ଠକ ଏବଂ ବ୍ରାହ୍ମଣ
ଠକ ଏବଂ ବ୍ରାହ୍ମଣ
ଠକ ଏବଂ ବ୍ରାହ୍ମଣ (Pancha Tundare Chheli Kukura)
♥️♥️♥️♥️♥️♥️♥️♥️
ଥରେ ଜଣେ ବ୍ରାହ୍ମଣ ପୂଜକ ନିଜ ଗ୍ରାମଦେବତୀଙ୍କ ପାଖରେ ବଳି ଚଢ଼ାଇବା ଉଦ୍ଦେଶ୍ୟରେ ଗାଁ ହାଟରୁ ଗୋଟିଏ ଛେଳି କିଣିଲେ।
ସେତେବେଳକୁ ଅପରାହ୍ନ ହୋଇଥାଏ। ବ୍ରାହ୍ମଣ ଜଣକ ଛେଳିଟିକୁ ନିଜ କାନ୍ଧରେ ପକାଇ ଗାଁ ଅଭିମୁଖେ ଚାଲିବାକୁ ଲାଗିଲେ। ହାଟଠାରୁ ତାଙ୍କ ଗାଁର ଦୂରତା ପ୍ରାୟ ୨ କିଲୋମିଟର ଥିଲା। ରାସ୍ତାର ଦୁଇପାଖ ଜଙ୍ଗଲ ଓ ବୁଦୁବୁଦିକିଆ ଗଛଲତାରେ ପୂରି ରହିଥିଲା। ପୂର୍ବ ଯୋଜନା ଅନୁଯାୟୀ ପାଞ୍ଚ ଜଣ ଠକ ବ୍ରାହ୍ମଣଙ୍କ ପିଛା କରିବାକୁ ଲାଗିଲେ। କାରଣ ସେମାନେ ଯେମିତି ହେଲେ ବ୍ରାହ୍ମଣଙ୍କଠାରୁ ଛେଳିଟିକୁ ହାତେଇ ଏକ ଭୋଜି କରିବାକୁ ଚାହୁଁଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣଙ୍କୁ କହିଲା, "ଓ ଭାଇନା! କାନ୍ଧରେ ଗୋଟେ କୁକୁରକୁ କାହିଁକି ବୋହି ନେଉଛ? ତୁମେ ଜଣେ ନିଷ୍ଠାପର ବ୍ରାହ୍ମଣ। ଏଭଳି କାମ ତୁମ ପାଇଁ ଆଦୌ ଶୋଭା ପାଉନାହିଁ। ଦୟାକରି ଏହାକୁ ତଳେ ଫିଙ୍ଗିଦିଅ।"
ଠକର ଏଭଳି ଚତୁରତାପୂର୍ଣ୍ଣ କଥା ଶୁଣି ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ତା କଥାକୁ କାନ ନଦେଇ ସେ ଆଗକୁ ଚାଲିବାକୁ ଲାଗିଲେ।
କିଛି ବାଟ (ପ୍ରାୟ ଏକ ଫର୍ଲଙ୍ଗ) ଗଲା ପରେ, ହଠାତ୍ ଅନ୍ୟ ଜଣେ ଠକ ବୁଦା ମୂଳରୁ ବାହାରି ଆସିଲା। ସେ ମଧ୍ୟ ବ୍ରାହ୍ମଣଙ୍କୁ ସମାନ କଥା କହିଲା, "ଭାଇନା, କୁକୁରଟାକୁ ଫିଙ୍ଗିଦିଅ, ବୋହି ନିଅନାହିଁ। ତୁମେ ଜଣେ ଧାର୍ମିକ ବ୍ରାହ୍ମଣ।"
ବ୍ରାହ୍ମଣ ତା କଥା ନଶୁଣି ଆଗକୁ ଚାଲିଲେ। ଏହାପରେ ବାକି ୩ ଜଣ ଠକ ମଧ୍ୟ ଜଣକ ପରେ ଜଣେ ଆସି ସେହି ସମାନ ଚାଲାକି କଲେ। ଶେଷରେ ବ୍ରାହ୍ମଣ ଜଣକ ସହଜରେ ସେମାନଙ୍କ କଥାରେ ଭ୍ରମିତ ଓ ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ସତରେ ବିଶ୍ୱାସ କରିବାକୁ ଲାଗିଲେ ଯେ ସେ ଛେଳି ନୁହେଁ, ବରଂ ଗୋଟିଏ କୁକୁର କାନ୍ଧେଇଛନ୍ତି।
ତେଣୁ, ଆତ୍ମବିଶ୍ୱାସର ଅଭାବ ଯୋଗୁଁ ବ୍ରାହ୍ମଣ ପୂଜକ ଜଣକ ଛେଳିଟିକୁ କାନ୍ଧରୁ ତଳେ ଫିଙ୍ଗିଦେଇ ଆଗକୁ ଚାଲିଗଲେ। ଏହା ଦେଖି ଠକମାନଙ୍କ ଆନନ୍ଦର ସୀମା ରହିଲା ନାହିଁ। ସେମାନେ ଜୋରରେ ହସିବାକୁ ଲାଗିଲେ। ଦେଖୁଦେଖୁ ସେମାନେ ସେହି ବଳି ଛେଳିକୁ ଧରି ନିଜ ଆଡ୍ଡାସ୍ଥଳୀକୁ ପଳାଇଲେ। ତାକୁ କାଟି-କୁଟି ବାଛିବା ପରେ, ଜଣେ ଠକ ସୁନ୍ଦର ଭାବେ ରୋଷେଇ କଲା। ସେମାନେ ସମସ୍ତେ ଆନନ୍ଦର ସହ ମାଂସ ତରକାରୀ ଓ ରୁଟିର ମଜା ନେଲେ।
ନୀତିଶିକ୍ଷା (Moral): > "ପଞ୍ଚ ତୁଣ୍ଡରେ ଛେଳି କୁକୁର" — ଗୋଟିଏ ମିଛକୁ ବାରମ୍ବାର ଦୋହରାଇଲେ ତାହା ସତ୍ୟ ପରି ପ୍ରତୀତ ହୁଏ। (A lie repeated often enough becomes the truth)
(ଏହି ବ୍ରାହ୍ମଣ ଓ ଠକ ଗପଟି ଓଡ଼ିଶାର ଏକ ପ୍ରସିଦ୍ଧ ଲୋକକଥା,ଯାହାର ସଂଗ୍ରାହକ ଏବଂ ଲେଖକ ©ଅବଧୂତ ପଣ୍ଡା, କଟକ l ଏହାର ମୂଳ ନାମ "ପଞ୍ଚ ତୁଣ୍ଡରେ ଛେଳି କୁକୁର")
