ଅପସାରିତ ବସନ୍ତ
ଅପସାରିତ ବସନ୍ତ
୧୯୭୬ ମସିହା କଥା l ନୂଆ ବର୍ଷ ଆରମ୍ଭ ଓ ପୁରୁଣା ବର୍ଷ ଶେଷ ହେବାର ସମୟ l ସେଦିନ ଆକାଶ ଫର୍ଚ୍ଚା ଥାଏ l ଜହ୍ନ ଆକାଶରେ ସୁନେଲି କିରଣ ପୁରାପୁରି ଢାଳି ଦେଇ ଥାଏ ସବୁଜ ବନାନୀ ଉପରେ l ରାମଗିରି ଆଇ ବି ଭିତରେ ଆମେ ସହପାଠୀ ଓ ସହପାଠିନୀ ବୃନ୍ଦ ଚା ପିଆଲାରୁ ଗୋଟା ପରେ ଗୋଟା ସିପ୍ ନେଇ ବାର୍ତ୍ତାଳାପରେ ମଶ୍ ଗୁଲ l ଆଦ୍ୟ ଯୌବନରେ ସମସ୍ତେ ଉପନୀତ l ପାଠ ସାଙ୍ଗକୁ ରୋମାନ୍ସ ମଧ୍ୟ ଚାଲେ l ଦିନ ସାରା ରାମଗିରି ଅଞ୍ଚଳ ଜିପରେ ବୁଲି ବୁଲି ଶରୀର ଭାରାକ୍ରାନ୍ତ l ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ଅନ୍ନ ପ୍ରସାଦ, କ୍ଷୀରି, ତରକାରୀ ଇତ୍ୟାଦି ଚାରିଟା ବଡ଼ ବଡ଼ ଷ୍ଟିଲ ପାତ୍ର ଓ ଦୁଇଟି ବଡ଼ ଟିଫିନ କାରିଅରରେ ଭର୍ତ୍ତି କରି ଜିପରେ ଲଦି ଅଣିଥିଲୁ l ଆମେ ଛାତ୍ର ଛାତ୍ରୀ ମୋଟରେ କୋଡ଼ିଏ ଜଣ l ଅଧ୍ୟାପକ ଦୁଇ ଜଣ l ବଡ଼ ଜିପ ତିନୋଟି l ସମସ୍ତେ ଦ୍ଵିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ଛାତ୍ରୀ DAV କଲେଜ କୋରାପୁଟର ରାମଗିରି ଆଇ. ବି. କୁ ଭଡ଼ାରେ ନେଇଥିଲୁ l ସେତେବେଳକୁ ରାତି ନଟା l ପାଇଖାନା କର୍ମ ସରିଲା ପରେ ଦିନରେ ଯାହା ଖାଇଥିଲୁ ସବୁ ହଜମ l ପୁଣି ଭୋକ l
ପାଞ୍ଚ ଜଣ ଛାତ୍ରୀ ଆମ ସହିତ ମଧ୍ୟ ଅଧ୍ୟାପକମାନଙ୍କ ତତ୍ତ୍ୱଅବଧାନରେ ଯାଇଥିଲେ ସାଥିରେ l ସେମାନଙ୍କ ମଧ୍ୟରେ ରଶ୍ମି ନାମ୍ନୀ ଛାତ୍ରୀ ଆମ ଶ୍ରେଣୀ ମଧ୍ୟରେ ସବୁଠାରୁ ମେଧାବୀ l ଆମ ଅଧ୍ୟାପକ ସାର ଝିଅମାନଙ୍କୁ ଆଗେ ପଙ୍ଗତରେ ବସାଇ ଦେଲେ l ସେମାନଙ୍କ ଭୋଜନ ସରିଲା ପରେ ଆମେ ଓ ଅଧ୍ୟାପକମାନେ ପଙ୍ଗତରେ ବସିଲୁ l ମୁଁ ଟିକେ ମିଠା ପ୍ରିୟ ଥିବାରୁ ଅନ୍ନ ତରକାରୀ କମ୍ ଖାଇ ଖିରୀ ବେଶୀ ଖାଇଲି l ଏଗାରଟା ବେଳେକୁ ପଙ୍ଗତ ପର୍ବ ଶେଷ l ଜିପରେ ଆଣିଥିବା ଦୁଇଟି ବଡ଼ ଦରି ବିଛାଇ ଗୋଟାକେରେ ଆମେ ଶୋଇ ପଡ଼ିଲୁ ଏବଂ ଆଉ ଗୋଟାକରେ ଝିଅ ପିଲାମାନେ ଶୋଇ ପଡ଼ିଲେ l ସାର ମାନେ ଆଇ.