Pradeep Kumar Panda

Abstract Classics Fantasy

3  

Pradeep Kumar Panda

Abstract Classics Fantasy

ବାଇଶି ପାହାଚ

ବାଇଶି ପାହାଚ

6 mins
6


ଶ୍ରୀମନ୍ଦିର'ର ବାହାର ସିଂହଦ୍ୱାର ଠାରୁ କୁର୍ମ ବେଢ଼ା ଆରମ୍ଭ ପର୍ଯ୍ୟନ୍ତ ପାହାଚ ଶ୍ରେଣୀକୁ ବାଇଶି ପାହାଚ କୁହାଯାଏ । ବାଇଶି ପାହାଚ ପରେ ଭିତର ସିଂହଦ୍ୱାର ଦେଇ ଭିତର ବେଢ଼ାକୁ ଯିବାକୁ ହୁଏ । ବିଶ୍ୱ ବିଖ୍ୟାତ ଶ୍ରୀମନ୍ଦିରର ବାଇଶି ପାହାଚ ଅତ୍ୟନ୍ତ ରହସ୍ୟମୟ । ବାଇଶି ପାହାଚ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅତି ପବିତ୍ର ସ୍ଥାନ ଅଧିକାର କରିଛି । ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅଧିକ ମହିମାମଣ୍ଡିତ ତଥା ଗୌରବାନ୍ୱିତ କରିବା ଦିଗରେ ଯେଉଁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ବାଇଶି ପାହାଚ ସ୍ୱତନ୍ତ୍ର ।

ପୂର୍ବ ଦିଗରୁ ଶ୍ରୀମନ୍ଦିରକୁ ପ୍ରବେଶ ଅତ୍ୟନ୍ତ ଶୁଭଦାୟକ ବୋଲି ଲୋକ ବିଶ୍ୱାସ ରହିଛି । ଶ୍ରୀମନ୍ଦିର ସମ୍ମୁଖରେ ଅରୁଣସ୍ତମ୍ଭ ଓ ଏହାର ପଶ୍ଚାତ ଭାଗରେ ସିଂହଦ୍ୱାର । ବାଇଶି ପାହାଚର ଉଭୟ ପାଶ୍ୱର୍ରେ ଜୟ ଓ ବିଜୟ ନାମରେ ଦୁଇଟି ସିଂହ ଦ୍ୱାରପାଳ ଭାବରେ ବିରାଜମାନ କରିଛନ୍ତି । ଶ୍ରୀମନ୍ଦିରର ଚତୁଃଦ୍ୱାରର ପାହାଚ ସଂଖ୍ୟା ୬୯ । ସେଥିମଧ୍ୟରୁ ପୂର୍ବ ଦ୍ୱାର ବା ସିଂହଦ୍ୱାର ପଥରେ ଥିବା ବାଇଶି ପାହାଚ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ । ସିଂହଦ୍ୱାର ବା ମୁଖ୍ୟଦ୍ୱାର ଦେଇ ଯେଉଁ ବାଇଶି ପାହାଚ ଅତିକ୍ରମ କରି ବଡ଼ ଦେଉଳର ଭିତରର ବେଢ଼ା ମଧ୍ୟରେ ପ୍ରବେଶ କରିବାକୁ ହୋଇଥାଏ ସେହି ପାହାଚଗୁଡ଼ିକୁ ବାଇଶି ପାହାଚ କୁହାଯାଏ । ଶ୍ରୀଜଗନ୍ନାଥ ମନ୍ଦିରର ବାହାର ସିଂହଦ୍ୱାରଠାରୁ କୁର୍ମ ବେଢ଼ା ଆରମ୍ଭ ପର୍ଯ୍ୟନ୍ତ ପାହାଚ ଶ୍ରେଣୀକୁ ବାଇଶି ପାହାଚ କୁହାଯାଏ । ସିଂହଦ୍ୱାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ପରେ ଭିତର ସିଂହଦ୍ୱାର ଦେଇ ଭିତର ବେଢ଼ାକୁ ଯିବାକୁ ହୁଏ ।

