Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Abhiram Mandal

Tragedy Inspirational


5.0  

Abhiram Mandal

Tragedy Inspirational


ଭାଗ୍ୟର ଖେଳ

ଭାଗ୍ୟର ଖେଳ

10 mins 507 10 mins 507

କଟକ ଓଡ଼ିଶାର ପ୍ରାଣ କେନ୍ଦ୍ର । ସଂସ୍କୃତିର ସହର, ଭାଇଚାରାର ସହର ଆଉ ସ୍ୱପ୍ନର ସହର ଏଇ କଟକ । ଅନେକ ସେମାନଙ୍କ ସ୍ୱପ୍ନକୁ ସଫଳ କରିବା ପାଇଁ ଏଠାକୁ ଆସିଥାନ୍ତି । ମା' ପରି କଟକ ସେମାନଙ୍କୁ ସାହାରା ଦେଇଥାଏ ଆଉ ବଞ୍ଚିବାର ରାହା ଦେଖାଇଥାଏ । ଏଠି ତ ଅନେକ ଭିକାରୀ ବଡ଼ ଲୋକ ହେବାର ନଜିର ଅଛି । ଆଉ କାହା କଥା କାହିଁକି କହିବି ମୁଁ ନିଜେ ତାର ପ୍ରକୃଷ୍ଟ ଉଦାହରଣ । ଆଜକୁ ଦୁଇ ବର୍ଷ ହେଲାଣି ମୁଁ ଏଇ କଟକରେ ଏକ ବଡ଼ କମ୍ପାନୀର ମ୍ୟାନେଜେର । ହେଲେ ମୋର ଅତୀତ ଥିଲା ଘୋର ଅନ୍ଧକାର ମୟ । ସେତେବେଳେ କେବେ ଭାବି ନଥିଲି ମୁଁ ଏଇ ସ୍ଥାନରେ ଦିନେ ପହଞ୍ଚିବି ବୋଲି । କିନ୍ତୁ ଏଇ କଟକ ମୋର ଭାଗ୍ୟ ବଦଳାଇ ଦେଲା ।


ମୁଁ ସନାତନ...ସନାତନ ପୃଷ୍ଟି । ଆଜି ଏଇ ସହରର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । କୋଠା, ଗାଡି, ବ୍ୟାଙ୍କ ବାଲାନ୍ସ କୋଉଥିରେ ମୋର ଅଭାବ ନାହିଁ । ସେଦିନର ସନିଆ ଆଜି ପାଲଟି ଯାଇଛି ସନାତନ ବାବୁ । ଏକ ନିପଟ ମଫସଲ ଗାଁ ରୁ ଆରମ୍ଭ ହେଇଥିଲା ମୋର ଜୀବନ ଯାତ୍ରା । ବାପା ଥିଲେ କୃଷକ । ଆମର ଅଳ୍ପ କିଛି ଜମି ଥିଲା । ସେଥିରୁ ଯାହା କିଛି ଉତ୍ପନ୍ନ ହେଉଥିଲା ଆମେ ଖୁସିରେ ଚଳି ଯାଉଥିଲୁ । କହିବାକୁ ଗଲେ ଆମର ଆର୍ଥିକ ପରିସ୍ଥିତି ସେତେ ଭଲ ନଥିଲେ ବି ଏତେଟା ଖରାପ ବି ନଥିଲା । ବୋଉ ମୋର ଥିଲା ଉଦାର ପ୍ରକୃତିର ମଣିଷ । ସେ ଥିଲା ବେଳେ ମୁଁ କେବେ ଦେଖିନି ଆମ ଦୁଆରୁ କୌଣସି ଭିକାରୀ ଖାଲି ହାତରେ ଫେରି ଯିବାର । ଖୁବ ହସ ଖୁସିରେ ବିତୁଥିଲା ଦିନ । ବାପା ବୋଉଙ୍କର ଆଦର ଯତ୍ନ ମଧ୍ୟରେ ମୁଁ ଶଶିକଳା ପରି ବଢିବାରେ ଲାଗିଥିଲି ।