ବି.ର ରୁମ ଭିତରେ ଥିବା ଖଟ ଉପରେ ଶୋଇଲେ l କିନ୍ତୁ ମୋ ଆଖିରେ ନିଦ ନଥାଏ l ଭାବି ଚାଲିଥାଏ ରଙ୍ଗୀନ ବଣଭୋଜୀର ସୁନ୍ଦର ପରିବେଶ ଓ ମେଳାପ ଆଉ ଗୁପ୍ତେଶ୍ୱରଙ୍କ କ୍ରମ ବର୍ଦ୍ଧିଷ୍ଣୁ ଶିବ ଲିଙ୍ଗ କଥା ଏବଂ ଗୁମ୍ଫାଦୁଆର ମୁହଁରେ ଝାଟି ପତ୍ର ପକେଇବା କଥା l ରାତି ଗୋଟାଏ ବାଜିଗଲା l ହଠାତ୍ ଶୌଚାଳୟ ଭିତରେ ପାଣି ପଡ଼ିବାର ଆୱାଜ ଶୁଭିଲା l ପାଦ ଚିପି ଚିପି ଆଗେଇ ଗଲି l ଦେଖିଲି ରଶ୍ମି ବଲ୍ ଜଳେଇ ଠିଆ ହୋଇ କଣ ଗୋଟାଏ ଚଟି ବହି ପଢ଼ୁଛି l ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା l
ମତେ ଯେମିତି ଦେଖିଲା ତତକ୍ଷଣାତ ବହିଟା ପଛକୁ ହାତ ବୁଲେଇ ଲୁଚାଇଵାକୁ ଚେଷ୍ଟା କଲା ରଶ୍ମି l ମୁଁ ପଚାରିଲି କି ବହି? ମୋ ପ୍ରଶ୍ନର ଉତ୍ତର ଦେବା ପରି ବର୍ତ୍ତେ ସେ ଓଠରେ ଡାହାଣ ହାତ ବିଶି ଆଙ୍ଗୁଠି ଦେଇ ଚୁପ୍ ରହିବାକୁ ଇଶାରା ଦେଲା l ମୋ ମନରେ କୈଶୋର ସୁଲଭ କୌତୁହଳ ସୃଷ୍ଟି ହେଲା l ମୁଁ ଆଉ ଟିକେ ପାଖକୁ ଲାଗି ଗଲି l ସେ ଆଉଟିକେ ପଛକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ l ମୁଁ ନିଜକୁ ଆଉ ସମ୍ଭାଳି ନପାରି ବଳ ପ୍ରୟୋଗ ପୂର୍ବକ ତା ହାତରୁ ବହିଟି ଝିଙ୍କି ଆଣିବାରୁ ରଶ୍ମି ତାର ଦୁଇ ହାତ ପାପୁଲି ଆଖିସାମ୍ନାରେ ଠିଆ ହୋଇ ରହିଲା l ମୁଁ ପଢ଼ିଲି ବହିର ନା " " ରସବନ୍ତି " l ପୁସ୍ତିକାଟି ଇଂରାଜୀରେ ଛପା l କଭର ଫଟଟି ଏକ ଅର୍ଦ୍ଧଲଗ୍ନ ବିଦେଶୀ ଝିଅ l ବହି ଭିତରେ କତି ପୟ କ୍ଷୁଦ୍ର ଶୃଙ୍ଗାର ରସଯୁକ୍ତ ଗଳ୍ପ ପୁଞ୍ଜ l ମୁଁ କହିଲି," ଆରେ ଏସବୁ ବହିଗୁଡ଼ା କାହିଁକି ପଢ଼ୁଛୁ? ଖରାପ ବିଷୟ l " ସେତେବେଳେ ଆମେରିକୀୟ ବଜାରରୁ ଏହି ବହି ଗୁଡ଼ା ରପ୍ତାନି ହେଉଥିଲା l ଅଧିକାଂଶ ଭାରତୀୟ, ସ୍ଥାନୀୟ ବହି ଦୋକାନୀଙ୍କ ଠାରୁ ଚୋରାରେ ବେଶୀ ମୂଲ୍ୟରେ ବହି କିଣି ଘରେ ଲୁଚେଇ ପଢୁଥିଲେ l ଆମ କଲେଜର ବି କେତେକ ସିନିୟର ଛାତ୍ର ଛାତ୍ରୀ କିଣୁଥିଲେ l
ଯାହାବି ହେଉ ମୁଁ କହିବା ପରେ ସେ ଲାଜେଇ ଗଲା l ସେତେବେଳକୁ ମୁଁ ବହି ଚିରି ପାଇଖାନା ବେସିନ ଭିତରେ ପକେଇ ୱାଟର ଫ୍ଲାଶ କରିସାରିଥିଲି l ମାତ୍ର ରଶ୍ମିର ନିଶା ଛାଡ଼ି ନଥାଏ ଓ ମତେ ବାରମ୍ବାର କହି ଚାଲିଥାଏ," ହୁଁ ହୁଁ ମୁଡ ଖରାପ କରିଦେଲ l କେତେ ହୁସିଆରରେ ଘରୁ ଏ ବହି ଚୋରି କରି ଆଣିଥିଲି l କିନ୍ତୁ ତୁମେ ଏ କଥା କାହା ଆଗରେ କହିବନି l ମୋ ରାଣ l " ମୁଁ ଉତ୍ତର ଦେଲି," ନା କହିବିନି l କିନ୍ତୁ ଗୋଟାଏ ସର୍ତ୍ତ l " ମୁଁ ଏତିକି କହିଲା ପରେ ସେ ପାଖକୁ ଲାଗି ଆସିଲା l ତାର ଦେହରୁ ଝାଳ ଗମ ଗମ ବହୁ ଥାଏ l ଲାଜ ଓ ଭୟରେ ତାର ଗୋରା ମୁହଁଟି ନାଲି ପଡ଼ି ଯାଇଥାଏ l ତାପରେ ଚାପା ଗଳାରେ କହିଲା," ମୁଁ ତୁମର ସବୁ ସର୍ତ୍ତରେ ରାଜି l " ଏତିକି କହି ମୋତେ କୁଣ୍ଢେଇ ପକେଇଲା ଆଖିରୁ ଦିଟୋପା ଉଷୁମ ଲୁହ ଝରେଇ l " ତାପରେ ତା ଗାଲରେ ଏକ ଶକ୍ତ ଚଟକଣୀ ବଶେଇ ଦେଲି ଆଉ କହିଲି," ମୋତେ ତୁ କଣ ଭାବୁଛୁ? ମୁଁ କଣ ଲଫଙ୍ଗା l ନା ମୁଁ ଲଫଙ୍ଗା ବଜାରୀ ନୁହଁ l ମାବାପା ମତେ ଉଚିତ ସଂସ୍କାର ଦେଇ ବଢ଼େଇଛନ୍ତି l ମୋର ସର୍ତ୍ତ ହେଇଛି ଯେ ତୁ ଯଦି ପୁଣି ଏମିତି ଅଶ୍ଳୀଳ ବହି ପଢ଼ିବୁ ଆଉ ମୁଁ ଜାଣିବି ତେବେ ସମସ୍ତଙ୍କ ଆଗରେ ସତ କଥା କହିଦେବି l ଆଜି ମୋ ମୁଣ୍ଡ ଛୁଇଁ ଶପଥ କର ତୁ ଆଉ କେବେ ବି କୌଣସି ଏମିତିକା ବହି ଆଦୌ ପଢ଼ିବୁନି