arun sahoo

Inspirational

4  

arun sahoo

Inspirational

ବାହାର ଦୁନିଆ

ବାହାର ଦୁନିଆ

6 mins
452


   ଓହୋ... ପୁଣି... ଝଗଡା ପାଟିତୁଣ୍ଡ... ଏଇ ମଣିଷଗୁଡାକ ପଶୁ ଠାରୁ ବି ହୀନ... ଛୋଟ ଛୋଟ କଥାରେ ଆଶ୍ରବ୍ୟ ଗାଳିଗୁଲଜ.. ପାଟିତୁଣ୍ଡକୁ ହିଁ ଜୀବନ ଭାବିଛନ୍ତି ଏମାନେ... ବିରକ୍ତିରେ ଝରକା ଖୋଲି ଚାହିଁଲା ଅନସୂୟା | ବିରାଟ ବହୁତଳ ବିଶିଷ୍ଟ ଘର ପଛରେ ଏଇ କୁଡ଼ିଆ ମାଳ ନିହାତି ଅରୁଚିକର | ଦିନ ରାତି ପାଟିତୁଣ୍ଡ ଛଡା କଣ ଏମାନେ ଜାଣିଛନ୍ତି? ଜୀବନକୁ ବୁଝିଛନ୍ତି?? ସ୍ୱାମୀ ସ୍ତ୍ରୀକୁ ବାପାମା ପିଲାଙ୍କୁ ପିଲାଏ ବାପାମାଆଙ୍କୁ ସମସ୍ତେ ସମସ୍ତଙ୍କୁ ମନଇଚ୍ଛା ବେଜ୍ଜିତ କରିବା ବୋଧହୁଏ ଜାଣନ୍ତି ଏମାନେ! ଦାରିଦ୍ର୍ୟର କୁଡ଼ିଆ ଭିତରେ ସମ୍ପର୍କର ସ୍ଥାନ କାଇଁ?? ପେଟ ଭରିଥିଲେ ମଣିଷ ଭଲ ମନ୍ଦ ଚିନ୍ତା କରିବ, କିନ୍ତୁ ପେଟ ଖାଲିଥିଲେ କି ଭଲ କି ମନ୍ଦ!! ଏଇମିତି ପାଟିଗୋଳ ହେଇ ସବୁ କାମକୁ ଯିବେ କିଛି ସମୟର ନୀରବତା ପୁଣି ସଞ୍ଜରେ ସେଇ କଥା | ଅତିଷ୍ଠ ଲାଗିଲାଣି ତାକୁ ପ୍ରତିଦିନର ସେଇ ଏକପ୍ରକାର ଦିନଚର୍ଯ୍ୟା ଦେଖି ଦେଖି | ଏତେ ଲୋକ ଏଇ ଆପାର୍ଟମେଣ୍ଟରେ ରହୁଛନ୍ତି କେହି ଆପତ୍ତି ଉଠାଉନାହାନ୍ତି ଏଇ ପାଟିତୁଣ୍ଡ ଶୁଣି? ସେଇ ପ୍ରଶ୍ନ ସେଦିନ ଶୁଣି ମିସେସ ନାୟକ କହିଲେ ବୁଝିଲେ ମିସେସ ମିଶ୍ର ଆପଣ ନୂଆରେ ଆସିଛନ୍ତି ତ ଆପଣଙ୍କୁ ବ୍ୟସ୍ତ ଲାଗୁଛି | କିଛି ଦିନ ରହିଯାଆନ୍ତୁ ଦେଖିବେ ଆପଣ ବି ଅଭ୍ୟସ୍ତ ହେଇଯିବେ ଏଥିରେ | ଅଭ୍ୟସ୍ତ!!! ନିଇତି ଏଇ କୁଭାଷା ଶୁଣି ଶୁଣି? କେଜାଣି? କହିଲା ସେ | ସତରେ ମାଡାମ ଆପଣ ଦେଖିନାହାନ୍ତି ଟ୍ରେନ ଲାଇନ ପାଖରେ ରହୁଥିବା ଲୋକ ନୂଆଁରେ ଶୋଇପାରେନା.. ବସିପାରେନା ସେଇ ଟ୍ରେନର କଟୂ ଶବ୍ଦରେ କିନ୍ତୁ କିଛିଦିନ ପରେ ସେ ମନେପକାଏ ଟ୍ରେନ ଗୁଡିକ ଆଉ ଯାଉନାହାନ୍ତି କି ଶବ୍ଦ ଶୁଭୁନି?? କହିଲେ ମିସେସ ନାୟକ | ଏଟା ଅବଶ୍ୟ ସତ କଥା | ସେମାନେ ପୂର୍ବେ ଯେଉଁ ଘରେ ରହୁଥିଲେ ସେଠି ଟ୍ରେନର ଶବ୍ଦ ଖୁବ ଶୁଣାଯାଉଥିଲା | ସେ ନୂଆ ନୂଆ ଶୋଇ ପାରେନା ସେଇ ଶବ୍ଦରେ | ଖାଲି କଣ ଶବ୍ଦ ଘରଟା ସାରା ଥରିଉଠେ ଲାଗେ ସତେକି ଭୂମିକମ୍ପ ଆସିଲା | କିନ୍ତୁ କିଛିଦିନ ପରେ ଥରେ ତା ଭଉଣୀ ଆସି କହିଲା ତୁମେ ଏତେ ଶବ୍ଦରେ ଶୁଆ ବସା କେମିତି କରୁଛ? ସେତେବେଳେ ତାକୁ ଲାଗିଲା ବହୁତ ଦିନ ହେଲାଣି ସେମାନେ କାଇଁ ଟ୍ରେନ ଶବ୍ଦ ଶୁଣିନାହାଁନ୍ତି ତ!!..ତେବେ ସେ ତ ଗୋଟିଏ ପ୍ରକାର ଶବ୍ଦ ଥିଲା ତେଣୁ ଅଭ୍ୟସ୍ତ ହେଇଯାଇଥିଲା କିନ୍ତୁ ଏଇ ପାଟିତୁଣ୍ଡ!!!..