୫ ବର୍ଷ ବୟସରେ ମୁଁ ଆମ ଗାଁ ସ୍କୁଲରେ ପାଦ ଥାପିଲି । ମୁଁ ଖୁବ ମେଧାବୀ ଥିଲି । ତେଣୁ ଅଳ୍ପ ଦିନ ଭିତରେ ମୁଁ ପଢାପଢିରେ ପାରଙ୍ଗମ ହେଇଗଲି । ଯାହାଫଳରେ ମୁଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଅତି ପ୍ରିୟପାତ୍ର ହେଇ ଯାଇଥିଲି । ସେମାନଙ୍କର ସାହାଯ୍ୟ ସହଯୋଗ ଫଳରେ ମୁଁ କୃତିତ୍ୱର ସହ ଶ୍ରେଣୀ ପରେ ଶ୍ରେଣୀ ଅତିକ୍ରମ କରି ୫ମ ଶ୍ରେଣୀରେ ପହଞ୍ଚିଲି । ସେତେବେଳକୁ ମୋର ବୟସ ୧୦ ବର୍ଷ । ସେହି ସମୟରେ ମୋର ଖେଳକୁଦ ପ୍ରତି ରୁଚି ବଢିଥିଲା । ମୋର ସବୁଠୁ ପ୍ରିୟ ଖେଳ ଥିଲା ନଦୀ ପହଁରା । ବୟସ କମ ଥିବା ସତ୍ତ୍ୱେ ମୁଁ ବଡ଼ ବଡ଼ ପିଲାଙ୍କୁ ପହଁରାରେ ହରେଇ ଦେଉଥିଲି । ଗାଁ ଲୋକେ ଆଶ୍ଚର୍ଯ୍ୟ ହେଉଥିଲେ ମୋର ଏ କୃତିତ୍ୱ ଦେଖି । ଆଉ ପ୍ରଶଂସା ବି କରୁଥିଲେ । କିନ୍ତୁ ଏଇଠାରୁ ମୋ ଜୀବନରେ ଦୁଃଖର କଳା ବାଦଲ ମାଡି ଆସିଲା । ସେ ଦିନ ମୋର ବେଶ ମନେ ଅଛି, ଯେଉଁ ଦିନ ମୋ ବୋଉ ଛାତିରେ ଯନ୍ତ୍ରଣା ହେଲା । ବାପା ତାକୁ ମେଡିକାଲ ନେଇଗଲେ । ହେଲେ ମେଡିକାଲରୁ ବୋଉ ଆଉ ଜୀବନ ନେଇ ଫେରିନଥିଲା । ଆସିଥିଲା ତା' ଶବ । ବାପା କହିଲେ ହୃଦଘାତ ବୋଉର ଜୀବନ ନେଇଗଲା । ଖୁବ କାନ୍ଦିଥିଲି ସେଦିନ । ଯେଉଁ ଲୁହ ସେଦିନ ମୋ ଆଖିରେ ଆସିଥିଲା, ଅନେକ ଦିନ ଯାଏ ସେ ଲୁହ ଶୁଖି ନଥିଲା ।


ବୋଉକୁ ହରାଇବା ପରେ ମୋର ଏକମାତ୍ର ସାହା ଥିଲେ ବାପା । ହେଲେ ସେ ବି ମତେ ପର କରିଦେଲେ । ବାପା ଆଉ ଥରେ ବାହା ହେଲେ । ସାବତ ମା' ଆସିବା ପରେ ମୋର ସବୁ ଆଶା ଭରସା ଭାଙ୍ଗି ଯାଇଥିଲା । ସେ ମତେ ଦେଖିସହି ପାରୁ ନଥିଲେ । ପ୍ରତି କଥାରେ ମତେ ଗାଳିମନ୍ଦ କରୁଥିଲେ । ବାପାଙ୍କ ଆଗରେ ସତ ମିଛ କହି ମତେ ମାଡ଼ ଖୁଆଉଥିଲେ । ସବୁ ସହି ଯାଉଥିଲି । ଲକ୍ଷ୍ୟ ଥିଲା ମତେ କଷ୍ଟ ହେଉ ବରଂ ମୁଁ ସହିଯିବି ଆଉ ମନ ଦେଇ ପାଠ ପଢ଼ିବି । ହେଲେ ସେତକ ବି ମୋ ଭାଗ୍ୟରେ ଜୁଟି ନଥିଲା । ସାବତ ମା' ବାପାଙ୍କୁ ଶିଖେଇ ମୋ ପାଠ ପଢ଼ାରେ ଡୋରି ବାନ୍ଧି ଦେଲେ ।


ଏହା ପରେ ମୁଁ ପାଲଟି ଯାଇଥିଲି ସାବତ ମାଆର କ୍ରୀତଦାସ । ନିଜ କର୍ମ ଆଦରି ସାବତ ମାଆର ସବୁ ହୁକୁମ ମାନି ଚାଲିଲି । ହେଲେ ଯତେ କାମ କଲେ ବି ତାଙ୍କ ମନ କେବେ ବି ସନ୍ତୁଷ୍ଟ ହୁଏନି । ସନ୍ଧ୍ୟାବେଳେ ବାପା ଫେରିବା ପରେ ମୋ ନାଁରେ ମିଛ ଅଭିଯୋଗ କରନ୍ତି। ବାପା ମତେ ଖୁବ ପିଟନ୍ତି । ଦିନରେ ସାବତ ମାଆର ଗଞ୍ଜଣା ଆଉ ରାତିରେ ବାପାଙ୍କ ମାଡ଼... ଏ ସବୁ ଯେପରି ମୋ ପାଇଁ ନୀତି ଦିନିଆ ରୁଟିନ ପାଲଟି ଯାଇଥିଲା ।


