sushama Parija

Tragedy Others

4  

sushama Parija

Tragedy Others

ବେକୁବ୍

ବେକୁବ୍

14 mins
167



ଦୀର୍ଘ ତିନି ବର୍ଷ ପରେ ଆଜି ନିଜ ଘରକୁ ଫେରୁଥିଲା ପ୍ରଶାନ୍ତ । କଟକ ଷ୍ଟେସନ୍ ରେ ପାଦ ଦେଲାବେଳକୁ ମନଟା ଯେମିତି କୁରୁଳି ଉଠୁଥିଲା ଆନନ୍ଦ ରେ।ଗାଆଁ କଥା , ବୋଉ କଥା ,ସାନ ଭଉଣୀ ଆରତୀ ର କଥା ମନେ ପଡି ଯାଉଥିଲା ରହି ରହି । ଏଇ ଅଳ୍ପ କିଛି ସମୟ ପୂର୍ବରୁ ଭୋକରେ ଆଉଟୁପାଉଟୁ ହୋଇ ଯାଉଥିବା ପେଟ ଟା ମଧ୍ୟ ଭୋକ ଭୁଲି ସାରିଥିଲା, ମନ କହୁଥିଲା, ଡେଣା ଦୁଇଟା ଲାଗି ଯାଆନ୍ତାନି, ସେ ଉଡି ଯାଇ ଆଖି ପିଛୁଳାକେ ପହଞ୍ଚି ଯାଆନ୍ତି ଗାଆଁ ରେ। ବୋଉ ହାତରନ୍ଧା ପଖାଳ ମୁଠାଏ ଖାଇ ନିଶ୍ଚିନ୍ତ ହୋଇ ଶୋଇ ପଡନ୍ତା ବାପାଙ୍କର ସେଇ ପୁରୁଣା ତକ୍ତପୋଷ ଉପରେ। ବିଗତ ତିନି ବର୍ଷର ନିଦ ଏକାଠି ଶୋଇ ପଡନ୍ତା । କଟକରୁ ଅଶୀ କିଲୋମିଟର ଦୂରରେ ତାଙ୍କର ଗାଆଁ ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର , ଯେଉଁଠି କିଛି ତା’ର ବାଲ୍ୟ, ଶୈଶବ, କୈଶୋର ଆଉ ଆଦ୍ୟ ଯୌବନ କିଛି ବର୍ଷ । 

ବାପା ରତ୍ନାକର ମୂଳିଆ ଭୂମି ହୀନ ଚାଷୀ, ବାପ ଅମଳରେ ଯୋଉ ଆଠ କି ଦଶ ଗୁଣ୍ଠ ଜମି ଭାଗରେ ପଡିଥିଲା, ସେତକ ଦୁଇ ପିଲାଙ୍କ ରୋଗ ବୈରାଗ ପାଠ ଶାଠ ରେ ସ୍ୱାହା ହୋଇ ସାରିବା ପରେ ପର ବିଲ ରେ ଚାଷବାସ କରି ଚଳୁଥିଲେ । ଆଠ ବର୍ଷ ର ପୁଅ ପ୍ରଶାନ୍ତ, ଚାରି ବର୍ଷ ର ଝିଅ ଆରତୀ , ସ୍ତ୍ରୀ ମାଳତୀ ଙ୍କୁ ନେଇ ରତ୍ନାକାରଙ୍କ ଛୋଟିଆ ପରିବାର। ଖୁବ୍ ଭଲ ପାଠ ପଢୁଥିଲା ପ୍ରଶାନ୍ତ, ଗାଁ ସ୍କୁଲରେ ବୃତ୍ତି ପାଉଥିଲା,ସାର୍ ମାନେ ସମସ୍ତେ ଖୁବ୍ ଭଲ ପାଉଥିଲେ ତା’କୁ। ବାଟରେ ଘାଟରେ କେତେବେଳେ ଭେଟ ହୋଇଗଲେ, ସାର୍ କହୁଥିଲେ “ ତମ ପୁଅ ବଡ ହୋଇ ହାକିମ ହେବ ହେ ରତନା ! ତମ ଦୁଃଖ ସବୁ ଦୂର କରିଦେବ ,ତୁମେ ଚିନ୍ତା କରନାହିଁ “ । ଝାଳ ନାଳ ଆଣ୍ଠିଏ ହୋଇ ବିଲ ରୁ ଖଟି ଖଟି ଫେରୁଥିବା ରତ୍ନାକରଙ୍କ ମୁହଁ ରେ ହସ ର ସୁକ୍ଷ୍ମ ରେଖା ଟିଏ ଖେଳି ଯାଉଥିଲା, ଆଖିରେ ଆଶା ର ଆଲୋକ ଉଜ୍ବଳି ଉଠୁଥିଲା, ଦୁଇ ହାତ ଉପରକୁ ଟେକି ଆକାଶ କୁ ଚାହିଁ ମଥାରେ ଲଗାଉ ଥିଲେ । ଘରକୁ ଫେରି ସେଦିନ ଖୁବ୍ ଗେଲ କରୁଥିଲେ ପ୍ରଶାନ୍ତ କୁ, ମାଳତୀ ଙ୍କୁ କହୁଥିଲେ “ ବୁଝିଲୁ, ବଗୁଲି ଆମର ପାଠ ପଢି ବଡ ହାକିମ ହେବ ବୋଲି ତା’ ସ୍କୁଲ୍ ର ସାର୍ ମୋତେ କହୁଥିଲେ , ମୋର ଆଉ ଚିନ୍ତା କ’ଣ ? ଆରତୀ ଆଉ ତୋ’ର ଦାୟିତ୍ଵ ସେ ନେବ , ମୁଁ ତ ମଳିମୁଣ୍ଡିଆ ଚଷା ଟାଏ , ଜୀବନ ଯାକ କିଛି ସୁଖ ଦେଇ ପାରିଲିନି ତୁମ ମାନଙ୍କୁ, ହେଲେ ମୋ ପୁଅ ତମକୁ ସବୁ ସୁଖ ଦେବ , ଆରତୀ କୁ ଭଲ ଘରର ଦେଖି ବାହାଘର କରିବ, ତୁମ ପାଇଁ କୋଠାବାଡି ସବୁ କରିବ, ମୁଁ ଥାଏ କି ନଥାଏ , ଏଇ ସଂସାର ଲୋକ ଦେଖିବେ, କହିବେ ରତନା ପୁଅ ହାକିମ ହୋଇଛି, ସିଏ ମୋ ନାଆଁ ରଖିବ “ । ବୋଉ ର ଶୁଖିଲା ମୁହଁ ରେ ହସ ଫୁଟେ,ସେ ବେକରେ ଲୁଗାକାନି ଗୁଡେଇ ମା’ ମଙ୍ଗଳା ଙ୍କ ଉଦ୍ଦେଶ୍ୟ ରେ ମୁଣ୍ଡିଆ ଟିଏ ମାରେ। ସେମାନଙ୍କର ସେଇ ଆଶା ଆହୁରି ଦୃଢ ହୋଇଥିଲା ଯେବେ ପ୍ରଶାନ୍ତ ମାଟ୍ରିକ୍ ପରୀକ୍ଷା ରେ ତାଙ୍କ ପଞ୍ଚାୟତ ରେ ସବୁଠୁ ଅଧିକ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ଶହେଜଣ ଛାତ୍ରଙ୍କ ମଧ୍ୟରେ ରହିଥିଲା । ସରକାର ଙ୍କ ବୃତ୍ତି ପାଇ ଢେଙ୍କାନାଳ କଲେଜ ରେ ବିଜ୍ଞାନ ପଢିଲା । ସ୍କୁଲ୍ ରେ ସିନା ସାର୍ ମାନେ ଦୟାକରି ବିନା ପଇସା ରେ ତା’କୁ ପାଠ ପଢାଇ ଦେଉଥିଲେ ହେଲେ କଲେଜ୍ ରେ ବିନା ଟିଉସନ୍ ରେ ସେ ପଢିବା ବହୁତ କଷ୍ଟକର ହେଉଥିଲା । ଦୁଇ ଚାରିଜଣ ଗାଆଁ ପିଲା ମାନଙ୍କ ସହ ନିଜେ ଢେଙ୍କାନାଳରେ ମେସ୍ କରି ରହି ଚଳିବାକୁ ବୃତ୍ତି ଟଙ୍କା ନିଅଣ୍ଟ ପଡୁଥିଲା, ବାପାଙ୍କୁ ଅଧିକ ଟଙ୍କା ମାରିବାକୁ ଖରାପ ଲାଗୁଥିଲା ,ଏମିତି ଅବସ୍ଥା ରେ ସବୁ ବହି ପତ୍ର ମଧ୍ୟ କିଣି ପଢିବା ଅସମ୍ଭବ ଥିଲା , ସେଇ ସମୟରେ ସାହାଯ୍ୟ କରୁଥିଲା ତାଙ୍କ ସାଥୀରେ ରହୁଥିବା ମାର୍କଣ୍ଡେୟ । ମେସ୍ ର ସାଥୀ ମାନଙ୍କ ମଧ୍ୟରେ ମାର୍କଣ୍ଡେୟ ସାହୁ ଟିକିଏ ସ୍ୱଚ୍ଛଳ ପରିବାର ର ପିଲା ଥିଲା।ତା’ ବାପା ଙ୍କର ଗାଆଁ ରେ ତେଜରାତି ଦୋକାନ ଟିଏ ଥିଲା ଆଉ ସେଇଟି ଖୁବ୍ ଭଲ ଚାଲୁଥିଲା । ଏକୁଟିଆ ପୁଅ ହୋଇଥିବା ହେତୁ ଖୁବ୍ ଗେଲବସର ରେ ବଢିଥିଲା, ତେଣୁ ତା’ ମାଆ ମଧ୍ୟ ବାପା ଙ୍କୁ ଲୁଚାଇ ଆହୁରି ଅଧିକ ଟଙ୍କା ପଇସା ଗୁଞ୍ଜି ଦେଉଥିଲେ ତା’ ହାତରେ। ସ୍ୱଭାବରେ ଖୁବ୍ ମେଳାପୀ ଥିଲା ମାର୍କଣ୍ଡେୟ ଆଉ ବନ୍ଧୁ ମାନଙ୍କ ପାଇଁ ହାତଖୋଲା ଖର୍ଚ୍ଚ ମଧ୍ୟ କରୁଥିଲା, ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ ଥିଲା। ମେସ୍ କରି ରହିଥିବା ସମସ୍ତ ଛାତ୍ରଙ୍କୁ ରୋଷେଇ ଠାରୁ ବାସନମଜା ପର୍ଯ୍ୟନ୍ତ ନିଜ କାମ ନିଜେ କରିବାକୁ ପଡେ , ହେଲେ ମାର୍କଣ୍ଡେୟ କେବେ ବି କାମ କରିବା ପାଇଁ ଇଚ୍ଛୁକ ନଥାଏ , ସେଥିଲାଗି ସେ କିଛି ନା କିଛି ବାହାନା କରି ଅନ୍ୟ ପ୍ରଶାନ୍ତ ଦ୍ଵାରା ତା’ର କାମଟି କରେଇନିଏ । ପ୍ରଶାନ୍ତ ମଧ୍ୟ ଖୁସିରେ ଖୁସିରେ ତା’ର ସବୁ କାମ କରିଦିଏ । ସେଥିପାଇଁ ପ୍ରଶାନ୍ତ ଆଉ ମାର୍କଣ୍ଡେୟ ଭିତରେ ବନ୍ଧୁତା ବଢି ଚାଲେ। 


