ବାରିଡାଙ୍ଗୁଆ
ବାରିଡାଙ୍ଗୁଆ
ସନ୍ଧ୍ୟା ସମୟ, ଛାତ ଉପରେ ବସି ଟୁନା, ସସ୍ମିତା, ସୁନି, ସୁଲୋଚନା ବାବୁନି ଓ ଟୁନି ସମସ୍ତେ ନିଜ ନିଜର ପାଠ ପଢୁଥାନ୍ତି l ଲଣ୍ଠନର ଆଲୁଅରେ ପରସ୍ପରର ମୁହଁ ସ୍ପଷ୍ଟ ଦିଶୁ ନଥାଏ l ବିଦ୍ୟୁତ କାଟ ହୋଇଥାଏ l ଧୀରେ ଧୀରେ ଧରଣୀ ରାଣୀ କଳା ଚାଦରକୁ ଓଢ଼ୀ ନେଲାଣି l
ସମସ୍ତେ ପାଠ ପଢ଼ାରେ ନିମଗ୍ନ ଥିବା ବେଳେ ହଠାତ ଏକ ବିକଟାଳ ରଡିରେ ଚମକି ପଡିଲେ l ପରସ୍ପରର ହାତ ଧରି କାନ ଡେରି ଶୁଣିଲେ ଶବ୍ଦଟି ସିଡ଼ି ଘର କବାଟ କୋଣରୁ ଆସୁଛି l ଖାତା ବହି ସେଠି ଫୋପାଡ଼ି ସମସ୍ତେ ହାତ ଧରା ଧରି ହୋଇ ଘର ଭିତରକୁ ଯିବାକୁ ଅଗ୍ରସର ହେଲେ l କିନ୍ତୁ ଭିତରକୁ ଯିବାକୁ ହେଲେ ସେହି କବାଟ ପାଖ ଦେଇ ଯିବାକୁ ପଡିବ l ଛାତି ଜୋରରେ ଧଡ଼ ଧଡ଼ ହୋଉ ଥାଏ, କାହାରି ପାଟିରୁ କଥା ବାହାରୁ ନଥିଲା l କବାଟ ପାଖରେ ପହଞ୍ଚିବା ମାତ୍ରେ ଏକ ଲମ୍ବା ଆକୃତିର ଧବଳ ମୂର୍ତ୍ତି l ତାକୁ ଦେଖି ସମସ୍ତେ 'ଭୂତ ',' ଭୂତ ' କହି ଦୌଡିଲେ l ସିଡ଼ିରେ ଦୌଡ଼ା ଦୌଡ଼ି ଭିତରେ ସବୁଠାରୁ ସାନ ଟୁନି ଗଡି ଗଡି ଯାଇ ତଳେ କଚାଡି ହୋଇ ପଡିଲା l
ଜେଜେଙ୍କ ପାଖରେ ଯାଇ ଫେରାଦ ଦେଲା ଟିକି ଝିଅଟି l ସବୁ ବୁଝି ଜେଜେ କହିଲେ ଏ ସବୁ ତୁମର ବଡ ଭାଇ ଟୁନାର କାମ l ସେ ତୁମ ବାପାଙ୍କ ଧୋତି ପିନ୍ଧି ଅନ୍ଧାରର ସୁଯୋଗ ନେଇ ତୁମକୁ ଡରାଇଛି l ତୁମେତ ସାହସୀ, ଭୟ ଶୂନ୍ୟ ହେବା କଥା କାରଣ ତମେ ମୋ ନାତୁଣୀ ଯିଏ କି ଭୂତକୁ ସାମ୍ନାରେ ଦେଖି ମଧ୍ୟ ଭୟଭୀତ ହୋଇନଥିଲା l
