ଅସ୍ତ ରାଗ
ଅସ୍ତ ରାଗ


ଅଙ୍କଲ ମୋ ସାଂଗରେ ଆମ ଗାଁକୁ ଯିବ ନା? ମୁଁ ତୁମକୁ ଆମ ଗାଁ ନଈ ପଠାକୁ ନେଇ ଯିବି। ନଈ ପଠାର କେତେ କାଶତଣ୍ଡୀ ଫୁଟେ।ଗାଧୋଇ ଫେରିବା ବେଳେ ଗୁଛେ ଗୁଛେ ମୁଁ ନେଇଆସେ। ଆମ ସାଂଗମାନେ ମିଶି ପାଦ ଉପରେ ବାଲି ଲଦି ପଲା ତିଆରିକରୁ। ସାରୁ ପତ୍ରରେ ଧରିଆଣିଥିବା କଙ୍କିକୁ ପଲା ଭିତରେ ଛାଡି ଦେଇ ତା'ମୁହଁବନ୍ଦ କରିଦେଉ।ଜାଣିଛ,ମନରେ ଭାରି ଦୟା ଆସେ ।ପୁଣି ମୁହଁ ଖୋଲି ଦେଉ କଙ୍କି ଉଡି ଯାଏ। ବାଲିରେ ତିନି ଠାକୁରଙ୍କର ଚିତ୍ରଆଙ୍କୁ ଶେଷରେ ଘରକୁ ଫେରିବା ବେଳେ ସବୁ ଭାଙ୍ଗିଦେଇ ଆସୁ।ଆମଗାଁ ନଈ ବାଲି ରେ ସୁନା ଅଛି ବୋଲି ସମସ୍ତେ କୁହନ୍ତି।ସେଥି ପାଇଁ ଆମ ଗାଁ ତଳେ ବହି ଯାଉ ଥିବା ନଈ ର ନାଁ ସୁନ।
ଏଇ ଅଙ୍କଲ୍ ,ଶୁଣୁଛନା? ମୋ ବୁଢୀମା' କୁ କେତେ ଦିନ ହେଲା ଦେଖିନାହିଁ। ସେ ମୋତେ ବହୁତ ଖୋଜୁ ଥିବ ।ସିଏ ମୋତେ ବୁଢି ଅସୁରୁଣୀ ଗପ କହି କି ଶୁଆଇ ପକାଏ। ସୁମିର ବୟସ ଆଠ କି ନଅ।ଏଇଠି ଲଢୁଛି କ୍ୟାନସର ସହିତ ।
ନିଷ୍ପାପ,ନିସ୍କପଟ ଝିଅଟିକୁ ଦେଖିଲେ ରବିରାଜ୍ ଆଖିରେ ଲୁହ ଟଳମଳ ହୁଏ। ସିଏ ବସିଥାଏ ମଝିରେ ଗୋଟେ ଟୁଲ୍ ରେ। ବାଁ ପାଖରେ ତା ମା'ଡାହାଣ ପାଖରେ ସୁମି।ଦୁଇଟି ବିଛଣା ରେ ଦୁଇଜଣ ସୋମ୍ ହସ୍ପିଟାଲରେ ଛଟ ପଟ ହେଉଛନ୍ତି ଯନ୍ତ୍ରଣାରେ।
ରବିରାଜ୍ ମଝିରେ ରହି ସନ୍ତୁଳି ହେଉଛି।ଅବଗଣନା କରୁଛି ପ୍ରତି ମିନଟ୍।
କାହିଁକି କେଜାଣି ମାୟା ଲାଗିଯାଇଛି ଝିଅଟା ପାଖରେ!
ସେ ଭାବେ ରୋଗରବି କିଛି ଅକଲ୍ ନାହିଁ ? ବକଟେ ନାଆଁକୁ ଝିଅଟାକୁ ମାଡିବସିଲା!ଟିକିଏ ବି ଦୟାହେଲାନି!!-ପୁଣିଦୂରାରୋଗ୍ୟ କ୍ୟାନସର୍। ତା' ମା ' ଏଠି ଭର୍ତି ହେବାର ମାସେ ପରେ ସୁମି ଭର୍ତି ହେଲା।ସେ ଜାଣିଛି ଦୁଇ ଜଣ ଜାକ ମରଣର ପାଦ ଦେଶରେ।କେତେ ବେଳେ କିଏ ଯିବ,କିଏ ଜାଣେ?
