Abhiram Mandal

Tragedy

3.3  

Abhiram Mandal

Tragedy

ବେଇମାନ

ବେଇମାନ

7 mins
436


କେଉଁଆଡେ ପଳାଇଯିବାର ଲକ୍ଷ୍ୟ ନେଇ ଷ୍ଟେସନ ଭିତରକୁ ଆସିଲି । ହେଲେ କେଉଁଆଡେ ଯିବି କିଛି ଭାବି ପାରିଲିନି । ଟ୍ରେନ ଆସୁଥାଏ ଯାଉଥାଏ, କିନ୍ତୁ ମୁଁ ମୋର ଲକ୍ଷ୍ୟ ସ୍ଥିର କରି ପାରୁନଥାଏ । ଘରୁ ବାହାରିବା ବେଳେ ପକେଟରେ ମାତ୍ର ୩୦୦ ଟଙ୍କା ଥିଲା । ସେଥିରୁ ୧୦୦ ଟଙ୍କା ଖର୍ଚ୍ଚ ସରିଲାଣି । ଅବଶିଷ୍ଟ ୨୦୦ ଟଙ୍କାରେ ମୁଁ କେଉଁଆଡେ ବା ଯାଇ ପାରିବି ? ନା...କିଛି ସ୍ଥିର କରି ନପାରି ପ୍ଲାଟଫର୍ମ ରେ ପଡିଥିବା ବେଞ୍ଚ ଉପରେ ବସି ପଡିଲି ।


ଜୀବନର ୩୦ ଟି ବସନ୍ତ ମୁଁ ଅତିବାହିତ କରି ସାରିଛି । ଆଉ ଏଇ ୩୦ ବର୍ଷ ଭିତରେ ମୁଁ ଯାହା ଅନୁଭବ କରିଛି, ଏ ଦୁନିଆରେ ବଞ୍ଚିବାକୁ ହେଲେ ଟଙ୍କା ଦରକାର, ପ୍ରଚୁର ଟଙ୍କା । ଯାହାର ଅଭାବରେ ମଣିଷ ଏକ ଅଲୋଡା, ଅଖୋଜା ପଦାର୍ଥ ପାଲଟି ଯାଏ । ଯେମିତିକି ମୁଁ । ବାପା ସବୁବେଳେ ମତେ ଅକର୍ମା କହି ଗାଳି ଦିଅନ୍ତି, ସ୍ତ୍ରୀ ମତେ ଅଣପୁରୁଷା ବୋଲି ଆକ୍ଷେପ କରେ । କାହିଁକି ନା ମୋର ରୋଜଗାର କମ । ଯେଉଁଥିପାଇଁ ମୁଁ ସେମାନଙ୍କର ଆବଶ୍ୟକତାକୁ ପୁରା କରି ପାରେନା । ନୀତି ଦିନ ସେମାନଙ୍କର ଝିଙ୍ଗାସ କେତେ ଆଉ ସହିଥାନ୍ତି ? ଘର ଛାଡି ଚାଲି ଆସିଲି । ଯେଉଁଦିନ ପ୍ରଚୁର ଟଙ୍କା ରୋଜଗାର କରି ସେମାନଙ୍କର ମୁହଁ ବନ୍ଦ କରି ପାରିବି, ସେହିଦିନ ଘରକୁ ଫେରିବାର ନିଷ୍ପତ୍ତି ନେଲି ।


-"କୁଆଡେ ଯିବ ?" ବୁଲି ଚାହିଁଲି... ମୋ ପାଖରେ ଜଣେ ଯୁବକ ବସିଛି । "ତମେ ବଡ଼ ଅନ୍ୟମନସ୍କ ଥିଲା ପରି ଲାଗୁଛ ? କଣ କିଛି ଅସୁବିଧା ହେଇଛି କି ? କହିବି ଯଦି ମୁଁ କିଛି ସାହାଯ୍ୟ କରିପାରେ ?" ଯୁବକ ଜଣଙ୍କ ମୋ ସହ ଅନ୍ତରଙ୍ଗ ହେବାକୁ ଚେଷ୍ଟା କଲା । କଣ ବା କହିବି ? ଏଇଆ ନା...ମୋ ପରିବାରର ବୋଝ ସମ୍ଭାଳି ନପାରି କାପୁରୁଷ ପରି ଘର ଛାଡି ଚାଲି ଆସିଛି ? ଆଉ ପାଖରେ ଟଙ୍କା ନଥିବାରୁ ଟ୍ରେନ ଟିକେଟ କିଣି ପାରୁନି । ସେ କିନ୍ତୁ ବାରମ୍ବାର ଅନୁରୋଧ କଲା । ଶେଷରେ ମୁଁ ତାକୁ ମୋ ବିଷୟରେ ସବୁ କଥା ଖୋଲି କହିଲି । ସବୁ କଥା ଶୁଣି ସାରିବା ପରେ ସେ କହିଲା-

