STORYMIRROR

Sunanda B Mohapatra

Abstract

3  

Sunanda B Mohapatra

Abstract

ଭାଇଭାଗ

ଭାଇଭାଗ

4 mins
15K


କିଛି ଜାଣିବା ପୂର୍ବରୁ ସାମ୍ନା ପଟ ଶହେ ବର୍ଷର ପୁରୁଣା ଘରଟା ତଡ଼ା ସରିଥିଲା । କିଏ, କେମିତି ଭାଙ୍ଗି ପାରିଲା ଏତେଶକ୍ତ କାନ୍ଥ,ଚଟାଣ ଗୁଡ଼ା...?

ତଳେ ମୁହଁ ମାଡ଼ି ପଡ଼ିଥିବା ଇଟାଖଣ୍ଡ, ସିମେଣ୍ଟ ଗୁଣ୍ଡ ସବୁ ଚିତ୍କାର କରି କାନ୍ଦିବାକୁ ଲାଗିଲେ ମୋତେ ଦେଖି,କେଉଁ ମଣିଷର ହାଡ଼, ମାଂସ ପରି । ଛଳଛଳ, ଢଳଢଳ ସମ୍ପର୍କର ଗାଢ଼ ଲାଲ୍ ରକ୍ତସବୁ ଜମାଟ ବାନ୍ଧି ସାରିଥିଲେ । ଶୈଶବ, କୈଶୋର ଯୌବନର ମହାର୍ଘ ମୁହୂର୍ତ୍ତ ସବୁ ଗୋଳା ହେଉଥିଲେ ବାଲି ସିମେଣ୍ଟରେ ! ମୁଁ କିଛି ପଚାରିବା ପୂର୍ବରୁ କେହି ଜଣେ କହିଲା, ବୋକାଟା... ବୁଝି ପାରୁନୁ କି ? ନୂଆ ଘର ଗଢ଼ା ଯିବ ପରା ! ଭାଇ ଭାଗ !! ବାଡ଼ି ପଟକୁ ଗଲି, ପୁରୁଣା କୂଅଟା ପୋତା ସରିଥିଲା,ଭଙ୍ଗା ସରିଥିଲା ପାଇଖାନା, ଗାଧୁଆ ଘର !

ଗଳା କାଟି ହତ୍ୟା କରା ଯାଇଥିଲା ଏ ହାତରେ ଅତି ଆଦରରେ ବଢ଼େଇ ଥିବା ନାନା ଜାତି ଫୁଲ, ଫଳର କୋମଳ ଜୀବନ !

ଆଃ, କେତେ ଆମ୍ବ କଷି ଧରିଥିଲା କୁନି ଗଛଟାରେ....ସଜନା ଗଛଟାରେ କଷି ଛାଇ ହେଇ ଯାଇଥିଲା । ବାରମାସୀ ପିଜୁଳି ଆଉ ସପେଟା ଗଛର ମୂଳଗୁଡା ବିକଳ ହୋଇ ଚାହିଁ ଥିଲେ ମୋ' ଆଡ଼େ, ଲାଗିଲା ଯେମିତି ଏଥିପାଇଁ ମୁଁହିଁ ଦାୟୀ। ତଳେ ଲୋଟୁ ଥିବା ମଲ୍ଲୀ, ଟଗର, ଗୋଲାପର କଟା ଡାଳଗୁଡା ମୋତେ ଯେମିତି କହୁଛନ୍ତି, ତୁ ଥିଲେ କଣ ଏତେ ସରି ଆମେ ହେଇ ଥାଆନ୍ତୁ ?

ତୁତ ଧର୍ମରାଜ ଯୁଧିଷ୍ଠିର ନା.....!!

ତୁବି କ'ଣ କରିବୁ....? ଭାଇ ଭାଗ ପରା !

ସତରେ ମଝି ଅଗଣାରେ ଠିଆ ହେଇଥିଲି ମୁଁ ସ୍ଥାଣୁବତ୍ ତଳକୁ ମୁହଁ କରି । କୋହରେ ଫାଟିପଡ଼ିଲା ମୋ ହୃଦୟ...ଇଛା ହେଉଥିଲା ଛାତି ଫଟେଇ କାନ୍ଦିବାକୁ.....ହେଲେ, ମୁଁ ଯେ ପୁରୁଷ ପିଲା କାନ୍ଦିବା ମୋତେ ଶୋଭା ପାଏନା । ଯନ୍ତ୍ରଣାକୁ ଛାତି ପତେଇ ସହିଯିବା ମୋ'ର ଧର୍ମ । ଗରଳ ପରି ଲୁହଗୁଡ଼ା ଢୋକି ଦେଲି....।