ଟୁନି ତାପରେ ଜିଦି ଧରି ବସିଲା ଜେଜେ ମୋତେ ତୁମେ ସେଇ କଥା କୁହ ଯେବେ ତୁମେ ଭୂତ ଦେଖିଥିଲ l ଜେଜେ ହସି ଦେଇ ତା କଥାରେ ହଁ ଭରିଲେ ଏବଂ ଅନ୍ୟ ଭାଇ ଭଉଣୀମାନଙ୍କୁ ଡାକିବାକୁ କହିଲେ l ସମସ୍ତେ ଜେଜେଙ୍କ ଚୌକି ପାଖରେ ବସିଲେ ଏବଂ ସେ କହିବା ଆରମ୍ଭ କଲେ l
ଜେଜେ :-
ସେତେବେଳେ ଗମନା ଗମନର ଉତ୍କୃଷ୍ଟ ମାଧ୍ୟମ ନଥିଲା l ପାଖ ବାଟ ପାଇଁ କାଁ ଭାଁ ଶଗଡ଼ ବ୍ୟବହାର ହେଉଥିଲା l କୌଣସି ତୀର୍ଥ କ୍ଷେତ୍ରକୁ ଯାତ୍ରା କରିବାକୁ ହେଲେ ପଦ ଯାତ୍ରା ହିଁ ଏକ ମାତ୍ର ମାଧ୍ୟମ l ଏକ ଶୁଭ ମୁହୂର୍ତ୍ତ ଦେଖି ମୁଁ ଆଉ ଆମ ଗୁମାସ୍ତା ରାଧାବନ ସହ ମାଆ ତାରା ତାରିଣୀ ଦର୍ଶନରେ ବାହାରିଲୁ l ସାଙ୍ଗରେ ଚୁଡାଗୁଡ଼ ଆବଶ୍ୟକ ସାମଗ୍ରୀ ଧରିଥାଉ l ବାପାମାଆଙ୍କ ମୁଁ ଗୋଟିଏ ପୁଅ l ତେଣୁ ସେ ମୋ ପାଇଁ ବ୍ୟସ୍ତ ହେଉଥାନ୍ତି, ତାଙ୍କୁ ଆଶ୍ୱାସନା ଦେଇ ମାଆଙ୍କୁ ସୁମରଣା କରି ଘରୁ ବାହାରିଲୁ l ଦୁଇ ଦିନ ପଦ ଯାତ୍ରା କଲା ପରେ ମାଆଙ୍କ ଦର୍ଶନ ମିଳିଲା l ନିଜକୁ କୃତ୍ୟ କୃତ୍ୟ ମନେ କଲି ଏବଂ ଗାଁର ସାହିଭାଇଙ୍କ ପାଇଁ ତଥା ପରିବାର ଲୋକଙ୍କ ପାଇଁ କିଛି ଭୋଗ ପୁଟୁଳିରେ ବାନ୍ଧିଲି l
ସନ୍ଧ୍ୟା ଯାଇ ରାତ୍ର ଆଗତ ପ୍ରାୟ, ଆମେ ଦୁହେଁ ଆସି ପହଞ୍ଚିଲୁ ଆମ ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ଏକ କେନାଲ ପାଖରେ l ଏପାରିରୁ ସେପାରିକୁ ଯିବାକୁ ହେଲେ ପାଣିରେ ପଶିବାକୁ ହେବ l ରାତି ହେଲାଣି ତେଣୁ ରାଧାବନ କହିଲା :- ବାବୁ ଏବେ ଯାଆନ୍ତୁ ନାହିଁ ଏଠି ଆମ ଘରେ ବିଶ୍ରାମ କରନ୍ତୁ ସକାଳୁ ଚାଲିଯିବେ l
