ପ୍ରଶାନ୍ତ କୁମାର ବେହେରା

Tragedy

2  

ପ୍ରଶାନ୍ତ କୁମାର ବେହେରା

Tragedy

ଅସହାୟ ବାପାମାନେ- ପ୍ରଥମ ଭାଗ

ଅସହାୟ ବାପାମାନେ- ପ୍ରଥମ ଭାଗ

6 mins
392



( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )


ଆଜିକାଲି ଆମ ସମାଜର ସ୍ଥିତି ଦିନକୁ ଦିନ ବଦଳିବାରେ ଲାଗିଛି l ସମୟ ସହିତ ତାଳ ଦେଇ ଆମେ ଯେତିକି ଆଗୋଉଛେ ସେଇ ହିସାବରେ ଅନ୍ୟ ବହୁତ ଦିଗରେ ଆମ ସମାଜର ଗତି ଆମକୁ କେଉଁ ଆଡକୁ ଟାଣି ଓଟାରି ନେଉଛି ସେକଥା ଭାବିବା ଚିନ୍ତିବା ନିହାତି ଆବଶ୍ୟକ l


ଗଗନ ବାବୁ ଜଣେ ଖୁବ୍ କଡା ମିଜାସର ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ l ତାହା ପୁଣି ପ୍ରାଇଭେଟ୍ ମ୍ୟାନେଜମେଣ୍ଟରେ ନୂଆ କରି ମେଡିକାଲ କଲେଜ ହୋଇଥିବା ହଷ୍ଟେଲ l ଏଠି ମାଲିକର ଦୃଷ୍ଟି ସବୁଆଡେ ବୁଲୁଥାଏ l କେଉଁ କର୍ମଚାରୀ ଠକୁଛି ତ ଆଉ କିଏ ପୁରା ନିଘାର ସହିତ କାମ କରୁଛି ସେସବୁର ଟିକିନିଖି ଖବର ମାଲିକ ପାଖରେ ଥାଏ l ତେଣୁ ସେଠି କାମ କରୁଥିବା କର୍ମଚାରୀମାନେ ସବୁବେଳେ ଖୁବ୍ ସଜାଗ ଥାନ୍ତି l ଯେ କୌଣସି ମୁହୂର୍ତ୍ତରେ ଚାକିରି ଚାଲିଯିବାର ଭୟ ଥାଏ l କିନ୍ତୁ ସରକାରୀ ଚାକିରିରେ କର୍ମଚାରୀମାନେ ଏମିତି ଭୟରେ ନଥାନ୍ତି l ଯାହାକୁ କୁହନ୍ତି ବିନଦାସ୍ ଭାବରେ ନିଜ କାମ ଯେତିକି ପାରନ୍ତି ସେତିକି କରନ୍ତି l ଏବେ ଅବଶ୍ୟ ଓଡିଶା ସରକାର 5T କାର୍ଯ୍ୟକରି କରିବାପରେ ସରକାରୀ କର୍ମଚାରୀମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି l ଏଥିପାଇଁ ସରକାରଙ୍କ ବିରୁଦ୍ଧରେ ହାତ ଗଣିତି କିଛି ଉପର ଅଫିସର୍ ଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କ ଭିତରେ ଅସନ୍ତୋଷର ବହ୍ନି ଜଳିବା ଆରମ୍ଭ ହୋଇଥିବା କଥା ଏବେ ସବୁଆଡେ ଚର୍ଚା ଧରିଛି l ଛାଡନ୍ତୁ ସେକଥା ଏବେ ଆମେ ମୂଳ ବିଷୟକୁ ଯିବା l 


ଏ ଘଟଣା ପ୍ରାୟ ୨୦୦୬ ମସିହାର l ସେ କଲେଜ ଓଡିଶାର ପ୍ରଥମ ପ୍ରାଇଭେଟ୍ ମେଡିକାଲ କଲେଜର ମାନ୍ୟତା ପାଇ ଖୋଲିଥାଏ l ଏଠି ଡାକ୍ତରି ପାଠ ପଢିବାକୁ ଆସୁଥିବା ପିଲାର ମାର୍କ ଅପେକ୍ଷା ବାପାର ଟଙ୍କା ଦେବାର କ୍ଷମତାକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ l ଏଇ ବର୍ଷ ଅର୍ଥାତ୍ ୨୦୧୯ ମସିହାରେ କୁଆଡେ ମେଡିକାଲ୍ ପ୍ରବେଶିକା ପରୀକ୍ଷାର ମୋଟ ମାର୍କ ୭୨୦ ନମ୍ବରରୁ ୫୩୦ ନମ୍ୱର ବା ତାଠାରୁ କିଛି କମ୍ ନମ୍ୱର ରଖି କୌଣସି ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ସ୍ଥଳେ ସେଇ ପରୀକ୍ଷାରେ ଶୂନ ରଖି ମଧ୍ୟ ବହୁପିଲା ବିଭିନ୍ନ ପ୍ରାଇଭେଟ୍ ମେଡିକାଲ୍ କଲେଜରେ ବାପାର ଟଙ୍କା ବଳରେ ଆଡମିଶନ କରି ଭବିଷ୍ଯତରେ ମହାନ ଡାକ୍ତର ହେବାର ସ୍ୱପ୍ନରେ ବିଭୋର୍ ଅଛନ୍ତି l 