ଦିନ ଗଡି ଚାଲିଥାଏ। ପ୍ଲସ୍ ଟୁ ରେ ବହୁତ କଷ୍ଟ କରି କୌଣସିମତେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଥିଲେ ମଧ୍ୟ ପ୍ଲସ୍ ଥ୍ରୀ ରେ ଆଉ ବିଜ୍ଞାନ ରେ ନାମ ଲେଖାଇବା ପାଇଁ ସାହସ ହେଲାନି ପ୍ରଶାନ୍ତ ର , କାରଣ ପ୍ଲସ୍ ଟୁ ରେ ତୃତୀୟ ଶ୍ରେଣୀ ରେ ପାଶ୍ କରି ମାର୍କଣ୍ଡେୟ ସେତେବେଳେ ପ୍ଲସ୍ ଥ୍ରୀ କଳା ବିଭାଗରେ ନାମ ଲେଖାଇ ସାରିଥିଲା ଆଉ ଅନ୍ୟ ତିନିଜଣ ଫେଲ୍ ହୋଇ ପାଠ ଛାଡି ଗାଆଁ ରେ ଚାଷବାସ କରିବାକୁ ଫେରି ଯାଇଥିଲେ।ପ୍ରଶାନ୍ତ ମଧ୍ୟ ମାର୍କଣ୍ଡେୟ ସହିତ ନାମ ଲେଖାଇଲା ପ୍ଲସ୍ ଥ୍ରୀ କଳା ବିଭାଗରେ । ଆଉ ଅଧିକ ସାଙ୍ଗମାନଙ୍କୁ ନ ନେଇ ଦୁହେଁ ମେସ୍ ଟିଏ କରି ରହିଲେ ଢେଙ୍କାନାଳ ସହରରେ କଲେଜ୍ ପାଖରେ ।ମେସ୍ ର ଯାବତୀୟ କାମ କରିବା ସହିତ ନିଜର ପାଠ ପଢା ଜାରି ରଖିଥାଏ ପ୍ରଶାନ୍ତ ,କେମିତି ଭଲ ନମ୍ବର ରଖି ପାଶ୍ କରି ଚାକିରୀ ଟିଏ ପାଇବ ସେଇ ଲକ୍ଷ ତା’ର। ମାର୍କଣ୍ଡେୟ ର କିନ୍ତୁ କିଛି ଚିନ୍ତା ନଥାଏ , ସେ କଲେଜର ଆଉ କିଛି ବଡବଡିଆ ଘରର ପିଲାମାନଙ୍କୁ ସାଙ୍ଗ କରି ମଉଜମସ୍ତି ରେ ମାତିଥାଏ। ପିଲାବେଳେ ସାହିତ୍ୟ ରେ ଖୁବ୍ ରୁଚି ରଖୁଥିବା ପ୍ରଶାନ୍ତ ଏବେ ଓଡିଆ ଅନର୍ସ ରଖି ପଢୁଥାଏ ଆଉ ନୂଆ ନୂଆ କବିତା ଲେଖିବା ଆରମ୍ଭ କରିଥାଏ। ନିଜର ଲାଜକୁଳା ସ୍ୱଭାବରେ ହେତୁ କବିତା ଲେଖୁଥିବା ଡାଏରୀଟିକୁ ଯଥାସମ୍ଭବ ଲୁଚାଇ ରଖିବାକୁ ପସନ୍ଦ କରୁଥାଏ । ଦିନେ କିଛି ଗୋଟାଏ ଖୋଜୁ ଖୋଜୁ ଡାଏରୀ ଟି ପଡିଥିଲା ମାର୍କଣ୍ଡେୟ ହାତରେ। ମୋଟେ ପାଠ ପଢୁନଥିବା ମାର୍କଣ୍ଡେୟ ସେଇ କବିତା ଗୁଡିକ ଆମୂଳଚୂଳ ପଢିଥିଲା ସେଦିନ ମେସ୍ ର ଖଟ ଉପରେ ଶୋଇ ଶୋଇ ଆଉ ଆନନ୍ଦ ରେ କୁଣ୍ଢେଇ ପକାଇଥିଲା ପ୍ରଶାନ୍ତ କୁ। ବହୁତ ଉତ୍କଣ୍ଠା ରେ କହିଥିଲା “ ଭାଇ ରେ! ତୁ ତ ପୋଖତ କବିଟିଏ ଭଳି ଲେଖୁଛୁ, ଖୁବ୍ ସୁନ୍ଦର ଆଉ ହୃଦୟସ୍ପର୍ଶୀ ହୋଇଛି କବିତା ଗୁଡିକ, ଚାଲ୍ ସେଗୁଡିକୁ କୌଣସି ପ୍ରକାଶନ ସଂସ୍ଥା କୁ ଦେବା, ସେ ବହି କରି ଛାପିବ, ତୁ ରାତାରାତି ବିଖ୍ୟାତ କବି ଟିଏ ହୋଇ ଯିବୁରେ ବଗୁଲି ! ଚମକି ଉଠିଲା ପ୍ରଶାନ୍ତ, କେତେବେଳେ କେମିତି କବିତାଟିଏ ପିଲା ବେଳୁ ସେ ଦେଖୁଥିଲା ହେଲେ କାହାକୁ ଦେଖାଇବାକୁ କି ପାଇବାକୁ ସାହସ ହେଉ ନଥିଲା ତା’ର। ମନରେ ଭୟ ହେଉଥିଲା କାଳେ କିଏ ଛିଗୁଲେଇ ପଦେ କହିଦେବ କି” ଘରେ ହାଣ୍ଡି ରେ ହାତ ନାହିଁ, ପୁଅର କବିତା ଉତୁରୁଛି” ସେଥିପାଇଁ ଲୁଚାଇ ଲୁଚାଇ ଏଠି ସେଠି ଗୁଞ୍ଜି ଦେଉଥିଲା, କେବେ କେମିତି ସାଇତି ରଖୁଥିଲା ଗୋଟିଏ ଟିଣ ବାକ୍ସ ଭିତରେ।ଆଜି ଅପ୍ରସ୍ତୁତ ଭାବରେ ଧରାପଡି ଯାଇଥିବାରୁ ଲାଜରା ହୋଇ ଡାଏରୀ ଟି ତା’ ହାତରୁ ଏକ ରକମ ଛଡେଇ ଆଣିଲା ପ୍ରଶାନ୍ତ । ମାର୍କଣ୍ଡେୟ ଖୁବ୍ ଉଲ୍ଲସିତ ହେଉଥିଲା ପ୍ରଶାନ୍ତ ର ଏଇ ନୂଆ ରୁଚି ଟିକୁ ଆବିଷ୍କାର କରି , ସେ ଖୁବ୍ ଉତ୍ସାହିତ ହୋଇ ପଡିଥିଲା, କାରଣ ପାଠଶାଠ ତ ତା ଦ୍ୱାରା ହେଉ ନଥିଲା କିନ୍ତୁ ସାହିତ୍ୟ ପ୍ରତି ଥିଲା ତା’ର ପ୍ରଚଣ୍ଡ ଦୁର୍ବଳତା । ଇଚ୍ଛା ଥିଲେ ମଧ୍ୟ ଧାଡିଟି ଲେଖି ପାରୁନଥିବା ମନ ତା’ର ପ୍ରଶାନ୍ତ ର ପ୍ରତିଭା ଦେଖି କେଉଁ ଏକ ଅଜଣା ଆନନ୍ଦ ରେ ନାଚି ଉଠୁଥିଲା , ସେ ଖୁବ୍ ଖୋସାମତି କରି ବାଧ୍ୟ କରିଥିଲା ପ୍ରଶାନ୍ତ କୁ “ଅନ୍ତତଃ ଗୋଟିଏ ଖବରକାଗଜ କୁ ପଠାଇବା ତୋ’ର କବିତା ଭିତରୁ ତୁ ଶ୍ରେଷ୍ଠ ଭାବୁଥିବା କବିତା ଟି, ଯଦି ସେଇଟି ସେମାନେ ପସନ୍ଦ କରି ଛାପନ୍ତି ସେମାନେ ତେବେ ଆଉ ଆଗକୁ ବଢିବା ନହେଲେ ନାହିଁ “।ମାର୍କଣ୍ଡେୟ ର ବାଧ୍ୟବାଧକତା ରେ ଶେଷରେ ପ୍ରଶାନ୍ତ ରାଜି ହୋଇଥିଲା ଏଇ ସର୍ତ୍ତ ରେ ଯେ ସେ ନିଜ ନାମ ନଦେଇ “ ଫାଲଗୁନୀ “ ର ଛଦ୍ମ ନାମରେ କବିତା ଟି ପଠାଇବ “ସହର ଖବର” ନାମକ ଏକ ଅଳ୍ପ ପରିଚିତ ସମ୍ବାଦପତ୍ର କୁ । ତାହା ହିଁ ହୋଇଥିଲା । 

