ଭଡାଟିଆ
ଭଡାଟିଆ
ସେଦିନ ରାତିରେ ଅମିୟକୁ ଆଦୌ ନିଦ ହେଉ ନ ଥାଏ I କେତେବେଳେ ସକାଳ ପାହିବ ? କେତେବେଳେ ଏ ଲକ ଡାଉନ ଖୋଲିବ ? ଲକ ଡାଉନ ହେବା ପରଠୁ ଅମିୟର ଜୀବନ ଆହୁରି ଦୁର୍ବିସହ ହୋଇପଡିଛି I କରୋନା ଯୋଗୁଁ ସବୁ ବନ୍ଦ I ପାଖରେ ଅମିୟର ସ୍ତ୍ରୀ ଓ ତା’ ଦୁଇ ବର୍ଷର ପୁଅ ଶୋଇଥାନ୍ତି I ପୁଅର ମୁଣ୍ଡକୁ ଆଉଁସି ଦେଇ ଅମିୟ ଭାବିଲା, ମୁଁ ଯେମିତି ଗୋଟିଏ ଅଲଗା କ୍ଳାସ ମାନେ ଭଡାଟିଆ କ୍ଳାସର, ସେମିତି ମୋ ପୁଅ ଆଦୌ ମୋ ଭଳି ନ ହେଉ I
କଥା କଥାକେ ମୁଁ ଘରମାଲିକ, ତମେ ଭଡାଟିଆ I ଏ ଭଡାଟିଆ ଶବ୍ଦ ଶୁଣି ଶୁଣି ନିଜକୁ ବହୁତ ଖରାପ ଲାଗେ I ଭଡାଟିଆ ଡାକଟା କେମିତି ଗୋଟେ ଅସନ୍ତୋଷ ମନ ଭିତରେ ସୃଷ୍ଟି କରେ, ଅମିୟ ମନରେ I ତଥାପି କ’ଣ କରାଯିବ ? ଏବେ ତ ଲକ ଡାଉନ ଚାଲିଛି I ଇଚ୍ଛା ହେଉଛି, ଗାଁକୁ ପଳେଇଯିବାକୁ I କିନ୍ତୁ ଗାଁକୁ ଥରେ ଗଲେ, ଆଉ ଏ ଭଡାଘରକୁ ନ ଆସିବା ପାଇଁ ଘରମାଲିକଙ୍କ କଡା ତାଗିଦ I କାରୋନା ପାଇଁ ଯିବା ଆସିବା ସବୁ ବନ୍ଦ I ଘରମାଲିକମାନେ ବି ଘରେ ପଶଉ ନାହାନ୍ତି, ବାହାରୁ ଆସୁଥିବା ଭଡାଟିଆମାନଙ୍କୁ I
ଆଜିର ଘଟଣା ବହୁତ ବାଧିଲା, ଅମିୟକୁ I ଦୁଇ ବର୍ଷର ପୁଅ କ’ଣ ବା ଜାଣୁଛି ? ଚେୟାରଟାକୁ ଘୋଷାରି ଘୋଷାରି ଖେଳୁଥିଲା, ଅମିୟର ପୁଅଟି I ହଠାତ୍ ଘରର କଲିଙ୍ଗବେଲ୍ ବାଜି ଉଠିଲା I ଅମିୟ ଯାଇ କବାଟ ଖୋଲିବାରୁ ଘରମାଲିକ କହିଲେ, ଅମିୟବାବୁ ବହୁତ ଜୋରରେ ଶବ୍ଦ ହେଉଛି, ଆମେ ଶୋଇ ପାରୁନୁ I ଆପଣଙ୍କ ପୁଅ କ’ଣ ଏତେ ଜୋରରେ ଚିତ୍କାର କରୁଛି I ଏମିତି କରନ୍ତୁନି I ପୁଅକୁ ଟିକେ ଜଗନ୍ତୁ I ହେ ଭଗବାନ, ଇଏ କି ପ୍ରକାରର କଥା I ଛୋଟ ପିଲା ପାଟି କରିବନି ତ ଆଉ କ’ଣ ବଡ ଲୋକ ପାଟି କରିବେ ? ମନେ ମନେ ଭବିଲା, ଅମିୟ I ତା’ପରେ ଆଜ୍ଞା କହି ଚୁପଚାପ ମନ ଦୁଃଖରେ କବାଟ ବନ୍ଦ କଲା I ଭଡାଟିଆ ବୋଲି କିଛି ନ କହି ନୀରବ ରହିଲେ, ବି ମନ ଭିତରର ଅଶାନ୍ତିକୁ କେମିତି ଶାନ୍ତ କରିବ, ସେ ?