ଅତ୍ୟାଚାର କରି ସାବତ ମା' ପାଉଥିଲେ ଆନନ୍ଦ । ମୁଁ ମଥାପାତି ସବୁକିଛି ସହି ଯାଉଥିଲି । ଦିନେ କାହାରିକୁ ଅଭିଯୋଗ କରିନି । ଦିନ ରାତି ଖଟି ଚାଲିଥିଲେ ବି ଭଲଗଣ୍ଡେ ଖାଇବାକୁ ପାଉନଥିଲି କି ଭଲଖଣ୍ଡେ ପିନ୍ଧିବାକୁ ପାଉନଥିଲି । ଚିରା ଫଟା ପୋଷାକ ପିନ୍ଧି ଭୋକିଲା ପେଟରେ ସାବତ ମାଆର ସବୁ ବୋଲ କରୁଥିଲି । ଆଉ ସେ ଚେୟାର ଉପରେ ଗୋଡ଼ ଉପରେ ଗୋଡ଼ ପକେଇ ମୋ କଷ୍ଟର ମଜା ନେଉଥିଲେ । ମୋ କଅଁଳ ମନ ସବୁବେଳେ ମୁକ୍ତି ଚାହୁଁଥିଲା । କିନ୍ତୁ ସାବତ ମା' ଡରରେ ନିଜ ଦାଣ୍ଡ ଅଗଣାକୁ ଟିକେ ଖେଳିବାକୁ ଯାଇପାରୁ ନଥିଲି ।


ଦିନକର ଘଟଣା । ସାବତ ମା' ମତେ କିଛି ଅଣ୍ଡା ଆଣିବାକୁ ପଠେଇଲେ । ସେଦିନ ଖୁବ ବର୍ଷା ହେଇଥିଲା । ରାସ୍ତା ଖସଡ଼ା ଥିବାରୁ ଅଣ୍ଡା ଆଣୁଥିବା ବେଳେ ମୋ ଗୋଡ଼ ଖସିଗଲା । ମୁଁ ତଳେ ପଡି ଯିବାରୁ ଅଣ୍ଡାତକ ନଷ୍ଟ ହେଇଗଲା । ଏ ସବୁ ଜାଣିଲା ପରେ ସାବତ ମା' କୁ ସମ୍ଭାଳେ କିଏ ? ସଂଗେ ସଂଗେ ମୋ ଉପରେ ଗର୍ଜି ଉଠି ଏକ ଛାଟିଆରେ ମତେ ଖୁବ ପିଟିଲେ । ପିଠି , ଗୋଡ଼ ହାତ ନୋଳା ଫାଟି ଗଲା । ତାଙ୍କୁ ଯେତେ ନେହୁରା ହେଲେ ବି ସେ ନଛୋଡ ବନ୍ଧା । ଦେହ ହାତ ଦରଜ ହେଇଗଲା । କିନ୍ତୁ ସାବତ ମା' ଠୁ ନିସ୍ତାର ପାଇ ନଥିଲି । ସେଇ ଦରଜ ଦେହ ନେଇ ଘରର ସବୁ କାମ କରିଥିଲି। ୨ ଦିନ ଲାଗିଥିଲା ଦେହରୁ ଦରଜ କମିବା ପାଇଁ । ସେଇ ସମୟରେ ମୁଁ ଠିକ କଲି ଘରୁ ଲୁଚି କୁଆଡେ ପଳେଇବି । ଆଉ ସତକୁ ସତ ଦିନେ ରାତିରେ ମୁଁ ପଦାକୁ ଗୋଡ଼ କାଢ଼ିଲି ।


ଚାଲି ଚାଲି ଗାଁ ପାଖ ଷ୍ଟେସନକୁ ଆସିଲି । ଦେଖିଲି ଗୋଟିଏ ଟ୍ରେନ କଟକ ଆଡ଼କୁ ଯାଉଛି । ଆଗ ପଛ ବିଚାର ନ କରି ସେହି ଟ୍ରେନରେ ମୁଁ ଚଢ଼ିଗଲି । କଟକରେ ପହଁଚିଲା ପରେ ମତେ ସବୁ କିଛି ନୂଆ ଲାଗୁଥାଏ । ଲୋକ ଗହଳି ଗାଡି ମଟର ବଜାର ଘାଟ ଏ ସବୁ ଦେଖି ମୁଁ ଚକିତ ହେଇ ଗଲି । ସେତେବେଳକୁ ମତେ ଖୁବ ଭୋକ କରୁଥାଏ । କଣ କରିବି କଣ କରିବି ଭାବି ଷ୍ଟେସନରେ ହାତ ପତେଇଲି । କିଛି ଟଙ୍କା ମିଳିଗଲା । ସେଥିରେ କିଛି ଖାଇବା ଜିନିଷ କିଣି ମୁଁ ମୋ କ୍ଷୁଦା ନିବାରଣ କଲି । ଏଥର ମୋ ଜୀବନରେ ଆରମ୍ଭ ହେଲା ଏକ ନୂତନ ଅଧ୍ୟାୟ । ପ୍ରତିଦିନ ବଜାରରେ ବୁଲି ବୁଲି ଭିକ ମାଗେ । ଯାହା କିଛି ମିଳେ ନିଜେ ଖାଇବା ସହ କିଛି ପଇସା ବଞ୍ଚେଇ ପଢା ବହି କିଣି ରାତିରେ ଷ୍ଟେସନ ଭିତରେ ପାଠ ପଢେ ।