ମାର୍କଣ୍ଡେୟ ନିଜେ ଲେଖାଟି ନେଇ ପୋଷ୍ଟ କରି ଦେଇ ଆସିଥିଲା । ଆଠ ପନ୍ଦର ଦିନ ଧରି ପ୍ରତିଦିନ ଯାଇ କଲେଜ ପାଖ ମାଗାଜିନ୍ ଦୋକାନରେ ସେଇ ସମ୍ବାଦପତ୍ରରେ କୁ ଅପେକ୍ଷା କରି ବସିଲେ ଦୁଇ ବନ୍ଧୁ କାଳେ କେଉଁ ଦିନ ଛପା ହୋଇଥିବ ପ୍ରଶାନ୍ତ ର କବିତାଟି, ହେଲେ ନିରାଶ ହେଉଥିଲେ। ପ୍ରଶାନ୍ତ ବିରକ୍ତ ହୋଇ ମାର୍କଣ୍ଡେୟ କୁ କହିଲା” ମୁଁ ଭଲ ଭାବରେ ଜାଣିଥିଲି ସେଇଟା କାହାର ପସନ୍ଦ ହେବନାହିଁ, ତୁ ମିଛଟାରେ ମୋତେ ବେକୁବ୍ ବନେଇଲୁ ଭାଇ “। ତା’ପରେ ଧୀରେ ଧୀରେ ପ୍ରଶାନ୍ତ ସେଇ କବିତା କଥାଟି ମନରୁ ପାଶୋରି ଦେଇଥିଲା । ଦୁଇ ମାସ ପରେ ଦିନେ ରବିବାରିଆ ଖରାବେଳେ ପ୍ରଶାନ୍ତ ମେସ୍ ରେ ଶୋଇଥିବା ସମୟରେ ଖବରକାଗଜଟିଏ ଧରି ଧଇଁ ସଇଁ ହୋଇ ପହଞ୍ଚିଲା ମାର୍କଣ୍ଡେୟ, ମୁହଁ ରେ ତା’ର ଗଡ ଜିତିବାର ଖୁସି , ପ୍ରଶାନ୍ତ କୁ କୁଣ୍ଢେଇ ପକାଇ ଘେରାଏ ବୁଲେଇ ଦେଇ କହିଲା “ ଆରେ ବଗୁଲି! ତୁ ସତ କୁ ସତ କବି ହୋଇ ଗଲୁ ରେ , ଦେଖ୍, ଆଜି ସହର ଖବର ର ସାହିତ୍ୟ ବିଭାଗରେ ତୋ’ର କବିତା ବାହାରିଛି “। ହାଁ କରି ଚାହିଁ ରହିଥିଲା ପ୍ରଶାନ୍ତ,ସତରେ କ’ଣ ତା’ର କବିତାଟି ସ୍ଥାନ ପାଇଛି ସମ୍ବାଦପତ୍ରରେ? ନା ମାର୍କଣ୍ଡେୟ ତା’କୁ ପୁଣି ବେକୁବ୍ ବଳଉଛି? ତା’କୁ ଏମିତି ଜଳଜଳ କରି ଚାହିଁ ଥିବାର ଦେଖି ସମ୍ବାଦପତ୍ରର ସେଇ ପୃଷ୍ଠା ଟି ପ୍ରଶାନ୍ତ ର ଆଖି ଆଗରେ ମେଲାଇ ଧରିଲା ମାର୍କଣ୍ଡେୟ, ଏବେ ପୃଷ୍ଠା ଟିକୁ ନିରେଖି ଚାହିଁଲା ପ୍ରଶାନ୍ତ, ଆଖି ଆଗରେ ସମ୍ବାଦପତ୍ରର ପୃଷ୍ଠା ରେ “ ଅସରା ବସନ୍ତ “ ଶୀର୍ଷକ କବିତା ଟି ତଳେ ନିଜର ଛଦ୍ମ ନାମ “ଫାଲଗୁନୀ” ! ଗୋଟାଏ ଶୀତ ଲହରୀ ଭଳି ଖୁସି ଖେଳିଯାଇଥିଲା ତା’ର ସର୍ବାଙ୍ଗରେ । ଥରଥର ହାତ ରେ ଥରେ ଛୁଇଁ ଦେଖିଲା ନିଜର ମାନସ ସନ୍ତାନ ସେଇ କବିତା ଟିକୁ , ଆଖି ଛଳଛଳ ହୋଇ ଉଠିଲା ପ୍ରଥମ ପ୍ରେମର ପ୍ରଥମ ପୁଲକରେ ହୃତ୍ ସ୍ପନ୍ଦନ ବଢି ଚାଲିଥିଲା, କିଛି ସମୟ ଧରି ସେଇ ପୃଷ୍ଠା ଟିକୁ ଛାତିରେ ଚାପି ଧରିଲା ପ୍ରଶାନ୍ତ, କେମିତି ଏକ ଗଭୀର ଆତ୍ମ ସନ୍ତୋଷ ରେ ବୁଜି ହୋଇ ଯାଉଥିଲା ତା’ର ଆଖିପତା । ସେଇ ଜଡ ଅବସ୍ଥା ରୁ ଉଦ୍ଧାର କରିଥିଲା ମାର୍କଣ୍ଡେୟ ର ଡାକ “ ଆରେ ଶୋଇ ପଡିଲୁ ନା’ କ’ଣ ?” । ଚମକି ପଡି କହିଲା ପ୍ରଶାନ୍ତ “ ନାଇଁ ରେ ଭାଇ ! ଏ ଶ୍ରେୟ ତୋ’ର , ତୁ ବାଧ୍ୟ କରିନଥିଲେ ଏଇ କବିତା ଟି ମଧ୍ୟ ତା’ର ଭାଇବନ୍ଧୁ ମାନଙ୍କ ସହିତ ସେମିତି ସେଇ ଟିଣ ଟ୍ରଙ୍କ୍ଭିତରେ ଶୋଇ ରହିଥାନ୍ତା ଅନନ୍ତ କାଳ ଯାଏଁ । ତତେ ଅଶେଷ ଧନ୍ୟବାଦ ଭାଇ, ତୁ ମୋର ଆତ୍ମବିଶ୍ବାସ ବଢେଇଲୁ । ଏଣିକି ମୁଁ ଆହୁରି ଭଲ ଲେଖିବା ପାଇଁ ଚେଷ୍ଟା କରିବି। ଦୁଇବନ୍ଧୁ ଖୁବ୍ ଖୁସି ହୋଇଥିଲେ ସେଦିନ । ସେଇ ପ୍ରଥମ ପାଦ ଆହୁରି ଶକ୍ତ ହୋଇଥିଲା ଧୀରେ ଧୀରେ , ପ୍ରଶାନ୍ତ କୁ ସେଇ “ ଫାଲଗୁନୀ” ନାମ ଟି ତା’ ପାଇଁ ଶୁଭଙ୍କର ବୋଲି ମନେ ହୋଇଥିଲା । ସେଇ ନାମରେ ଅନେକ କବିତା ସବୁ ଖବରକାଗଜ ଆଉ ପତ୍ର ପତ୍ରିକା ରେ ବାହାରି ପ୍ରସିଦ୍ଧି ଲାଭ କରିଥିଲା । 