  ଏଇ ଆଶଙ୍କା ସେଦିନ ଅନସୂୟା, ମହାନ୍ତି ବାବୁ ସେଇ ବ୍ରୋକରକୁ ବି କହିଥିଲା | ଘର ଖୁବ ପସନ୍ଦ ହେଇଥିଲା ତାର କିନ୍ତୁ ଏଇ ଲୋକେସନଟା ପସନ୍ଦ ନଥିଲା ତାର | କିନ୍ତୁ ଅଭିନଵ ତା କଥାକୁ କାଟି କହିଲେ ସବୁ ଖୋଜିଲେ ମିଳିବ ଅନୁ? କିଛିରେ ତ ସାଲିସ କରିବାକୁ ହେବ!! ତା ପରେ ଆମେ ତ ଏତେ ଉପରେ ରହିବା ସେମାନେ ପଛରେ କଣ କରିବେ କରନ୍ତୁ ଆମକୁ କଣ ଫରକ ପକାଇବ? ପୁଣି ପାଖରେ ବସ୍ତି ଟିଏ ଥିଲେ ଲୋକବାକ କାମକୁ ମିଳିବେ ତେଣୁ ସେଇ କଥାକୁ ଆଉ ଧରନି | ସତକଥା ସେମାନେ ବିଗତ ପନ୍ଦର ଦିନରେ ପଚାଶ ପାଖାପାଖି ଘର ଦେଖିଲେଣି କୋଉଟା ପସନ୍ଦ ହେଇନି ଆଉ କେତେ ବି ଦେଖିବେ? ତେଣୁ ବାଧ୍ୟ ହେଇ ହଁ କରିଥିଲା ଆଉ ତାର ପ୍ରତିଫଳ ଏବେ ଭୋଗୁଛି | ପ୍ରତିଦିନ ସକାଳୁ ସୂର୍ଯ୍ୟ ଉଦୟ ହେଇନଥିବ କି ଆରମ୍ଭ ହେଇଯାଏ ପାଟିତୁଣ୍ଡ ମାଡଗୋଳ ବିରକ୍ତ ହେଇଯାଏ ଅନସୂୟା |ଆରେ ମଣିଷ ଦିନଟା ସାରା ଖଟିବ ସକାଳଟା ଟିକିଏ ଭଲରେ ଶାନ୍ତିରେ କଟିଲେ ସିନା... କିନ୍ତୁ ନା . ଏଇ ବସ୍ତିବାଲାଙ୍କ ନିତିଦିନିଆ ପାଲା ଏଟା ସକାଳ ନ ଦଶ ଯାଏଁ ଚାଲେ.. ଏମିତି ବି ସାରାଦିନ ଛୋଟ ପିଲାଙ୍କ ହୋ ହା ଚାଲିଥାଏ କିନ୍ତୁ ସେ ସବୁ ସହଣୀୟ.. ହେଲେ ଏଇ ଅପଶବ୍ଦ ଆଉ ମାଡଗୋଳ ଶୁଣିଲେ ତା ରକ୍ତ କାହିଁ ତାତି ଉଠେ!! ଆଜିବି ସକାଳୁ ଆରମ୍ଭ ହେଇଯାଇଛି... କିଏ ଗୋଟିଏ ସ୍ତ୍ରୀଲୋକ କେତେ ପାଟି କରୁଛି.. କାହିଁ ସେ ରାଗରେ ଆଉଥରେ ଧଡ଼ କରି କବାଟ ବନ୍ଦ କରିଦେଲା | ଘର କାମ ପାଇଁ ପଡିଶା ଘର କାମବାଲୀ ସବିତାକୁ କହିଥିଲା ଲୋକ ଟିଏ ଦେଖିଦେବାକୁ ଯେ ସେ ଆଜି କାହାକୁ ନେଇ ଆସିବ କହିଛି | ଘର କାମ ଅଭ୍ୟାସ ଛାଡିଲାଣି ଆଉ କରିହେଉନି!! ସବିତାକୁ କରିବା ପାଇଁ କହିଲାରୁ ସେ ପାଞ୍ଚ ଘର ଧରିଛି ଆଉ ସମୟ ଦେଇପାରିବନି କହିଲା.. କାହାକୁ ପୁଣି ନେଇକି ଆସିବ କେଜାଣି?


