Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Abhiram Mandal

Tragedy

5.0  

Abhiram Mandal

Tragedy

ବାଜି

ବାଜି

7 mins
604


 ଅଫିସରେ ସେମିତି କିଛି କାମ ନଥିଲା ! ବସି ବସି ବିରକ୍ତ ଲାଗିବାରୁ ଚେୟାର ଉପରୁ ଉଠି ଦାସ ବାବୁଙ୍କ ପାଖକୁ ଗଲି ! ଦାସ ବାବୁ ମୋ ସହକର୍ମୀ !ତାଙ୍କ ସହ ମୋର ଭଲ ପଟେ !

-"କଣ କରୁଛନ୍ତି ଦାସ ବାବୁ?"

ଫାଇଲରୁ ମୁଣ୍ଡ ଉଠାଇ ମୋ ଆଡେ ଚାହିଁ ମୁରୁକି ହସି କହିଲେ-"ନାଇଁ ସେମିତି କିଛି ନୁହେଁ ! ତେବେ ଆପଣ ଚେୟାର ଛାଡି ମୋ ପାଖରେ ? କଥା କଣ ? କାମରେ ମନ ଲାଗୁନି କି?"

-" ନା ମ ସେକଥା ନୁହେଁ, ସେମିତି କିଛି କାମ ନାହିଁ, ବସି ବସି ବିରକ୍ତ ଲାଗିବାରୁ ଆପଣଙ୍କ ପାଖକୁ ଚାଲି ଆସିଲି !ତେବେ ଯଦି ଆପଣ ଡିଷ୍ଟର୍ବ ହେଉଥାନ୍ତି, ଦେନ ସରୀ !" ଏତିକି କହି ସେଠାରୁ ଚାଲି ଆସିବାକୁ ପାଦ ବଢ଼ାଇଲି !ଦାସ ବାବୁ ଠିଆ ହେଇ ମୋ ହାତ ଟାକୁ ଭିଡି ଧରି କହିଲେ -"କଣ ମଣ୍ଡଳବାବୁ ଏତେ ଫର୍ମାଲିଟି କାହାଠୁ ଶିଖଲେ? କଣ ଭାଉଜ ଆମର ଶିଖେଇ ଦେଇଛନ୍ତି କି?" ଦୁହେଁ ହସି ଉଠିଲୁ ! ମୁଁ କହିବାକୁ ଲାଗିଲି-" ଦେଖନ୍ତୁ ଦାସବାବୁ ଯଦି ଆପଣଙ୍କ ସେମିତି କିଛି ଇମ୍ପୋରଟାଣ୍ଟ କାମ ନାହିଁ, ଚାଲନ୍ତୁ ଛକ ଆଡେ ଟିକେ ମାଇଣ୍ଡ ଫ୍ରେଶ କରି ଆସିବା !"

-" ନା ସେମିତି ଇମ୍ପୋରଟାଣ୍ଟ ନୁହେଁ, ଗୋଟେ ଅଧେ ଫାଇଲ ଦେଖିବାରେ ଥିଲା, ତେବେ ଚିନ୍ତା ନାହିଁ, ଆପଣ ଯେତେବେଳେ କହୁଛନ୍ତି ସେଗୁଡା ପରେ ଦେଖା ହେଲେ ଚଳିବ !"

ଦାସବାବୁ ଚେୟାର ଛାଡି ଉଠିଲେ ! ନୀତିଆ ପିଅନକୁ ଡାକି କହିଲି, ଯଦି ଆମକୁ କେହି ଖୋଜନ୍ତି, ତେବେ କହିଦେବୁ ବାବୁ ଚା' ପିଇବାକୁ ଯାଇଛନ୍ତି !

ଅଫିସରୁ ଦୁହେଁ ବାହାରି ଆସିଲୁ ! ଏଇଟା ଆମର ନିତିଦିନିଆ ଅଭ୍ୟାସ ! ଅଫିସ କାମରୁ ଟିକେ ଫୁରୁସତ ମିଳିଲେ ଆମେ ଚାଲି ଯାଉ ଛକ ଆଡେ, ସେଠି କେବେ କେବେ ବାବୁଲାଲ ଦୋକାନରୁ ଚା' ଜଳଖିଆ ତ ଆଉ ବେଳେ ବେଳେ ଛକ ଉପରେ ଥିବା ଚାକୁଣ୍ଡା ଗଛ ତଳେ ବୁଲା ବିକାଳୀ ପାଖରୁ ଦହିବରା ଆଳୁଦମର ମଜା ନେଇଥାଉ !