ଭକ୍ତମାନେ ବର୍ଷ ସାରା ବାଇଶିପାହାଚ ବାଟ ଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶିପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି। ବାଇଶି ପାହାଚର ଧୁଳି ମୁଣ୍ଡରେ ମାରିଲେ ସବୁ ପାପ କ୍ଷୟ ହୁଏ ବୋଲି ମାନାଯାଏ । ଶ୍ରୀମନ୍ଦିର ସ୍ୱତ୍ୱଲିପିର ଦ୍ୱିତୀୟ ଭାଗ ପୃଷ୍ଠା ୨୫୬ରେ ବର୍ଣ୍ଣିତ ଅଛି ବାଇଶି ପାହାଚ ଶ୍ରୀମନ୍ଦିରର ପ୍ଲଟ ନଂ ୧୫୬(କ) ଉପରେ ଅବସ୍ଥିତ ।

ସିଂହଦ୍ଵାର ଆଡୁ ମନ୍ଦିରକୁ ଗଲେ ଦ୍ଵିତୀୟ ପାହାଚ ମଝିରେ କଳା ରଙ୍ଗର ମୁଗୁନି ପଥର ପଡିଥାଏ ଶ୍ରୀ ମନ୍ଦିରରେ । ଏହି ପଥରକୁ "ଯମଶିଳା" କୁହାଯାଏ । ଏଠାରେ ଯମଦୂତ ମାନେ ରୁହନ୍ତି ବୋଲି ମାନ୍ୟତା ଅଛି । କୁହାଯାଏ ଏଠାରେ ପାଦ ଦେଲେ ପୂର୍ବରୁ ଥିବା ସବୁ ପାପ କ୍ଷୟ ହୋଇଯାଏ । ବାଇଶି ପାହାଚର ତୃତୀୟ ପାହାଚରେ ଅଛନ୍ତି "କାଶୀ ବିଶ୍ଵନାଥ" ଯାହାଙ୍କ ମାହାତ୍ମ୍ୟ ଅଧିକ ରହିଛି । ବାଇଶି ପାହାଚର ସପ୍ତମ ପାହାଚକୁ ପିତୃପୁରୁଷଙ୍କ ପାହାଚ ମାନାଯାଏ । ଯାହାକୁ "ପିତୃଶିଳା" କୁହାଯାଏ । ଏଠାରେ ଅଭଡା ରଖିଲେ ସିଧା ପିତୃପୁରୁଷଙ୍କୁ ପ୍ରାପ୍ତ ହୁଏ । ମାର୍ଗଶିର ମାସ ଶୁକ୍ଳ ପକ୍ଷ ରେ ଯେଉଁ ଯୋଗରେ ଯେଉଁ ରୂପରେ ଜନ୍ମ ନେଇଛନ୍ତି ତାଙ୍କ ମାତା ପିତାଙ୍କୁ ଏଠାରେ ଶ୍ରାଦ୍ଧ ଦିଅନ୍ତି ।