କଲେଜ୍ ରେ ଶେଷ ବର୍ଷ ର ପରୀକ୍ଷା ଆଉ ଅଳ୍ପ କିଛି ଦିନ ବାକି ଥାଏ ଘଟିଗଲା ଗୋଟିଏ ଅଘଟଣ, ବିଲ ରେ ଧାନ କାଟୁଥିବା ବେଳେ ସର୍ପାଘାତରେ ପ୍ରାଣ ହରାଇଲେ ପ୍ରଶାନ୍ତ ର ବାପା ରତ୍ନାକର। ଆକାଶ ଛିଡେ ପଡିଲା ପରିବାର ଉପରେ , ଘରର ଏକମାତ୍ର ରୋଜଗାରକ୍ଷମ ଲୋକଟି ଚାଲିଗଲା ପରେ ଘରର ସବୁ ବୋଝ ଲଦି ହୋଇ ପଡିଲା ପ୍ରଶାନ୍ତ ଉପରେ। ଯେ ନ ତେନ ପ୍ରକାରେ ପରୀକ୍ଷା ଟି ଦେଇ ଗାଆଁ କୁ ଫେରି ଆସିଲା ପ୍ରଶାନ୍ତ । ଦିନରାତି ଏକାକାର କରି ଚାକିରୀ ଟିଏ ଖୋଜି ଖୋଜି ଶେଷରେ ପରିବାର ପୋଷିବାକୁ ଗାଆଁ କଣ୍ଟ୍ରାକ୍ଟର ପାଖରେ ରାସ୍ତା କାମ କରିବାକୁ ଦିନ ମଜୁରି କରିବା ପାଇଁ ବାଧ୍ୟ ହେଲା। ଦିନେ ହାକିମ ହେବ ବୋଲି ଆଶା କରି ବସିଥିବା ପୁଅଟିକୁ ପରିସ୍ଥିତିରେ ପଡି ମୁଲିଆଙ୍କ ସାଥିରେ ମୂଲିଆ ହୋଇ କାମ କରୁଥିବାର ଦେଖି ବୋଉ ଆଖିରୁ ଲୁହ ଶୁଖୁନଥିଲା, କିନ୍ତୁ ଆଉ କିଛି ବିକଳ୍ପ ବ୍ୟବସ୍ଥା ମଧ୍ୟ ନଥିଲା ସେମାନଙ୍କ ପାଖରେ।ମାଟ୍ରିକ ଫେଲ୍ ହୋଇ ଘରେ ବସିଥିବା ଆରତୀ ବିଚାରଯୋଗ୍ୟା ହୋଇ ସାରିଥିଲା, ତା’ର ବାହାଘର ଚିନ୍ତା ମଧ୍ୟ ଘାରୁଥିଲା ବୋଉକୁ ହେଲେ ପ୍ରଶାନ୍ତ ର ଅବସ୍ଥା ଦେଖି ସେ ବାଧ୍ୟ ହୋଇ ଚୁପ୍ ରହୁଥିଲା ସିନା ପ୍ରଶାନ୍ତ ସବୁ ବୁଝି ପାରୁଥିଲା । କୌଣସି ମତେ ଆରତୀ ର ବାହାଘର କରିବାକୁ ହେବ ବୋଲି ମନରେ ଚିନ୍ତା କରି କଣ୍ଟ୍ରାକ୍ଟର ବାବୁ ଙ୍କୁ କିଛି ଟଙ୍କା ଧାର ସୂତ୍ରରେ ଦେବାଲାଗି ଅନୁରୋଧ କରିଥିଲା ପ୍ରଶାନ୍ତ କିନ୍ତୁ ସେ ବିଭିନ୍ନ ପ୍ରକାର ବାହାନ କରି ନିଜର ଅସହାୟତା ଜଣାଇ ଦେଇଥିଲେ ଆଉ ଗୋଟିଏ ପ୍ରସ୍ତାବ ଦେଇଥିଲେ ଯେ ତାଙ୍କର ଗୋଟିଏ ସାଙ୍ଗ କେରଳ ରେ ବଡ କଣ୍ଟ୍ରାକ୍ଟର ଅଛି, ଯଦି ପ୍ରଶାନ୍ତ ଚାହିଁବ ସେଠାରେ ଯାଇ ବର୍ଷ ଟିଏ କାମ କରିବା ପାଇଁ, ତେବେ ସେ ହୁଏତ କିଛି ଅଧିକ ଟଙ୍କା ପଇସା ଦେଇ ପାରିବ, ସେ ଚାହିଁଲେ, ତା’ର ଭଉଣୀ ବାହାଘର ସେଇ ଟଙ୍କାରେ ଆରାମରେ କରିଦେଇ ପାରିବ। ଅନନ୍ୟୋପାୟ ହୋଇ ପ୍ରଶାନ୍ତ କେରଳ ଯାଇ ଗୋଟିଏ ବର୍ଷ କାମ କରିବା ପାଇଁ ତିନି ଲକ୍ଷ ଟଙ୍କା ଚୁକ୍ତି ପତ୍ର ସ୍ଵାକ୍ଷର କଲା ନାଗେଶ୍ୱର ରାଓ କଣ୍ଟ୍ରାକ୍ଟର ସହିତ। ଏଠିକା ର କଣ୍ଟ୍ରାକ୍ଟର ସବୁ ବ୍ୟବସ୍ଥା କରିବା ସହିତ ଦଶ ହଜାର ଟଙ୍କା ଅଗ୍ରୀମ ବି ଧରାଇ ଦେଇଥିଲା ପ୍ରଶାନ୍ତ ହାତରେ। କେରଳ ଯିବା ପୂର୍ବରୁ ଅନେକ ଭାବି ଚିନ୍ତି ମାର୍କଣ୍ଡେୟ କୁ ଖବର ଦେଇ ଡକାଇଥିଲା ସେ, ବୋଉ ଆଉ ଆରତୀ ର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲା । ସେତେବେଳକୁ ମାର୍କଣ୍ଡେୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଭୁବନେଶ୍ଵର ରେ ରହି ଚାକିରୀ ବାକିରୀ ଖୋଜୁଥାଏ, ଗାଆଁ କୁ ମଝିରେ ମଝିରେ ଆସିଲେ ପ୍ରଶାନ୍ତ କୁ ଦେଖା କରେ ଆଉ ତା’ର କବିତା ସବୁ ନେଇ ବିଭିନ୍ନ ପତ୍ର ପତ୍ରିକା ମାନଙ୍କୁ ପଠାଇ ଦିଏ , ସେଗୁଡିକ ପ୍ରକାଶିତ ହେଲେ ତା’କୁ ଆଣି ପ୍ରଶାନ୍ତ କୁ ଦିଏ, ପ୍ରଶାନ୍ତ ବେଳକୁ ବେଳ କୃତଜ୍ଞତା ଭାରରେ ନଇଁ ଯାଏ ମାର୍କଣ୍ଡେୟ ପାଖରେ । 