ଯେମିତି ଘର ପାଖରେ ଥିବା ସ୍କୁଲର ପରୀକ୍ଷା ଫଳ ବାହାରିବା ପରେ ଅମିୟର ସ୍ତ୍ରୀ ଶୁଣି ଆସିଲା, ପରୀକ୍ଷାରେ ଜଣେ ଭଡାଟିଆ ନିରଞ୍ଜନ ବାବୁଙ୍କ ଝିଅ ଅଧିକ ମାର୍କ ରଖିଲା, ବୋଲି ଏଠି ସମସ୍ତେ ନାପସନ୍ଦ କଲେ I ଭଡାଟିଆର ଝିଅ ଅଧିକ ମାର୍କ ରଖିଲା ? ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ସମୟରେ ସବୁ ମଣିଷ ସମାନ ଓ ସମାଜରେ ଜାତି ଭେଦ ରଖିବା କଥା ନୁହେଁ I ଏହି ଜାତି ଭେଦ ଓ ସମାଜରୁ ଅସ୍ପୃଶ୍ୟତା ଦୂରେଇବା ପାଇଁ ସେ ବି ଅନେକ ଥର ଆଗକୁ ଆସିଛି I କିନ୍ତୁ ଏଠି ଭଡାଘରେ ରହିବା ପରେ ସମାଜରେ ଆଉ ଗୋଟିଏ ଭେଦଭାବ କଥା ସେ ଜାଣିବାକୁ ପାଇଲା, ତାହା ହେଉଛି, ଘରମାଲିକ ଓ ଭଡାଟିଆର ଭେଦଭାବ I ଭଡାଟିଆମାନେ କ’ଣ ମଣିଷ ନୁହଁନ୍ତି ? ତାଙ୍କର କ’ଣ ସମ୍ମାନ ବୋଲି କିଛି ନାହିଁ ? ସତରେ ଭଡାଟିଆ ଶବ୍ଦଟା ମଣିଷ ମଣିଷ ଭିତରେ ସମ୍ପର୍କ ଭାଙ୍ଗିବା ପାଇଁ ସୃଷ୍ଟି ହୋଇଛି, ସତେ I
ଆଜି ଯାଏଁ ମାସର ୧ ତାରିଖରୁ ୨ ତାରିଖ କେବେବି ହୁଏନି, ଅମିୟର ଘରଭଡା ଦେବାରେ I ତା’ ସହ ଇଲେକ୍ଟ୍ରି ବିଲ୍ ମନ ଇଚ୍ଛା କାଗଜରେ ଲେଖି ଘରମାଲିକ ଦେବେ, ତଥାପି ପ୍ରତିବାଦ ନ କରି ଦେଇଚାଲିଛି, ଅମିୟ I ତା’ ସହ ପୁଣି ପାଣି ବିଲ୍ I ଘରମାଲିକ ଙ୍କର ଘରକୁ ଚାକରାଣୀ ଆସେ I ସେ ଘରର ସବୁ କାମ କରିବା ସହ ସିଡିଟା ମଧ୍ୟ ସଫା କରେ I ଘରମାଲିକ ତଳେ ରୁହନ୍ତି, ଆମେ ଉପର ମହଲାରେ ରହୁ I ଚାକରାଣୀ ସିଡି ସଫା କରେ, ବୋଲି ପୁଣି ୨୦୦ ଟଙ୍କା ବି ନିଅନ୍ତି, ଘରମାଲିକ I ଏ ସବୁ ବୋଝ ଉପରେ ନଳିତା ବିଡା ପରି ମନେ ହୁଏ, ଯେମିତି I
କେତେ ଭଲଥିଲା, ମୋ ପିଲାଦିନ, ବାପା ସରକାରୀ କର୍ମଚାରୀ ଥିଲେ I ସେଥିପାଇଁ ସରକାରୀ କ୍ଵାର୍ଟରରେ ରହି ଆମେମାନେ ବଡ ହୋଇଥିଲୁ I ଏଇ ଭେଦଭାବ କଥା ଅମିୟ କେବେ ଉପଲବ୍ଧି ମଧ୍ୟ କରି ନଥିଲା I ଅମିୟର ବାପା ସରକାରୀ ଚାକିରୀରୁ ଅବସର ଗ୍ରହଣ କରି