-"ବୁଝିଲେ ଦାସବାବୁ, ଆଜି ଦହିବରା ଆଳୁଦମ, ନା କଣ କହୁଛନ୍ତି?" ଚାକୁଣ୍ଡା ଗଛ ତଳେ ଦହିବରା ବିକାଳିକୁ ଦେଖି ମୁଁ ପ୍ରସ୍ତାବ ଦେଲି !

-"ଆପଣ ଯାହା ଖୁଆଇବେ ମୁଁ ଖାଇବି, ମୋର ଆପତ୍ତି କରିବାର କଣ ଅଛି?" ହସି ହସି ମନ୍ତବ୍ୟ ଦେଲେ ଦାସ ବାବୁ !

ଆମେ ଚାକୁଣ୍ଡା ଗଛ ଆଡେ ଆଗେଇଲୁ ! ଏଇ ଦହିବରା ଆଳୁଦମ ପ୍ରତି ମୋର ଦୁର୍ବଳତା କଲେଜ ବେଳରୁ ରହି ଆସିଛି !କଲେଜ କ୍ୟାମ୍ପସର ଆମ୍ବ ଗଛ ମୂଳେ ଦହିବରା,ଗୁପଚୁପ ବିକାଳୀଙ୍କ ଭିଡ ଜମେ ! ଆଉ ତା' ସହ କଲେଜ ପୁଅ ଝିଅଙ୍କର ବି ! ପ୍ରତିଦିନ ଏଠି ଚାଲେ ରୀତିମତ ଆଖଡା ! କିଛି ଗରମା ଗରମ ଆଲୋଚନା, ଢିଙ୍କିଶାଳରୁ ଢେଙ୍କାନାଳ ଯାଏ, ଆଉ ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏ, ଆଉ ତା' ସହ ଚାଲେ ଆଖିର ଧନୁରେ ତୀର ଯୋଖି କାହାର କୋମଳ ହୃଦୟକୁ ଶିକାର କରିବାର ଯୋଜନା ! ମୁଁ କିନ୍ତୁ ଏ ସବୁରେ ଧାର ଧାରେନା, ଅବଶ୍ୟ ସେଠାକୁ ଯାଏ ଖାଲି ଦହିବରା ଆଳୁଦମ ଲୋଭରେ !

କଲେଜ ଛାଡିବା ମୋର ୨୦ ବର୍ଷ ହେଇଗଲା, ହେଲେ ଏବେବି ସେ ଦହିବରା ପ୍ରତି ମୋର ପ୍ରବଳ ମୋହ !

-"କଣ ମଣ୍ଡଳ ବାବୁ , ଦହିବରା ପରା ମଗେଇବେ ? ଏମିତି ଚୁପଚାପ ଯେ ?" ସେତେବେଳକୁ ଆମେ ଆମର ଲକ୍ଷ ସ୍ଥଳରେ ପହଞ୍ଚି ସାରିଥାଉ ! ମୁଁ ଦୁଇ ପ୍ଲେଟ ଦହିବରା ମଗାଇ ଗୋଟିଏ ଦାସବାବୁଙ୍କୁ ଦେଇ ଅନ୍ୟଟି ଖାଇବାରେ ଲାଗିଲି !

-"ଆଚ୍ଛା ଏ ଡେକିଚିରେ ଯେତେ ଦହିବରା ଅଛି, ତାକୁ କେତେ ଜଣ ଲୋକ ପେଟପୁରା ଖାଇ ପାରିବେ?" ଦାସ ବାବୁ ଖାଉ ଖାଉ ସେ ଦହିବରାବାଲାକୁ ପଚାରିଲେ !

-"ଆଜ୍ଞା ପ୍ରାୟ ୧୦-୧୨ ଜଣ ଖାଇ ପାରିବେ !" ସେ ଜବାବ ଦେଲା !

-"୧୦-୧୨ ଜଣ ? ଆରେ ଜଣଙ୍କୁ ପରା ନିଅଣ୍ଟ !" ମୁଁ ମଜା କରିବା ପାଇଁ କହିଦେଲି !