ଏବେ କେରଳ ଯିବା ପୂର୍ବରୁ ପ୍ରଶାନ୍ତ ନିଜର ସବୁ ଯାକ ପାଣ୍ଡୁଲିପି କୁ ସାଇତି ରଖିଥିବା ଟିଣବାକ୍ସ ଟି ଧରାଇଲୁ ଦେଲା ମାର୍କଣ୍ଡେୟ ହାତରେ ଆଉ ଆଖି ଛଳଛଳ କରି କହିଲା “ ଭାଇ ରେ , ତତେ ବୋଉ ଆଉ ଆରତୀର ସବୁ ଦାୟିତ୍ଵ ଦେବା ସହିତ ମୋର ଏଇ ସମ୍ପତ୍ତି ର ଦାୟିତ୍ବ ମଧ୍ୟ ଦେଇ ଯାଉଛି, ୟାକୁ ସାଇତି ରଖିଥିବୁ, ବର୍ଷଟିଏ ପରେ ମୁଁ ଫେରି ଆସିଲେ ଆରତୀ ର ବାହାଘର କରିବା ସହିତ ଏଇ କବିତା ଗୁଡିକ ଗୋଟିଏ ସଙ୍କଳନ କରି ବହିଟିଏ କରିବାକୁ ମୋର ଖୁବ୍ ଇଚ୍ଛା । ତୋ’ ଛଡା ମୋର ଆଉ କିଏ ଅଛି ଯେ କାହାକୁ ଭରସା କରିବି? ତୁ ହିଁ ଏସବୁ ର ଠିକ୍ ଦାୟିତ୍ଵ ନେଇ ପାରିବୁ, ମୁଁ ତୋ ପାଖରେ ଚିର ଋଣୀ ହୋଇ ରହିବି ରେ ଭାଇ “। ମାର୍କଣ୍ଡେୟ ର ଭରସାଯୋଗ୍ୟ ହାତରେ ସବୁ ସମର୍ପି ଦେଇ ପ୍ରଶାନ୍ତ ଚାଲି ଯାଇଥିଲା କେରଳ।ବର୍ଷେ କାଳ ଗଧ ଜଟଣୀ ଖଟି ଖଟି ସେଠାରେ ସାଂଘାତିକ ବେମାର ପଡିଲା ପ୍ରଶାନ୍ତ , ସାଥୀ ମାନଙ୍କ ସହାୟତାରେ ସେଠା ହାସପାତାଳ ରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ପୁଣି ଥରେ କାମ କରିବା ଆରମ୍ଭ କରିଥିଲା, ଏବେ ସିଏ ସେଠାକାର ପେଟି କଣ୍ଟ୍ରାକ୍ଟର, ବେଶ୍ କିଛି ଟଙ୍କା ପଇସା ଜମା କରି ସାରିଛି ସେ ସେଠାରେ ବ୍ୟାଙ୍କ ଆକାଉଣ୍ଟ୍ ରେ। ଆଉ ଖୁସି ମନରେ ଘରକୁ ଫେରିଛି, ଭଲ ଘର ବର ଦେଖି ସାନ ଭଉଣୀ ଆରତୀ ର ବାହାଘର କରିବ ଆଉ ମାର୍କଣ୍ଡେୟ କୁ ଧରି ତା’ ଲେଖା କବିତା ଗୁଡିକୁ ବହି ରୂପ ଟିଏ ଦେବ, ସେତିକି ତା’ର ଅନେକ ଦିନର ସ୍ୱପ୍ନ । ବସ୍ ହେଲପର୍ ର “ ମାର୍ଥାପୁର, ମାର୍ଥାପୁର “ ଶବ୍ଦ ରେ ନିଦ ମଳମଳ ହୋଇ ଉଠି ଠିଆହେଲା ପ୍ରଶାନ୍ତ, ବସ ଷ୍ଟପ୍ ରୁ ଓହ୍ଲାଇ ଗାଆଁ ରାସ୍ତା ରେ ଚାଲିବାକୁ ଆରମ୍ଭ କଲା, ଗାଆଁ ର ସରୁ ଗୋହିରୀ ରାସ୍ତା ଟି ପୁରା କଂକ୍ରିଟ୍ ରୋଡ୍ ରେ ପରିବର୍ତ୍ତିତ ହୋଇ ସାରିଛି ଏଇ ଦୁଇ ବର୍ଷ ଭିତରେ , ଚାଳଘରେ ସବୁ ବଦଳି ଯାଇଛି ପକ୍କା ଛାତ ଘରରେ, ନିଜ ଗାଆଁ ର ଉନ୍ନତି ଦେଖି ଖୁବ୍ ଖୁସି ଲାଗିଲା ପ୍ରଶାନ୍ତ କୁ। 