    ଚାହା କପେ ଧରି ବାଲକୋନିରେ ବସିବାକୁ ଯାଉଛି କି ଦାଣ୍ଡରେ କିଏ ବେଲ ମାରିଲା | ଏତେ ସକାଳୁ କିଏ ବୋଲି ଉଠି କବାଟ ଖୋଲିଲା ଅନସୂୟା କି ସାମ୍ନାରେ ସେବତୀ ଦାନ୍ତ ଦେଖାଇ ଠିଆହେଇଛି | ଆରେ କଣ ହେଲା? ତୋ ଲୋକ ଆଣିବା କଥା କଣ ହେଲା? ଅନସୂୟା ତାକୁ ଏକା ଦେଖି ପଚାରିଲା | ହେଇଟି ପରା ସାଙ୍ଗରେ ନେଇକି ଆସିଛି.. ଆଲୋ ଅସୁନୁ କଣ ନୂଆବୋହୂ ହେଇଛୁ ଯେ ଲୁଚିକି ଠିଆ ହେଇଛୁ? ଅନସୂୟା କିଏ ଆସିଛି ଦେଖିବାକୁ ଟିକିଏ ବେକ ଲମ୍ବାଈ ଚାହିଁଲା | ସେବତୀ ପଛରୁ ହଳଦିଆ ଶାଢ଼ୀ ପିନ୍ଧି ସ୍ତ୍ରୀ ଲୋକଟିଏ ବାହାରିଲା | ଆରେ.... କହି ଅନସୂୟା ଟିକିଏ ଚିନ୍ତା କଲା କି ଠିକ ଏମିତି ଶାଢ଼ୀ ପିନ୍ଧା ସ୍ତ୍ରୀ ଲୋକଟିଏ କୋଉଠି ଦେଖିଛି? ହଁ.. ହଁ.. ଠିକ ମନେପଡ଼ିଲା ତାରି ପଛ ବସ୍ତିରେ ତ.. ଆଜି ସକାଳେ ହିଁ ବୋଧହୁଏ ଗଳାଫଟାଇ ସମ୍ପୁ ଥିଲା ସେଇ ପତଳା ହେଇ ଲୋକ ତାକୁ!! ତାର ଆଗ୍ରହ ମରିଯାଇଥିଲା.. କେମିତି ଲୋକଟିଏ ଆଣିଲ ସବିତା? ଏ ତ ପକ୍କା କଳେହି ପରି ଲାଗୁଛି ୟାକୁ ନେଇ କାମ କରାଇପାରିବ ସେ?? ଯେ ପୁରୁଷ ଲୋକକୁ ଏତେକଥା ଶୁଣାଉଛି ସେ ତାକୁ ଛାଡିବ?? ନିହାତି ମୁହଁଖୋର ହେଇଥିବ ତା ଚେହେରାରୁ ଲାଗୁଛି!! କଣ କରିବ ସବିତାକୁ କହି କହି ତାକୁ ଧରି ଆସିଛି ମନାକରିଦେଲେ ପୁଣି ହଇରାଣ ହେବ କଣ କରିବ? ଦେଖିବା କଣ ହେଉଛି କହି ତୋ ନା କଣ? ବୋଲି ପଚାରିଲା | ମୋ ନା ଦୁଲେଇ ମାଆ... ଘରେ ସବୁ ଦୁଲି ଡାକନ୍ତି..| ଆରେ ଏବେ ତ ସ୍ୱର ଏମିତି ମଧୁର ଶୁଭୁଛି ସକାଳେ ଚିତ୍କାର କରି ସାହି ଫଟାଉଥିଲା!!ଏଟା ସେଇ ସ୍ତ୍ରୀ ଲୋକ ତ ନା ସେଇମିତି ଶାଢୀଟେ ଇଏ ବି ପିନ୍ଧିଚି? ବୋଲି ଭାବି ସେ ପଚାରିଲା ରହୁଚୁ କୋଉଠି? ସେ ଟିକିଏ ହସି କହିଲା ଏଇ ତୁମ ବାରିପଟେ ମା... ତୁମ ଖିଡ଼ିକି ଖୋଲିଲେ ଦିଶିବ... ଦୁଲି କହିଲା | ଓହୋ ତା ହେଲେ ତା ଅନୁମାନ ପୁରା ଠିକ ତେବେ କଣ କରିବ? ଯାହା କାମ କହିଲା ମାନିଲା. ପଇସା ବି ତ ଠିକ କହିଲା କଣ କହି ମନାକରିବ ଭାବିପାରିଲାନି ତେଣୁ ଠିକ କଲା କାମକୁ ଆସୁ ଦେଖିବା ଯଦି ବେଶୀ କଥା କହିଲା ବରଂ ତାକୁ ମନା କରିଦେବ...| କିନ୍ତୁ ତା ମନଟା ଖଟା ହେଇଗଲା କାମବାଲୀଟେ ମିଳିଲା ଯେ ସେ ପୁଣି ମୁଖରା ଦେଖାଯାଉ କଣ ହେଉଛି!! ସକାଳୁ ଆସିବି କହି ସେ ଚାଲିଗଲା | 