-"କଣ କହୁଛନ୍ତି ବାବୁ? ଏମିତି କିଏ ଅଛି ଯେ ଏତକ ଦହିବରା ଏକୁଟିଆ ଖାଇ ଦେବ? ଡାକନ୍ତୁ ତାକୁ, ସେ ଯଦି ଖାଇଦେଲା, ତେବେ ଆପଣଙ୍କୁ ସବୁଦିନ ମାଗଣାରେ ଦହିବରା ଖୁଆଇବି !" ଅବିଶ୍ୱାସ ଭରା କଣ୍ଠରେ ଏତକ କହିଗଲା ଦହିବରା ବିକାଳୀ !

-" ହଁ ହଁ ଡାକନ୍ତୁ ! ସେ ଯଦି ଖାଇଦେଲା ମୁଁ ଆପଣଙ୍କୁ ହୋଟେଲ ନୀଳ ଆକାଶରେ ଲଞ୍ଚ ଖୁଆଇବି !ଦାସବାବୁ ବି ମୋ କଥାକୁ ଅବିଶ୍ୱାସ କରି ଚାଲେଞ୍ଜ କଲେ !

ମୁଁ ସିନା ମଜାରେ ଏପରି କହିଦେଲି, ହେଲେ କଥାଟା ଏପରି ମୋଡ଼ ନେବା ବୋଲି ମୁଁ ଜାଣି ନଥିଲି ! ସାମାନ୍ୟ ଦହିବରା ଵାଲା ମତେ ଚାଲେଞ୍ଜ ଦବ? ଏବେ ଯଦି କଥାରୁ ଓହରି ଆସେ , ତେବେ ତା' ଆଗରେ ମୁଁ ଅପଦସ୍ତ ହେବି !ମୋ ସମ୍ମାନ,ମୋ ଇଜ୍ଜତ ସେ ଟୋକା ଆଗରେ ଭୁଲୁଣ୍ଠିତ ହେବ? ନା...ନା ମୁଁ ଏସବୁ ହବାକୁ ଦେବିନି ! ତା' ଛଡା ଦାସ ବାବୁ ବି ମୋ ସହ ବାଜି ମାରି ସାରିଲେଣି ! ଅବଶ୍ୟ ତାଙ୍କ ଠାରୁ ମୁଁ କେବେ ବାଜି ଜିତିନି, କିନ୍ତୁ ହାରି ଯିବା ଭୟରେ ମୁଁ ପଛଘୁଞ୍ଚା ଦେବି, ଏ କଥା ମୋ ଦ୍ୱାରା ସମ୍ଭବ ନୁହେଁ !

-" ଠିକ ଅଛି, ଆସନ୍ତା କାଲି ମୁଁ ସେ ଲୋକକୁ ଆଣି ଆସିବି !" ଦୃଢ଼ ସ୍ୱରରେ ଜବାବ ଦେଲି !

-"ଯଦି ଆପଣ ଫେଲ ମାଇଲେ,କିମ୍ବା ସେ ଲୋକଟି ଫେଲ ମାଇଲା?" ଦାସ ବାବୁ ପ୍ରଶ୍ନ କଲେ !

-"ତା' ହେଲେ ଦହିବରାର ଡବଲ ପଇସା ମୁଁ ୱାପସ କରିବି ! ଆଉ ଆପଣଙ୍କୁ ନୀଳକମଲରେ ଲଞ୍ଚ ଦେବି !" ମୁଁ ପ୍ରମିଶ କଲି !

ଦୁହେଁ ଅଫିସ ଫେରିଲୁ ! ବାଜି ସିନା ମାରିଦେଲି, ହେଲେ ସେ ଭଳି ଲୋକକୁ ମୁଁ ପାଇବି କୋଉଠୁ ? ସେଦିନ ରାତିରେ ଭଲ ନିଦ ବି ହେଲାନି ! ମୁଁ କଣ ବାଜି ହାରିଯିବି? ନା ନା ମତେ ଯେମିତି ବି ହେଉ ଏ ବାଜି ଜିତିବାକୁ ହେବ ! ନ ହେଲେ ସେ ଦହିବରା ବିକାଳୀ ପାଖରେ ମୋ ଇଜ୍ଜତ ବାରଣ୍ଡା ଦି କଡା ହେଇଯିବ !