କେମିତି ଥିବେ ବୋଉ ଆଉ ଆରତୀ ଭାବୁ ଭାବୁ ସେ ନିଜ ଘର ଆଗରେ ପହଞ୍ଚି ସାରିଥିଲା କିନ୍ତୁ ଘରର ପରିବର୍ତ୍ତିତ ରୂପ ଦେଖି ସ୍ତମ୍ଭୀଭୂତ ହୋଇ ଯାଉଥିଲା । ତାଙ୍କ ଘର ଥିବା ସ୍ଥାନ ରେ ଗଦାଏ ମାଟି ଛଡା ଆଉ କିଛି ନଥିଲା । ପ୍ରଶାନ୍ତ ର ମନକୁ ପାପ ଛୁଇଁଲା , କ’ଣ ବୋଉ ଆଉ ଆରତୀ ...? ଥତମତ ହୋଇ ଘଡିଏ ଠିଆ ହେଲା ସେଇ ମାଟି ଗଦା ପାଖରେ, ଆଖିରୁ ଲୁହଧାର ଗଡି ପଡୁଥିଲା , କାହିଁକି ମାଆ ଭଉଣୀଙ୍କୁ ଏକା ଛାଡିଦେଇ ସେ ଦାଦନ ଖଟିବାକୁ ଚାଲିଗଲା ବୋଲି ପଶ୍ଚାତାପରେ ଭାଙ୍ଗି ପଡୁଥିଲା ତା’ର ହୃଦୟ। ସେଇ ବାଟ ଦେଇ ଯାଉଥିବା ଯଦୁଆ ଦାଦି ତା’କୁ ଦେଖି ଦୋ ଦୋ ଚିହ୍ନା ହୋଇ ପାଖକୁ ଆସିଲେ , ତା’ ମୁହଁ କୁ ଭଲକରି ନିରେଖି ଚାହିଁ କହି ଉଠିଲେ “ ଆରେ ଆମ ବଗୁଲି କିରେ? ଆରେ କୁଆଡେ ଯାଇ ରହିଲୁ ଏତେ ବର୍ଷ ଧରି ? ଏମିତିଆ ପୁଅ ତୁ ? ବୁଢୀ ମାଆଟା କଥା କି ସାନ ଭଉଣୀ ଟି କଥା ଟିକିଏ ଭାବିଲୁନି? କି ଦୁଃଖ ରେ ସଢୁଥିଲେ ସେମାନେ ! ଧନ୍ୟ କହିବ ସେ ସାହୁଘର ପୁଅ ମାର୍କଣ୍ଡ କୁ, ତୋର ସାଙ୍ଗ ବୋଲି ଦୟା ପାଳି ସେମାନଙ୍କ ଦାୟିତ୍ଵ ଆପେ ଆପେ ମୁଣ୍ଡେଇ ନେଲା , ଯା ଦେଖିବୁ , ତୋ ଭଉଣୀ କୁ ବାହା ହୋଇ ତା’କୁ ରାଣୀ କରି ରଖିଛି ତା’ ଘରେ , ତୋ ମାଆ ବାଧକା ପଡି ମରି ଯାଇଥାଆନ୍ତା, କେତେ ପରିଶ୍ରମ କରି ଟଙ୍କା ପଇସା ଖର୍ଚ୍ଚ କରି ଭଲ କରେଇଲା ତା’କୁ, ଏବେ ସେ ମଧ୍ୟ ତାଙ୍କରି ସାଙ୍ଗରେ ରହୁଛି ତାଙ୍କରି ଘରେ । ଠାକୁରେ ସେ ମାର୍କଣ୍ଡକୁ ଭଲରେ ରଖିଥାନ୍ତୁ “ କହି ପ୍ରଶାନ୍ତ ଉପରକୁ ଗୋଟାଏ ଘୃଣାର ଦୃଷ୍ଟି ଫିଙ୍ଗିଦେଇ ଗାଆଁ ଭିତରକୁ ଚାଲିଗଲେ ଯଦୁଆ ଦାଦି, ଦାରୁଭୂତ ମୁରାରୀ ଭଳି ସେଇଠି ଠିଆ ହୋଇ ରହିଥିଲା ପ୍ରଶାନ୍ତ, ତା’ ମୁହଁ ରୁ ବାକ୍ୟ ସ୍ଫୁରୁ ନଥିଲା, ଆଖି ଆଗରେ ଅନ୍ଧାର ଘୋଟି ଯାଉଥିଲା । ସତ ମିଛ ର ଦୋଛକିରେ ଠିଆ ହୋଇଥିଲା ପ୍ରଶାନ୍ତ । କାହାକୁ ବିଶ୍ୱାସ କରିବ ସେ? ନିଜର ଭାଇ ବୋଲି ଭାବୁଥିବେ ବନ୍ଧୁ କୁ ନା’ ଆଖିରେ ଦେଖିଥିବା ଆଉ କାନରେ ଶୁଣିଥିବା ଯଦୁଆ ଦାଦି ଙ୍କର କଥା କୁ? ସିଏ ଭାବୁଥିଲା ପ୍ରତି ମାସରେ ସିଏ ଯେଉଁ ଟଙ୍କା ପକାଉଥିଲା ମାର୍କଣ୍ଡେୟ ପାଖକୁ ବୋଉ ଆଉ ଆରତୀ ର ଦେଖାଶୁଣା କରିବାକୁ ସେ ସବୁ କୁଆଡେ ଗଲା? ଆଉ ପ୍ରତି ସପ୍ତାହରେ ଥରେ ସେମାନଙ୍କ ବିଷୟରେ ଖବର ଅନ୍ତର ନେବାପାଇଁ ସେ ଯେଉଁ ଫୋନ୍ କରୁଥିଲା ମାର୍କଣ୍ଡେୟ ପାଖକୁ, ଏବଂ ମାର୍କଣ୍ଡେୟ ସବୁ ଠିକ୍ ଠାକ୍ ଅଛି ବୋଲି କହୁଥିଲା, ତୋ’ର ଲେଖା ସବୁ ବହୁତ ପ୍ରସିଦ୍ଧି ଲାଭ କରିଛି, ପବ୍ଲିସର୍ ମାନେ ଖୋଜି ହେଉଛନ୍ତି ତତେ ବହି କରି ଛାପିବାକୁ ତା’ର କବିତା ସବୁ, ସେସବୁ କ’ଣ ମିଛ ଥିଲା? ତେବେ ମାର୍କଣ୍ଡେୟ କ’ଣ ଧୋକା ଦେଉଥିଲା ତା’କୁ ଏତେ ଦିନ ଧରି? କାହିଁକି? କ’ଣ ଭୁଲ୍ ରହିଗଲା ତା’ର ମଣିଷ ଚିହ୍ନି ବାରେ ? ଏମିତି ଅନେକ ଭାବନା ନେଇ ସେ ପହଞ୍ଚିଥିଲା ମାର୍କଣ୍ଡେୟ ର ଘର ପାଖରେ । 