ସେତେବେଳେ ମଧ୍ୟ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଖୁବ୍ କମ୍ ନମ୍ୱର ରଖିଥିବା ବହୁ ପିଲାଙ୍କ ବାପାମାନେ ଢେର୍ ଟଙ୍କା ଡୋନେସନ୍ ଦେଇ ଏଇ ପ୍ରାଇଭେଟ୍ ମେଡିକାଲ୍ କଲେଜରେ ଆଡମିଶନ୍ କରିଥାନ୍ତି l କମ୍ ନମ୍ୱର ରଖିଥିବା ପିଲାମାନେ କୁଆଡେ ପ୍ରତି ବର୍ଷ ୨୦ ଲକ୍ଷ ଆଉ ଆଡମିଶନ ବେଳକୁ ଅଲଗା ଭାବରେ ୩୦ ରୁ ୫୦ ଲକ୍ଷ ଯାଏ ଡୋନେସନ୍ ଦେଇଥାନ୍ତି l ତେଣୁ ପ୍ରବେଶିକା ପରୀକ୍ଷାରେ ଶୂନ ରଖିଲେ ମଧ୍ୟ ଟଙ୍କା ବଳରେ ଆଡମିଶନ୍ କରିହୁଏ l ଏବେ ଆମ ରାଜ୍ୟରେ ଦିନକୁ ଦିନକୁ ସରକାରୀ ମେଡିକାଲ୍ କଲେଜ ସଂଖ୍ଯା ବଢିବା ସହିତ ପ୍ରାଇଭେଟ୍ କଲେଜ ସଂଖ୍ଯା ମଧ୍ୟ ବଢିଲାଣି l ଅଧିକ ନମ୍ୱର ରଖୁଥିବା ପିଲାମାନେ ସରକାରୀ ମେଡିକାଲ୍ କଲେଜରେ ଖୁବ୍ କମ୍ ଟଙ୍କା ଦେଇ ଆଡମିଶନ କରି ପଢୁଥିବା ବେଳେ ପ୍ରାଇଭେଟ୍ କଲେଜରେ ମୋଟା ଟଙ୍କା ଦେଇ କିଛି ପିଲା ପଢୁଛନ୍ତି l ଅବଶ୍ୟ କିଛି ପିଲା ସରକାରୀ କଲେଜରେ ଅଳ୍ପ କିଛି ନମ୍ୱର କମିଥିବାରୁ ଆଡମିଶନ ନକରି ପାରି ବେସରକାରୀ କଲେଜରେ ପଢି ରେଜଲ୍ଟ ଭଲ ମଧ୍ୟ କରିଥାନ୍ତି l 


ଗଗନ ବାବୁ ସୁପରିଣ୍ଟେଣ୍ଡେଣ୍ଟ୍ ଥିବା ହଷ୍ଟଲରେ ରହୁଥିବା ପ୍ରାୟ ଅଧିକାଂଶ ପିଲା ବାହାର ରାଜ୍ୟର l ସମସ୍ତଙ୍କ ବାପାମାନେ କୋଟିପତି ନିଶ୍ଚୟ l ବାହାର ରାଜ୍ୟର କିଛି ମନ୍ତ୍ରୀଙ୍କ ପିଲା ମଧ୍ୟ ସେଇ ହଷ୍ଟେଲରେ ରହି ପଢୁଥାନ୍ତି l କିଛି ପିଲାଙ୍କୁ ତାଙ୍କ ବାପାମାନେ ଏଠି ବୁଲାଚଲା କରିବାକୁ କାର୍ ମଧ୍ୟ ଯୋଗେଇଦେଇ ଥାନ୍ତି l ଯାହାକୁ କୁହନ୍ତି ପୁରା ମଉଜମଜଲିସ୍ ରେ ସମୟ ବିତାଇ ମେଡିକାଲ୍ ପାଠକୁ ଆୟତ୍ତକରି ଡାକ୍ତର ହେବାକଥା l


