Lalita Mohan Mishra

Tragedy Others

3  

Lalita Mohan Mishra

Tragedy Others

ବାଇଗଣ ପୋଡା

ବାଇଗଣ ପୋଡା

4 mins
180



ବୋଉ ହାତର ପଖାଳ ସାଙ୍ଗକୁ ବାଇଗଣ ପୋଡା ମଜା କିଛି ନିଆରା । ଆଜିକାଲି ଭଲ ହୋଟେଲରେ ମାଛ ମାଂସ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପଦାର୍ଥ ମିଳୁଛି । ଯେତେ ଖାଇଲେ ମଧ୍ୟ ବୋଉର ସେହି ପଖାଳ ଭାତକୁ ବାଇଗଣ ପୋଡା କାହିଁ କେଉଁଠି ମିଳୁ ନାହିଁ । ପିଲାବେଳେ ବଡ ଭାଇ ସାଥିରେ ଏକାଠି ଖାଇ ବସିଲେ ସଦାବେଳେ ମାଡଗୋଳ ମୁଁ ବାଇଗଣ ପୋଡା ମୁଣ୍ଡି ଖାଇବି । ବଡ ଭାଇ ଦେବାକୁ ନାରାଜ ମୁଁ ଛାଡିବାକୁ ନାରାଜ। ବୋଉର ମଧ୍ୟସ୍ଥତାରେ ନୂତନ ବାଇଗଣ ପୋଡାର ଆଗମନ । ମୁଣ୍ଡି ପ୍ରସଙ୍ଗର ସମାଧାନ । ଏବେ ଲାଗେ ସତେକି ସେ ମୁଣ୍ଡରେ କି ଅମୃତ ଥାଏ ? ଖରାଦିନ ନେଳିଆ ପୋଖରୀ ମାଛ ଧରା ହୋଇଥିବ । ସେଠାରେ ମାଛ ପାଇଁ ଏକ ପ୍ରକାର କସରତ । ଜଣେ ମେମ୍ବର ନାମ ଲେଖୁଥିବ । ଆଗ ନନାଙ୍କ ନାମରେ ପଞ୍ଜୀକରଣ କରିବାର ଅଛି । ମାଛ ଧରା ହୋଇ ଡୋଲିରେ ଢଳା ହେବା ପରେ କେଉଟ ନାମାନୁସାରେ ଜଣ ଜଣକରି ମାଛ ଦେବ । ସେଥିରୁ ମାଛ କିଲେ ପାଇବା... ସତେକି ଯୁଦ୍ଧରେ ବିଜୟୀ ହେଲା ପରି ଲାଗେ । ଘରକୁ ଆଣିଲେ ମାଛ କାଟିବେ ନନା ଏବଂ ବୋଉ ବେସର ଦେଇ ରୋଷେଇ କରିବ । ମାଛ ଅପେକ୍ଷା ବେସର କରେଇରେ କିଏ ଭାତ ଗୋଳେଇ ଖାଇବ ଭାଇ ଭଉଣୀଙ୍କ ମଧ୍ୟରେ କଳି ତକରାଳ । ବୋଉ ଏମିତି ଭାବରେ ସମାଧାନ କରିଦିଏ ଯେ ଜଣେ ଅନ୍ୟ ଜଣକୁ ଖୁଆଇ ଦିଏ ।

ବୋଉର ସେ ଅତୁଳନୀୟ ସ୍ନେହ ପଣ ଅକୁହା ସେ ପରିଭାଷା ଅବର୍ଣ୍ଣନୀୟ । ବୋଉର ଅମୃତ ସାନିଧ୍ୟ ବନ୍ଧନରେ ଜୀବନ ନୂଆ ଦିଶା ପାଏ । ବୋଉର ପଣତ କାନିରେ କେତେ ସ୍ନେହ ଥାଏ ଯେ ସେଥିରେ ହିଁ ମୁହଁ ପୋଛିଲେ ସନ୍ତୁଷ୍ଟି ଲାଗେ । ବୋଉର ସେ କାନିରେ ଭାଇ ଭଉଣୀ ମାନେ ହାତ ପୋଛି ପୋଛି ଓଦା ହୋଇ ଯାଇଥିଲେ ମଧ୍ୟ କାହାରିକୁ ବୋଉ ମନା କରେନାହିଁ । ପିଲାଦିନେ ଭାଇ ଭଉଣୀର ଅଝଟ ଅଳି ସ୍ମୃତି ଓ ଅନୁଭୂତି ଆଜି ସ୍ମରଣ କରୁଛି । ବୋଉ କେତେ ଯେ ସରାଗ ଆଦର ହୃଦୟରେ ତୋଳି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖେ । ରାଗିଗଲେ ବୋଉ କିଛି ସମୟ ପରେ କୋଳେଇ ନେଇ ତୁ ଏହା କରିବା ହେଲାନି ସେୟା କରିବା ହେଲାନି ନୀତିଶିକ୍ଷା ପ୍ରଦାନ କରେ । ସାନକୁ କାନମୋଡି ଏବଂ ବଡ଼କୁ ତାଗିଦ୍ କରି ତା ଭାଷାରେ ବୁଝାଇ ଦିଏ ।


ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ କେମିତି ଗଣ୍ଡେ ମୋ ପୁଅ ଖାଇବ ତାର ସଦାସର୍ବଦା ଚିନ୍ତା । ମୁଁ ଯେତେ ହାତରେ ଖାଇଲେ ମଧ୍ୟ ବୋଉ ପିଲାଦିନେ ଖୁଆଇ ଦେବାର ମଜା ଅନନ୍ୟ । ଖରାଦିନେ ଶୋଷ ଲାଗୁଥିଲେ - ଢଳିଯିବ ପାଣି... । ନନାଙ୍କର ତାଗିଦ୍ ମୂର୍ଖଟା "ଠିଆ ହୋଇ ପାଣି ପିଉଛୁ" ବସି କରି ପିଉନୁ । ବୋଉ ଶ୍ରଦ୍ଧାରେ ଗେଲରେ ହଁ ରେ ପୁଅ ! ଠିଆ ହୋଇ ପାଣି ପିଇଲେ ଭଲ ନାହିଁ । ଯଦି କେବେ ରୋଷଇ ପାଖକୁ ଆସିଛି । ତା ହେଲେ ବୋଉର ବାଣୀ - ଗରମକୁ କାହିଁ ଆସୁଛୁ । ଚୁଲି ଲାଗିଛି ସିଆଡେ ଯାଆନା । ଯଦି କେବେ ଦେହ ଖରାପ ହୋଇଯାଏ । ରାତି ରାତି ପାଖରେ ବସି ଛାଇ ପରି ପାଶେ ଚାହିଁ ରହିଥାଏ । ଦେହ ଭଲ ହେଲା ପର୍ଯ୍ୟନ୍ତ କେତେ ଦିଅଁ ଦେବତାଙ୍କୁ ଗୁହାରି କରେ, ଯାଚଙ୍ଗା କରେ । ତା ଆଖିର ଲୁହରେ ଦେବତା ଙ୍କୁ ପ୍ରାର୍ଥନା କରି ପାଣି ପରି ତରଳାଇ ଦିଏ । ନନା ବୋଉ ମୋର ଚଳନ୍ତି ଠାକୁର କରୁଣାର ପ୍ରତିମୂର୍ତ୍ତି । ସେ ସ୍ୱୟଂ ଜଗନ୍ନାଥ, ଲକ୍ଷ୍ମୀ ମାଆ ମୋର ତାଙ୍କ ପାଦପଦ୍ମରେ ସଦା ପ୍ରଣତି । ନନାଙ୍କର ଶାସନ ଓ ସଂସ୍କାର ଭୂଷଣ । ନନା ରାଗିଗଲେ କେତେ କଥା କହିବେ କିନ୍ତୁ ହୃଦୟରେ ନାରିକେଳ ପରି କୋମଳ ଭାବ । ବୋଉର ସ୍ନେହ ହୃଦ ଭିଜା ତାର ଅନୁଭବ ପରଶେ । ବୋଉ ପରକୁ ଆପଣା କରିବା କୌଶଳର ଅଧିକାରୀ । ଯେତେ ବନ୍ଧୁ ବାନ୍ଧବ ପରିଜନ ଆସନ୍ତି..... ବୋଉର ମିଠା କଥାରେ ଏବଂ ସୁସ୍ବାଦୁ ଭୋଜନରେ ସନ୍ତୁଷ୍ଟ ହୋଇ ପ୍ରଶଂସା କରନ୍ତି । ବୋଉର ବିନୟ ଭୂଷଣ ହେଉଛି ଆଭୂଷଣ, ଆଉ ନମ୍ରତା ହେଉଛି ତାର ସବୁଠାରୁ ମହାମନ୍ତ୍ର । ବୋଉ ଠାରୁ ଶିକ୍ଷା କରିଥିବା ସେହି ମନ୍ତ୍ର ର ମାହାତ୍ମ୍ୟ ମୋ ପାଇଁ କୋଟି କୈବଲ୍ୟ । ପଣତରେ ତାର ମୁହଁ ପୋଛି ଦେଲେ ସବୁ ଦୁଃଖ ଭୁଲି ହୋଇଯାଏ କିନ୍ତୁ ସ୍ମୃତି ପଟଳରେ ଏବେ ବି ମନେ ପଡେ ତାର କଥା ।