ତା' ପରଦିନ ଅଫିସରେ ପହଞ୍ଚୁ ପହଞ୍ଚୁ ଦାସ ବାବୁ କହିବାକୁ ଲାଗିଲେ-" କଣ ମଣ୍ଡଳ ବାବୁ କାଲିର କଥା ମନେ ଅଛି ତ?" ମୁଁ କିଛି ନ କହି କେବଳ ମୁଣ୍ଡ ହଲାଇ ମୋ ଚେୟାରକୁ ଚାଲି ଆସିଲି ! ସବୁଥର ପରି ଏଥର ମଧ୍ୟ ଦାସ ବାବୁ ବାଜିମାତ କରିନେବେ !ହଁ...ତାଙ୍କଠୁ ତ ମୁଁ କେବେ ବି ଜିତିନି, ଏଥର ବି ସେ ଜିତିଗଲେ କିଛି କଥା ନାହିଁ ! ହେଲେ ସେ ଦହିବରା ଵାଲା ମତେ ହରେଇ ଦେବ? ଏକଥା ଭାବିଲା ବେଳକୁ ମୋ ମୁଣ୍ଡଟା କେମିତି ଝିମ ଝିମ ହେଇ ଯାଉଥାଏ ! ଫାଇଲ ଖୋଲି କାମ କରିବାକୁ ଲାଗିଲି, ହେଲେ କାମରେ ମୋର ମନ ଲାଗୁ ନଥାଏ, ମୋ ମନ ମସ୍ତିଷ୍କରେ ସେଇ ଗୋଟିଏ ଚିନ୍ତା, ଏ ବାଜି କେମିତି ଜିତିଵି !

-"ବାବୁ..." କାହାର ଡାକରେ ମୁଁ ଚମକି ଉଠିଲି ! ଚାହିଁ ଦେଖିଲି ବୁଢାଟିଏ ! ଜୀବନର ଶେଷ ସୋପାନରେ ଉପନୀତ, ମୁଣ୍ଡ ବାଳ କେବେଠୁ ଝୋଟ ହେଇ ସାରିଲାଣି !ଆଖି କୋରଡ଼ଗତ,ଛାମୁ ଦାନ୍ତ ପଡ଼ିଗଲାଣି, ଚମ ଲୋଚାକୋଚା, ଅଣ୍ଟା ସଳଖି ପାରୁନି, ବାଡି଼ଟିକୁ ଆଶ୍ରା କରି ଠିଆ ହେଇଛି !

-"କଣ ହେଲା?"

-"ବାବୁ କିଛି ସାହାଯ୍ୟ...!" ଅଗତ୍ୟା ପର୍ସରୁ ୧୦ ଟଙ୍କା ବାହାର କରି ବୁଢା ଆଡେ ବଢ଼ାଇ ଦେଲି !

-"ବାବୁ ମୁଁ ଭିକାରୀ ନୁହେଁ !"

-"ତେବେ..?"

-"ବାବୁ, ଗୋଟିଏ ବୋଲି ପୁଅ ମୋର, ତାର ଆକ୍ସିଡେଣ୍ଟ ହେଇଛି ! ଡାକ୍ତର କହୁଛନ୍ତି ଅପେରସନ ହେବ, ବହୁତ ଟଙ୍କା ଦରକାର, ମୁଁ ଆଜ୍ଞା ଗରିବ ଲୋକ ଏତେ ଟଙ୍କା ପାଇବି କୋଉଠୁ? ଆପଣଙ୍କ ପରି ବାବୁମାନେ ସାହାଯ୍ୟ କଲେ ମୋ ପୁଅ ବଞ୍ଚି ଯାଆନ୍ତା !" ଏତକ କହି ସାରି ବୁଢା ମୋ ଆଡେ କରୁଣ ଦୃଷ୍ଟିରେ ଚାହିଁଲା !

-"ହେଲେ ମୁଁ ତ ଏହାଠୁ ଅଧିକ ଦେଇ ପାରିବିନି, ଇଛା ହେଉଛି ତ ରଖ, ନ ହେଲେ ଅନ୍ୟ ଆଡେ ଦେଖ !" ଏହା କହି ସାରି ପୁଣି ଫାଇଲରେ ମନୋନିବେଶ କଲି !

ବୁଢା ମୋଠୁ ନିରାଶ ହେଇ ଏକ ଦୀର୍ଘଶ୍ୱାସ ଛାଡି ସେଠାରୁ ଚାଲିଯିବାକୁ ପାଦ ବଢ଼ାଇଲା ! ହଠାତ କଣ ଭାବି ବୁଢାକୁ ଡାକିଲି, ବୁଢା ଯାଉ ଯାଉ ଅଟକି ଯାଇ ମୋ ଆଡେ ବୁଲି ଚାହିଁଲା !

-"ଅଚ୍ଛା ତମର ଟଙ୍କା ଦରକାର ନା ?"