ସେଇ ବାହାର ରାଜ୍ୟରୁ ଆସି ମେଡିକାଲ୍ ପଢୁଥିବା ପିଲାମାନଙ୍କ ଭିତରେ ସିହ୍ନା ନାମଧାରୀ ଗୋଟେ ଛାତ୍ର ଥାଏ l ପିଲାଟି ଅହରହ ମଦ ପିଏ l ହାତରେ ଦାମିକା ମୋବାଇଲ୍ ସେଟ୍ l ମାର୍କେଟ୍ କୁ ଯାଇ ସହଜରେ ମଦ ପିଇବାପାଇଁ ପାଖରେ ଥାଏ ସେତେବେଳେ ନୂଆକରି ବାହାରିଥିବା ହିରୋହୁଣ୍ତା କରିସ୍ମା ବାଇକ୍ l ଦ୍ରୁତ ଗତିରେ ବାଇକ୍ ଚାଳନା କରିବା ତାର ଅଭ୍ୟାସ l ତାର ଏମିତିକା ରଙ୍ଗଢଙ୍ଗ ଦେଖି ଗଗନ ସାର୍ ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା କରିବାକୁ ମନସ୍ଥ କରି ହଷ୍ଟେଲ ଆଡମିସନ୍ ରେଜିଷ୍ଟରରୁ ଫୋନ୍ ନମ୍ୱର ବାହାର କରି ରିଙ୍ଗ୍ କଲେ l


ଯେହେତୁ ସିହ୍ନା ବିହାର ରାଜ୍ୟର ବାସିନ୍ଦା ତେଣୁ ତାଙ୍କ ବାପା ହିନ୍ଦୀରେ ହିଁ କଥାହେବା ସ୍ୱାଭାବିକ l ଫୋନରେ କନେକ୍ସନ୍ ହେବାପରେ ଗଗନ ସାର୍ ନିଜର ପରିଚୟ ଦେବାରୁ ସେପଟୁ ସିହ୍ନାର ବାପା ଖୁବ୍ ସମ୍ମାନର ସହିତ ନମସ୍କାର କରିବା ସହିତ ଫୋନ୍ କରିବାର କାରଣ ଜିଜ୍ଞାସା କଲେ l ଉଭୟେ ହିନ୍ଦୀରେ ଯାହା କଥାବାର୍ତ୍ତା ହେଲେ ତାର ଅବିକଳ ଓଡିଆ ନକଲ ନିମ୍ନରେ ରଖୁଛି l 


ଗଗନ ସାର୍ କହିଲେ," ଆଛା , ଆପଣଙ୍କ ପୁଅ ଏଠି ଆଦୌ ପାଠ ପଢୁନି l ସବୁବେଳେ ମଦ ପିଇବା ସହିତ ନିଶାରେ ବାଇକ୍ ଖୁବ୍ ବେଗରେ ଚଳାଉଛି l କୋଉ ମୁହୂର୍ତ୍ତରେ କାହା ସହିତ ଧକ୍କା ନକରିବ କହିହେଉନି l "


ସେପଟୁ ସିହ୍ନାର ବାପା ଅଳ୍ପ ହସି କହିଲେ, " ସାର୍ , ଆପଣ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ l ସେ ଏମିତି ପିଇବ ଓ ବାଇକ୍ ଚଳାଇବ l ଏଠି ବିହାରରେ ବି ସେ ସେମିତି ବାଇକ୍ ଜୋରରେ ଚଳାଏ l କେବେ ଧକ୍କା କରିନି କାହା ସହିତ l  ସେ ମଦ ପିଇଲେ ମଧ୍ୟ କାହାକୁ କିଛି କହିବନି l ସବୁବେଳେ ଚୁପ୍ ଚାପ୍ ରହିବ l ତାକୁ ଟିକେ ଖାଲି ବୁଝାନ୍ତୁ କିଛି ସମୟ ମଧ୍ୟ ପାଠପଢାରେ ଦେଉ l "


ଗଗନ ସାର୍ ସିହ୍ନାର ବାପାଙ୍କ କଥାରେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ l ମନେମନେ ଭାବିଲେ ଦୁନିଆରେ ଏମିତି ବି ବାପ ଅଛନ୍ତି ! ଅବଶ୍ୟ ଏକଥା ସତ୍ୟ ଯେ, ସିହ୍ନା ମଦ ନିଶାରେ କେବେ କାହା ସହିତ କିଛି ଗଣ୍ତଗୋଳ କିମ୍ୱା ଉଚବାଚ ହୋଇନି l ନିଶା ସେବନ କରି ନିଜ ରୁମ୍ ରେ ଚୁପଚାପ୍ ରହେ l 


