Chinmayee Barik

Inspirational

3  

Chinmayee Barik

Inspirational

ଭାତ ଡାଲମା

ଭାତ ଡାଲମା

2 mins
7.4K


   ଦିନ ଦ୍ୱିପହର ହେଲେ ରାମୁ ଦଉଡି ଯାଏ ସେହି ହୋଟେଲ ପାଖକୁ ଯେଉଁଠି ଡାଲମାର ଛୁଙ୍କଟା ତା ପାଟିରେ ଲାଳ ବୁହାଇ ଦିଏ ।ମନରେ ଆଶା କରେ ,ହଁ ଦିନେ ଏଇଠି ସେ ମନ ପୁରା ଭାତ ଡାଲମା ଖାଇବ ।ମା'କୁ ଅନେକ ବାର କହିଛି ଏଇଠି ଥରେ ଖାଇବି ।ପକ୍କା ଘର ତିଆରିରେ କାମ କରୁଥିବା ମା"କୁହେ ...ଏତେ ବ୍ୟସ୍ତ କାହିଁକି?ହୋଟେଲ କଣ ବନ୍ଦ ହୋଇଯିବ ନା ଆମେ ଆମେ ଏତେ ଜଲଦି ମରି ଯାଉଛେ? ଟିକେ ଧେର୍ଯ୍ୟ ଧ..କେତେ ପଇସା କି ଆଉ ...ପାଞ୍ଚ ଟଙ୍କାରେ ପରା ଭାତ ଡାଲମା ମିଳିବ ?

ରାମୁ ଧେର୍ଯ୍ୟ ଧରି କି ରୁହେ ।ମା"ଯାହା ପଇସା ଆଣେ ରୋଗିଣା ବାପା ଲାଗି ସାଇତି ରଖେ ।ଠଣାର ଅନେକ ଖୁଚୁରା ପଇସା ଅଛି ହେଲେ ତାକୁ ଛୁଇଁବା ମନା ।ବାପାଙ୍କ ଔଷଧ ଆସେ ।ଭୋକିଲା ପେଟକୁ ସବୁଦିନ ସେଇ ପଖାଳ ଭାତ ଆଉ ପିଆଜ ।ସେ ବି କଣ କମ୍ ସୁଆଦିଆ କି?

ଡହଳ ବିକଳ ପେଟକୁ ତୁରାଣି ମୁନ୍ଦେ ବି ଅମୃତ ।

ରାମୁ ସେ ପାଞ୍ଚ ଟଙ୍କିଆ ଭାତ ଡାଲମା ହୋଟେଲ ପାଖରେ ଡେରି ହୋଇ ରହିଥାଏ ।ମା"କାମରୁ ଆସିଲା ଯାଏ ।ରାମୁ ଦେଖେ କେତେ ଲୋକ ଆସନ୍ତି ସେଠାକୁ ।ଗାଡିରେ ବି ଆସନ୍ତି ।ଅନେକ ସରକାରୀ ଆଉ ବେସରକାରୀ ଲୋକଙ୍କର ଦ୍ୱିପହରେ ଏଇଠି ଭିଡ ।

ବୋଧ୍ ହୁଏ ସେମାନଙ୍କୁ ବି ରାମୁ ଭଳି ଏଇ ହୋଟେଲର ଡାଲମା ଛୁଙ୍କଟା ଭଲ ଲାଗେ ।ନ ହେଲେ ଏତେ ବଡ ବଡ ହୋଟେଲ ଥାଇ ମଧ୍ୟ ସେମାନେଏଠି ଏତେ ଭିଡ କାହିଁକି କରନ୍ତି ସାମାନ୍ୟ ପାଞ୍ଚ ଟଙ୍କାର ଭାତ ଡାଲମାଖାଇବାକୁ ??

ଭାତଡାଲମା ଖାଇସାରି ବଡ ହୁକୁଟି ଟେ ମାରୁ ମାରୁ ବାବୁ ଭାୟା ମାନେ କୁହନ୍ତି ଏ ପାଞ୍ଚ ଟଙ୍କିଆ ଭାତ ଡାଲମା ବଞ୍ଚାଇ ଦେଲା ଆମକୁ ।

ଅନ୍ତତଃ କିଛି ପଇସା ବଞ୍ଚି ଯାଉଛି ମାସ ଶେଷରେ ।ରାମୁ ଠିକ୍ ରେ ବୁଝି ପାରେନି ଏ ସବୁ ।ତାର ଆଖି ସବୁବେଳେ ସେଇ ଡାଲମା ଉପରେ ।