ଧୀରେ ଧୀରେ ମୁଁ ନୀଳକଣ୍ଠ ପାଲଟୁଥିଲି ! ଏସବୁ କଣ ଘଟି ଯାଉଛି...? ଆଖିକୁ ପରତେ ଯାଉ ନଥିବା ପ୍ରଶ୍ନିଳ ଆଖିରେ ଚାରିଆଡ଼େ ନଜର୍ ପକେଇଲି ! ଚାହିଁଲି ରନ୍ଧାଘର ପିଣ୍ଡାକୁ, ଯେଉଁଠି ସବୁ ଭାଇଭଉଣୀ ଗୋଟିଏ ଜାଗାରେ ବସି ଖାଉଥିଲୁ, କେବେ କମ୍ ବେଶିପାଇଁ କଳି ଲାଗିନୁ ! ଚାହିଁଲି ସାମ୍ନାଘର ବାରଣ୍ଡାକୁ, ଯୋଉଠି ଏକସାଙ୍ଗେ ବସି ବାପାଙ୍କ ସହିତ ଟିଭିରେ ମହାଭାରତ ସିରିଏଲ ଦେଖୁଥିଲୁ ।

ଚାହିଁଲି, ସେ ବିରାଟ ପଲଙ୍କ ଆଡ଼େ, ଯେଉଁଠି ଗୋଟିଏ କମ୍ଵଳ ତଳେ ପାଞ୍ଚ ଯୋଡ଼ା ଗୋଡ଼ ବହାରକୁ ଦିଶୁଥିଲା ।

ଜଣେ ଜଣଙ୍କ ପାଇଁ ତ୍ୟାଗ, ସମର୍ପଣ କରିବାରେ କି ଅଫୁରନ୍ତ ଆନନ୍ଦ ସେତେବେଳେ ଲାଗୁଥିଲା, ସଭିଏଁ ଜଣେ ଜଣେ ଭରତ ହେବାକୁ ପଣ କରିଥିଲେ ଯେମିତି !

ବାଷ୍ପରୁଦ୍ଧ ହୋଇଗଲା ମୋର କଣ୍ଠ ଆଉ ଆଖି, କିଛି ଦୃଶ୍ୟମାନ ହେଲାନାହିଁ ମୋତେ । ଆଣ୍ଠୁମାଡ଼ି ସେଇଠି ବସିପଡ଼ିଲି ବାଲିଗଦା ଉପରେ । କେହି ଗୋଟେ କହିଲା,

ଏ ନିଷ୍ଠୁରତାକୁ ସହିବାକୁ ପଡ଼ିବ ତତେ, ଏ ବର୍ବରତାକୁ ବରଦାସ୍ତ କରିବାକୁ ପଡ଼ିବ !

ଆରେ ଅବୁଝା, ଯେତେ ଭାଇ ସେତେ ଘର ! ଭାଇଭାଗ ପରା !

ଯାଃ, ତୁବି ଲାଗିଯା...ତୋ ଭାଗ ମାଟିରେ...!! ମନେ ମନେ ଭାବିଲି, ମୁଁ କଣ ଜାଣିନି ଏକଥା, ହେଲେ ସବୁରି ଘରେ ଯେ ଭାଗ ବଣ୍ଟୁରା ହେବ ସେମିତି କିଛି ମାନେ ତ ନାହିଁ ! କେଜାଣି କାହିଁକି ସମସ୍ତେ ଏ କଥାଟିକୁ ସହଜରେ ଗ୍ରହଣ କରିନେଲା ପରି ମୁଁ ପାରୁ ନଥିଲି ।

ସହି ପାରୁନଥିଲି ଏକା ମାଆ ପେଟରୁ ଜନ୍ମ ହୋଇ, ଗୋଟିଏ ଛାତ ତଳେ ଗୋଟିଏ ବିଛଣାରେ ଶୋଇ,

ଗୋଟିଏ ଥାଳିରେ ଖାଇ, କେମିତି ଆତ୍ମାରୁ ଅଲଗା ହେଇପାରନ୍ତି ମଣିଷ, କେମିତି ଭାଇଟେ ଭାଇର ଶତ୍ରୁ ହେଇଯାଏ ?? ଲାଗିଲା, ମୋତେ ଯେମିତି କେହି ଟୁକୁରା ତୁକୁରା କରି ଭାଗଭାଗ କରୁଛି, ସଂସାରର ନିଷ୍ଠୁର, ହୃଦୟହୀନ ନିୟମର ଧାରୁଆ ଅସ୍ତ୍ରରେ !

ସାରା ଅଗଣାର ମାଟି ମୋ ରକ୍ତରେ ଜୁଡୁବୁଡୁ ! ଯେଉଁଠି ଦୀର୍ଘ ପଚାଷଟି ଗ୍ରୀଷ୍ମରେ ଜହ୍ନର ଶୀତଳ ସ୍ପର୍ଶ ପାଇଛି ! ମିଶିବା ତ ସଭିଏଁ ଦିନେ ଏଇ ମାଟିରେ...ଏଇଠୁହିଁ ଶବ ଉଠିବ ଜଣକ କାନ୍ଧରେ ଆଉ ଜଣଙ୍କର !! ଛଅ ଖଣ୍ଡ କାଠ..... କେବଳ ଛଅ ଖଣ୍ଡ କାଠ ଛଡ଼ା ଆଉ କିଛିବି ନେଇ ହେବନି ଏଠୁ । କିଏ ନଜାଣେ ଏ କଥା !! ଭଲ ହେଇଛି ବାପା ନାହାନ୍ତି ଏତିକିବେଳକୁ । ଏଡ଼େ ବଡ଼ ଅଗଣାଟା ସଙ୍କୁଚିତ ହେଇଯିବାଟା ବାପା କ'ଣ ସହି ପାରିଥାନ୍ତେ....ଯେଉଁ ବିରାଟ ଅଗଣାରେ କାନ୍ଧରେ ପକେଇ ବୁଲି ବୁଲି ନାନାବାୟା ଗୀତ ଗାଇ ଆମକୁ ଶୁଏଇ ଦେଉଥିଲେ ??