ତାର ଇଛା ହୁଏ ,ଏଦୁଇ ଜଣଙ୍କ ମରଣ ଦେଖିବା ଆଗରୁ ସେ କୁଆଡେ ପଳେଇ ଯାନ୍ତା'।ଏମାନଙ୍କର ହୃଦୟ ବିଦାରକ କ୍ରନ୍ଦନ ଆଉ ଶୁଣନ୍ତା ନାହିଁ। ସେ ଟୁଲ୍ ଟା ଉପରେ ବସୁବସୁ ଢୁଳେଇ ପଡେ।କେତେବେଳେ ବି ସୁମି ବେଡ୍ ରେ ମୁହଁ ଯାକି ଶୋଇପଡେ।ପୁଣି କାହା କାନ୍ଦଣା ରେ ଚମ୍ କି ଉଠିପଡେ। ସେମାନଙ୍କର ଅନ୍ତରର ଆବେଦନ ସେ ଶୁଣି ପାରେ ଯେମିତି!କେହି .ଜଣେ କହୁଚି "ହେପ୍ରଭୁ !ମୋତେ ଯେତେ ଶିଘ୍ରପାର ନେଇ ଯା ଅ। ମଝିରେ ମଝିରେ ସୁମିର ଡାକରା ଅଙ୍କଲ୍,ତମକୁ ନିଦ ଲାଗୁଚି? ମୋତେ ଜମାରୁ ନିଦନାହିଁ।ମୋତେ କାହି୍ଁକି ଏତେ କଷ୍ଟ ଲାଗୁଚି? କିରୋଗ ହେଇଚି ମୋତେ ?କୁହନା ଅଙ୍କଲ୍।"
ରବିରାଜ୍ ଚୁପ ରୁହେ।ସଜଳ ହୋଇଯାଏ ଆଖି ଯୋଡାକ।
ସୁମି କୁ କ୍ୟାନସର ୱାଡ୍ ରେ ଭର୍ତି କରିଦେଇ ଲାଇସେନସ୍ ଟିଏ କରି ତା'ବାପା ଅଟୋରିକ୍ସା ଚଲଉଛି।ମା' ଗାଁରେ ରହି ଚାଷବାସ କଥା ବୁଝୁଛି। ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ଯେତିକି ରୋଜଗାର କରେ ନିଜ ଖାଇବା ପାଇଁ ପଇସା ରଖି ବାକିତକ ପଇସା ରେ ଝିଅ ପାଇଁ ମେଡିସିନ୍ ଇଂଜେକ୍ସନ କିଣି ଦେଇଯାଏ।ଭୁବନେଶ୍ବର ଆସିବା ଦିନଠାରୁ ଘର କଥା ବୁଝି ପାରୁନି।
ସେ ଥରେ ରବିରାଜ୍ ହାତ ଧରି ପକେଇ କହିଲା"ବାବୁ,ମୋ ଛୁଆ ତମକୁ ଲାଗିଲା ।ମୁଁ ତାକୁ ଜଗି ବସିଲେ ତା ଖର୍ଚ ଆଣିବି କଉଠୁ? ଭଗବାନ୍ ଆମପରି ଗରିବ ଲୋକଙ୍କୁ ଏମିତିଦଣ୍ଡ ଦେଲେ.....।
ଆଉ କଥା କହି ପାରିଲାନି ସେ।ଗାମୁଛା ରେ ଲୁହ ପୋଛିଲା।
ଲୁହ ଛଳଛଳ ହୋଇ କହିଲା ମୋ ଝିଅର ସମୟ ଆଉ ବେଶୀ ଦିନ ନୁହେଁ ତା ବୋଲି କଣ ଝିଅଟାକୁ ଫୋପାଡିଦେବି? ଏଇଟାକୁ କଣ କଉଠାରୁ ଗୋଟେଇ ଆଣିଛି?"
ରବି ରାଜ୍ ଲୁହ ଅଟକାଇ ପାରେନାହିଁ। ତା'ମା'ଠାରୁ ସୁମି କଥା ସେ ବେଶୀ ଚିନ୍ତା କରେ। ତା' ମା'ତ ପାଚିଲା ତାଳ ,କେତେବେଳେ ଖସି ପଡିବ କିନ୍ତୁ ସୁମି ବିଚାରି!....?