ଗେଲ କରି ବୋଉ ଡାକିଦେଲେ ଥରେ ମୁହଁ ମୋ' ହସିଲା ଦିଶେ । ବୋଉର ମୁହଁଟି ମେଘ ଆକାଶରେ ଇଂଦ୍ରଧନୁଟେ ଅବେଳରେ ଉଇଁ ଆସେ । ଜଞାଳରେ ଜଳି ବୋଉ ହସୁଥାଏ ସଦା ସଂଜ ସଳିତାଟେ ପରି । ନିଜେ ଜଳି ଜଳି ଅନ୍ୟକୁ ଆଲୁଅ ଦେଖାଏ ଅମା ଅଂଧାର ଚିରି । ସଭିଙ୍କର ସୁଖ ମନାସୀ ବୋଉ ଚଉରାରେ ଦୀପ ଜାଳି ଦିଏ, ହେଲେ ତା ଭାଗ୍ଯରେ କେତେ ଦୁଃଖ ଥାଏ କାହାକୁ ଜଣାଏ ନାହିଁ । ସେ ସଦା କହେ - ପିଲାଙ୍କ ଦୁଃଖରେ ଦୁଃଖି, ପିଲାଙ୍କ ସୁଖରେ ସୁଖୀ । ଉଷୁମ କୋଳ ମୋ ବୋଉର ମୋ ପାଇଁ ନିରାପଦ ଜାଗା ଟିଏ । ଗେଲବସର ରେ ବୋଉ ଡାକିଦେଲେ ସତେ ଲାଗେ ଖାଲି ମହୁ ଝରୁଥାଏ । 


ପିଲାବେଳେ ଧୂଳି ଖେଳୁଥିଲେ ବୋଉ ତା କାନିରେ ଝାଡି ଦିଏ "ମୋର ରଙ୍କ ରତନ" କହିଦେଇ କାଖେଇ ପକାଏ, ଏବେ ସେ କଥା ଭାବିଲେ ଅଜାଣତରେ ଆଖିରୁ ଲୁହ ଝରିଆସେ । ବୋଉ ବାଢିଦିଏ ବେଲାଏ ପଖାଳ ସାଙ୍ଗକୁ ବାଇଗଣ ପୋଡା ମୋର ପେଟକୁ ଚାହିଁ । ବୋଉ ଯଦି ଘରେ ଅଛି ତାହାହେଲେ ଭୋକ କ'ଣ ମୋଟେ ଜଣା ପଡେ ନାହିଁ । ବୟସର ଅପରାହ୍ନରେ ଏବେ ବୋଉ କଥା ସଦାବେଳେ ମନେ ପଡେ । କୁଆଡେ ଗଲା ସେ ପିଲାଦିନ । କୁଆଡେ ଗଲା ସେ ବୋଉର ହାତେ ଓଢଣା ଦେଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା । କୁଆଡେ ଗଲା ସେ ବାଇଗଣ ପୋଡା । ପିଲାମାନଙ୍କର ପେଟକୁ ଚାହିଁ ଭୋଜନ । ଭାଇ ଭଉଣୀଙ୍କ ମଧ୍ୟରେ ମଧ୍ୟସ୍ଥତା । କର୍ପୂର ଉଡି ଯାଇଛି କନା ଖଣ୍ଡିକ ପଡି ରହିଛି । ପରମ୍ପରା ସଂସ୍କୃତିର ଦ୍ବାହି ଦେଇ ବୋଉ ତୁ ଜୀବନ କାଟିଦେଲୁ । ସେହି ସଂସ୍କୃତି ପରମ୍ପରା ଆମର ପର ପିଢିକୁ ଥରେ ବୁଝାଇ ଦେଇ ଗଲୁନି । ଆମେ ସନ୍ତୁଳି ହେଉଛୁ ସେ ପରମ୍ପରା ସଂସ୍କୃତିକୁ ନେଇ । ଅଜାଗା ଘା ଦେଖି ହେଉନି କି ଦେଖେଇ ହେଉନି ।


Rate this content
Log in

Similar oriya story from Tragedy