l କାରଣ ଆମେ ବର୍ତ୍ତମାନ ଛାତ୍ର ଛାତ୍ରୀ ଅର୍ଥାତ ଶିକ୍ଷାନବିଶ l ଆମର ଉଜ୍ଜ୍ୱଳ ଭବିଷ୍ୟତ ଅଛି l ତୋ ବାପା ଜଣେ ପ୍ରଥମ ଶ୍ରେଣୀର ଶିଳ୍ପପତି l ତେଣୁ ତାଙ୍କ କଥା ଅଲଗା l ସେ ନିଜର ମନ ଖୁସି କରିବା ପାଇଁ ଏ ବହିସବୁ କିଣନ୍ତି l ତୁ ତାଙ୍କର ଏକ ମାତ୍ର ଗେଲ୍ହା ଝିଅ l ତୋ ପାଇଁ ତାଙ୍କ ମନ ପ୍ରାଣରେ ଅନେକ ମହତ ଆକାଂକ୍ଷା ଅଛି l ତୁ ନିଜକୁ ଆଜିଠାରୁ ସୁଧାରି ନେ ଆଉ ପାଠରେ ମନ ଲଗା l ତୁ ଯଦି ଏପରି ବହି ନିୟମିତ ପଢ଼ୁ ତେବେ ତୋର ଫାଷ୍ଟ କ୍ଲାସ କ୍ୟାରିଅରଟି ନଷ୍ଟ ହେବା ସହିତ ଲୋକେ ତୋତେ ଛିଛା କରିବେ l ବାପାମାଙ୍କ ଇଜ୍ଜତ ଉପରେ ଆଞ୍ଚ ଆସିଲେ ତୋପାଇଁ ସେମାନେ ଭୀଷଣ ଦୁଃଖିତ ହେବେ l ବୁଝିଲୁ ରଶ୍ମି ଏ ବଦ ଅଭ୍ୟାସ ଛାଡ଼ିଦେ l ତୁ ଗୋଟିଏ ମେଧାବୀ ଛାତ୍ରୀ l ନିଜେ ବିଚାର କର l ମୋର ଉପଦେଶ ତୋ ପାଇଁ ଭଲ ନା ଖରାପ l ଏ ସମୟରେ ଯୌନ ସମ୍ବନ୍ଧୀୟ ଯେକୌଣସି ଚିନ୍ତାକୁ ଦୃଢ଼ ସଂଯମ ଦ୍ଵାରା ବଶୀଭୁତ କରିବା ନିହାତି ଗୁରୁତ୍ୱ ପୂର୍ଣ୍ଣ l ଆମର ଛାତ୍ର ଜୀବନର ଅନ୍ତ ହେଲା ପରେ ଆମର ଜୀବିକା ଚିନ୍ତା ଆସିବ l ଅର୍ଥାର୍ଜନ ଜୀବିକା ଲାଭ ପରେ ବିବାହ l ତାପରେ ଆମକୁ ଯୌନ ଚିନ୍ତା ନିଶ୍ଚୟ କରିବାକୁ ପଡ଼ିବ କେବଳ ବଂଶ ରକ୍ଷା ପାଇଁ l ତା ପୂର୍ବରୁ ଯୌନ ଚିନ୍ତା ବା କର୍ମ ବର୍ଜନୀୟ l ମନେରଖ ରଶ୍ମି l ତୁ ଯାହା କରୁଛୁ ଭୁଲ କରୁଛୁ l ପଢ଼ୁ ପଢ଼ୁ ଯୌନ ଅନୁରାଗ ବଢ଼ିବ l ତୁ ତାକୁ କାର୍ଯ୍ୟକାରୀ କରିବାକୁ ହୁଏତ ତୁ ଇଚ୍ଛା କରିପାରୁ l ଯାହାଦ୍ୱାରା ତୋର କୁମାରୀତ୍ୱ ଲୋପ ପାଇଯିବ l ମୋର ଦୃଢ଼ ଆତ୍ମ ସଂଯମ l ତେଣୁ ମୋ ଯାଗାରେ ଅନ୍ୟ କେହି ଥିଲେ ସବୁ କିଛି ବିଭ୍ରାଟ ହେଇ ଯାଇଥାନ୍ତା ଆଜି l ଆମ ଚରିତ୍ରରେ କଳଙ୍କ ଲାଗି ଯାଇ ଥାନ୍ତା l ବୁଝିଲୁ ତ?'