  ପରଦିନ ସକାଳୁ କାମରେ ଆସି ଠିକ ସମୟରେ ପହଞ୍ଚି ଯାଇଥିଲା | ତା କାମ ଓ ବ୍ୟବହାର ବହୁତ ଭଲ ଲାଗିଥିଲା ଅନସୂୟାକୁ... ସେ ଭାବୁଥିଲା ଗୋଟିଏ ଝଲକରେ ଜଣକୁ ବିଚାର କରିବା ବହୁତ ଭୁଲ |ଏତେ ଧୀର ସ୍ଥିର ଶାନ୍ତ ସ୍ତ୍ରୀ ଲୋକଟା ସେଦିନ ଏମିତି ରଡି ଛାଡୁଥିଲା କାହିଁକି? ଭାବେ ପଚାରିବି କିନ୍ତୁ କାହାର ନିଜ ଜୀଵନ ପରିଧିରେ ପ୍ରବେଶ ତାକୁ ଭଲ ଲାଗେନି ତେଣୁ ପୁଣି ଚୁପ ରହିଯାଏ | ଏମିତି ଚାରି ପାଞ୍ଚ ଦିନ ଯାଇଛି ଆଉଥରେ ସେଇ ପାଟି ଶୁଣି ଅନସୂୟା କବାଟ ଖୋଲି ଦେଖି ଚମକି ଗଲା ଆରେ ଏ ତ ଦୁଲେଇ ପୁଣି ରଡୁଛି.. ହାତ ଗୋଡ଼ ଛିଞ୍ଚାଡି କାହାକୁ ଅଭିସମ୍ପାତ ଦେଇଚାଲିଛି | ବିରକ୍ତ ହେଇଗଲା ଅନସୂୟା ଏ ସ୍ତ୍ରୀ ଲୋକଟା ଅଭିନୟ କରୁନି ତ ତା ସାମ୍ନାରେ? ଆଜି ଆସୁ ସବୁ ବୁଝିବି ଇଚ୍ଛା ହେଲେ ରହିବ ନହେଲେ ଚାଲିଯିବ!! ପ୍ରାୟ ଘଣ୍ଟାଏ ପରେ ଦୁଲେଇ ଆସିଲା କାମକୁ ମୁହଁ ତାର ଶୁଖିଯାଇଥାଏ.. ଖୁବ କାନ୍ଦିଛି ବୋଧହୁଏ ଆଖି ଫୁଲି ଲାଲ ଦେଖା ଯାଉଥାଏ | ଅନସୂୟା ସବୁ ଜାଣି ବି ତାକୁ ପଚାରିଲା ତୋ ଦେହ ଭଲ ନାଇକି ମୁହଁ ଏମିତି ଦିଶୁଛି? ସେ ଟିକିଏ ଆଡେଇଯାଇ କହିଲା ନା... ମାଆ ଠିକ ଅଛି | ସେ ତଥାପି କିଛି କହିଲନି ଅନସୂୟା ପଚାରିବ ପଚାରିବ ହେଇ ରହିଗଲା |ପରଦିନ ସବିତାକୁ ପଚାରିବାରୁ ସେ କହିଲା ତା କଥା ପଚାରନି ମାଆ ଜନ୍ମ ଦୁଃଖିନୀଟାଏ | ଜନ୍ମରୁ ମାଆ ମରିଗଲା ଯେ ଜେଜୀ ପାଖେ ମଣିଷ ହେଲା | ବାପାଟା ତା ଘୋଡା ମଦୁଆ ପିଇବା ପାଇଁ ଟଙ୍କା ନେଇ ଝିଅକୁ ବୁଢା ବରକୁ ଦେଇଦେଲା | ସେ ତ ଖାଲି ବୁଢା ନଥିଲା ସବୁ ପ୍ରକାର