ଆଜି ମା କହିଛି ହୋଟେଲ୍ ରେ ଖାଇବ ବୋଲି ।ଅନେକ ବେଳୁ ଅପେକ୍ଷା କରିଛି ରାମୁ ।ଇଆଡେ ଦୋକାନ ରେ ପ୍ରବଳ ଭିଡ ଧନୀ ଚାକିରିଆ ମାନଙ୍କର ।କାରଣ ଅଫିସ୍ ରେ ଘଣ୍ଟାଏ ମିଳେ ଖାଇବା ଛୁଟି ବୋଧେ ।ଆଖ ପାଖର ସବୁ ଅଫିସର ବାବୁ ମାନେ ଏଇଠିକୁ ଆସନ୍ତି ।

କେତେ ସମୟ ପରେ ମା ଆସିଲା ।ରାମୁ ତା ମାଆ ସହ ଲାଇନ୍ ରେ ଠିଆ ହୋଇଛି ହୋଟେଲ ଭିତରକୁ ଯିବାକୁ ।ହେଲେ ସେମାନେ ଆଗେଇ ପାରୁ ନାହାଁନ୍ତି ।ଯିଏ ଆସୁଛି କହୁଛି...ହେ ଟିକେ ଆଡେଇ ଯାଅ ।ରାମୁ ଓ ତାର ମାଆର ମଳିଛିଆ ରୂପକୁ ଦେଖି ସେମାନେ ନାକ ଟେକୁଛନ୍ତି ।କିଛି କିଛି ଲୋକ ନାକରେ ରୁମାଲ ଧରି ଚାପି ରଖିଛନ୍ତି ।ରାମୁ ସେମିତି ବିକଳରେ ଦେଖୁଛି ପରଷା ଯାଉଥିବା ଭାତ ଡାଲମାକୁ ।ଛେପ ଢୋକୁଛି ବାର ବାର ।ପେଟଟା ଭୋକରେ କଁ କଁ କରୁଛି ।

ଅନେକ ସମୟ ପରେ ତାଙ୍କ ପାଳି ପଡିଲା ହେଲେ ହୋଟେଲ ବାଲା ପତର ଉଠଉ ଉଠଉ କହିଲା ...ଖାଲି ଭାତ ହେବ ।ଡାଲମା ସରିଯାଇଛି...ହଁ,ଆଚାର ଅଛି ।ଓଃ ....ରାମୁର ଆଖିରୁ ଯେମିତି ନିଆଁ ଖସି ପଡିବ....।ରାମୁ ଆଉ ସହି ପାରିଲାନି ।ଫୋଫଡା ଯାଇଥିବା ପତ୍ର ରେ ଲାଗିଥିବା ଡାଲମା କୁ ଚାଟିବାରେ ଲାଗିଲା ।ରାମୁ ର ମା ଏଇଆ ଦେଖି ଗର୍ଜୀ ଉଠିଲା...ହଇରେ ଡାକୁଣିଖିଆ...ରଇଜଳା ...ତୋତେ ଆଉ କିଛି ମିଳିଲାନି?ଅଇଁଠାଖିଆ ମରୁନୁ ତୁ......

ରାମୁ ଆଶ୍ଚର୍ଯ୍ୟ ହେଉଥିଲା ...ମାଆ ଏମିତି ରାଗିବାର କଣ ଥିଲା?ଏମିତି ଅନେକ ଥର ରାମୁ ଓ ତା ମାଆ ଅଇଁଠା ପତରକୁ ଖାଇଛନ୍ତି ଖୁବ୍ ଆନନ୍ଦରେ କୁକୁରକୁ ଘଉଡାଇ ...ହେଲେ ଆଜି?

ମାଆର ଗର୍ଜିବା ବନ୍ଦ ହୋଇ ନଥିଲା ...ରଡି କରି କହୁଥିଲା ...ଯାଅ,ଖାଇଯାଅ ସବୁ ।ରେସନ କାର୍ଡ ଠୁ ଆରମ୍ଭ କରି ପାଞ୍ଚ ଟଙ୍କିଆ ଭାତ ଡାଲମା ଯାଏ ।ଯାହାର ଯେତେ ଧନ ସେ ସେତେ ବିକଳିଆ ।ଛିଃ....

ରାମୁ କିଛି ବୁଝି ପାରୁ ନ ଥିଲା ।ମାଆ ତାର ହାତ ଘୋସାରୀ ଘୋସାରୀ ନେଇ ଯାଉଥିଲା ପ୍ରସିଦ୍ଧ ..."ଡାଲମା"ହୋଟେଲ୍ ଆଡକୁ....


Rate this content
Log in

Similar oriya story from Inspirational