"ଦେଖ ଦୋସ୍ତ, ଏ ଦୁନିଆରେ ଏମିତି କେହି ନାହିଁ, ଯାହାର କିଛି ଦୁଃଖ ନାହିଁ । ଦେଖିବାକୁ ଗଲେ ଜୀବନଟା ହିଁ ଦୁଃଖମୟ । ଆଉ ସେ ହିଁ ପ୍ରକୃତ ମଣିଷ ଯିଏ ଦୁଃଖରେ ବି ହସି ପାରେ । ମତେ ଦେଖ...କେତେ ଗେହ୍ଲାରେ ମୁଁ ବଢି ନଥିଲି । ପାଞ୍ଚ ଝିଅରେ ମୁଁ ଗୋଟିଏ ପୁଅ । ସମସ୍ତେ ଏତେ ଗେହ୍ଲା କରିଥିଲେ ଯେ ମୋ ପାଦରେ କଣ୍ଟାଟିଏ ବି ଫୁଟିବାକୁ ଦେଉନଥିଲେ । ହେଲେ ସବୁ ସୁଖ ତାସର ଘର ପରି ଭୁଷୁଡ଼ି ଗଲା । ଭଉଣୀ ମାନଙ୍କର ବାହାଘର ପାଇଁ ବାପା ତାଙ୍କର ସବୁ ସମ୍ପତ୍ତି ବିକ୍ରି କରିଦେଲେ । ଏପରିକି ଘର ଢିଅକୁ ମହାଜନ ପାଖରେ ବନ୍ଧକ ରଖିଦେଲେ । ଟଙ୍କା ନ ଶୁଝିବା କାରଣରୁ ମହାଜନ ଘର ଦଖଲ କଲା । ଆମେ ରାଜରାସ୍ତାକୁ ଓହ୍ଲାଇ ଆସିଲୁ । ମୁଁ ସେତେବେଳେ ବାପାଙ୍କୁ କହିଲି ଯେଉଁମାନଙ୍କ ପାଇଁ ଆମେ ସର୍ବସ୍ବ ହରେଇଛେ, ମାନେ ମୋ ଭଉଣୀମାନେ, ସେମାନଙ୍କୁ ଖବର ଦିଅ,ସେମାନେ କିଛି ତ ସାହାଯ୍ୟ କରିବେ । ହେଲେ ସ୍ୱାଭିମାନୀ ବାପା ମୋ କଥା ଶୁଣି ନଥିଲେ । କହିଥିଲେ ସେ ମରିଯିବେ ପଛେ ଝିଅମାନଙ୍କର ସାହାଯ୍ୟ ଆଶା କରିବେନି । ସେଇଆ ହିଁ ହେଲା, ଜୀବନର ଶେଷ ପର୍ଯ୍ୟନ୍ତ ସେ ଝିଅଙ୍କ ଆଶ୍ରା ଲୋଡି ନଥିଲେ । ନିଜର ଭିଟାମାଟି ଖଣ୍ଡକ ହରାଇ ଥିବାରୁ ସେ ସର୍ବଦା ମନସ୍ତାପ କରୁଥିଲେ । ଜୀବନର ଶେଷ ମୁହୂର୍ତ୍ତରେ ମତେ ଡାକି କହିଲେ-'ବାବୁରେ, ତତେ ଜନ୍ମ ଦେଇ ମୁଁ ତୋ ପାଇଁ କିଛି କରି ପାରିଲି ନାହିଁ । ସେଥିପାଇଁ ମତେ କ୍ଷମା କରିଦେବୁ । ମରିବା ଆଗରୁ ତତେ ଏକ ଗୁରୁଦାୟିତ୍ୱ ଦେଇ ଯାଉଛି । ଯେମିତି ବି ହେଉ ତୁ ମୋ ଭିଟାମାଟି ଖଣ୍ଡିକ ମହାଜନଠୁ ମୁକୁଳେଇ ଆଣିବୁ । ପୁଅ ହିସାବରେ ଏତିକି କରି ପାରିଲେ, ସେ ପାରିରେ ମୋ ଆତ୍ମା ଶାନ୍ତି ପାଇବ ।'