ପୁରୀ ଶ୍ରୀମନ୍ଦିରର ପ୍ରତ୍ୟେକଟି ନିର୍ମାଣ ପଛରେ କିଛି ନା କିଛି ଇତିହାସ ରହିଛି। ଦ୍ଵାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ପ୍ରତ୍ୟେକଟି ଅଂଶରେ ଚାରୁ ଭାସ୍କର୍ଯ୍ୟକଳାର ଝଲକ ଦେଖିବାକୁ ମିଳିଥାଏ। ମନ୍ଦିର ବେଢ଼ା ଭିତରକୁ ପ୍ରବେଶ କରିବା ପାଇଁ ମୁଖ୍ୟ ଦ୍ଵାର ସିଂହଦ୍ଵାର ପରେ ବାଇଶିଟି ପାହାଚ ରହିଛି। ଗଜପତି କପିଳେନ୍ଦ୍ର ଦେବ ସୂର୍ଯ୍ୟବଂଶର ପ୍ରତିଷ୍ଠାତାଙ୍କ ସମୟରେ ଶ୍ରୀମନ୍ଦିର ବାହାର ବେଢ଼ାରେ ମେଘନାଦ ପାଚେରି ଓ ବର୍ତ୍ତମାନର ସିଂହଦ୍ୱାର ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ପ୍ରାଚୀନ କବିମାନଙ୍କର କାବ୍ୟ-କବିତାରେ ବାଇଶି ପାହାଚ ସ୍ଥାନ ପାଇଥିଲେ ମଧ୍ୟ ଏହାର ନିର୍ମାଣକାରୀ ଓ ନିର୍ମାଣ ସମୟ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ । ଏହି ବାଇଶି ଗୋଟି ପାହାଚର ନିର୍ମାଣ ସହିତ ଯୋଡ଼ିହୋଇ ରହିଛି ଅନନ୍ୟ କିମ୍ଵଦନ୍ତୀ।

ଗଙ୍ଗବଂଶୀୟ ଶାସକ ଭାନୁଦେବ (ଖ୍ରୀ ୧୩୫୨-୧୩୫୮)ଙ୍କ ରାଜତ୍ୱ ସମୟରେ ବାଇଶି ପାହାଚ ନିର୍ମାଣ କରାଯାଇଥିବାର ଶୁଣାଯାଏ କିନ୍ତୁ ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ । ଚୋଡ଼ଗଙ୍ଗ ଦେବଙ୍କ ପରେ ଗଙ୍ଗବଂଶର ଅନ୍ୟତମ ରାଜା ଅନଙ୍ଗଭୀମ ଦେବ ମନ୍ଦିରର ଚୂଡ଼ାନ୍ତ କାର୍ଯ୍ୟ ସମାପନ କରିଥିଲେ। ଜନଶ୍ରୁତିରୁ ଶୁଣାଯାଏ, ସେହି ବଂଶର ପରପିଢ଼ିର ରାଜା ଭାନୁଦେବ ଅପୁତ୍ରକ ଥିବାରୁ ଘୋର ମନସ୍ତାପ ମଧ୍ୟରେ କାଳାତିପାତ କରୁଥିଲେ। ଭାନୁଦେବଙ୍କ ରାଜତ୍ୱକାଳ ପରିବ୍ୟାପ୍ତ ଥିଲା ଖ୍ରୀ.