ଦେଖିଲା ଇତି ମଧ୍ୟରେ ମାର୍କଣ୍ଡେୟ ର ବାପା ଙ୍କ ଅମଳରେ ଖଟୁଲି ଘରଟି ପରିବର୍ତ୍ତିତ ହୋଇଛି , ଘର ସାମନାରେ ରଙ୍ଗବେରଙ୍ଗ ର ଫୁଲ ଗଛ କିଛି ଲାଗିଛି । ନାଲି ରଙ୍ଗର ବାରଣ୍ଡାରେ ଠିଆ ହୋଇ କବାଟ ଠକ୍ ଠକ୍ କଲା ପ୍ରଶାନ୍ତ, କିଛି ସମୟ ପରେ ସେପଟରୁ ଧୀରେ କବାଟ ଖୋଲିଲା , ଶଙ୍ଖା ସିନ୍ଦୁର ପରିହିତା ଆରତୀ କୁ ନିଜ ଆଖି ଆଗରେ ଦେଖି କୋହ ସମ୍ଭାଳି ପାରିଲାନି ସେ , ଭୋ ଭୋ କାନ୍ଦି ପକାଇ ଆରତୀ କୁ ଛାତିରେ ଚାପି ଧରିଲା ପ୍ରଶାନ୍ତ , ଭାଇକୁ ସାମନାରେ ଦେଖି ଆରତୀ ମଧ୍ୟ କାନ୍ଦି କାନ୍ଦି ଲୋଟି ପଡୁଥିଲା । କାନ୍ଦଣା ଶବ୍ଦ ଶୁଣି ଘର ଭିତରୁ ଆସିଲେ ଆରତୀ ର ଶାଶୁ । ପ୍ରଶାନ୍ତ କୁ ଚିହ୍ନି ପାରି ଆରତୀ କୁ କହିଲେ “ ଆଲୋ ମା ‘ ଭାଇ ଭଉଣୀ ଦିହେଁ କ’ଣ ଏଇ ଦୁଆରବନ୍ଧ ରେ କନ୍ଦାକଟା କରୁଥିବ ? ଏତେ ଦିନ ପରେ ଭାଇ ଗାଆଁ କୁ ଫେରିଛି, ତା’କୁ ଘର ଭିତରକୁ ନେ, ତୋ ବୋଉ ତ ବିଛଣା ରେ ପଡିଛି, ତା’ ସାଥିରେ ଟିକିଏ ଦେଖା କରେଇ ଦେ “। ଶାଶୁଙ୍କଠାରୁ କଥାଶୁଣି ପ୍ରକୃତିସ୍ଥ ହେଲା ଆରତୀ। ଆଦରରେ ଭାଇ ହାତ ଧରି ଘର ଭିତରକୁ ନେଇ ଗଲା । ଗୋଟିଏ କଣିକିଆ ଘରେ ଖଟ ଉପରେ ଶୋଇ ରହିଥିଲା ବୋଉ, ହାଡ ଦି’ଖଣ୍ଡ ଉପରେ ଚମ ଢାଙ୍କି ହୋଇ ବଞ୍ଚି ରହିଛି ଯାହା। ଆରତୀ କହିଲା , ଜାଣିଲ ଭାଇ ! ଯମ ଦୁଆର ବୋଉକୁ ଫେରେଇ ଆଣିଛନ୍ତି ତମ ଜ୍ୱାଇଁ, ଏବେ ସେ ଖୁଆଇ ଦେଲେ ଖାଉଛି , ଝାଡା ପରିଶ୍ରା କରିବାକୁ ଧରି ଧରି ନେଲେ ଯାଉଛି , ଖୁବ୍ ଭଲରେ ଅଛି, ପରପୁଅ ହେଲେ ବି ସେ ଖୁବ୍ କରୁଛନ୍ତି ଆମ ପାଇଁ । ଭୁବନେଶ୍ବରରେ ପରା ନିଜ ବେପାର , ସାହିତ୍ୟ ଚର୍ଚ୍ଚା, ସବୁ ଜଳାଞ୍ଜଳି ଦେଇ ଆସି ଏଇ ଗାଆଁ ରେ ରହିଲେ ଖାସ୍ ଆମରି ପାଇଁ, ତାଙ୍କ ଭଳିଆ ହୃଦୟବାନ୍ ଲୋକଟିଏ ଆମ ଭାଗ୍ୟରେ ଥିଲା ବୋଲି ମିଳିଛନ୍ତି ଭାଇ । ଦେଖୁନ ମତେ କେମିତି ରାଣୀ ଭଳିଆ ସଜେଇ ରଖିଛନ୍ତି ସେ । ସିଏ ଖୁବ୍ ଭଲ ଭାଇ । ଖୁବ୍ ଭଳ। ଏତେ ଗୁଣ ତାଙ୍କ ଭିତରେ ଥିଲା , ତମେ କେରଳ ଗଲା ପରେ ଯାଇଁ ମୁଁ ଜାଣି ପାରିଲି, ଜାଣିଛ ,କି ସୁନ୍ଦର କବିତା ସବୁ ଲେଖିଛନ୍ତି ସିଏ ! ହେଲେ ନିଜ ନାମ ରେ ନୁହେଁ, “ଫାଲଗୁନୀ” ବୋଲି ଛଦ୍ମ ନାମରେ , ତାଙ୍କ ନାଆଁ ଟି ପୁରୁଣା କାଳିଆ ବୋଲି ତାଙ୍କୁ କୁଆଡେ ଭଲ ଲାଗିଲାନି, ସେଇଥିପାଇଁ । ସବୁବେଳେ ପରା ଖବରକାଗଜ, ପତ୍ର ପତ୍ରିକା ରେ ବାହାରୁଛି ତାଙ୍କର ଲେଖା କବିତା ସବୁ। କେତେ ଯେ ପୁରସ୍କାର ପାଇଲେଣି ସିଏ ସେଇ କବିତା ଲେଖି ଲେଖି , କ’ଣ କହିବି? ସବୁ ସାର୍ଟିଫିକେଟ୍, ଫଟୋ ପରା ବନ୍ଧେଇ କରି ଟଙ୍ଗେଇଛନ୍ତି ଘରେ, ଆସୁନ ଘର ଭିତରକୁ ଆସ ଦେଖିବ ।