ସୁମି ଡାକରେ ସେ ମନସ୍କ ହେଲା।
ସେ ପଚାରିଲା",ଅଙ୍କଲ୍ ,ତମେ ଆଖି ବୁଜିଚ କାହିଁକି?ତୁମ ମା' କଥା ଭାବୁଚ?
ତୁମ ମା'ର କଣ ହେଇଛି?
ରବି ରାଜ୍ ନୀରବ।
ପ୍ରଗ୍ଳଭା ସୁମି କିନ୍ତୁ ଛାଡୁନଥିଲା,"ଜାଣିଚ ଅଙ୍କଲ୍,ବାପା କହୁଥିଲେ,ଆଉ ଅଳ୍ପ ଦିନ ପରେ ମୋତେ ଗାଁକୁ ନେଇ ଯିବେ।ଅଙ୍କଲ୍,ସେପଟେ କୁଆଡେ ଚାହିଁଚ? ଓହୋ....ସେଇ ଲୋକମାନେ କାନ୍ଦୁଛନ୍ତି କାହିଁକି?
ସେଇ ଲୋକଟା ଉପରେ ଧଳା ଚଦର ଘୋଡେଇ ଦିଆଯାଇଚି କାହିଁକି?
କୁହନା ଅଙ୍କଲ୍।"
ରବି ରାଜ୍ ମୁହଁ ଖୋଲିଲା,"
ସିଆଡେ ଚାହାଁନା-ହଁ କଣ କହୁଥିଲୁ? ସେତେବେଳକୁ କହୁ ଥିବା କଥା ସେ ଭୁଲି ଗଲାଣି, ରବି ରାଜ୍ କୁ ହଲେଇ ଦେଇ କହିଲା,"ଅଙ୍କଲ୍,ମୋ ସାନ ଭାଇ କୁନା ନା ଭାରି ଦୁଷ୍ଟ। ତା ମା' ତାକୁ ବଡ ରାଗେ।"
ରବି ରାଜ୍ ପଚାରିଲା,"ତା ମା' କଣ ତୋ ମା'ନୁହେଁ?
ନା,ସେ ମୋ ମା ନୁହେଁ ବୋଲି ବୁଢୀ ମା 'କୁହେ। ସେ ତା ବାପଘରେ ରହେ ।
ତାକୁ ମୁଁ ପଚାରେ ,"ସେ ଆଉ କଣ ଏଠିକୁ ଆସିବନି?"
ସେ କୁହେ", ଆସିବ ଛାନିଆ ହଉଚୁ କାହିଁକି?"
ରବିରାଜ୍ ଜାଣି ପାରେ ସୁମି ମା'ଛେଉଣ୍ଡ ।ଇଏ ଯଉ କୁନା କଥା କହୁଛି ସିଏ ତା' ସୋଦର ନୁହେଁ।ବିଚାରୀ ର ମା' ମରି ଯାଇଚିବୋଲି ତାକୁ କେହି କୁହନ୍ତି ନାହିଁ। ସେଥି ପାଇଁ ତା' ବୁଢିମା' ତାକୁ ପାଖରେ ଶୁଆଏ।
ସୁମି ଅନୁଯୋଗ କରେ"ଅଙ୍କଲ୍ ,ମୋତେ କୁନା ତା' ମା' ପାଖରେ ଶୋଇବାକୁ ଦିଏନି-ମୋତେ ଗୋଇଠା ମାରେ। ମୁଁ ରାହା ଧରି କାନ୍ଦିଲେ,ବୁଢୀମା' ମୋତେ କାଖେଇ ନେଇ ଆସେ। ଗୀତ ଗାଇ ମୋତେ ଶୁଆଇ ଦିଏ।ତୁମେ ଜାଣିନ ଅଙ୍କଲ୍,କୁନା ମା' କୁନାକୁ ବେଶୀ ଭଲ ପାଏ।ମାଂସ ତରକାରୀ ତାକୁ ଲୁଚେଇ ଖାଇ ବାକୁ ଦିଏ।ଭଲଜାମା,ଖେଳଣା,ଚପଲ କିଣି ଆଣି ଦିଏ।ମୁ୍ଁ ତା'ଖେଳଣା ଧରିଲେ ମୋତେ ମାରେ।ମୁଁ ତା' ଦେହରେ ହାତ ଦେଲେ ତା' ମା'କୁ କହିଦିଏ।ତା' ମା' ଆସି ମୋତେ ଗଡେଇ ପଡେଇ ମାରେ ବିଛୁଆତି ଛଡରେ । ମୋ ଦେହଟା ଯାକ ଫଳିଯାଏ ।ମୁଁ କୁଣ୍ଡଇେ କୁଣ୍ଡଇ ଲହୁ ବାହର କରି ଦିଏ। ମୋ ଲହୁ ଦେଖି ବୁଢୀମା' କାନ୍ଦେ। ଗେଣ୍ଡୁ ପତ୍ର ମକଚି ମୋ' ଘାରେ ଲଗାଇ ଦିଏ। ରବି ରାଜ୍ ଦୁଃଖରେ ଭାଙ୍ଗିପଡେ:ଏଇ ଝିଅ ଟି ଏତେ ଅଭାଗିନୀ,ଛୋଟ ବେଳେ ମା'କୁ ହରେଇଛି।ବୁଢୀମା' ହେପାଜାତରେ ବଢିଥିବା ଏଇ ସୁମିର ଏତେ ବଡ ରୋଗ!