ବାପା ଚାଲିଯିବା ପରେ ତାଙ୍କର ଶେଷ ଇଛା ପୁରଣ କରିବା ପାଇଁ ମୁଁ ମନରେ ଦମ୍ଭ ଧରିଲି । ମହାଜନକୁ ପଚାରିବାରୁ ସେ ୫ ଲକ୍ଷ ଟଙ୍କା ନେଇ ଘର ଛାଡି ଦେବ ବୋଲି କହିଲା । ୫ ଲକ୍ଷ ଟଙ୍କା ରୋଜଗାରର ଲକ୍ଷ୍ୟ ରଖି ମୁଁ ଓଡିଶା ଛାଡି ସୁରଟର ଏକ କେମିକାଲ ଫ୍ୟାକ୍ଟ୍ରିରେ କାମ କଲି । ୪ ବର୍ଷ ହେଇ ଗଲାଣି, ଏବେବି ମୁଁ ମୋ ଲକ୍ଷ୍ୟ ଠାରୁ ବହୁତ ଦୂରରେ, ତଥାପି ମୁଁ ଆଶା ହାରିନି । ମୋର ବିଶ୍ୱାସ ଦିନେ ନ ଦିନେ ମୋ ଲକ୍ଷ୍ୟରେ ମୁଁ ସଫଳ ହେବି । ଛାଡ଼ ସେ କଥା...ଯଦି ତୁମର କିଛି ଆପତ୍ତି ନଥାଏ, ତାହେଲେ ମୋ ସହ ସୁରଟ ଚାଲ, ଆମ ମାଲିକକୁ କହି ତୁମକୁ କାମରେ ଲଗେଇଦେବି । ତାପରେ ହୁଏତ ତୁମ ସମସ୍ୟାର ସମାଧାନ ହେଇଯିବ ।"


ପ୍ରସ୍ତାବ ମନ୍ଦ ନୁହେଁ । କିନ୍ତୁ ସୁରଟ ଯିବା ପାଇଁ ମୋ ପାଖରେ ଟଙ୍କା କାହିଁ ? ମୁଁ ନୀରବ ରହିବା ଦେଖି ସେ ମୋ ମନକଥା ବୁଝି ପାରିଲା ଭଳି କହିଲା-"ଟଙ୍କା ପାଇଁ ଚିନ୍ତା କରନା, ତମର ସବୁ ଖର୍ଚ୍ଚ ମୁଁ ଉଠେଇବି ।" ଏତିକି କହି ସେ ମୋ ପାଖରୁ ଉଠି ଚାଲିଗଲା । କିଛି ସମୟ ପରେ ଟିକେଟଟିଏ ମୋ ଆଡେ ବଢ଼ାଇ କହିଲା-"ଏଇ ନିଅ ତୁମ ଟିକେଟ ।" ମୁଁ ତା ମୁହଁକୁ ଚାହିଁ ରହିଲି । ଏ ଦୁନିଆରେ କଣ ଏମିତି ବି ଲୋକ ଅଛନ୍ତି ? ଯେଉଁଠି ମୋ ନିଜ ଲୋକ ମତେ ଟିକେ ସହାନୁଭୂତି ଦେଇ ନାହାନ୍ତି, ଅଥଚ ଜଣେ ଅପରିଚିତ ଏତେ ଆପଣାର କେମିତି ହେଇ ପାରୁଛି ?