-"ହଁ ବାବୁ !" ବୁଢାର ମୁହଁ ଉଜ୍ଜଳ ଦିଶିଲା !

-"ତମକୁ ୧୦୦୦ ଟଙ୍କା ଦେବି, କିନ୍ତୁ ତମକୁ ମୋର ଏକ କାମ କରିବାକୁ ପଡିବ !"

-"କି କାମ?" ବୁଢା ଟିକେ ଶଙ୍କିଗଲା !

-"ଏଇ ଦେଖ, ସେ ଚାକୁଣ୍ଡା ଗଛ ତଳେ ଯେଉଁ ଦହିବରା ଵାଲା ଠିଆ ହେଇଛି, ତା' ଡେକିଚିରୁ ସବୁତକ ଦହିବରା ଯଦି ତମେ ଖାଇଦେବ, ତାହେଲେ ତମକୁ ମୁଁଁ ୧୦୦୦ ଟଙ୍କା ଦେବି !" ଝରକା ବାଟେ ସେ ଦହିବରା ଵାଲାକୁ ଦେଖାଇ ମୁଁ କହିଲି ! ବୁଢା ପ୍ରଥମେ ଏ କଥାକୁ ଖେସା ବୋଲି ଭାବିଲା, କିନ୍ତୁ ପରେ ବିଶ୍ୱାସ କରି ମୋ କଥାରେ ରାଜି ହେଇଗଲା !

ଶାନ୍ତିରେ ନିଶ୍ୱାସ ମାରିଲି, ଯା ହେଉ ଲୋକଟେ ତ ଯୋଗାଡ଼ କରି ପାରିଲି !ଦାସବାବୁଙ୍କୁ ଡାକି ସେ ବୁଢାକୁ ନେଇ ଚାଲିଲି ସେ ଦହିବରା ବିକାଳୀ ପାଖକୁ !ଦହିବରା ଵାଲା ତା' ଡେକିଚିକୁ ସାଇକେଲରୁ କାଢି ବୁଢା ଆଗରେ ରଖିଦେଲା ! ବୁଢା ଖାଇବାକୁ ଆରମ୍ଭ କଲା !

-"ମଣ୍ଡଳ ବାବୁ ସତରେ କଣ ଏ ବୁଢା ସବୁତକ ଦହିବରା ଖାଇ ପାରିବ? ମୋର ତ ଜମାରୁ ବିଶ୍ୱାସ ହେଉନି !" ଦାସବାବୁ ପଚାରିଲେ !

-"ଏତେ ବ୍ୟସ୍ତ ହେଲେ ଚଳିବ? ଶେଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନା !ଯଦି ସେ ନଖାଇ ପାରିଲା ତେବେ ତ ଜିତାପଟ ଆପଣଙ୍କର !" ମୁଁ ଭରଷା ଦେଲି ! କିନ୍ତୁ ମୁଁ ସ୍ଥିର ନିଶ୍ଚିତ ଥିଲି ଯେ ଏ ବାଜି ମୁଁ ଜିତିଵି !ବୁଢା ଆଗରେ ତା' ପୁଅର ଜୀବନ ମରଣ ସମସ୍ୟା, କେହି ବାପ କଣ ଚାହେଁ ତା' ଆଖି ଆଗରେ ତା' ପୁଅ ମରିଯାଉ ବୋଲି? ମୁଁ ବୁଢାକୁ ଟଙ୍କାର ଯେଉଁ ପ୍ରଲୋଭନ ଦେଖାଇଛି, ତାକୁ ହାସଲ କରିବା ପାଇଁ ସେ ସବୁ କିଛି କରି ପାରିବ, ଏ ଦହିବରା ତ ମାମୁଲି କଥା....

ବୁଢା ଖାଇ ଚାଲିଥାଏ ! ମଝିରେ ମଝିରେ ଯେତେବେଳେ ସେ ଅଟକି ଯାଉଥାଏ, ମୁଁ ତାକୁ ଇସାରାରେ ୧୦୦୦ ଟଙ୍କା କଥା ମନେ ପକାଇ ଦେଉଥାଏ !ଏମିତି ଧୀରେ ଧୀରେ ଡେକିଚିରୁ ଦହିବରା ସରିବାକୁ ଲାଗିଲା ! ଯେତେବେଳେ ଶେଷ ଦହିବରାକୁ ବୁଢା ତା' ପାଟିକୁ ନିକ୍ଷେପ କଲା, ମୁଁ ଖୁସିରେ ଆତ୍ମହରା ହେଇ ଉଠିଲି !ମୁଁ ବାଜି ଜିତିଛି...ଆଣ ବ୍ୟାଣ୍ଡ ଆଣ...ପ୍ରସେସନ ଆରମ୍ଭ କର...ଆଜି ମୁଁ ଜିତି ଯାଇଛି,ହିପ ହିପ ହୂରରେ...!