ଏଇ ଗତ ମାସରେ ପରା ତାଙ୍କର ବହି ଟିଏ ଛପାଇଛନ୍ତି ଯେ , ତାହା ଏତେ ଲୋକପ୍ରିୟ ହୋଇଛି ଯେ କୁହା ନଯାଏ। ଖାସ୍ ସେଇ ବହିଟି ପାଇଁ ତାଙ୍କୁ କୁଆଡେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ପରା, ସେଇଥିପାଇଁ ସେ ଯାଇଛନ୍ତି ଭୁବନେଶ୍ଵର କ’ଣ ବୁଝାବୁଝି କରିବା ଲାଗି, ସଞ୍ଜ ବେଳକୁ ଫେରି ଆସିବେନି କି! ଭାରି ଖୁସି ହେବେ ତମକୁ ଦେଖି। ଦୁଇ ବନ୍ଧୁ ଏତେ ଦିନ ପରେ ଦେଖା ହେବ , ଏଥର ଗୋଟିଏ ନୂଆ ସଂପର୍କ ନେଇ। ଭାରି ମଜା ହେବ । ଆରତୀ ର କଣ୍ଠସ୍ବର ଆନନ୍ଦାତିଶଯ୍ୟ ରେ ଥରି ଉଠୁଥିଲା, ସେ ପ୍ରଶାନ୍ତ କୁ ବାହୁ ଧରି ବସେଇ ଦେଲା ବୋଉ ପାଖରେ ପଡିଥିବା ଭଙ୍ଗା କାଠ ଚୌକି ଟି ଉପରେ । କହିଲା “ ତମେ ଟିକିଏ ଏଇଠି ବସି ବୋଉ ସାଥିରେ କଥା ହେଉଥାଏ କି ମୁଁ ସରବତ ଗ୍ଲାସ୍ ଟିଏ ଆମେ ତମ ପାଇଁ, କେତେ ବାଟରୁ ଆସିଛି, ଥକି ଯାଇଥିବ “। ବୁଲି ପଡି ରୋଷେଇ ଘର ଆଡକୁ ଚାଲିଗଲା ଆରତୀ । ଭାଇ କୁ ଦେଖି ଖୁସିରେ ଗୋଡ ତଳେ ଲାଗୁନଥିଲା ତା’ର। ପ୍ରଶାନ୍ତର ଆଖି ଖୋଲା ଥିଲେ ବି ସ୍ୱପ୍ନ ଭଳିଆ ଲାଗୁଥିଲା ସବୁ, ଆଖି ବାଟେ ଜୁଳୁଜୁଳିଆ ପୋକ ବାହାରି ଯାଉଥିଲା, ସେ ବିଶ୍ବାସ କରି ପାରୁନଥିଲା ତା’ ସହିତ ଘଟି ଯାଇଥିବା ଅଘଟଣ ସବୁ କୁ। ଭାଗ୍ୟ ତା’କୁ ଏମିତି ଗୋଟିଏ କୃଷ୍ଣଗର୍ତ୍ତ ରେ ପକାଇ ଦେଇଥିଲା ଯେ ସେଥିରୁ ବାହାରିବା ତା’ ପାଇଁ ସଂପୂର୍ଣ୍ଣ ଅସମ୍ଭବ ଥିଲା। ଯେଉଁ ସ୍ୱପ୍ନ ସବୁକୁ ସାକାର କରିବା ପାଇଁ ସେ ଭିଟାମାଟି ଛାଡି ପରଦେଶରେ ଦାଦନ ଖଟିବାକୁ ଯାଇଥିଲା ସେଇ ସ୍ୱପ୍ନ ସବୁକୁ ଲୁଚି ନେଇଥିଲା ତା’ର ଅନ୍ତରଙ୍ଗ କେହି, ତା’କୁ ବେକୁବ୍ ବନେଇ। ଅସହ୍ୟ କ୍ରୋଧ ରେ ତା’ ଆଖିରୁ ଲୁହ ଝରୁଥିଲା, ତୁହା କୁ ତୁହା କ୍ରୋଧ ଛାତି ରେ ଜମାଟ ବାନ୍ଧି କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥିଲା, ମୁହଁ ନାଲି ପଡି ଯାଇଥିଲା, ନିଷ୍ଫଳ କ୍ରୋଧରେ ଅସହାୟ ହୋଇ ସେ ବୋଉର ପାଦ ଦୁଇଟିକୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦି ଉଠିଲା , ବୋଉର ଶେଥା ପଡି ଯାଇଥିବା ଦୁର୍ବଳ ଶରୀର ରେ ପ୍ରାଣ ସଞ୍ଚରି ଗଲା ଯେମିତି, ତା’ ଖସି ମାରି ଯାଉଥିବା ପାଟିରୁ ଅସ୍ପଷ୍ଟ ସ୍ୱର ଟିଏ ବାହାରି ଆସିଲା “ ବଗୁଲି କିରେ, ବାପା ମୋର,” , ପେଜୁଆ ଆଖିରୁ ଦୁଇ ଧାର ଲୁହ ଗଡି ପଡିଲା ।


 ହାତ ରେ ସର୍ବତ ଆଉ ମିଠା ପ୍ଲେଟ୍ ଧରି ଆସିଥିବା ଆରତୀ ମାଆ ପୁଅଙ୍କୁ କନ୍ଦାକଟା କରୁଥିବା ଦେଖି ସ୍ୱାଭାବିକ ଢଙ୍ଗରେ କହି ଉଠିଲା “ ଆଲୋ ବୋଉ ! ଆଉ କାହିଁକି କାନ୍ଦୁଛୁ କହିଲୁ, ଭାଇ ପରା ତୋ ପାଖକୁ ଆସିଗଲାଣି, ଆଉ ତୋ’ର କ’ଣ ଚିନ୍ତା ? ସବୁବେଳେ କହୁଥିଲୁ ପରା “ ଝିଅ ଘର ଟାରେ ପଡି ରହିବାକୁ ମତେ ମାଡି ପଡୁଛି” ଏବେ ତ ତୋ’ର ପୁଅ ଆସି ଗଲାଣି ତତେ ନେଇ ତା’ର ଘରେ ରଖିବ , ତୁ ଖୁସି ହେବା କଥା “। ବୋଉ ର ଶୁଖିଲା ମୁହଁ ରେ ହସ ଫୁଟିଲା, କିନ୍ତୁ ପ୍ରଶାନ୍ତ ର ମୁଣ୍ଡ ଝାଇଁ ମାରି ଯାଉଥିଲା, ସେ କୋଉ ଘରେ ନେଇ ରଖିବ ବୋଉ କୁ ? ତାଙ୍କର ଘର ଭଳି ତା’ର ସବୁ ସ୍ୱପ୍ନ ସମାଧି ନେଇ ସାରିଥିଲେ ଅନେକ ଦିନରୁ, ଏବେ ସେ ସର୍ବହରା ହେଲେ ସେ କଥା ସେ ଖୋଲି କହି ପାରିବନି ଆରତୀ କୁ, କହିଲେ ଆରତୀ ର ହସଖୁସିର ସଂସାର ଭାଙ୍ଗିଯିବ । ନା’ ବରଂ ସେ ଏଠାରୁ ଚାଲିଯିବା ଭଲ । ସେଇଟା ହିଁ ଏକ ମାତ୍ର ସମାଧାନ। ଆଖିରୁ ଲୁହ ପୋଛି ଉଠିଲା ପ୍ରଶାନ୍ତ, ଆରତୀ କୁ କହିଲା “ ନାହିଁ ରେ ଆରତୀ, ମୋର ରହିବାକୁ ବେଳ ନାହିଁ, ସେଠାରେ ଘରଟିଏ ଠିକ୍ କରି ଆସିଥିଲି, ତୁମ ମାନଙ୍କୁ ସାଥିରେ ନେଇ ଯିବି ବୋଲି, ମାଲିକ ତ ଛୁଟି ଦେଉ ନଥିଲେ, ବଡ କଷ୍ଟରେ ନେହୁରା ହୋଇ ଚାରି ଦିନ ଛୁଟି ଆଣିଥିଲି, ଦି’ଦିନ ତ ବାଟରେ ଗଲାଣି, ଆଜି ହିଁ ଫେରିବାକୁ ପଡିବ, ଯାଉଛି ଗୋଟିଏ ଅଟୋରିକ୍ସା ଆଣି ଆସିବି ବୋଉକୁ ସାଥିରେ ନେଇଯିବି, ପୁଣି ଥରେ କେବେ ଆସି ମାର୍କଣ୍ଡେୟ ସାଥିରେ ଦେଖା କରିବି “ । ଆରତୀ କୁ ପଛ କରି ବାହାରକୁ ବାହାରି ଗଲା ପ୍ରଶାନ୍ତ । ଯେନତେନ ପ୍ରକାର ଗୋଟିଏ ଅଟୋରିକ୍ସା ଠିକ୍ କରି ସେଇ ଘଣ୍ଟାଏ ଭିତରେ କଟକ ଫେରି ଆସି ଟ୍ରେନ୍ ଧରିଲା କେରଳ । ସମୟ ର ପଶାପାଲି ରେ ହାରି ଯାଇଥିଲା ପ୍ରଶାନ୍ତ , ଅତି ଆପଣାର ଭାବୁଥିବା ବନ୍ଧୁ ଟି ତା’କୁ ବେକୁବ୍ ବନେଇ ଲୁଚି ନେଇଥିଲା ତା’ର ସର୍ବସ୍ଵ ।



Rate this content
Log in

Similar oriya story from Tragedy