ଅ. ୧୨୬୪ରୁ ୧୨୭୮ ପର୍ଯ୍ୟନ୍ତ। ସନ୍ତାନହୀନତାର ସନ୍ତାପରେ ଜର୍ଜରିତ ସମ୍ରାଟ ଭାନୁଦେବ ରାଜଗୁରୁଙ୍କ ପରାମର୍ଶ ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ନିକଟରେ ଆତ୍ମନିବେଦନ ସ୍ବରୂପ ଅନ୍ନଜଳ ତ୍ୟାଗକରି ସାତଦିନ ପର୍ଯ୍ୟନ୍ତ ଧ୍ୟାନସ୍ଥ ହେଲେ। ସପ୍ତମ ରାତ୍ରିର ଚତୁର୍ଥ ପ୍ରହରରେ ଶ୍ରୀଜଗନ୍ନାଥ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ପ୍ରଭୁ ଯମେଶ୍ୱରଙ୍କ ଶରଣାପନ୍ନ ହେବାକୁ ଆଦେଶ କଲେ। ପ୍ରଭୁଙ୍କ ଆଜ୍ଞାନୁସାରେ ସମ୍ରାଟ୍‌ ଭାନୁଦେବ ଯମେଶ୍ୱରଙ୍କ ନିକଟରେ ଅନ୍ନଜଳ ପରିହାରପୂର୍ବକ ଭକ୍ତିପୂତ ଚିତ୍ତରେ ଧ୍ୟାନମଗ୍ନ ହେଲେ। ପ୍ରଭୁ ଯମେଶ୍ୱର ପ୍ରସନ୍ନ ହୋଇ ସପ୍ତମ ରାତ୍ରିରେ ସମ୍ରାଟ୍‌ଙ୍କୁ ସ୍ବପ୍ନରେ ଦର୍ଶନ ଦେଇ ପୁତ୍ରସନ୍ତାନ ପ୍ରାପ୍ତିର ବରଦାନ କଲେ। ଯଥାସମୟରେ ରାଣୀଙ୍କ ଗର୍ଭରୁ ପୁତ୍ର ସନ୍ତାନଟିଏ ଜାତହେଲା। ନବଜାତକ ଶିଶୁଟିର ତେଜରେ ସମଗ୍ର ରାଜପ୍ରାସାଦ ଅଲୌକିକ ଉଜ୍ଜ୍ୱଳ ରଶ୍ମିରେ ଉଦ୍ଭାସିତ ହେଲା। ରାଜା ଓ ରାଣୀଙ୍କର ମନ ଆନନ୍ଦରେ ନାଚି ଉଠିଲା। ମହାଆଡ଼ମ୍ବରରେ ପୁତ୍ରର ନାମକରଣ ଉତ୍ସବ ଅନୁଷ୍ଠିତ ହେଲା। ପାତ୍ର, ମନ୍ତ୍ରୀ, ରାଜଗୁରୁ, ସେନାପତି ଓ ରାଜନଅର ସହିତ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ଯୋଗଦାନରେ ରାଜପ୍ରାସାଦ ଉତ୍ସବମୁଖର ହୋଇଉଠିଲା। ମାତ୍ର ନାମକରଣ ଉତ୍ସବର ସମସ୍ତ ସରସତା ନିମିଷକେ ମଳିନ ପଡ଼ିଗଲା, ଯେତେବେଳେ ରାଜଜ୍ୟୋତିଷ ଦୁଃଖାତିଶଯ୍ୟରେ ପ୍ରକାଶ କଲେ ଯେ, ରାଜକୁମାରଙ୍କର ଆୟୁଷ ମାତ୍ର ବାଇଶି ବର୍ଷ। ରାଜାଙ୍କ ମୁଣ୍ଡରେ ସତେ ଯେପରି ବଜ୍ରପାତ ହେଲା।