ସାରିଲେଣି, କିନ୍ତୁ ଭୁବନେଶ୍ଵରରେ ନିଜ ପାଇଁ ଜାଗାଟିଏ ମଧ୍ୟ କିଣି ନଥିଲେ, କି ଘରଟିଏ ବି ତିଆରି କରି ନଥିଲେ I ସଚ୍ଚୋଟଭାବେ ଜୀବନ ଅତିବାହିତ କରିଥିବା ଅମିୟର ବାପାଙ୍କ ସହକର୍ମୀମାନେ ତାଙ୍କଠାରୁ କମ ଦରମା ପାଇ ମଧ୍ୟ ଭୁବନେଶ୍ଵରରେ ନିଜ ପାଇଁ ଜାଗା ଓ ବିଳାସମୟ ଘର ତୋଳିଛନ୍ତି I କିନ୍ତୁ ଅମିୟର ବାପା ଅମିୟ ପାଇଁ ଏ ସବୁ କରି ନଥିଲେ I କାହାକୁ ନିଜର ଭାବି ନିଜ ମନର ଅକୁହା କଥା, ଆଉ ହୃଦୟର ବ୍ୟଥା କହି ହେଉଛି ନା ସହି ହେଉଛି I
ବାପାଙ୍କୁ ଏ କଥା କହି ଲାଭ ବା କ’ଣ ? ବାପାଙ୍କ ମନରେ ଦୁଃଖ ହେବ ବୋଲି ଅମିୟ କେବେ ଏ କଥା ତାଙ୍କୁ କହିନି I ଅମିୟର ସାଙ୍ଗମାନେ ବେଳେ ବେଳେ କହନ୍ତି, ମଉସା ଭୁବନେଶ୍ଵରରେ ଏତେ ଦିନ ହେଲା, ରହିଲେଣି, ସରକାରୀ ଚାକିରୀ ବି କରିଥିଲେ, କିନ୍ତୁ ଜାଗାଟେ କେମିତି ପକେଇନାହାନ୍ତି I ପକେଇନାହାନ୍ତି ତ ଆଉ କ’ଣ କରିବା, କହି ଅମିୟ ଚୁପ ରୁହେ I
ସ୍କୁଲ ସାଙ୍ଗମାନେ ବି ଏଠିକି ଆସିବାକୁ ନାରାଜ I କେତେ ମଜା ହେଉଥିଲା, ହୋଲି ଦିନ I ସାଙ୍ଗମାନେ ଘରକୁ ଆସନ୍ତି, ମୁଁ ବି ଯାଏ ହୋଲି ଖେଳିବାକୁ I ବହୁତ ମଜା ହୁଏ I କିନ୍ତୁ ଏଥରକ ହୋଲିକୁ ସାଙ୍ଗମାନେ ଖୁସି ହୋଇ ଆସିଥିଲେ , କିନ୍ତୁ ଘରମାଲିକଙ୍କ ରୁକ୍ଷ ବ୍ୟବହାର ତାଙ୍କୁ ବହୁତ ଖରାପ ଲାଗିଥିଲା I ମୋର ନିଃସହାୟ ପଣିଆକୁ ବୁଝିବାକୁ ସେମାନଙ୍କୁ ବେଶୀ ସମୟ ଲାଗିନଥିଲା I ତେଣୁ ମୁଁ ସେମାନଙ୍କ ପାଖକୁ ଯାଏ, ସେଦିନର ଘଟଣା ପରଠାରୁ I
ଆଜି ବି ମନେଅଛି , ସରକାରୀ କ୍ଵାର୍ଟରରେ ରହୁଥିବା ବେଳେ ସମସ୍ତେ କେମିତି ମିଳିମିଶି ଚଳୁଥିଲେ I କିଛି ଭେଦଭାବ ନଥିଲା I କିନ୍ତୁ ଏଠି, ଭଡାଟିଆ ଓ ଘରମାଲିକର ଭେଦଭାବ I ନୂଆବର୍ଷକୁ ଭୋଜି ଯେତେବେଳେ ହୋଇଥିଲା, ଆଗ ଘରମାଲିକ ଓ ସେମାନଙ୍କର ଘରଲୋକ ଖାଇବେ, ତା’ପରେ ଯାଇ ଭଡାଟିଆମାନେ ଖାଇବେ I ଏ କି ପ୍ରକାରର ଭେଦଭାବ ? ଏ କି ପ୍ରକାରର ନିୟମ ?