ସୁମି ଗଜର ଗଜର ହଉ ଥିବ ସବୁବେଳେ ।
କାନ୍ଧରେ ଝୁଲି ପଡୁ ଥିବ । ପକେଟ୍ ରୁ ପେନଟା ନେଇ ଯାଉଥିବ।ବିସ୍କୁଟ୍ ଛଡେଇ ନେଇ ଖାଉଥିବ।
ଦିନେ ରବି ରାଜ୍ ସୁମିକୁ କହିଲା,"ଆମ ଗାଁ କୁ ଯିବୁନୁ? ତୋଟା ମାଳ ,ନାନା ଜାତି ପକ୍ଷୀ ମାନଙ୍କର କୋଳାହଳର ଏକସଂଗୀତ ମୟ ପରିବେଶରେ ଆମଗାଁ।ଯୋଊଠି ଆଲୋକ ଭଲ ,ଅନ୍ଧକାର ବି ତାଠାରୁ ଭଲ । ରବି ରାଜ୍ ହସିଲା,ତା' ହସରୁ ମହୁ ଝରି ପଡୁଥିଲା।
ସୁମି ଗାଲରେ ବୋକ ଦେଇ କହିଲା ସେ,"ତୁ କଣ ମୋ ଝିଅ ନୁହେଁ?ତୁ ତ ମୋ ସୁନା ମା'ଟା!
ସୁମିର ରୋଗୀଣା ଓଠରେ ବି ହସ।ସେ ପଚାରିଲା," ତୁମ ଗାଁରେ ଆଉ କଣ କଣଅଛି?।ତୁ ଚାଲନା । ଆମେ ପଦ୍ମଫୁଲ,ନାଲି କଇଁ ,ଟଗର,କରୀବର,ମନ୍ଦାର,କୃଷ୍ଣଚୂଡା ତୋଳିବା।
ଦିନ ରତ ରତ ବେଳେ ଗାଈ ମଈଁଷିଙ୍କର ହମ୍ବା ରଡି ଶୁଣିବା। ନିଶବ୍ଦ ରାତିରେ ଆମ ଗାଁ ମୁଣ୍ଡ ବରଗଛରେ ଚିର୍ଗୁଣୀ ତା'ପୁଅ କୁ ତେଲ ମାଖି ଦେଉଥିବା ବେଳେ ତା'ଗୀତ ଶୁଣିବା।
ସୁମିକୁ ସପନ ରାଇଜରେ ବୁଲିବା ପରି ଲାଗୁଥିଲା।
ସେ ପଚାରିଲା," ଚିର୍ଗୁଣୀ କଣ?ସେମାନେ ବରଗଛରେ କାହିଁକି ରୁହନ୍ତି?ସେମାନଙ୍କର କଣ ଘର ନାହିଁ? "ନା,ସେମାନେ ବିଦେହୀ ।ସେମାନେ ଆକାଶ ରେ ଉଡନ୍ତି,ନଈ ରେ ପହଁରନ୍ତି,ବିଲୁଆ ପରି ହୋକେ ହୋ କରନ୍ତି।"
ରବିରାଜ୍ କହି ଆସୁ ଥିଲା,"ତୋ ମା'ବି...."ପୁଣି ଅଟକିଗଲା
ସୁମିପଚାରିଲା,"କଣ କହିଲ ଅଙ୍କଲ୍,ତୁମେ ମୋ ମା'କୁ ଦେଖିଚ?ସିଏ ନା କେତେ ଦିନରୁ ତା' ବାପା ଘରକୁ ଗଲାଣି-ଆସୁନି। ତା'ର କଣ ମୋ କଥା ମନେ ପଡୁନି! ସିଏ ମୋ ପାଖରେ ଥିଲେ କୁନା କଣ ଏତେ ମାରନ୍ତା?"