ଦିନେ କାଠଯୋଡ଼ି ପାଖ ରାସ୍ତାରେ ଵୁଲି ବୁଲି ଭିକ ମାଗୁଥିଲି । ଦେଖିଲି କାଠଯୋଡ଼ି ପୋଲ ଉପରେ ଗୋଟିଏ ଟ୍ରକ ସହ ଆଉ ଗୋଟିଏ କାରର ଧକ୍କା ଲାଗିଲା । କାରଟି ନଦୀ ଭିତରକୁ ଖସି ପଡିଲା । ଲୋକମାନେ ସେଠି ଜମା ହେଇ ଗଲେ । ମୁଁ ବି ଦୌଡ଼ି ଗଲି ସେଠାକୁ । ସମସ୍ତେ ଆହା.. ଚୁ.. ଚୁ.. କରୁଥାନ୍ତି । ହେଲେ କେହି ସେ କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁ ନଥାନ୍ତି ।


ମୁଁ ଆଉ ସହି ପାରିଲିନି, ନଦୀକୁ ଡେଇଁ ପଡିଲି । ପାଣିରେ ବୁଡି ବହୁତ ସମୟ ଖୋଜା ଖୋଜି କରିବା ପରେ ମୁଁ କାରକୁ ଠାବ କଲି । ହାତରେ ଅଣ୍ଡାଳି ଦେଖିଲି କାରର କାଚ ଭାଙ୍ଗି ଯାଇଛି ଆଉ ତା ଭିତରେ ଜଣେ ବେହୋସ ପଡିଛି । ବହୁତ କଷ୍ଟରେ ସେ ଲୋକକୁ ମୁଁ ବାହାରକୁ ଆଣିବାକୁ ସକ୍ଷମ ହେଲି । ତା' ପରେ ସେ ଲୋକକୁ ଧରି ପହଁରି ପହଁରି କୂଳକୁ ଆଣିବା ପରେ ସେଠାରେ ଉପସ୍ଥିତ ଲୋକେ ଆଚମ୍ବିତ ହେଇ ଗଲେ । ୧୨ ବର୍ଷର ବାଳକର ଏପରି ସାହସ ଦେଖି ସମସ୍ତେ ଧନ୍ୟ ଧନ୍ୟ କହୁଥିଲେ ।


ବେହୋସ ଥିବା ଲୋକଟିକୁ ସମସ୍ତେ ଚିହ୍ନି ପାରିଲେ । ସେ ଏ ସହରର ବିଶିଷ୍ଟ ଶିଳ୍ପପତି ରାମଲାଲ ଚୌଧୁରୀ । ତାଙ୍କୁ ସଂଗେ ସଂଗେ ଡାକ୍ତରଖାନା ନିଆଗଲା । କିଛିଦିନ ପରେ ସେ ଭଲ ହେଇଯିବା ପରେ ତାଙ୍କୁ ବଂଚେଇଥିବା ପିଲାଟିକୁ ଖୋଜିବାରେ ଲାଗିଲେ । ଶେଷକୁ ସେ ଖୋଜି ଖୋଜି ମତେ ଷ୍ଟେସନରୁ ପାଇଲେ । କୃତଜ୍ଞତା ସ୍ୱରୂପ ସେ ମତେ ନେଇ ତାଙ୍କ ପାଖରେ ରଖି ପାଠ ପଢାଇଲେ । ତାଙ୍କରି ଦୟାରୁ ମୁଁ ଏମ.ବି.ଏ. ପାସ କଲି । ଆଉ ଏବେ ମୁଁ ତାଙ୍କ କମ୍ପାନୀର ମ୍ୟାନେଜର ।


-"ସାର...କାରଖାନା ପରିଦର୍ଶନରେ ଯିବାକୁ କହୁଥିଲେ ପରା...?" ମୋ ପି.ଏ. ର କଥା ଶୁଣି ପ୍ରକୃତିସ୍ଥ ହେଲି ।

-"ହଁ...ଚାଲ..।"


ଅଫିସ ଛାଡି ବାହାରି ପଡିଲି କାରଖାନା ଆଡେ । ବୁଲି ବୁଲି ସବୁକିଛି ତଦାରଖ କରୁଥିଲି । ହଠାତ ମୋର ନଜର ଜଣେ ବୁଢା ଉପରେ ପଡିଲା । ମୁଁ ତାଙ୍କୁ ଚିହ୍ନି ପାରିଲି । ସେ ଥିଲେ ମୋ ବାପା । ହେଲେ ସେ ଗାଁ ଛାଡି ଏଠି...ପୁଣି ଏ ଅବସ୍ଥାରେ । ଘଟଣା କଣ ଜାଣିବା ପାଇଁ ସେଠାକାର ସୁପର ଭାଇଜରକୁ ଡାକିଲି । ତାକୁ ସେ ବୁଢା ବିଷୟରେ ପଚାରିବାରୁ ସେ କହିଲା-"ସାର..ସେ ବୁଢା ଦୁଇଦିନ ହେବ ଏଠି କାମ କରୁଛି ।" ମୁଁ ସୁପର ଭାଇଜରକୁ କହିଲି ତାଙ୍କୁ ମୋ ଅଫିସକୁ ପଠେଇ ଦେବାପାଇଁ । ଆଉ ଅଧିକ ପରିଦର୍ଶନ ନକରି ମୁଁ ଅଫିସ ଫେରି ଆସିଲି ।