ସରକାରୀ କ୍ଵାର୍ଟରରେ ଥିଲାବେଳେ ବାପା ଭୁବନେଶ୍ଵରରେ ଥିବାରୁ ଗାଁରୁ ବହୁତ ଲୋକ ଆସନ୍ତି I ଘରେ ରୁହନ୍ତି I ଖାଆନ୍ତି I ଯାହାର ଯେଉଁ କାମ ଥାଏ, କାମ ସାରିକି ଯାନ୍ତି I କାହାର ହସ୍ପିଟାଲ କାମ ତ କାହାର ନାମ ଲେଖା କାମ, ଆଉ କାହାର ଚାକିରି ଖୋଜିବା କାମ I କେତେ ଭଲଲାଗେ ଗାଁର ଭାଇ, ବନ୍ଧୁ, କୁଟୁମ୍ବ ଘରକୁ ଆସନ୍ତି, ରହନ୍ତି I କେତେ ଭଲ ମୋ ଗାଁ I ସମସ୍ତେ ମିଳିମିଶି ଚଳନ୍ତି I
ଏଠି ଘରମାଲିକଙ୍କ ତାଗିଦ I ଅନ୍ୟ କାହା ସହ କେହି ମିଶି ପାରିବେନି, କାହା ଘରକୁ କେହି ଯିବେନି, କେହିବି ଆମ ଘରକୁ ଆସିବେନି I ମଣିଷ ଗୋଟେ ସାମାଜିକ ପ୍ରାଣୀ, ବୋଲି ଆମେ ସ୍କୁଲ ବେଳୁ ପଢି ଆସିଛୁ I କିନ୍ତୁ ଏ ସମାଜରେ କାହା ସହ ନ ମିଶିବା ପାଇଁ ଭଡାଟିଆଙ୍କୁ ଏଠି ମନା I
ବନ୍ଧୁବାନ୍ଧବ ଓ ଭଉଣୀମାନେ ଆସିଲେ, ବି ଘରେ ରହିପାରିବେନି, ସକାଳୁ ଆସି ସନ୍ଧ୍ୟାରେ ଯିବେ I ଇଏ କି ପ୍ରକାରର ମାନବିକତା I ମଣିଷ ହୋଇ ଅନ୍ୟ ମଣିଷକୁ ଏତେ ଘୃଣା କ’ଣ ପାଇଁ ? କାହା ସାଙ୍ଗରେ ମିଶିବେନି, କେହି ଆସିବେନି, ଏକୁଟିଆ ବଞ୍ଚିବାଟା ଘରମାଲିକଙ୍କ ସ୍ଵଭାବ I ଅବଶ୍ୟ ପାଖରେ ତାଙ୍କର ଦୁଇ ଦୁଇଟା କାର ଅଛି I ଘରେ ସବୁ ଜିନିଷ ଅଛି I ଏ॰ସି., ଇନଭଟର, ଲାପଟପ୍, ୱାସିଙ୍ଗ ମେସିନ ଭଳି ସବୁ ଦରକାରୀ ଜିନିଷ ଅଛି I ଅନଲାଇନ୍ ରେ ବି ସବୁ ଜିନିଷ ଆସି ଘରେ ପହଞ୍ଚି ଯାଉଛି I ସେଥିପାଇଁ ମଣିଷର ଆବଶ୍ୟକତାକୁ ସେମାନେ ଭୁଲି ଗଲେଣି I ଯନ୍ତ୍ର ଆଜି ବହୁତ ନିଜର ହୋଇଯାଇଛି I ଦାମୀ ମୋବାଇଲ ଫୋନ, ୱାଇଫାଇ, ଲାପଟପ୍, ଏଗୁଡିକ ମଣିଷ ଠାରୁ ନିହାତି ଦରକାର ହୋଇଯାଇଛନ୍ତି, ଆଜି I