-"କଣ ଭାବୁଛ ? ନିଅ ତୁମ ଟିକେଟ ରଖ ।" ସେ ଦୋହରାଇଲା । ଟିକେଟ ଆଣି ପକେଟରେ ରଖିଲି ଆଉ ତା ସହ ସୁରଟ ଚାଲିଗଲି ।

ସୁରଟରେ ପହଞ୍ଚିବା ପରେ ସେ ତା କମ୍ପାନୀରେ ମୋ ପାଇଁ କାମଟିଏ ବୁଝି ଦେଲା । ଆମେ ଦୁହେଁ ସାଙ୍ଗ ହେଇ ଗୋଟିଏ ଜାଗାରେ ରହିଲୁ । କିଛି ଦିନ ଭିତରେ ସେ ମୋର ଅତି ଆପଣାର ପାଲଟି ଗଲା । ସାଥି ହେଇ ଫ୍ୟାକ୍ଟ୍ରିକୁ ଯାଉ ପୁଣି ସାଥି ହେଇ ଫେରୁ । ସୁରୁଖୁରେ ଗଡି ଚାଲିଲା ଆମ ଜୀବନର ଗାଡି ।


ଦିନକର ଘଟଣା । ସେତେବେଳକୁ ୫ ଟା ବାଜି ସାରିଥାଏ । ଆମ ଫେରିବାର ବେଳ । ମୁଁ କାମ ସାରି ତା ପାଖକୁ ଯାଇ ଦେଖିଲି ତାର କାମ ସରିନି ।

-"କଣ ଆଜି କାମ ସରିବନି କି ?" ମୁଁ ତାକୁ ପଚାରିଲି ।

-"ତମେ ଗେଟ ପାଖକୁ ଯାଇ ଅପେକ୍ଷା କରିଥାଅ, ମୁଁ ଏଇ କାମଟା ସାରି ଯାଉଛି ।" ସେ ମତେ କହିଲା ।

 ମୁଁ ତା ପାଖରୁ ଚାଲି ଆସି ଫ୍ୟାକ୍ଟ୍ରିର ଗେଟ ପାଖରେ ଅପେକ୍ଷା କଲି । ହଠାତ ଫ୍ୟାକ୍ଟ୍ରି ଭିତରେ କୋଳାହଳ ଶୁଭିଲା । ଘଟଣା କଣ ଜାଣିବା ପାଇଁ ମୁଁ ପୁଣି ଫ୍ୟାକ୍ଟ୍ରି ଭିତରକୁ ଯାଇ ଦେଖେତ ତାର ଆକ୍ସିଡେଣ୍ଟ ହେଇ ଯାଇଛି । ଚେତା ନାହିଁ , ମୁଣ୍ଡ ଫାଟି ରକ୍ତ ବହୁଛି । ସ୍ତବ୍ଧ ହେଇଗଲି ମୁଁ । ଏ କଣ ହେଲା ? ଏଇ ଟିକିଏ ଆଗରୁ ସେ ମୋ ସହ କଥା ହେଇଥିଲା...ହେଲେ ଏବେ ....? ବିଚଳିତ ହେଇ ପଡିଲି । ତଥାପି କିଛି କରିବାକୁ ହେବ, ଏଇକଥା ଭାବି ତାକୁ ଅନ୍ୟ କର୍ମଚାରୀଙ୍କ ସହାୟତାରେ ହସ୍ପିଟାଲ ନେଇଗଲି । ତାର ସବୁ ପ୍ରକାର ଟେଷ୍ଟ କରାଗଲା । ରିପୋର୍ଟ ଆସିବା ପରେ ଡ଼କ୍ଟର କହିଲେ ବ୍ରେନରେ ବ୍ଲଡ଼ କ୍ଳଟ କରିଯାଇଛି । ଅପରେସନ ଆବଶ୍ୟକ । ତେବେ ବି ବଂଚିବାର ଆଶା ଖୁବ କମ ।