ରାଜଗୁରୁଙ୍କ ପରାମର୍ଶ ଅନୁସାରେ ଇଷ୍ଟପ୍ରାଣ ସମ୍ରାଟ୍‌ ଭାନୁଦେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁନର୍ବାର ଶରଣାପନ୍ନ ହେଲେ। ଶ୍ରୀଜଗନ୍ନାଥ ଅନ୍ତର୍ଯ୍ୟାମୀ। ସେ ସ୍ବପ୍ନରେ ସମ୍ରାଟ୍‌ଙ୍କୁ ଆଦେଶ କଲେ, ତୁମେ ମୋ ମନ୍ଦିରର ପ୍ରବେଶ ପଥରେ ବାଇଶିଗୋଟି ପାହାଚ ନିର୍ମାଣ କର। ମୋତେ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କର ପଦରଜରେ ବାଇଶି ପାହାଚ ପବିତ୍ରିତ ହେବ ଏବଂ ତଦ୍ଦ୍ବାରା ତୁମ ପୁତ୍ରର ରିଷ୍ଟ ଖଣ୍ଡନହେବ ଓ ସେ ଦୀର୍ଘଜୀବୀ ହେବେ। ସମ୍ରାଟ୍‌ ଭାନୁଦେବ ବାଇଶି ପାହାଚ ନିର୍ମାଣରେ ମନପ୍ରାଣ ଢାଳିଦେଲେ। ନାନା ବାଧାବିଘ୍ନ ସତ୍ତ୍ୱେ ବାଇଶି ପାହାଚ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। କିମ୍ବଦନ୍ତୀ କହେ ବାଇଶି ପାହାଚ ନିର୍ମାଣ ସମୟରେ ପାହାଚର ଠିକ୍‌ ମଧ୍ୟସ୍ଥଳରେ ଏକ ଗର୍ତ୍ତ ସୃଷ୍ଟି ହୋଇ ପ୍ରବଳ ଜଳ ଉଦ୍‌ଗୀର୍ଣ୍ଣ ହେବାକୁ ଲାଗିଲା। କୁହାଯାଏ ଉକ୍ତ ଗର୍ତ୍ତ ମହୋଦଧି ସହ ସଂଯୁକ୍ତ ଥିବାରୁ ଉଦ୍‌ବେଳିତ ସାମୁଦ୍ରିକ ତରଙ୍ଗ ଦ୍ୱାରା ଆନିତ ଜଳ ଫୁକାର ମାଧ୍ୟମରେ ଉପରକୁ ଆସି ନିର୍ମାଣାଧୀନ କାର୍ଯ୍ୟରେ ଘୋର ଅନ୍ତରାୟ ସୃଷ୍ଟି କଲା। ଶିଳ୍ପୀଙ୍କର ସମସ୍ତ ପ୍ରତିକାର ବ୍ୟର୍ଥ ହେଲା। ସମ୍ରାଟ୍‌ ହତୋତ୍ସାହ ହୋଇପଡ଼ିଲେ। ବାଇଶି ପାହାଚର ନିର୍ମାଣ ପୂର୍ଣ୍ଣାଙ୍ଗ ନ ହେଲେ ପୁତ୍ରର ଦୀର୍ଘଜୀବନ ସମ୍ଭାବନା ଫଳବତୀ ହୋଇପାରିବ ନାହିଁ। ରାଜଗୁରୁଙ୍କ ପରାମର୍ଶକ୍ରମେ ସମ୍ରାଟ୍‌ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ହୋମଯଜ୍ଞ ଓ ଉପାସନା କଲେ। ବରୁଣ ଦେବତା ସନ୍ତୁଷ୍ଟ ହେଲେ ଓ ଜଳ ଉଦ୍‌ଗିରଣ ବନ୍ଦ ହେଲା। ବାଇଶି ପାହାଚର ନିର୍ମାଣ କାର୍ଯ୍ୟ ଶେଷ ହେଲା। ବାଇଶି ପାହାଚ ଉପର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କଲେ। ରାଜପୁତ୍ରଙ୍କ ରିଷ୍ଟ ଖଣ୍ଡନ ହେଲା ଓ ସେ ଦୀର୍ଘଜୀବନ ପ୍ରାପ୍ତ ହେଲେ। ରାଜପୁତ୍ର ଦୀର୍ଘଜୀବୀ ହେଲେ ସିନା, ସେ ଥିଲେ ଅତ୍ୟନ୍ତ ଦୁର୍ବଳ ଓ କାପୁରୁଷ। ଫଳରେ ପିତା ଭାନୁଦେବଙ୍କ ବିଚକ୍ଷଣ ସେନାଧ୍ୟକ୍ଷ କପିଳ ରାଉତରାୟ ନିଜକୁ କପିଳେନ୍ଦ୍ର ଦେବ ଘୋଷଣା କରି ସିଂହାସନ ଆରୋହଣ କଲେ। ସେ ଥିଲେ ସୂର୍ଯ୍ୟବଂଶୀ ଏବଂ ତାଙ୍କଠାରୁ ଉତ୍କଳରେ ଗଜପତି ଶାସନର ଅୟମାରମ୍ଭ ହେଲା।