କିଛି ସମୟ ପରେ ବାପା ମୋ ଅଫିସକୁ ଆସି ମତେ ନମସ୍କାର ହେଲେ । ସେ ମତେ ଚିହ୍ନି ପାରୁ ନଥାନ୍ତି । ମୁଁ ତାଙ୍କୁ ବସିବାକୁ କହିଲି । ସେ ବସିଲାରୁ ମୁଁ ପଚାରିଲି-" ତମ ନାଁ କଣ ?"

-"ଆଜ୍ଞା ଶଙ୍କର ପୃଷ୍ଟି.. "

-"ତମେ ଏ ବୟସରେ ଏଠି କାମ କାମ କରୁଛ..? ତମର କଣ କେହି ପିଲା ପିଲି ନାହାନ୍ତି...?"

ମୋ ଶୁଣି ବାପାଙ୍କ ଆଖିରେ ଲୁହ ଜକେଇ ଆସିଲା । ସେ ତାଙ୍କ ଗାମୁଛାରେ ଲୁହ ପୋଛି କହିବାକୁ ଲାଗିଲେ-" ଥିଲା ବାବୁ ମୋର ଗୋଟେ ପୁଅ ଥିଲା ହେଲେ ମୋରି ଅପାରଗ ପଣରୁ ମୁଁ ତାକୁ ହଜେଇ ଦେଲି ।"


ମତେ ହରେଇ ବାପା ଯେ ପଶ୍ଚାତାପ କରୁଛନ୍ତି ଏକଥା ମୁଁ ବେଶ ବୁଝି ପାରୁଥିଲି । କିନ୍ତୁ ସେ କଥାକୁ ମୋ ମନ ଭିତରେ ରଖି ତାଙ୍କୁ କହିଲି -" ମୁଁ ତମର ପୁରା କାହାଣୀ ଶୁଣିବାକୁ ଚାହୁଁଛି ...ମତେ କହିବ କି..?"


-"ହଉ ବାବୁ ଆପଣ ଯଦି ମୋ କାହାଣୀ ଶୁଣିବାକୁ ଚାହୁଁଛନ୍ତି ....ତେବେ ମୁଁ କହିବି ....ନିଶ୍ଚେ କହିବି...। ମୁଁ, ମୋ ସ୍ତ୍ରୀ ଆଉ ଗୋଟିଏ ପୁଅକୁ ନେଇ ମୋ ସଂସାର ବେଶ ହସ ଖୁସିରେ ଚାଲିଥିଲା । ମୋର ଯେତିକି ଜମି ଥିଲା ସେଥିରେ ଚାଷ ବାସ କରି ମୁଁ ଆରାମରେ ଦିନ କାଟୁଥିଲି । ହେଲେ ମୋ ସୁଖକୁ ଦଇବ ସହିଲା ନାହିଁ । ସ୍ତ୍ରୀ ମୋର ହାଟ ଆଟାକରେ ଚାଲିଗଲା । ମୁଁ ଏକୁଟିଆ ହେଇଗଲି । ଘର ଚଳିବାକୁ ଅସୁବିଧା ହେବାରୁ ମୁଁ ଦ୍ୱିତୀୟ ବିବାହ କଲି । ହେଲେ ମୋର ଦ୍ୱିତୀୟ ବାହାଘର ଯେ ଏକ ଭୁଲ ନିଷ୍ପତ୍ତି ଥିଲା ସେଇଟା ସେତେବେଳେ ଵୁଝି ପାରିଥିଲି ଯେତେବେଳେ ମୋ ପୁଅ ଘର ଛାଡ଼ି ଚାଲି ଯାଇଥିଲା। ସେ ମୋ ପୁଅଟାକୁ ହତାଦର କଲା । ତାକୁ ଜମାରୁ ଦେଖି ସହି ପାରିଲାନି । ମୁଁ ସକାଳୁ ମୋ କାମରେ ବାହାରି ଯାଏ ସନ୍ଧ୍ୟାରେ ଘରକୁ ଫେରେ । ମୁଁ ଯିବା ପରେ ସେ ମୋ ପୁଅ ଉପରେ ନାନା ଅତ୍ୟାଚାର କରେ । ମୁଁ ଘରକୁ ଫେରିଲା ପରେ ତା ନାଁରେ ମିଛ ସତ କହି ମୋ ଆଗରେ ଅଭିଯୋଗ କରେ । ମୁଁ ବି ତା କଥା ସତ ବୋଲି ଭାବି ପୁଅଟାକୁ ମାଡ଼ ଗାଳି ଦେଲି । ତାର ପାଠ ପଢା ବନ୍ଦ କରିଦେଲି । ଶେଷକୁ ପୁଅଟା ଆଉ କିଛି ଉପାୟ ନ ପାଇ ଘର ଛାଡି ଚାଲିଗଲା । ସେବେଠୁ ଯାଇଛି ଯେ ଏ ଯାଏ ଫେରିନି । ସେ ଗଲାପରେ ଆମର ରାହୁ ଦଶା ପଡିଗଲା । ଯୋଉ ଚଣ୍ଡାଳି ମୋର ହସିଲା ଖେଳିଲା ପୁଅକୁ ସହି ନପାରି ଘରୁ ବିଦା କରି ଦେଇଥିଲା, ଭଗବାନ ତାକୁ ତାର ଶାସ୍ତି ସ୍ୱରୂପ ତା କୋଳରେ ପିଲା ବକଟେ ଦେଲେନି । ସେ ଲୋକଙ୍କ ଆଖିରେ ଘୃଣ୍ୟ ପାଲଟି ଗଲା । ସମସ୍ତେ ତାକୁ ବାଞ୍ଝ ବୋଲି ଅପବାଦ ଦେଲେ । ଆଉ ମୁଁ...ମୋର ପୁଅ ଥାଇ କି ବି ଆଣ୍ଠୁକୁଡା ପାଲଟି ଗଲି । ସେତେବେଳେ ସେ ବହୁତ ଅନୁତାପ କଲା, ହେଲେ କଣ ହେବ ନେଡି ଗୁଡ କହୁଣୀକୁ ବୋହି ସାରିଥିଲା।