 ସାରା ରାତି ତା ପାଖରେ ଜଗି ବସିଲି । ସକାଳୁ ସକାଳୁ ତାର ଚେତା ଫେରିଲା । ତାକୁ ଚାହିଁଲି, ଆଖି ତାର ଲୁହରେ ଭରି ଯାଇଥିଲା । ମୁଁ ତାକୁ ଆଶ୍ଵାସନା ଦେବାକୁ ଯାଇ କହିଲି-"କିଛି ଚିନ୍ତା କରନା, ତମର କିଛି ହେବନି, ତମେ ଖୁବ ଶୀଘ୍ର ଭଲ ହେଇ ଯିବ ।" ଓଠରେ ଛୋଟିଆ ହସଟେ ଆଣି ସେ କ୍ଷୀଣ ସ୍ୱରରେ କହିବାକୁ ଲାଗିଲା-"ନା...ମୁଁ ଜାଣେ ମୁଁ ଆଉ ବଞ୍ଚିବିନି । ମରିବାକୁ ମୋର ଭୟ ନାହିଁ, ଦୁଃଖ ଏତିକି ବାପାଙ୍କ ଶେଷ ଇଛା ମୁଁ ପୁରଣ କରି ପାରିଲି ନାହିଁ ।" ସେ କାନ୍ଦିବାକୁ ଲାଗିଲା ଠିକ ଛୋଟ ପିଲାଟେ ପରି । ହଠାତ ତାର କାନ୍ଦ ବନ୍ଦ ହେଇଗଲା । ତା ଆଖିରେ କେମିତି ଏକ ଚମକ ଆସିଗଲା । ସେ ମୋ ହାତ ଧରି କହିଲା-" ତମେ ମତେ ଯଦି ସାହାଯ୍ୟ କରିବ, ତବେ ମୋ ବାପାଙ୍କର ଶେଷ ଇଛା ପୁରଣ ହେଇ ପାରିବ ।"

-"କେମିତି..?"

-"ଶୁଣିଛି, ମଣିଷର ଅଙ୍ଗ ଖୁବ ମୂଲ୍ୟବାନ । ମୁଁ ତ ମୃତ୍ୟୁ ପଥର ଯାତ୍ରୀ, ଯଦି ମୋ ଅଙ୍ଗ ଯେମିତିକି ଆଖି, କିଡ଼ନୀ ଆଦି ବିକ୍ରି କରିଦିଏ, ତେବେ ମୋ ବାପାଙ୍କର ଇଛା ନିଶ୍ଚୟ ପୁରଣ ହେଇ ପାରିବ । ତମେ ଏ ସବୁ ଵିକେଇଦେଇ ପାରିବ ?"

ତା ପ୍ରଶ୍ନରେ ମୁଁ ହବଡ଼େଇ ଗଲି । ଏ ଜିନିଷ ତ ଶାଗ ମାଛ ନୁହେଁ ଯେଉଁଠି ଚାହିଁଲେ ବିକି ଦେବ ଆଉ ଯିଏ ଚାହିଁବ ସିଏ କିଣି ନେବ । ତଥାପି ତାକୁ ଆଶ୍ଵାସନ ଦେଇ ଚାଲି ଆସିଲି ।


ଅନେକ ଅନ୍ୱେଷଣ ପରେ ସୁରଟର ଏକ ପ୍ରାଇଭେଟ ନର୍ସିଙ୍ଗ ହୋମ ୫ ଲକ୍ଷ ଟଙ୍କାରେ ତାର ଆଖି ଆଉ କିଡ଼ନୀ ନେବ ବୋଲି ରାଜି ହେଲା । ଏ ଖବର ଶୁଣି ସେ ଖୁବ ଖୁସି ହେଲା । ତା ପରେ ମୁଁ ତାକୁ ନେଇ ସେଇ ପ୍ରାଇଭେଟ ନର୍ସିଙ୍ଗହୋମରେ ଭର୍ତ୍ତି କରିଦେଲି । ଟଙ୍କା ମିଳିଯିବା ପରେ ସେ ତାର ମା'ର ଠିକଣା ଦେଇ କହିଲା-"ମୋ ମା'କୁ ଏ ଟଙ୍କା ଦେଇ ଆମ ଘରକୁ ମହାଜନଠୁ ମୁକୁଳେଇ ଆଣିବା ପାଇଁ କହିବ । ମୋ କଥା ଯଦି ପଚାରେ , କହିବ ଗୋଟିଏ ଭଲ ଚାକିରୀ ପାଇ ସେ ଦୁବାଇ ଚାଲିଗଲା । ୧୦ ବର୍ଷ ପରେ ଫେରିବ । ଆଉ ମୁଁ ମରିଗଲା ପରେ ମୋ ଶବକୁ ଏଇଠାରେ ପୋଡି ଦେବ ।"