ଗଭୀର ନିଦ୍ରାରେ ଶାୟିତ ସମସ୍ତ ବଣଭୋଜୀ ଯାତ୍ରୀ l କେବଳ ଜାଗ୍ରତ ମୁଁ ଆଉ ରଶ୍ମି l ରଶ୍ମି ସ୍ଥାଣୁ ବତ ଦଣ୍ଡାୟମାନ l ନିଶ୍ଚଳ ଓ ନିର୍ବାକ l ବାଧ୍ୟ ହୋଇ ନୀତି ବିରୁଦ୍ଧରେ ମୋ ଦୁଇ ହାତରେ ତାର ଦୁଇ ଖୁଆକୁ ଧରି ହଲାଇ ଦେଲି ଜୋରରେ l ସେତେବେଳକୁ ତା ଆଖିର ଲୁହ ଶୁଖି ଯାଇ ଥିଲା l କିଛି ସମୟ ପରେ ପାଟି ଖୋଲିଲା ରଶ୍ମି," ହଁ ସାଙ୍ଗ ତୁମେ ମୋର ପ୍ରକୃତ ହିତାକାଂକ୍ଷୀ l ତୁମେ ମୋ ଆଖି ଆଜି ଖୋଲି ଦେଲ l ଆଉ ତୁମର ଉପଦେଶ ଗୁଡ଼ିକ ଶିରୋ ଧାର୍ଯ୍ୟ l ଷୋହଳଟି ବସନ୍ତଦେଖି ସାରିଛି ମୁଁ ଆଜି ସୁଦ୍ଧା l ମନରେ ରୋମାନ୍ସ ଆଉ ଶୃଙ୍ଗାର ରସପ୍ରତି କୌତୁହଳ ପୂର୍ଣ୍ଣ ଆସକ୍ତି ଆସିଥିବାରୁ ମୁଁ " ରସବନ୍ତୀ " ପଢ଼ୁଥିଲି l ତୁମେ ମୋର ଅପଥେ ପଦ ସ୍ଖଳନର କୁପରିଣାମ ଆସିବା ପୂର୍ବରୁ ମୋତେ ଚେତେଇ ଦେଇଛ l ମୋତେ ଉଚିତ ରାସ୍ତା କେଉଁଟି ଓ ଅନୁଚିତ କେଉଁଟି ଭଲ ଭାବେ ବୁଝେଇ ଦେଇଛ ଆଉ ମୋର ଆଖି ଖୋଲିଦେଇଛ l ଆଉ ମୁଁ ଆଜି ତ୍ରିବାର ଶପଥ ନେଉଛି ଯେ ଆଜି ଠାରୁ ଏମିତି ବହି ଭୁଲରେ ବି ପଢ଼ିବିନି l ମୋତେ କ୍ଷମା କର ସାଙ୍ଗ l ତୁମ ପରି ଜଣେ ଉପଯୁକ୍ତ ବନ୍ଧୁ ପାଇ ମୁଁ ନିଜକୁ ଆଜି ଧନ୍ୟ ମନେକରୁଛି l ତୁମକୁ ଅଶେଷ ଧନ୍ୟବାଦ l " ତାପରେ ଆମେ ଦି ଜଣ ନିଜ ନିଜ ବିଛଣା ଧରିଲୁ l ରାତି ଗୋଟାଏ l ବାହାରର ବୁଲା କୁକୁରଗୁଡ଼ାକର ଭୋଭା ସ୍ୱର,ଜଙ୍ଗଲିଆ ବିଲୁଆମାନଙ୍କ ହୁକେ ହୁକେ ହୋ ଏବଂ ଗଛ ଉପରେ ହନୁମାଙ୍କଡ଼ର ଖେଁ ଖାଁ ରଡ଼ିକୁ ଖାତିର ନକରି ଆମେ ଦି ଜଣ ନିଦ୍ରା ଦେବୀଙ୍କ କୋଳରେ ଆଶ୍ରୟ ନେଲୁ l ସେଦିନ ଛାତ୍ର ଜୀବନର ବିଶେଷ ଅନୁଭୂତିମୂଳକ ସ୍ମୃତି ଆଜି ସୁଦ୍ଧା ମୋ ତନୁ ମନରେ ଶିହରଣ ସୃଷ୍ଟି କରି ଚାଲିଛି ଯଦିଓ ଆଜି ମୁଁ ଜଣେ ବରିଷ୍ଠ ନାଗରିକ l