ଏତିକିରେ ଆମ ଦୁଃଖ ଶେଷ ହେଇ ନଥିଲା । ଦିନାକାତେ ସେ ବେମାର ପଡିବାରୁ ତାକୁ ଭଲ କରିବା ପାଇଁ ସାହୁକାରଠୁ କିଛି କରଜ ଆଣିଥିଲି । ହେଲେ କରଜ ଟଙ୍କା ନ ସୁଝିବାରୁ ସାହୁକାର ମୋ ଜମି ଆଉ ଘରଦ୍ୱାର ନିଲାମ କରିଦେଲା । ଆମେ ଦାଣ୍ଡର ଭିକାରୀ ହେଇଗଲୁ । ତା ପରେ ଆମେ ଗାଁ ଛାଡି କଟକ ଆସିଲୁ । ଜଣେ ବାବୁଙ୍କ ଘରେ ଚାକର ଚାକରାଣୀ ହେଇ କାମ କଲୁ । ସେଠି ଆମେ ବେଶ ଭଲରେ ଥିଲୁ । ପ୍ରାୟ ୧୫ ବର୍ଷ ତାଙ୍କ ଘରେ କଟିଗଲା । ହେଲେ ଆମ କପାଳ ମନ୍ଦ । ସେ ବାବୁ ଜଣକ ଏଇ ୮ ଦିନ ତଳେ ସେପାରିକୁ ଚାଲିଗଲେ । ଆଉ ତାଙ୍କ ପୁଅ ଆମକୁ ରଖିବାକୁ ମନା କରିଦେଲେ । ତେଣୁ ଗୁଜୁରାଣ ମେଣ୍ଟାଇବା ପାଇଁ ମୁଁ ଆପଣଙ୍କ କମ୍ପାନୀରେ ଦରଖାସ୍ତ କରିଥିଲି କିଛି କାମ ଆଶାରେ । ଆଉ ମତେ କାମ ମିଳିଲା । ଗତ ଦୁଇ ଦିନ ହେବ ଏଠି ମୁଁ କାମ କରୁଛି ।"


ବାପାଙ୍କ କାହାଣୀ ଶୁଣି ମୋ ଆଖିରେ ଲୁହ ଆସିଗଲା । ମୁଁ ରୁମାଲରେ ଲୁହ ପୋଛିଲା ବେଳେ ବାପା ଦେଖିଦେଲେ । ସେ କହିଲେ-" ମୁଁ ଆପଣଙ୍କ ଆଖିରେ ଲୁହ ଦେଇଦେଲି ନା...ମୋ କପାଳ ସେଇଭଳି ...ଯୋଉ ଡାଳକୁ ଧରୁଛି ସେ ଡାଳ ଭାଙ୍ଗି ଯାଉଛି ।"


ବାପାଙ୍କୁ ମୁଁ ଆଉ ନିଜର ପରିଚୟ ଲୁଚାଇ ରଖିବା ଉଚିତ ମଣିଲି ନାହିଁ । ହଠାତ ଚେୟାରରୁ ଉଠି ଯାଇ ତାଙ୍କ ପାଦ ସ୍ପର୍ଶ କଲି । ମୋର ଏପରି ବ୍ୟବହାରରେ ସେ ହତଚକିତ ହେଇଗଲେ । ସେ ବସିବା ସ୍ଥାନରୁ ଉଠି ଠିଆ ହେଲେ ଆଉ କହିବାକୁ ଲାଗିଲେ-"ବାବୁ.. ଏ କଣ କରୁଛନ୍ତି ... ଆପଣ ଜଣେ ସାହେବ ହେଇ ମୋ ପରି ଜଣେ ମଳି ମୁଣ୍ଡିଆର ପାଦ ଛୁଉଁଛନ୍ତି ...?"