ମୁଁ କହିଲି ବାପା ମାଆ ବ୍ୟସ୍ତ ହେଉଥିବେ ଏ ପଟେ ପୂର୍ଣ୍ଣିମା ରାତି ବାଟ ବେସ ଜାଣି ହେବ ମୋର ରହିବା ଟା ଠିକ ହେବନି l ତେଣୁ ଭୋଗ ପୁଟୁଳିକୁ ମଥାରେ ଥୋଇ ପାଣିରେ ପଶିଲି ଏବଂ ଏପଟରେ ପହଞ୍ଚି ଶୁଖିଲା ଲୁଗା ପିନ୍ଧିଲି l ତୋଫା ଜହ୍ନ ଆଲୁଅରେ ସବୁ ସ୍ପଷ୍ଟ ଦେଖା ଯାଇଥିଲା l କେନାଲ ହୁଡ଼ା ଖସୁ ଖସୁ ଏକ ବିରାଟ ଆମ୍ବ ଗଛ l ସେହି ଆମ୍ବ ଗଛଟି ପାର ହେବା ବେଳେ ମନ ଭିତରେ କେମିତି ଗୋଟିଏ ଛନକା ପଶିଲା ପରି ଲାଗିଲା l ତା ପରେ ଦେଖିଲି ମୋ ପାର୍ଶ୍ଵରେ ଏକ କଳା ସଦୃଶ ଛୋଟ ପିଲା ପରି କିଏ ଚାଲୁଚି l ହଠାତ ମୋ ଦେହ ଶୀତେଇ ଗଲା l ମାଆ କହଉଥିଲେ ଏମାନେ କାଳେ ବାରିଡାଙ୍ଗୁଆ l କିନ୍ତୁ ମନେ ମନେ ଭାବିଲି ମାଆଙ୍କ ପ୍ରସାଦ ମୋ ହାତରେ ତେଣୁ ମୋର କାହିଁକି ଭୟ l
ମୋର ପାଦ ଯେତିକି ଆଗକୁ ବଢୁଥାଏ ତାର ଆକୃତି ସେତେ ବଢ଼ି ବଢ଼ି ଚାଲି ଥାଏ l ମୁଁ କିନ୍ତୁ ମାଆ ମା ଜପ କରି ଏକ ନିଶ୍ୱାସରେ ଆଗକୁ ବଢୁଥାଏ l ସେ ଏତେବେଳେକୁ ଏତେ ଉଚ୍ଚ ହୋଇଯାଇଥାଏ ଯେ ତାର କେବଳ ଗୋଡ ଦୁଇଟା ହିଁ ଦେଖା ଯାଉଛି l ଗାଁ ଆଉ ଅଳ୍ପ ବାଟ ଥିବ କି ଗମ୍ଭୀର ସ୍ଵର, ଏବେବି ସେ କଥା ଭାବିଲେ ମୋ ଲୋମ ଟାଙ୍କୁରି ଯାଉଛି l ହାତ ହଲାଇ ମୋ ଆଗରେ ସେ ରାସ୍ତା ଓଗାଳି ଉଦଣ୍ଡ ନୃତ୍ୟ କରି କହିଲା:-"ଆଜି ତୋତେ ଖାଇବି" l
ମୁଁ ବି ନ ଡରି କହିଲି :-ମାଆଙ୍କ ପ୍ରସାଦ ମୋ ହାତରେ କେମିତି ଖାଇବୁ ଦେଖିବା?
ମୋ ଆଡ଼କୁ ଅଗ୍ରସର ହୁଅନ୍ତେ ଶୁଭିଲା ବଜ୍ର ପଡିଲା ଭଳି ଏକ ରଡି, ନାହିଁ ଆଉ ସେଇ ବିଶାଳ ମୂର୍ତ୍ତି l ମାଆଙ୍କ ଆଶୀର୍ବାଦ ତଥା ମୋର ଦୃଢ ଆତ୍ମ ବିଶ୍ୱାସ ମୋତେ ସେଦିନ ରକ୍ଷା କଲା କାରଣ ମୁଁ ବାପାଙ୍କ ଠାରୁ ଶୁଣିଥିଲି ଯଦି ତା ଆଗରେ ମନ ଦୁର୍ବଳ ହୁଏ ଖୁବ ସହଜରେ ସେ ଆମକୁ ଆକ୍ରମଣ କରେ l