ସେଦିନ ମନେ ଅଛି, ଏଇ ମାର୍ଚ୍ଚ ମାସରେ ଛାଟିଆ ଆସିଥିଲା, ଗାଁରୁ I ତା’ ଆଗରେ ଘରମାଲିକ ତାକୁ ମଳିମୁଣ୍ଡିଆ କହିବାରୁ ମୋ ବାପାଙ୍କୁ ବହୁତ ଖରାପ ଲାଗିଥିଲା I ଛାଟିଆ ଯିବାପରେ ମତେ ଫିନାଇଲ ପକାଇ ଛାଟିଆ ଚାଲିଥିବା ରାସ୍ତାକୁ ଧୋଇବାକୁ ପଡିଥିଲା I ବହୁତ ଖରାପ ଲାଗେ, ନିଜକୁ I ଇଚ୍ଛା ଥିଲେ ବି ସାହାଯ୍ୟ କରି ପାରେନି, ଗାଁ ଲୋକଙ୍କୁ I ଘରମାଲିକ ମାନେ କ’ଣ ପାଇଁ ଏତେ ଘୃଣା କରନ୍ତି, ଗାଁରେ ଥିବା ଲୋକ ମାନଙ୍କୁ I ଗାଁ ସହ ଏମାନଙ୍କର ସମ୍ପର୍କ ନାହିଁ I ସେଦିନର ଘଟଣା ପରଠୁ ବାପା ବୋଊ ଗାଁକୁ ପଳେଇଲେ I ଭଲ ଲାଗିଲାନି, ସେମାନଙ୍କୁ ଏ ସବୁ I
ଅମିୟ ନିଜ ମୋବାଇଲ ଦେଖିବାରୁ ସମୟ ରାତି ୨ ଟା ବାଜିଥାଏ I କଡ ଲେଉଟାଇ ଶୋଇବାକୁ ଚେଷ୍ଟା କରୁଥାଏ, ସେ I କିନ୍ତୁ ନା, କାହିଁକି କେଜାଣି ତାକୁ ନିଦ ଆସୁନଥାଏ I ତଥାପି ଚେଷ୍ଟା କରୁଥାଏ ଶୋଇବାକୁ I କେମିତି ଭଡାଟିଆରୁ ସେ ମୁକ୍ତି ହେବ ? ଭାବୁଛି, ଚାକିରି ଛାଡିଦେଇ ଗାଁ କୁ ପଳେଇବି I ଏମିତି ବନ୍ଦୀ ଭାବରେ ଭଡାଟିଆ ହୋଇ ଗୋଟେ ଅସାମାଜିକ ମେରୁଦଣ୍ଡ ବିହୀନ ପ୍ରାଣୀ ଭଳି ବଞ୍ଚିବା ଅପେକ୍ଷା ନିଜ ଭିଟାମାଟିକୁ ପଳେଇଯିବା ଭଲ I
ଅମିୟ ଛୋଟବେଳୁ ଭୁବନେଶ୍ଵରରେ ରହିଛି I ପାଠପଢା ମଧ୍ୟ ଭୁବନେଶ୍ଵରରେ I ବେସରକାରୀ ଚାକିରିଟେ ମଧ୍ୟ କରିଛି I ପୁଅର ଭବିଷ୍ୟତ ତ ଦେଖିବାକୁ ପଡିବ I କ’ଣ କରିବ ସେ ? ନିଜର ତ ଭୁବନେଶ୍ଵରରେ ଜାଗା ଖଣ୍ଡେ ନାହିଁ I ଯା ହେଲେ ବି ଅନ୍ୟ ଯେଉଁଠିକୁ ଗଲେ ବି ସେ ସେଇ ଭଡାଘରେ ହିଁ ରହିବ I ନା’ ମୁଁ ଗାଁକୁ ପଳେଇବି I ମୋ ସାଙ୍ଗ ମଣ୍ଟୁ କହୁଥିଲା, ଯେଉଁଠି ଘରମାଲିକ ରହୁନଥିବେ, ସେ ଘରେ ରହିଲେ, ଘରମାଲିକଙ୍କ ଦୌରାତ୍ମ୍ୟରୁ ରକ୍ଷା ମିଳିପାରିବ I ହଁ, ସେମିତି କଲେ ବି ଚଳିବ I ଏ ଲକ ଡାଉନ କେବେ ସରିବ ? ଆଉ କେଉଁଠି ଘର ଦେଖିବି, ଏଠୁ ପଳେଇବି, ହଁ, ଆଉ ମୁଁ ଏଠି ରହିବିନି I ନୂଆ ଘର ଦେଖିବି, ବାପା ବୋଉଙ୍କୁ ବି ଗାଁରୁ ନେଇଆସିବି I ସମସ୍ତେ ପୁଣି ଏକାଠି ରହିବୁ I