-"ବାପା.... ମତେ ଚିହ୍ନି ପାରୁନା...ମୁଁ ସନିଆ... ତମ ପୁଅ ..."


ମୋ କଥା ଶୁଣି ବାପା ଯେମିତି ଆକାଶରୁ ଖସି ପଡିଲେ । ସେ ହସିବେ କି କାନ୍ଦିବେ କିଛି ଭାବି ପାରୁ ନଥିଲେ । ୧୫ ବର୍ଷ ଧରି ଯେଉଁ ବୋଝକୁ ସେ ଛାତିରେ ଧରି ରଖିଥିଲେ ତାହା ଧୀରେ ଧୀରେ ହାଲ୍କା ହେବାରେ ଲାଗିଥିଲା । ସେ ମତେ କୁଣ୍ଢାଇ ଧରି ଭୋ ଭୋ ହେଇ କାନ୍ଦିଥିଲେ । ମୁଁ ତାଙ୍କ ଆଖିରୁ ଲୁହ ପୋଛି ଦେଲି ଆଉ କହିଲି-" ତମେ କାନ୍ଦନା ବାପା... ଆମର ଦୁଃଖର ଦିନ ସରି ଯାଇଛି । ଆମ ଭାଗ୍ୟ ଆମ ସହ ଯେଉଁ ଖେଳ ଖେଳିଥିଲା...ସେ ପରାସ୍ତ ହେଇ ଚାଲି ଯାଇଛି । ମତେ କୁହ.... ମା' କାହାନ୍ତି... ?"

-"ଚହଟା ଘାଟ ପାଖରେ ଯେଉଁ ବସ୍ତିଟା ଅଛି..ସେଇଠି ଏକ ଚାଳିଆରେ ଆମେ ରହୁଛୁ...ତୋ ମା' ସେଇଠି ଅଛି ।"


ବାପାଙ୍କୁ ନେଇ ମୁଁ ମୋ ସାବତ ମା' ଙ୍କୁ ଭେଟିବା ପାଇଁ ଚହଟା ଘାଟର ବସ୍ତି ଆଡେ ଗାଡି ଛୁଟାଇ ଦେଲି । ସେଠାରେ ପହଞ୍ଚିବା ପରେ ବାପା ଗାଡ଼ିରୁ ଓହ୍ଲାଇ ପଡି ଆନନ୍ଦ ମନରେ ଦୌଡ଼ି ଗଲେ ସେ ରହୁଥିବା ଚାଳିଆ ଆଡେ । ତାଙ୍କର ହଜିଲା ଧନ ତାଙ୍କୁ ମିଳି ଯାଇଛି ଆଉ କି ଚିନ୍ତା ? ମୁଁ ତାଙ୍କ ପଛେ ପଛେ ସେ ଚାଳିଆ ଭିତରକୁ ଗଲି । ବାପା ମା' ଙ୍କୁ ଡାକିଲେ । ମା' ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇ ପଚାରିଲେ-"ଆଜି ଏତେ ବେଳାବେଳି ଚାଲି ଆସିଲ ଯେ ?" ବାପା ଅତି ଖୁସି ହେଇ କହୁଥିଲେ-"ଦେଖ କିଏ ଆଇଚି... ?" ମା' ଚାହିଁଲେ ଦୁଆର ଆଡେ । ମତେ ଦେଖି ଲାଜରେ ଓଢଣା ଟାଣି ଦେଲେ । ବାପା କହିଲେ -"ଆଲୋ ଲାଜ କାହାକୁ କରୁଛୁ...? ଇୟେ ପରା ଆମ ସନିଆ ... ବଡ଼ ବାବୁ ହେଇ ଯାଇଛି ...ମୁଁ ଯୋଉଠି କାମ କରୁଛି ସେଠିକା ମ୍ୟାନେଜର ।"


ମା' ଚାହିଁଥିଲେ ମୋ ମୁହଁକୁ । ମନେ ପଡିଥିଲା ଅତୀତର ଘଟଣାବଳୀ । ଆଖିରେ ତାଙ୍କର ଲୁହ ଆସିଗଲା । ସେ ମୋ ପାଖକୁ ଆସି କହିଲେ -" ବାପରେ..ମୁଁ ତୋ ଉପରେ ବହୁତ ଅତ୍ୟାଚାର କରିଛି । ଯାହାର ଫଳ ଆମେ ଆଜି ଯାଏ ଭୋଗି ଚାଲିଛୁ । ଆଜି ମୁଁ ତୋ ପାଖରେ କ୍ଷମା ମାଗୁଛି ... ମତେ କ୍ଷମା କରିଦେ ..." ସେ ମୋ ହାତ ଧରି କାନ୍ଦି ଚାଲିଲେ । ସେମାନଙ୍କ ଏ ଅବସ୍ଥା ଦେଖି ମୁଁ ଆଉ ରହି ପାରିଲିନି । ମୁଁ କହିଲି-"ମା..ତମେ ଏ କଣ କହୁଛ...? ତମେ ମତେ କାହିଁକି କ୍ଷମା ମାଗୁଛ..? ମୋର ଅମଙ୍ଗଳ ହେବ । ଯଦି ପାରୁଛ ମତେ ମତେ ଗାଳି ଦିଅ । ତମର ସେଇ ଗାଳି ଆଉ ଅତ୍ୟାଚାର ହିଁ ମତେ ମଣିଷ କରିଛି ।"