ଏଇ ଘଟଣାର କିଛିଦିନ ପରେ ହଠାତ୍ ଦିନେ ସିହ୍ନାର ବାପା ଗଗନ ସାରଙ୍କୁ ଫୋନ୍ କଲେ l ସେଇ ଫୋନ କଲ୍ ରେ ଭୟ ସହିତ ବିକଳ ହେବାର ସମସ୍ତ ଲକ୍ଷଣ ଫୁଟି ଉଠୁଥାଏ l ସେ ଖୁବ୍ ବିବ୍ରତ ହୋଇ କହିଲେ, " ସାର୍ ଟିକେ ଦୟାକରି ମୋ ପୁଅ ରୁମ୍ କୁ ଯାଇ ତା ସହିତ ମୋର କଥାବାର୍ତ୍ତା କରାନ୍ତୁ l"


ଗଗନ ସାର୍ କିନ୍ତୁ ଖୁବ୍ ନିର୍ବିକାର ଭାବରେ କହିଲେ, " ଆପଣଙ୍କ ପୁଅ ପାଖରେ ତ ମୋବାଇଲ୍ ଅଛି l ତାକୁ ଆପଣ ସିଧା ଫୋନ୍ କରିବାରେ ଅସୁବିଧା କେଉଁଠି ? "


ସିହ୍ନାର ବାପା ସେପଟୁ ଖୁବ୍ ବ୍ୟସ୍ତ ହୋଇ କହିଲେ," ନାଇଁ ସାର୍, ତା ମୋବାଇଲ୍ କୁ ବହୁ ସମୟଧରି କଲ୍ କରୁଛି କିନ୍ତୁ ଯୋଗାଯୋଗ ହୋଇ ନପାରିବାରୁ ବାଧ୍ୟ ହୋଇ ଆପଣଙ୍କୁ କଲ୍ କଲି l ଟିକେ ହେଲ୍ପ୍ କରନ୍ତୁ ସାର୍ l"


ଏଥର ଗଗନ ସାର୍ କହିଲେ , ଠିକ୍ ଅଛି ଆଜ୍ଞା,୧୦ ମିନିଟ୍ ପରେ କଲ୍ କରନ୍ତୁ l" 


ଠିକ୍ ୧୦ ମିନିଟ୍ ପରେ ପୁଣି ବିହାରରୁ ସିହ୍ନାର ବାପା ଫୋନ୍ କଲେ l ଗଗନ ସାର୍ ସିହ୍ନାର ରୁମ୍ ରେ ପହଞ୍ଚି ଦେଖିଲେ ସେ ପୁରା ରାଗିକି ପାଚି ଯାଇଛି l ତାକୁ କହିଲେ, " ତୁମ ବାପା କଥାହେବେ , ଫୋନ୍ କରିଛନ୍ତି l" 


ସିହ୍ନା ସେମିତି ରାଗ ତମତମ ହୋଇ କହିଲା, " ସାର୍ ଆପଣ ମନା କରିଦିଅନ୍ତୁ , ମୁଁ କଥା ହୋଇପାରିବି ନାହିଁ l" 


ଗଗନ ସାର୍ ପିଲାଟିକୁ ବୁଝାଇବାକୁ ଯାଇ କହିଲେ , " ଆରେ ତମେ ପିଲାଲୋକ, ମେଡିକାଲ୍ ପଢୁଛ l ଏମିତି ବାପାଙ୍କ ଉପରେ ରାଗିବା ଆଦୌ ଠିକ୍ ନୁହେଁ, ନିଅ ବାପା ଲାଇନ୍ ରେ ଅଛନ୍ତି କଥା ହୁଅ l ସେ ବହୁତ ବ୍ୟସ୍ତ ବି ହେଉଛନ୍ତି l "


ଏଥର ବାଧ୍ୟହୋଇ ସିହ୍ନା ଗଗନ ସାର୍ ଙ୍କଠାରୁ ଫୋନ ନେଇ ତା ବାପାଙ୍କ ସହିତ କଥାବାର୍ତ୍ତା ହେଲା l ଖୁବ୍ ରାଗରେ କହିଲା,