ଝରଝର ହୋଇ ଲୁହ ବହି ଯାଉଥିଲା ବିଚାରୀର ଆଖିରୁ।ସେ ଭାବୁଥିଲା ସୁମି ଯଦି ଜାଣନ୍ତା ତା ମା' ଆଉ ଦୁନିଆଁରେ ନାହିଁ ଛୁଆଟା ଆହୁରି କେତେ କାନ୍ଦନ୍ତା!
ସେ ବୁଝେଇଲା,"ତୋ ମା' ତୋ ପାଖକୁ ଦିନେ ନିଶ୍ଚୟ ଫେରି ଆସିବ। ସେତେବେଳକୁ ତୁ ଆହୁରି ବଡ ହୋଇ ଯାଇ ଥିବୁ। ତୋତେ ଦେଖି ସେ ବହୁତ ଖୁସି ହବ ।
ରବି ରାଜ୍ ବେକରେ ଓହଳି ପଡି ହତଭାଗୀ ଝୀଅଟା ଅଳି କଲା,"ମୋତେ ମୋ ମା' ପାଖକୁ ନେଇ ଚାଲନା?
ବୁଢୀମା' କହୁ ଥିଲା ମା'ର ବାପଘରକୁ ବାସ୍ କି ରିକ୍ସା ନାହିଁ। କାହିଁ କେତେ ଦୂରରେ ତା ବାପ ଘର-ନଈ ଆର ପାରିରେ।"
ରବି ରାଜ୍ ଅନୁମାନ କରୁଥିଲା ନଈ ସେ ପାରି ମାଶାଣୀ ରେ ତା' ମା'ର ଚିତା ଜଳିଛି ।
ଲୁହ ଢଳ ଢଳ ଆଖିରେ ଅଳି କରେ ସୁମି,"ଅଙ୍କଲ୍ ମୋତେ ଏଠି ଜମାରୁ ଭଲ ଲାଗୁନି ।ମୋର ବୁଢୀମା' ଦରକାର। ମୋତେ ନଦେଖି ସିଏ କେତେ କାନ୍ଦୁ ଥିବ ଜାଣିଚ?
ଗଭୀର ଦୁଃଖରେ ଭାଙ୍ଗି ପଡେ ସେ। ମାତୃହରା ଝିଅଟି କେବଳ ତା' ମା' ଆଉ ବୁଢୀ ମା' କୁ ଖୋଜେ।ତା' ବାପା ଆସିଲେ ଏଇ ଗେଜରୀ ଝିଅ ଟା ହଠାତ୍ ଚୁପ୍ ହୋଇଯାଏ।ଇଏ କଣ ତା' ବାପାକୁ ଭଲ ପାଏ ନାହିଁ! ତା' ବାପା ତାକୁ ମାରୁ ଥିବ!! ତା' ପାଇଁ ମେଳାରୁ ଖେଳଣା ପେଁକାଳୀ ଆଣି ଦେଉନଥିବ ?
ତା' ବାପା ଆସନ୍ତି ନ ଆସିବା ପରି। ଝିଅକୁ ଆଉଁସି ଦିଅନ୍ତି ନା ଗେଲ କରନ୍ତି? ବେଗ୍ ରୁ ବାହାର କରି ତା' ବେଡ୍ ଉପରେ ପାଉଁରୁଟି,ଆପୁଲ୍,କମଳା ,ବିସକୁଟ୍ ଔଷଧ ଫୋପାଡି ଦେଇ ଯା'ନ୍ତି। ରବିରାଜ୍ ସେ ଗୁଡିକ ସାଇତି ରଖେ।
ବାପା ପଳେଇ ଗଲା ପରେ ସୁମି ପାଟି ଖୋଲେ। ପଚାରେ,"ବାପା ଗଲେଣି? କଣହେଲା?"