-" ବାପ..ମୁଁ ତତେ ଚିହ୍ନି ପାରି ନଥିଲି । ତୋ ଭଳି ପୁଅ ସମସ୍ତଙ୍କୁ ମିଳୁ...ହେଲେ ମୋ ଭଳି ମା କାହାରିକୁ ନ ମିଳୁ..।"

-"ନା ମା'...ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି ତମକୁ ସବୁ ଜନ୍ମରେ ମୋର ମା' କରିବା ପାଇଁ । ଏ ଦୁନିଆ ମା' କୈକେଇଙ୍କୁ ଦୋଷ ଦିଏ.... କାରଣ ସେ ପ୍ରଭୁ ରାମଚନ୍ଦ୍ରଙ୍କୁ ବନବାସ ପଠେଇଥିଲେ । ହେଲେ ପ୍ରଭୁ ରାମଚନ୍ଦ୍ର ମା' କୈକେଇଙ୍କୁ ସବୁଠୁ ଅଧିକ ଭଲ ପାଉଥିଲେ । ଏପରିକି ନିଜ ଜନ୍ମ କଲା ମା' ଠୁ ବି ଅଧିକା । କାହିଁକି କହିଲ ମା...କାହିଁକି ନା ସେ ଜାଣିଥିଲେ ସଂସାରର ଭଲ ପାଇଁ ସେ ଦୁନିଆର ସବୁ ଅପବାଦକୁ ମୁଣ୍ଡ ପାତି ସହି ଯାଇଥିଲେ । ଯଦି ମା' କୈକେୟୀ ଏସବୁ କରି ନଥାନ୍ତେ ତେବେ ସେ ଅତ୍ୟାଚାରୀ ରାବଣର ଅନ୍ତ କିପରି ହେଇଥାନ୍ତା ? ସୁଗ୍ରୀବ ବିଭୀଷଣ ପରି ବନ୍ଧୁ, ହନୁମାନଙ୍କ ପରି ଭକ୍ତ ସେ କେଉଁଠୁ ପାଇଥାନ୍ତେ ? ଆଉ ସର୍ବୋପରି ମା' ସୀତାଙ୍କର ବନ୍ଧ୍ୟା ଦୋଷ କିପରି କଟିଥାନ୍ତା ? "

-"ହେଲେ..ପୁଅ..."

-"ନା ମା' କିଛି କୁହନି ... ଏ ସବୁ ଭାଗ୍ୟର ଖେଳ । ଭାଗ୍ୟ ହିଁ ତମ ହାତରେ ମୋର ଅତ୍ୟାଚାର କରାଇଥିଲା । ଭାଗ୍ୟ ହିଁ ମତେ କଟକ ଆଣିଥିଲା ଆଉ ସେଇ ଭାଗ୍ୟ ପାଇଁ ମୁଁ ଆଜି ଏତେ ବଡ଼ କମ୍ପାନୀର ମ୍ୟାନେଜର । ଆଉ ଦେଖ ...ସେଇ ଭାଗ୍ୟ କିପରି ମତେ ତମ ସହ ଭେଟ କରାଇ ଦେଲା । ଭାଗ୍ୟ ଆମର ପରୀକ୍ଷା ନେଉଥିଲା ଆଉ ସେ ପରୀକ୍ଷାରେ ଆମେ ସମସ୍ତେ ଉତୀର୍ଣ୍ଣ ହେଇଛେ । ଆମ ଦୁଃଖର ଅନ୍ତ ହେଇଛି ଏବେ ସୁଖର ପାଳି । ଆଜିଠୁ ତମେ ମୋ ଘରେ ରହିବ...ସବୁ ଜିନିଷ ବନ୍ଧାବନ୍ଧି କର ମୁଁ ତମକୁ ମୋ ସାଙ୍ଗରେ ନେଇ ଯିବି ।"


ମୋ କଥା ଶୁଣି ସେମାନେ ଆଉ କିଛି ନକହି ଜିନିଷ ପତ୍ର ବନ୍ଧା ବନ୍ଧି କରି ମୋ ସହ ମୋ ଘରକୁ ଚାଲି ଆସିଲେ । ଏହାପରେ ମୋ ଘର ମନ୍ଦିର ପାଲଟିଗଲା । ବାପାଙ୍କର ସବୁ ବାକିଆ ସ୍ନେହ ମୋ ମୁଣ୍ଡରେ ଅଜାଡି ହେଇ ପଡିଲା । ମୋ ସାବତ ମା' ଆଉ ସାବତ ମା' ହେଇ ରହି ନଥିଲେ ସେ ମୋ ବୋଉ ପାଲଟି ଯାଇଥିଲେ ।



Rate this content
Log in

More oriya story from Abhiram Mandal

Similar oriya story from Tragedy