ଏଇ ଘଟଣାର ୧ ମାସ ପରେ ତାକୁ ଦେଇଥିବା କଥା ଅନୁସାରେ ମୁଁ ତା ମା' ପାଖକୁ ବାହାରିଲି । ଟିକେଟ କରି ସାରି ଟ୍ରେନକୁ ଅପେକ୍ଷା କରିଥାଏ । ପାଖରେ ଥାଏ ୫ ଲକ୍ଷ ଟଙ୍କାର ବ୍ୟାଗ । ମୋର ମନେ ହେଲା ମୋ ଭିତରୁ ଯେମିତି କେହି ଜଣେ କହିବାରେ ଲାଗିଛି-" ଆରେ ମୂର୍ଖ, ତୁ ଏ ଟଙ୍କା କାହାକୁ ଦେବାକୁ ନେଉଛୁ ? ଯାହାର ଏ ଟଙ୍କା ସେ ତ ପୋଡି ପାଉଁଶ ହେଇ ଗଲାଣି । ଯାହାକୁ ଦେବାକୁ ନେଉଛୁ ସେ ଆଉ କେଇଦିନ ପରେ ମାଟିରେ ମିଶିବ । ତା ପରେ ଏ ଟଙ୍କା କିଏ ଭୋଗ କରିବ ? ତାର ତ କେହି ସ୍ତ୍ରୀ ପିଲା ନାହାନ୍ତି, ବରଂ ଏ ଟଙ୍କା ତୁ ରଖି ନେ, ତୋର ଅଭାବ ସବୁଦିନ ପାଇଁ ଦୂର ହେଇଯିବ, ବାକି ଜୀବନ ତୁ ସୁଖରେ କାଟିବୁ ।"


ବଦଳି ଯାଇଥିଲା ମୋ ମନ । ତା ମା'ର ଠିକଣା ସହିତ ଟ୍ରେନ ଟିକେଟକୁ ଚିରି ପ୍ଲାଟଫର୍ମର ଡଷ୍ଟବିନ ଭିତରେ ଫିଙ୍ଗି ଦେଲି । ଆଉ ଟଙ୍କା ନେଇ ସିଧା ମୋ ଘରକୁ ଟିକେଟ କାଟିଲି । ସ୍ତ୍ରୀ ମୋର ଖୁବ ଖୁସି ହେଲା । ବାପା ମୋର ତାରିଫ କଲେ । ସମୟ ଗଡି ଚାଲିବା ସହିତ ମୁଁ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେଇ ପାରିଲି । ଧନ ସମ୍ପତ୍ତି, କୋଠାବାଡି, ଚାକର ଵାକର କେଉଁଥିରେ ବି ଅଭାବ ରହିଲା ନାହିଁ । ହେଲେ ଅଭାବ ଥିଲା ମନର ଶାନ୍ତି । ଦିନର ଭିଡ଼କୁ ମୁଁ କୌଣସି ପ୍ରକାରେ ବରଦାସ୍ତ କରି ନିଏ, କିନ୍ତୁ ରାତିର ନିର୍ଜନତାକୁ ନୁହେଁ । କାହିଁକିନା ପ୍ରତି ରାତିରେ ସେ ଆସେ, ମୋ ଆଗରେ ଠିଆ ହୁଏ, ଲୁହ ଛଳଛଳ ଆଖିରେ କୁହେ-


"ମୁଁ ତମକୁ ଦୋସ୍ତ ମଣିଥିଲି । ହେଲେ ତମେ ଏ କଣ କଲ? ମୋ ବାପାଙ୍କର ଶେଷ ଇଛାକୁ ପାଦରେ ଦଳି ଦେଲ ? ବାପାଙ୍କ ଆତ୍ମା ଏବେ ବି ଅଶାନ୍ତ ରହିଛି । ତା ସହ ମୋର ବି । ସାମାନ୍ୟ କେତେଟା ଟଙ୍କା ପାଇଁ ତମେ ମୋ ସହ ବେଇମାନି କଲ ? ବିଶ୍ୱାସଘାତକତା କଲ ? ହଉ...ଭଗବାନ ତମକୁ ସୁଖ ଆଉ ଶାନ୍ତିରେ ରଖନ୍ତୁ..."


ମୁଁ ଜାଣି ପାରେନା ତାର ଏ ଶେଷ କଥା ପଦକ ମୋ ପାଇଁ ଅଭିଶାପ ନା ଆଶୀର୍ବାଦ......



Rate this content
Log in

Similar oriya story from Tragedy