ବାଃ..ବାଃ ରେ ଶ୍ରବଣ
ବାଃ..ବାଃ ରେ ଶ୍ରବଣ
“ ଶ୍ରବଣ!....... ଶ୍ରବଣ ରେ......... ବାପ ପାଣି ମୁନ୍ଦେ ଦେଲୁ। ” ବୃଦ୍ଧାଶ୍ରମରେ ବୁଢ଼ାଟିଏ କେତେବେଳୁ ଏହି ଗୋଟିଏ ବାକ୍ୟର ପୁନରାବୃତ୍ତି କରି ଚାଲିଥାଏ। ସେଠାରେ ଥିବା ପରିଚାରିକା ଜଣଙ୍କ ପାଣି ଗ୍ଲାସଟେ ଆଣି ବୁଢ଼ାକୁ ଉଠାଇ ପାଣି ଦୁଇ ଚାରି ଢୋକ ପିଆଇ ଦେଲେ। ବୁଢ଼ା ସେ ପରିଚାରିକା ଜଣଙ୍କୁ ଏକ ଜିଜ୍ଞାସା ଭରା ଦୃଷ୍ଟି ନିକ୍ଷେପ କରି ପଚାରିଲା, “ ଝିଅ ! ମୋ ପୁଅ କଣ ଏଯାଏଁ ଘରକୁ ଆସିନି??” ବୁଢ଼ା ଆଖିରେ ଏତେ ଆଶାର ବସା ଦେଖି ପରିଚାରିକା ଜଣଙ୍କ କେବଳ “ନାହିଁ” କହି ସେଠାରୁ ଚାଲିଗଲେ। ବୁଢ଼ା ଏକ ନିରାଶାର ମୁହଁ ନେଇ ବସି ରହିଲା କିଛି ସମୟ।
ବୟସ ସତୁରୀ ଡେଇଁଲାଣି । କ୍ଷୀଣ ଶରୀର, ଠାକୁରା ମୁହଁ । ଅନେକ ଦିନରୁ ପୁଟୁଳିରେ ବାନ୍ଧି ରଖିଥିବା ଲୁଗା ଭଳି, ଏକ ଲୁଚା କୋଚା ଚମଡ଼ାର ଆସ୍ତରଣ ଟିଏ କିଏ ଢାଙ୍କି ଦେଇଥାଏ ଗୋଟିଏ ମଣିଷ କଙ୍କାଳ ଉପରେ। ବୁଢ଼ାଟିର ଅବସ୍ଥା ଦେଖିଲେ ଜଣେ ରୁକ୍ଷ ଓ ଶକ୍ତ ଲୋକର କଣ୍ଠରୁ ମଧ୍ୟ ଝରି ପଡ଼ିବ “ଆହାଃ” ପଦେ। ଖୁଁ... ଖୁଁ ହୋଇ କାଶି ପୁଣି ଶୋଇ ପଡ଼ିଲା।
ସମସ୍ତଙ୍କ ଭଳି ବୁଢ଼ାର ମଧ୍ୟ ଗୋଟିଏ ପରିବାର ଥିଲା। ବୁଢ଼ୀ ମାଆ, ସ୍ତ୍ରୀକୁ ନେଇ ଛୋଟିଆ ସଂସାର। ମୂଲ ଲାଗି ଯାହା ଆଣେ ସଭିଏଁ ଖୁବ୍ ଆରାମରେ ଚଳି ଯାଆନ୍ତି। ସୁଖ ଶାନ୍ତିର ପରିବାରରେ ଗୋଟିଏ ଦୁଃଖ ଥିଲା, ସନ୍ତାନଟିଏ ନାହିଁ। କେତେ ପୂଜା କେତେ ମାନସିକ କରି ଶେଷରେ ଠାକୁରେ ତା ଡାକ ଶୁଣିଲେ। ପୁଅଟିଏ ହେଲା, ସମସ୍ତେ ଖୁସି। ପୁରାଣରୁ ଶୁଣିଥିଲା ଶ୍ରବଣ କୁମାର ବିଷୟରେ, ପୁଅକୁ ସେହିଭଳି ତିଆରି କରିବ ଭାବି ନାଁ ରଖିଥିଲା, ଶ୍ରବଣ। ତାରି ପଛରେ ସବୁ ଶକ୍ତି,ସାମର୍ଥ୍ୟ ଓ ଟଙ୍କା ଲଗାଇ ଦେଲା, ପୁଅ ପାଠ ପଢ଼ି ଭଲ ମଣିଷ ହୋଇ ତା ନାଁ ରଖିବ ବୋଲି। ପୁଅ ବଡ଼ ତ ହେଲା, ପାଠ ମଧ୍ୟ ଭଲ ପଢ଼ିଲା, ବଡ଼ ଚାକିରି ଖଣ୍ଡିଏ କରିଲା, କିନ୍ତୁ ଭଲ ମଣିଷଟିଏ ହୋଇ ପାରିଲା ନାହିଁ। ୟା ଭିତରେ ବୁଢ଼ାର ମାଆ ଓ ସ୍ତ୍ରୀ ବୁଢ଼ା କୁ ଏକା କରି ଆର ପାରିକୁ ଚାଲି ଗଲେଣି। ପୁଅ ରହେ ସରକାରୀ ବସା ଘରେ, ନିଜର ଅନ୍ୟ ସହକର୍ମୀ ମାନଙ୍କ ସହ। ବୁଢ଼ା ମଧ୍ୟ କିଛି ଦିନ ଯାଇ ସେଠାରେ ରହିଲା। କିନ୍ତୁ ପୁଅର ବାହାଘର ପରେ, ଯେମିତି ସବୁ କିଛି ବଦଳି ଗଲା। ବୁଢ଼ାର ବୋହୁକୁ ଲାଜ ଲାଗିଲା, ବୁଢ଼ାକୁ ଘରେ ରଖିବା ପାଇଁ, ପୁଅର ମଧ୍ୟ ସେଇ କଥା। ବୁଢ଼ାର ଧିରେ ଧିରେ ଦେହ ଖରାପ ହେଲା, ଏବେ ପୁଅ ବୋହୁଙ୍କ କଥା ଅସମ୍ଭାଳ ହେଲା। ବୁଢ଼ାକୁ ନେଇ ଛାଡ଼ି ଆସିଲେ, ବୃଦ୍ଧାଶ୍ରମରେ।
ବୁଢ଼ା ପନ୍ଦର ଦିନ ପାଖାପାଖି ସେଇ ଭଳି ପଡ଼ି ରହିଲା ଆଶ୍ରମରେ, ଆଜି ସକାଳେ ଦେଖା ଗଲା ଯେ, ବୁଢ଼ା ଆଉ ଶ୍ରବଣକୁ ଡାକୁ ନାହିଁ କି ଆଖି ଖୋଲୁନାହିଁ।
ବୁଢ଼ା ବୋଧେ ସ୍ଵର୍ଗରେ ଥାଇ ଖାଲି ଏତିକି କହୁଥିବ, ‘ ବାଃ.... ବାଃ...ରେ ଶ୍ରବଣ।’