ମୁହଁଟାକୁ ଆମ୍ବୁଲ ପରି କରି କୁହେ,"ହବ ଆଉ କଣ?ମୁଁ ତାଙ୍କୁ ପଚାରି ଥାନ୍ତି ମା'କୁ ଘରକୁ କୋଉଦିନ ଆଣିବେ-ନହେଲେ ମୋତେ ନେଇ ତା'ପାଖରେ ଛାଡି ଦେଇ ଆସନ୍ତୁ । ଆମେ ଦିଜଣ ଏକା ସାଥିରେ ରହିବା। ମୋର ବାପା ଦରକାର ନାହିଁ।"
ରବିରାଜ୍ ଆଖିରେ ଲୋତକ ଟଳମଳହୁଏ।
ଏଇ ସରଳ,ନରୀହ,ଛୋଟ ଝିଅ ଟାକୁ କେମିତି ବୁଝେଇବ ଆଉ ଗୋଟିଏ ମାସ ପରେ ତୁ ନିଜେ ହିଁ ତୋ ମା' ପାଖକୁ ଚାଲି ଯିବୁ କାହାରି ଛାଡିବା ଦରକାର ନାହିଁ।
ସୁମି ପଚାରେ ଏଠିକୁ ମୋ ପରି ଛୁଆ ବୁଢାବୁଢୀ -ସମସ୍ତେ ଆସନ୍ତି।ସେମାନଙ୍କୁ ଖଟରେ ଶୁଆଇ ଦିଆଯାଏ।କିଛିଦିନ ପରେ ସେମାନଙ୍କୁ ନେଇ ପଳେଇ ଯା'ନ୍ତି। ଗଲାବେଳେ ପୁଣି କାନ୍ଦନ୍ତି କାହିଁକି?
ରବି ରାଜ୍ ବାକ୍ ରୁଦ୍ଧ ହୋଇ ଯାଏ। ତାକୁ ସେ କହି ପାରେନା ;ମଣିଷ ମରେ -ଛୁଆ ହଉ କି ବୁଢା। ଘଡି ଟିକ୍ ଟିକ୍ ଚାଲିଛି,ଫେନ ଘୁରୁଛି ଘର ର୍ ଘରର୍,ଆଲୋକ ବିଛାଡି ହୋଇ ପଡୁଛି ଚାରି ଆଡେ।
ଏଗୁଡିକ କିଏ ଗଲା ରହିଲାର ହିସାବ ରଖନ୍ତି ନାହିଁ। ମହାକାଳର ଦାସ ସମସ୍ତେ। ଆମେ କେବଳ ମାୟା ଜାଲରେ ଛନ୍ଦି ହୋଇ ଧନ୍ଦି ହେଉଥାଉ।ଏଠାକୁ ଯେଉଁ ମାନେ ଆସନ୍ତି ,ଅଧିକାଂଶ ମରଣ ପଥରେ ଯାତ୍ରୀ ।
ରବିରାଜ୍ ର ମା' ବି ସେଇ ବାଟରେ ଯିବ ସୁମିବି !ଏଠି ନାମ ଲେଖେଇଥିବା ସମସ୍ତଙ୍କର ବିଶଲ୍ୟ କରଣି ହେଉଛି କେମୋ।
ଯେତେଦିନ ଯାଏ କେମୋ ଚାଲି ଥାଏ ରୋଗୀ ର ଆଶା ସଂଚାର ହୁଏ,ସେ ପୁଣି ଘରକୁ ଫେରିବ; ଛୁଆ ପିଲାଙ୍କ ମୁହଁ ଦେଖିବ। ପୁଣି ଆନନ୍ଦରେ ଦିନ କଟେଇବ। ଆଉ ଯେତେବେଳେ କେମୋ ଶକ୍ତି ହୀନ ହୋଇ ଯାଏ-ପୁଣି ଯନ୍ତ୍ରଣା,ପୁଣି କଷ୍ଟ। ମୃତ୍ୟୁର ସ୍ପଷ୍ଟ ଚିତ୍ର ଆଖି ଆଗକୁ ଚାଲି ଆସେ।
ତିନୋଟି କେମୋ ପରେ ଡାକ୍ତର କହନ୍ତି,"ରୋଗୀକୁ ଘରକୁ ନେଇଯାଅ"।
ରବିରାଜ୍ କୁ ବି ସେଇୟା କହିବେ -ସୁମିର ବାପାକୁ ବି। ଏଇ ଦି ଜଣକ ଭିତରୁ କାହାର ପାଳି ଆଗ ଆସିବ କିଏ ଜାଣେ?! ଯିଏ ବି ଆଗ ଯାଉ ତା'ପଛେ ପଛେ ଆଉ ଜଣେ। କ୍ୟାନ୍ସର ପରି ଦୂରାରୋଗ୍ୟ ବ୍ୟାଧି ସଳଖ ଅଣ୍ଟାକୁ ବି ବଙ୍କେଇ ଦିଏ। ଯିଏ ଯେତେ ପଇସା ବାଲା ହୋଇଥାଉ ଏ ରୋଗକୁ କିଏ ଜିତିଲାଣି?