-"କଣ ଦାସବାବୁ, ଏଥର ମୋ କଥା ବିଶ୍ୱାସ ହେଲା ତ, ଏବେ ଆଉ ଡେରି କାହିଁକି?ଚାଲନ୍ତୁ ହୋଟେଲ ନୀଳ କମଲ...!" ଏକା ନିଶ୍ୱାସରେ ଏତକ କହିଗଲି ! ଦାସବାବୁ କିନ୍ତୁ ନିଜ ଆଖିକୁ ବିଶ୍ୱାସ କରିପାରୁ ନଥାନ୍ତି ! ଧୋକଡା ବୁଢାଟା ଏ ସବୁ ଖାଇ ପାରିଲା କେମିତି ? ସେ ମୋ ଆଡେ ହତଚକିତ ହେଇ ଚାହିଁ ରହିଥିଲେ, ତାଙ୍କ ସହ ଦହିବରା ବିକାଳୀ ବି ! ବିରସ ମନରେ ଖାଲି ଡେକିଚିକୁ ସାଇକେଲରେ ବାନ୍ଧି ଫେରିବା ବେଳେ ମନରେ କିନ୍ତୁ ରହିଥିଲା ଅବିଶ୍ୱାସର ଭାବ !

-"ଚାଲନ୍ତୁ ଦାସବାବୁ, ଆପଣଙ୍କ ପ୍ରମିଶ ପୂରଣ କରନ୍ତୁ !ଯାହା ହେଉ ଏତେ ଦିନ ପରେ ଆପଣଙ୍କ ପ୍ରଦତ୍ତ ଲଞ୍ଚ ଖାଇବାକୁ ମିଳିବ !" ମୁଁ ଆନନ୍ଦରେ ଅଧୀର ହେଇ ପଡୁଥିଲି !

କିନ୍ତୁ ଏ ଆନନ୍ଦ ମୋର ବେଶୀ ସମୟ ରହିଲା ନାହିଁ !ହଠାତ ସେ ବୁଢା ଯନ୍ତ୍ରଣାରେ ଚିତ୍କାର କରି ଉଠିଲା ! ବୋଧହୁଏ ଅତ୍ୟଧିକ ଖାଇବା ଫଳରେ ତା' ପେଟରେ ଯନ୍ତ୍ରଣା ହେଉଛି ! ସେ ଆଉ ଉଠି ପାରୁ ନଥାଏ !ପେଟକୁ ଚାପି ଧରି ଗଁ ଗଁ ଶବ୍ଦ କରୁଥାଏ !ମୁଁ ତା ପାଖକୁ ଯିବାକୁ ଅଗ୍ରସର ହେଲା ବେଳେ ଦାସ ବାବୁ ମୋ ହାତକୁ ଟାଣି ଧରିଲେ -"ମଣ୍ଡଳ ବାବୁ,ବୁଢାର ଅବସ୍ଥା ଖରାପ ଆଡ଼କୁ ଗତି କଲାଣି, ଯଦି ତାର କିଛି ହେଇଯାଏ, ତେବେ ପୋଲିସ କେଶ ହେଇଯିବ !ଯେତେ ଶୀଘ୍ର ସମ୍ଭବ ଏଠାରୁ ଖସି ଯିବା ଉଚିତ, ନହେଲେ ଆମେ ବନ୍ଧା ହେବା !"


ପୋଲିସ ନାଁ ଶୁଣି ମୋର ସବୁ ଆନନ୍ଦ ପାଣି ଫୋଟକା ପରି ମିଳାଇ ଗଲା, ଆମେ ଆଉ ପଛକୁ ନ ଅନାଇ ସେ ସ୍ଥାନ ପରିତ୍ୟାଗ କଲୁ ! ପଛରୁ କିନ୍ତୁ ସେ ବୁଢାର ଗଁ ଗଁ ଶବ୍ଦ ଶୁଭୁଥିଲା....!


Rate this content
Log in

More oriya story from Abhiram Mandal

Similar oriya story from Tragedy