ବାଇଶିପାହାଚ ସିଂହଦ୍ଵାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶିପାହାଚ ନାମରେ ଜଣା। ବାଇଶିପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି। ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ। ବାଇଶିପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ।

ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତ, ଭ୍ରାନ୍ତି ଓ ପ୍ରଜ୍ଞା। ବିଶ୍ଵାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ। ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ ଅଟେ।

ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି "ଯମଶିଳା"। ଶ୍ରଦ୍ଧାଳୁ ମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ। ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି। ବାଇଶି ପାହାଚର ତୃତୀୟ ପାହାଚରେ ଅଛନ୍ତି "କାଶୀ ବିଶ୍ଵନାଥ" ଯାହାଙ୍କ ମାହାତ୍ମ୍ୟ ଅଧିକ ରହିଛି । ଗବେଷକ ତଥା ବାଗ୍ମୀ ପଣ୍ଡିତ ସଦାଶିବ ରଥ ଶର୍ମା ଙ୍କ ତଥ୍ୟ ଅନୁସାରେ ୧୬୧୧ ଖ୍ରୀଷ୍ଟାଦ୍ଧ ରେ ବିଧିବଦ୍ଧ ଭାବରେ ଏହି କ୍ଷୁଦ୍ର ମନ୍ଦିରଟି ପ୍ରତିଷ୍ଠିତ ହୋଇ ସେଥିରେ ଶ୍ରୀ କାଶୀ ବିଶ୍ଵନାଥଙ୍କ ନାମରେ ନାମିତ ଶିବଲିଙ୍ଗ ପୂଜା ପାଉଛନ୍ତି। ଏ ବିଷୟରେ ଅନେକ କିମ୍ବଦନ୍ତୀ ଶ୍ରୀକ୍ଷେତ୍ରରେ ଶୁଣିବାକୁ ମିଳେ।

ଅନ୍ୟ ଏକ ଲୋକ କଥା ହେଲା ଜଣେ ଦରିଦ୍ର ସେବାୟତ ଚକ୍ରପାଣି ଖୁଣ୍ଟିଆ, ଶ୍ରୀ କାଶୀ ବିଶ୍ୱନାଥଙ୍କ ଦର୍ଶନ ଅଭିଳାଷ ରଖି ଭକ୍ତବତ୍ସଳ ଶ୍ରୀଜଗନ୍ନାଥଙ୍କୁ ଗୁହାରି କରିଥିଲେ। ଭକ୍ତର ଇଚ୍ଛା ପୂରଣ ନିମନ୍ତେ, ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ ବାଇଶି ପାହାଚରେ ଶ୍ରୀ କାଶୀ ବିଶ୍ଵନାଥ ସ୍ୱୟଂ ପ୍ରକଟ ହୋଇଥିଲେ ଓ ସେହି ଦିନଠାରୁ ସେଠାରେ ପୂଜା ପାଉଛନ୍ତି। କିନ୍ତୁ କାଶୀ ପିଠାଧିଶ ଶ୍ରୀ ଶ୍ରୀବଲ୍ଳଭଚାର୍ଯ୍ୟଙ୍କ ମତ ଅନ୍ୟ ପ୍ରକାର। ତାଙ୍କ ମତରେ ସ୍ୱୟଂ ଶ୍ରୀକାଶୀ ବିଶ୍ୱନାଥ, ପ୍ରତ୍ୟହ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ଏହି ବାଇଶି ପାହାଚରେ ଅପେକ୍ଷା କରିଥିଲେ ଓ ପ୍ରତ୍ୟହ ଜଣେ ବିଧବା ବ୍ରlହ୍ମଣୀଙ୍କ ସହାୟତାରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରୁଥିଲେ। ଥରେ ବ୍ରlହ୍ମଣୀ ପ୍ରଭୁଙ୍କର ପ୍ରକୃତ ସ୍ୱରୂପକୁ ଜାଣିଯିବାରୁ, ସେହି ଦିନ ଠାରୁ ଶିବ ଲିଙ୍ଗ ରୂପ ଧାରଣ କରି ଏହି ବାଇଶି ପାହାଚରେ ପୂଜା ପାଉଛନ୍ତି ଏବଂ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରୁ କରୁ ଭକ୍ତମାନେ ପ୍ରଥମେ ଶ୍ରୀ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ତାପରେ ମନ୍ଦିର ବେଢା ବୁଲାର ବିଧି ପାଳନ କରୁଥାନ୍ତି। ଏଭଳି କିମ୍ବଦନ୍ତୀର ସତ୍ୟତା ଯାହା ଥାଉନା କାହିଁକି ମୂଳତଃ ଶୈବ ଚେତନା ସହ ବୈଷ୍ଣବ ଚେତନାର ମିଳନ ଏହାର ମୂଳ ଉଦ୍ଦେଶ୍ୟ ।

ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି "ଯମଶିଳା" । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ରହିଛି । ପିତୃପକ୍ଷରେ ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ । ମହାଳୟା ଦିନ ବାଇଶି ପାହାଚରେ ଅସଂଖ୍ୟ ଭକ୍ତ ପିତୃପକ୍ଷଙ୍କୁ ଦୀପଦାନ ଓ ଶ୍ରଦ୍ଧା ଅର୍ପଣ କରିଥାନ୍ତି । ଶ୍ରାଦ୍ଧ ଶେଷରେ ଦଶମ ପାହାଚରେ ଥିବା ଏକ ଚାରି କୋଣିଆ ପଥର ଉପରେ ପିଣ୍ଡ ଅର୍ପଣ କରାଯାଏ । ବାଇଶି ପାହାଚରେ ଚୁମ୍ବକଶିଳା ବା ଲୌହଶିଳା ଅବସ୍ଥିତ । ଲୋକ ବିଶ୍ୱାସ ରହିଛି ଏହି ଶିଳାକୁ ସ୍ପର୍ଶ କଲେ ସମସ୍ତ ପାପ-ପୁଣ୍ୟକୁ ଆକର୍ଷିତ କରିନେଇଥାଏ । ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟକୁ ଗଲାବେଳେ ଏହି ଶିଳାକୁ ସ୍ପର୍ଶ କରିଯାଇଥାନ୍ତି କିନ୍ତୁ ବାଇଶି ପାହାଚରେ ଚତୁର୍ଥ ପାହାଚର ଦକ୍ଷିଣ ବାଡ଼ରେ ରାମ ଦରବାର ମୂର୍ତ୍ତି ରହିଛି । ପ୍ରଭୁ ରାମଚନ୍ଦ୍ର ଏଠାରେ ବୀରାସନରେ ବିରାଜିତ ହୋଇଥିବାରୁ ଏହି ମୂର୍ତ୍ତିକୁ ରାମଚନ୍ଦ୍ର ବୀରାସନ କୁହାଯାଏ । ଲୋକ କଥାରେ ଅଛି ସାଧକ ବଳରାମ ଦାସ ଏଠାରେ ଦାଣ୍ଡି ରାମାୟଣର ଶୁଭାରମ୍ଭ କରିଥିଲେ । ପଞ୍ଚମ ପାହାଚର ଉତ୍ତର ପଟେ ଏକ ଛୋଟ ଚାରିକୋଣିଆ ମାଙ୍କଡ଼ା ପଥର ଅଛି, ଏହାକୁ ଗଙ୍ଗାରୁଦ୍ଧ ଶିଳା କୁହାଯାଏ । ବାଇଶି ପାହାଚର ଦକ୍ଷିଣ ଦିଗରେ ଭୋଗମଣ୍ଡପ ଓ ରୋଷଘର ଅବସ୍ଥିତ ।


Rate this content
Log in

Similar oriya story from Abstract