" କାଇଁ ଫୋନ୍ କରିଛ ? ତମ ସହିତ କିଛି କଥାବାର୍ତ୍ତା ହେବାକୁ ମୁଁ ଚାହୁଁନାହିଁ l ମୁଁ ରଖୁଛି ଫୋନ୍ l" ଏତିକି କହି ସେ ପୁଣି ମୋବାଇଲ୍ କୁ ଗଗନ ସାର୍ ଙ୍କ ହାତକୁ ବଢାଇଦେଲା l "


ସିହ୍ନାର ଏମିତି ରଙ୍ଗଢଙ୍ଗ ଦେଖି ଗଗନ ସାର୍ ଯାହାକୁ କୁହନ୍ତି ପୁରା ତୀର୍ଥ କାବା ହୋଇଗଲେ l ମନେମନେ ଭାବିଲେ ବିଚରା ବାପାଟା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଠି ଆଣି ପୁଅକୁ ମେଡିକାଲ୍ ପଢାଉଛି l ହେଲେ ପୁଅ ହରଦମ୍ ନିଶା ଖାଇ ବାପାକୁ କି ଅଭଦ୍ର ବ୍ୟବହାର କରୁଛି ? ପିଲାଟା ଏମିତି ହେଉଛି ଯେମିତି ତାକୁ ବିରୁଡ଼ି ମାରିଦେଇଚି l


ସେପଟୁ କିନ୍ତୁ ମୋବାଇଲରେ ସିହ୍ନାର ବାପା ସେମିତି ହାଲୋ ହାଲୋ ହେଉଥାନ୍ତି l ଗଗନ ସାର୍ ଙ୍କର ବିଚରା ବାପାଟି ଉପରେ ବହୁତ ଦୟା ଆସୁଥାଏ l ବାଧ୍ୟହୋଇ ଗଗନ ସାର୍ କହିଲେ, " ଆପଣ ଆଉ କ'ଣ କହିବାକୁ ଚାହୁଁଛନ୍ତି ? ସେ ତ ସମ୍ପୂର୍ଣ୍ଣ ମନା କରୁଛି ଆପଣଙ୍କ ସହ କଥା ହେବାକୁ l ଯଦି କିଛି କହିବାର ଅଛି ମୋତେ କୁହନ୍ତୁ ମୁଁ ତାକୁ ଜଣାଇଦେବି l "


ଏଥର ସିହ୍ନାର ବାପା କଣ ଘଟିଛି ଖୋଲିକି ଗଗନ ସାରଙ୍କୁ କହିବାକୁ ବାଧ୍ୟ ହେଲେ l କଥା ହେଉଛି - " ପୂର୍ବଦିନ ରାତିରେ ସିହ୍ନା ତାଙ୍କୁ ଫୋନ୍ କରି କହିଥିଲା ଯେ ତା' ପାଖରେ ଆଉ ଟଙ୍କା ନାହିଁ l କାଲି ବ୍ୟାଙ୍କ ଖୋଲିଲେ ୧୦ଟା ପରେ ତା' ଆକାଉଣ୍ଚରେ ଟଙ୍କା ଡିପୋଜିଟ୍ କଲେ ସେ ଏପଟୁ ଏଟିଏମ୍ ରୁ ଟଙ୍କା ଉଠାଇ ଖର୍ଚ୍ଚ କରିବ l କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ଟଙ୍କା ଡିପୋଜିଟ୍ କରିବାକୁ ଭୁଲି ଯାଇଥିଲେ l ଏବେ ଦିନ ୧୨ଟା ସୁଦ୍ଧା ତାକୁ ଫୋନ୍ କରିବାରୁ ତା' ଫୋନରେ କଲ୍ ଲାଗିବା ସମ୍ଭବ ନ ହେବାରୁ ଜାଣିପାରିଲି ସେ ଟଙ୍କା ଉଠାଇବାକୁ ଯାଇ ଏଟିଏମ୍ ରେ ଡିପୋଜିଟ୍ ହୋଇନି ଜାଣି ଫୋନ୍ କୁ ପିଟି ଭାଙ୍ଗି ଦେଇଛି l ଏବେ କିନ୍ତୁ ତା' ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିସାରିଛି l ତାକୁ ଟିକେ କୁହନ୍ତୁ ସେ ଯାଇ ଟଙ୍କା ଉଠାଇ ଆଗ ଗୋଟେ ମୋବାଇଲ୍ କିଣୁ l ତା' ସହିତ କଥା ହେବାକୁ ତା' ମାଆ ଏପଟେ ବହୁତ ବ୍ୟସ୍ତ ହେଉଛନ୍ତି l " ( କ୍ରମଶଃ ........)



Rate this content
Log in

Similar oriya story from Tragedy