କିନ୍ତୁ କେହିକଣ ତା' ସ୍ତ୍ରୀ,ସ୍ୱାମୀ,ଛୁଆ ପିଲା,ବାପାମା'କୁ ଜାଣି ଜାଣି ମରିବାକୁ ଛାଡି ଦେବ?ବିରକ୍ତ ହୋଇ ନିଜ ଲୋକ କହନ୍ତି,"ମରିଯାଉନି କାହିଁକି-ଖାଲି ହନ୍ତ ସନ୍ତ କରି ମାରୁଛି"।ଏଇଟା କଣ ଅନ୍ତରର ଭାଷା? କୁଣ୍ଠା? ନିରୁତ୍ସାହିତା? ମଣିଷ ଦ୍ୱିଧା,ଆଶା ଆସଙ୍କା ଭିତରେ ସମୟ କାଟେ!
ଡକ୍ଟର୍ ରବିରାଜ୍ କୁ ଆନୁମାନିକ ତାରିଖ କହିଥିଲେ । କିନ୍ତୁ ତାହା ସତ ହେଲା। ସେ କହିଲେ,"ନେଇ ଯାଅ" ।
ରବିରାଜ୍ ର ଦ୍ୱିଧା! ଯଦି ସେ ମା'କୁ ଘରକୁ ନେଇଯାଏ ସୁମିର କଣ ହେବ?
ସୁମିର କଣ ହେବ ମାନେ!
ସେ ନିଜ ସହିତ ଯୁକ୍ତି କରୁଥିଲା-ସୁମି ତାର କିଏ ? ହଁ,ସିଏ ତାର ସବୁ କିଛି!
ସେ ଡକ୍ଟରଙ୍କୁ କହିବକି; ସେ ମା'କୁ ନେଇ ଚାଲି ଗଲେ ସୁମି କଥା ବୁଝିବ କିଏ? ସେ ଏତେ ଶୀଘ୍ର ତାକୁ ତା' ମା' ପାଖ କୁ ଯିବା ପାଇଁ ଛାଡି ଦବନି!
ଦିଜଣଯାକ ମୃତ୍ୟୁ ବତ୍ ପଡି ରହିଥାନ୍ତି। ଉଭୟଙ୍କର ବ୍ରହ୍ମାସ୍ତ୍ର କେମୋର ବଳ ଆଉ ନଥାଏ।
ବଜର ବଜର ହେଉଥିବା ସୁମି ଆଉ ଆଖି ଫିଟେଇ ଚାହୁଁ ନଥାଏ।ଡାକ୍ତର୍ ଖୋଜୁ ଥାନ୍ତି ତା'ବାପାକୁ।
ତା' ବାପା ଗତ କଛି ଦିନ ହେଲା ୱାଡ୍ କୁ ଆସୁନଥାଏ। କାରଣ କଣ ସେ ଜାଣେ। ସୁମିର କେମୋ ପାଇଁ ଟଙ୍କା ଯୋଗାଡ କରି ପାରୁ ନଥିବ। କୋଉ ମୁହଁ ନେଇ ଆସିବ?
ରବିରାଜ୍ ର ଇଛା ହେଉଥାଏ ତାର ଯେତେ ସମ୍ବଳ ଅଛି ସବୁ ତକ ବିକି ଦେଇ ସେ ସୁମିର ଚିକିତ୍ସା କରନ୍ତା! ବରଂ ମା'ର ଯାହା ହଉଚୁ ହଉ ,ମା'ଛେଉଣ୍ଡ ସୁମିଟି ଉଠି ବସୁ। ତା ସାଂଗରେ ଗପ ଯୋଡୁ। ତା'ବୁଢୀମା କଥା କହୁ ,କୁନା ମା' ଆଉ କୁନା କଥା ନଈ ପଠା କାଶତଣ୍ଡୀ କଥା। ସିଏ ତ ତା' ଜୀବନ! ଦିନେ ସୁମି ଆଖି ଖୋଲିଲା। ତା' ଖୁସିର ସୀମା ନଥାଏ। ସେ ତାକୁ ପଚାରିଲା,"ମା'ରେ କେମିତି ଲାଗୁଛି?"
