତି ଛୋଟ ଚାକିରିଟିଏ କରିବି ଚିନ୍ତାରେ ଘୁରି ବୁଲୁ ଥିଲି। ଇତି ମଧ୍ୟରେ ସରି ଯାଇଥିଲା ଆମ ପାଠପଢା ଆଉ ତମେ ଫେରି ଯାଇଥିଲ ପୁରୀକୁ । ଛୋଟ କିରାଣୀ ଛକିରିଟିଏ ପାଇ ମୁଁ ଚାଲି ଯାଇଥିଲି ବାଲେଶ୍ଵର । ବାସ! ସରି ଯାଇଥିଲା ଏକ ନୀରବ ପ୍ରେମ କାହାଣୀ,ପ୍ରେମିକ ଆଉ ପ୍ରେମିକା ନିଜ ନିଜ ରାସ୍ତାରେ,ମୁଁ ଆଉ ତମେ ଅଲଗା ଅଲଗା ପଥରେ।
ବାଲେଶ୍ଵରରେ ରହିବାର ତିନି ମାସ ପରେ ମୋର IAS ଚାକିରିର ରେଜଲ୍ଟ ଆସି ଯାଇଥାଏ, ଖୁସି ଖବର ତ ତମକୁ ଦେବା ପାଇଁ ମନ ବ୍ୟାକୁଳ, ତମ ଠିକଣାରେ ଲେଖିଲି ଚିଠିଟିଏ, ଉତ୍ତର ପାଇ ତମେ ଆସିଲ, ଆମର ସେଇଟା ଥିଲା ଶେଷ ଦେଖା? ମୁଁ ଆସିଲି ଭୁବନେଶ୍ଵରରୁ ଆଉ ତମେ ପୁରୀରୁ, ଦେଖା ହେଲେ କୋଣାର୍କରେ , ନିହାଣ ଆଘାତ ପାଇଥିବ ପଥର ମେଳରେ।
ବିଳମ୍ବ ନକରି ଗାଇଦେଲି ମୋ ଖୁସି ଖବର ଆଉ ତମ ମୁହଁରେ ଥିଲା, ଭିନ୍ନ ଏକ ଆନନ୍ଦ, ଯେମିତି ମୋ ପ୍ରେମିକା ମୋ ଖୁସିରେ ନିଜ ହସକୁ ସାମିଲ କରି ଦେଇଛି। ଚେଷ୍ଠା କରିଥିଲି ମନ ଭିତରର ପ୍ରେମ ଉଜାଡି ଦେବି ଆଜି, କିନ୍ତୁ ପାରିନଥିଲି ।
ହଟାତ କଳାହାଣ୍ଡିଆ ମେଘ ମାଡି ଆସିଲା ଆକାଶରେ, ଆଉ ତମେ ଯିବା ପାଇଁ ପ୍ରସ୍ତୁତ, ଜୋର ଜୋରରେ ଛିଞ୍ଚି ଦେଇଗଲା ବର୍ଷାର ଠୋପା, ଓଦା ହେଇଯାଇଥିଲା ତମ ଶ୍ଵେତ ବସ୍ତ୍ର, ଭିଜି ଯାଇଥିବା ବସ୍ତ୍ରରୁ ସ୍ପଷ୍ଟ ଦେଖା ଯାଉଥିଲା ତମ ଗୋଲାପି ବକ୍ଷ ବନ୍ଧନୀ । ଲାଜ ଲୁଚେଇ ତମେ ଚାଲିଗଲ ଏବଂ ଚିରସମାଧି ନେଲା ଏକ ପ୍ରେମ କାହାଣୀ।
ତା ପରଠୁ ଆଉ କେବେ କୋଣାର୍କ ଯାଇନି, ସେ ଭଗ୍ନ ମନ୍ଦିରକୁ ଦେଖିବାକୁ ଇଚ୍ଛା ବି ହୋଇନି, ଜାଣେନା କାହିଁକି? କେତେ ବଦଳି ଯାଇଥିବ କୋଣାର୍କ, ଅଧିକ ପର୍ଯ୍ୟଟକ ଆସୁଥିବେ? କିନ୍ତୁ କାହିଁକି? କଣ ଅଛି ସେ ଭଗ୍ନ ମନ୍ଦିରରେ? ସୌନ୍ଦର୍ଯ୍ୟ ? ନା ମୋ ଅଧୁରା ପ୍ରେମର କବର ସ୍ଥାନ।
ଯାଉଛି କୌଣସି ଏକ କବି କି ଲେଖକକୁ ପଚାରିବି? ଉତ୍ତର ମିଳିଯିବ।