ରୋଗ ଧରିଥିଲା ଯେ ବରଷ ପାଞ୍ଚଟାରେ ଉଠିଗଲା | କୋଳରେ ଦୁଇ ବରଷର ଛୁଆକୁ ନେଇ ଖାଲି ହାତରେ ଘରକୁ ଫେରିଲା ସେ | ହେଲେ ସେ ତ ଚୁଡ଼ି ସିନ୍ଦୂର ଲଗାଉଛି? ଆଶ୍ଚର୍ଯ୍ୟ ହେଇ କହିଲା ଅନସୂୟା ହଁ ମାଆ ଏଇ ଯୋଉ ମଦନା ଅଛି ସେ ପରା ସିନ୍ଦୂର ପିନ୍ଧାଇ ପୁଅକୁ ତାକୁ ଘରକୁ ନେଲା ଯେ ତା ଘର ଲୋକେ ତାକୁ ଘରୁ କାଢ଼ିଦେଲେ | ସେଇଦିନୁ ଏଇଠି ରହିଛନ୍ତି | ହେଲେ ଇଏ ଏତେ ମାଡ଼ଗୋଳ କାହା ସଙ୍ଗେ ଲାଗୁଛି ବହୁତ ପାଟି କରୁଛି ତ... ଅନସୂୟା କହିଲା | ଦୀର୍ଘଶ୍ୱାସ ପକାଇ ସବିତା କହିଲା ଆଉ କାହାସଙ୍ଗେ ଲାଗିବ ମାଆ... ନିଜ ପୋଡା ଭାଗ୍ୟକୁ କୋଶୁଛି | ପୁଅଟା ବାପ ରୋଗ ଆଣିଛି କି କଣ ସବୁବେଳେ ସୁକୁସୁକୁ ହେଉଛି | ଯେତେ ପଇସା ତା ଓଷରେ ଯାଉଛି | ମଦନାଟା ବଡ଼ ଖଟୁଥିଲା ପିଲାକୁ ଭଲ କରିବାକୁ ଯେ ଏବେ ତା ଦିହ ବି ଭଲ ରହୁନି!|ପିଲାକୁ ଓଷ ଦେବ କହି ଥରକୁ ଥର ଯାଇ ରକତ ବିକିଲେ ଦେହ ରହିବ ମାଆ? ତାକୁ ଦୁଲି ଟାଣ କରି କହିଥିଲା ତୁ ଆଉ ରକତ ଦେବୁନି... ହେଲେ ଓଷକୁ ପଇସା ନହେଲେ ସେ ପୁଣି ରକତ ଦେଇଦିଏ ଆଉ ସେଦିନ ଦୁଲି ଜାଣି ଖୁବ ପାଟି କରେ ରାଗେ ଆଉ କାନ୍ଦି କାନ୍ଦି ଚୁପ ରହେ | କି ଭାଗ୍ୟ କୁହ ମାଆ?? ଗରୀବ ଉପରେରେ ହିଁ କୋରଡ଼ା ମାଡ଼ କେତେ ବଡ଼ ଲୋକ ଅଛନ୍ତି ଲକ୍ଷ ଲକ୍ଷ କମଉଛନ୍ତି ତାଙ୍କୁ କିଛି ଅସୁବିଧା ନାଇଁ ଅଥଚ ଶାଗ ପଖାଳ ଟିକକ ପାଇଁ ମରୁଥିବା ଲୋକକୁ ରୋଗ ବି ଠାକୁର ବାଛି କି ଦେଇଛନ୍ତି କଣ କହିବ!! ତାକୁ କହିବନି ମାଆ ସବିତା କହୁଥିଲା ବୋଲି.. ସେ କାହା ଆଗରେ ନିଜ ଦୁଃଖ କହିବାକୁ ଭଲ ପାଏନି...