ସେ କଣ ପଚାରୁଛି ନଶୁଣି ପଚାରିଲା,"
ଅଙ୍କଲ୍",ମୋ ମା' ଆସିଥିଲାକି?"
ରବି ରାଜ୍ଆଖି ରୁ ଠପ୍ ଠପ୍ ଲୁହ ଖସି ପଡିଲା। ଖୁବ ଧୀର ତା'କଣ୍ଠ ସ୍ୱର।
ଅଙ୍କଲ୍ ,ମୋ ମା' ମୋତେ ଡାକି କଣ କହୁଥିଲା ଜାଣ?"ମୋ ପାଖକୁ ଆସୁନୁ। ତୋ ବାପା ତୋ କଥା ବୁଝୁନି ପରା?" ରବିରାଜ ପାଟିରୁ ଶଦ୍ଦଟିଏ ବି ବାହାରୁ ନଥାଏ।
ସେଇ ସମୟରେ ଡାକ୍ତର ଆସି ରବି ରାଜ୍ କୁ ଚାହିଁ ପଚାରିଲେ,"ତୁମ ମା'ର ଶବ ନେଇ କଣ ଘରକୁ ଯିବ?" ରବିରାଜ୍ ଡାକ୍ତରକୁ କହି ପାରିବନି ଯଦି ନେବିତ ଦିଜଣଙ୍କୁ। ହର୍ଣ୍ଣ ବଜାଉଛି ଡ୍ରାଇଭର୍। ଦିଜଣ ବେହେରା ଠିଆ ହୋଇଛନ୍ତି ୟାର ଗୋଡ ଉଠୁନି ଆସିବା ପାଇଁ। ଲୁହରେ ଭିଜି ଗଲାଣି ଗୋଟାଯାକ।
ସୁମି କ୍ଷୀଣ ସ୍ୱରରେ ପଚାରୁ ଥାଏ,"କାନ୍ଦୁଚ କାହିଁକି ଅଙ୍କଲ୍? ମୋତେ ଆଉ ଗେଲ କରିବନି? ଅଙ୍କଲ୍ ମୋ ପାଖରେ ବସ,ବସୁନ? ସମ୍ଭାଳି ହୋଇ ରହିପାରୁନି ରବିରାଜ୍। ଶେଷରେ ଡ୍ରାଇଭର୍ ଆସି ଧମକ ଦେଲା ଡିଟେନ୍ ଚାର୍ଜ ନେବାପାଇଁ।
ରବିରାଜ୍ ଧଁକି ଧଁକି କାନ୍ଦି କାନ୍ଦି କହୁଥାଏ ,"ମା'ରେ ମୁଁ ମା'କୁ ଛାଡି ଦେଇ ଆସୁଛି ତୋର ମୋର କଥା ହବା"।
ଦୁଇ ବେହେରା ଓ ସେ ମା'କୁ ଗାଡି ଭିତରେ ଶୁଆଇ ଦେଲେ।
ଡାକ୍ତରଙ୍କ କହିଥିବା କଥା ଠିକ୍ ହେଲା। ତା' ମା' ତା' ପରଦିନ ଚାଲିଗଲେ।
ଏକାଦଶାହ କର୍ମ ସାରି ସୋମ୍ ହସପିଟାଲ୍ କୁ ଫେରି ଆସିଲା ରବିରାଜ୍।
ଆସି ଦେଖେ ତ ସୁମି ବଛଣା ଫାଙ୍କା।
ଡାକ୍ତରଙ୍କୁ ପଚାରି ବାରୁ ସେ କହିଲେ,"ଝିଅଟା ଚାଲିଗଲା। ମରିବା ପୁର୍ବରୁ ସେ ଅଙ୍କଲ୍ ଅଙ୍କଲ୍ ବୋଲି ବାଉଳି ଚାଉଳି ହେଉଥିଲା।"
ଶ୍ରାବଣର ବାରି ପରି ତା' ଆଖିରୁ ଅବିରାମ ଲୁହ ଝରି ପଡୁଥିଲା -ତାହେଲେ ସୁମି ....ସେ ଚେତା ଶୂନ୍ୟ ହୋଇ ତା' ବିଛଣାରେ ଗଡି ପଡିଲା।