ବୋଧେ ସେଇଥି ପାଇଁ ଆଗରୁ ଚାଲିଗଲେ କି କ'ଣ !

ମନେ ପଡ଼ିଲା ବାପାଙ୍କର ବାରମ୍ବାର ଆବୃତ୍ତି କରୁଥିବା ସେ ପଦ, 'ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର' । ଖୁବ୍ ପ୍ରଭାବ ପକେଇଥିଲା ମୋତେ ଏ କଥାର ଅର୍ଥ । ଏହାହିଁ ଯେମିତି ଥିଲା ମୋ ଜୀବନର ଏକମାତ୍ର ଅମୋଘ ମନ୍ତ୍ର । ଅସହାୟ ହୋଇ ଆକାଶକୁ ଚାହିଁଲି, ତାରାଙ୍କ ମେଳରେ ବାପାଙ୍କୁ ଖୁବ୍ ସମୟ ଧରି ଖୋଜିଲି, ହାଠାତ୍ ଗୋଟେ ତାରା ଉଜ୍ଜ୍ୱଳି ଉଠିଲା, ଲାଗିଲା ବାପା କହୁଛନ୍ତି, ଦୁଃଖ କରନା ବାପା,ଭାଇ ଭାଗ ପରା !

ଆଃ....ବଡ଼ ଦୟା ଲାଗିଲା ସତରେ ଭାଇ ମାନଙ୍କର ଏ ବିକଳ ଅବସ୍ଥା ଦେଖି ! ଲାଗୁଥିଲା, ଯେମିତି ମହାବାତ୍ୟା କି ପ୍ରଳୟ ଆସୁଛି, ଜଗାଟା କୁଆଡ଼େ କାଳେ ନିଶ୍ଚିହ୍ନ ହୋଇ ଭାସିଯିବ କେଉଁ ଅପହଞ୍ଚ ଇଲାକାକୁ, ତା ପୂର୍ବରୁ କିଛି ବନ୍ଦୋବସ୍ତ କରିବା ବୁଦ୍ଧିମାନର କାମ । କାଗଜ ଖଣ୍ଡେ ଆଣି ଲେଖିଲି, 'ମୋ ଭାଗ ନେଇଯାଅ ପଛେ, ମୋତେ ଭାଗ କରନାହିଁ, ମୋ ହୃଦୟ, ଏ ଭାଇ ଭାଇର ସମ୍ପର୍କକୁ କ୍ଷତବିକ୍ଷତ କର ନାହିଁ । ଉଠାଅ ନାହିଁ ସ୍ନେହ, ଶ୍ରଦ୍ଧା, ଭଲପାଇବା ମଝିରେ ଏ ପାଚେରୀ !

ମୋ'ର ଏଠି କିଛି ଭାଗ ନାହିଁ,

ଦେଇ ଦେଉଛି ମୋ ଭାଗ ତୁମ ମାନଙ୍କୁ । ଶୁଝି ଦେଉଛି ଋଣ, ଯାହା ତୁମେ ମାନେ ଦିନେ ତୁମ ଭାଗରୁ ମୋତେ ଦେଇଥଲ, ନିଜେ ନଖାଇ, ନିଜେ ନପିନ୍ଧି ମହାନ୍ ହେଇଥିଲ ମୋ' ଆଖିରେ । ମୁଁ ମମତା ଚାହିଁଥିଲି, ମାଟି ନୁହେଁ ।'

କିଛି ଦରକାରୀ କାଗଜପତ୍ର,ସ୍ମୃତି ସ୍ୱରୂପ ବାପା ଦେଇଥିବା ଛତାଟେ କେବଳ ଧରି ଶେଷଥର ପାଇଁ ଆଖି ପୂରେଇ ଦେଖିନେଲି ବାପା ଜେଜେବାପାଙ୍କ ହାତଗଢ଼ା ମନ୍ଦିରର ଧ୍ୱଂସାବଶେଷ ଆଡ଼େ !

ଆଖିରେ ଆଖିଏ ଲୁହ ଧରି ମୁଣ୍ଡିଆଟେ ମାରି ପଛକଲି !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sunanda B Mohapatra

ଭାଗ୍ୟ

ଭାଗ୍ୟ

5 mins ପଢ଼ନ୍ତୁ

ଲେଖକ

ଲେଖକ

1 min ପଢ଼ନ୍ତୁ

ଭାଇଭାଗ

ଭାଇଭାଗ

4 mins ପଢ଼ନ୍ତୁ

Similar oriya story from Abstract