  ଅନସୂୟା ଅନୁଭବ କଲା ତା ଆଖି କେତେବେଳେ ଭିଜି ଯାଇଛି | ସତରେ କେତେ ସୁନ୍ଦର ବୁଝାମଣା ତାଙ୍କର ନିଜର ସାବତ ପୁଅ ପାଇଁ ବାପା ରକ୍ତ ବିକି ପଇସା ଆଣୁଛି... ସତରେ କୁଡ଼ିଆ ଭିତରେ ବି ଏତେ ସୁନ୍ଦର ସମ୍ପର୍କ ରହିଛି ଅଥଚ ସେ ଆଜି ଯାଏଁ ଭାବୁଥିଲା କୁଡ଼ିଆରେ ପଶୁଠାରୁ ବି ହୀନ ମଣିଷ ମନେ ରୁହନ୍ତି ଆଉ ସବୁ ଅପରାଧ ପ୍ରବୃତ୍ତିର ହେଇଥାନ୍ତି କିନ୍ତୁ ଦୁଲେଇ ମଦନା ପରି ଏମିତି କେତେ ସମ୍ପର୍କ ସେଇ କୁଡ଼ିଆ ଭିତରେ ଗଢି ପୁଣି ଝଡି ଯାଆନ୍ତି ସମସ୍ତଙ୍କ ଅଜାଣତରେ...


 ମୋ କଥାଟି ସରିଲା,ଫୁଲ ଗଛଟି ମରିଲା ।



Rate this content
Log in

Similar oriya story from Inspirational