Pramod Kumar Jena

Tragedy

4.8  

Pramod Kumar Jena

Tragedy

ଅନ୍ୟରୂପ : ରୂପାନ୍ତର

ଅନ୍ୟରୂପ : ରୂପାନ୍ତର

8 mins
460


ଅନ୍ୟରୂପ : ରୂପାନ୍ତର

ତରବର ହୋଇ ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧି ବାହାରି ପଡିଲି l ଚାହା ପିଇବାକୁ ସମୟ ନାହିଁ l

ଗାଆଁ ଝିଅଟା l ଏତେ ବାଟରୁ ଆସୁଛି l ଅଜଣା ଜାଗା l କେବେ ତ ବାହାରକୁ ଆସି ନ ଥିବା l ପୁଣି ଫାଲତୁ ଲୋକଙ୍କ ଅଭାବ ନାହିଁ l ଗାଆଁ ଝିଅ l ସରଳ ବିଶ୍ୱାସୀ l ତା’ ଛଡା ଲମ୍ବା ରୁଟରେ ନିଶା ଦିଆ ଲୁଟେରା ମାନେ ଆଜିକାଲି ବାହାରିଲେଣି l ଆସିଲେ ପୁଣି ଅଫିସ୍ ଯିବାର ଅଛି l ବେଶି ଡେରି ନ କରି ମୋଟର୍ ସାଇକେଲଟା ଧରି ଚାଲିଲି ବସ୍ ଷ୍ଟାଣ୍ଡକୁ l ଅବଶ୍ୟ ବେଶି ଦୂର ନୁହେଁ l

ଯାଇ ଦେଖେ ତ ଝରଣା ଠିଆ ହୋଇଛି ତା’ ବାପାଙ୍କ ସାଙ୍ଗରେ l ମୋତେ ଦେଖୁ ଦେଖୁ ଖୁସି ହୋଇଗଲେ ଦୁହେଁ l ସାରା ରାତି ବୋଧେ ଅନିଦ୍ରା ହୋଇଥିବେ l ଓଭର୍ ନାଇଟ୍ ଜର୍ଣ୍ଣି l ଡାକିଦେଲିl କହିଲି,‘ଚାଲନ୍ତୁ l ମୋ ରୁମକୁ ପଳେଇବା l ସେଇଠି ଟିକିଏ ଫ୍ରେସ୍ ହୋଇ ସ୍କୁଲକୁ ଯିବା l ଯନ୍ତ୍ରଚାଳିତ ଭଳି ସେମାନେ ମୋ କଥା ଅନୁସାରେ ଆମ ଘରେ ପହଞ୍ଚିଲୁ l କହିଲି ସମୟର ଘୋର ଅଭାବ l ବେଳ ହେଲେ ବାକି ସବୁ କଥା ହେବେ l ତେଣୁ ଡେରି ନ କରି କାମ ସାରନ୍ତୁ l’ ସେମାନଙ୍କୁ ଛାଡି ବଜାରକୁ ଯାଇ ଟିକିଏ ଜଳଖିଆ ନେଇ ଆସିଲି l ଇତି ମଧ୍ୟରେ ଝରଣା ଆଉ ତା’ ବାପା ନିତ୍ୟକର୍ମ ସାରି ଦେଇଥିଲେ l ଅଟୋବାଲାକୁ କହିଥିଲି, ଅଧଘଣ୍ଟା ପରେ ଆସିବାକୁ l ବାସ୍ l ଅଧ ଘଣ୍ଟା ଭିତରେ ସବୁ କାମ ସାରି ତିନିହେଁ ଅଟୋରେ ବସିଲୁ l ଯିବାର ଅଛି ହରେକୃଷ୍ଣପୁର ୟୁlପିl ସ୍କୁଲ୍ l ଏଠୁ ପ୍ରାୟ ପନ୍ଦର କିଲୋମିଟର୍ ହେବ l ରାସ୍ତା ଖରାପ ନ ହେଲେ ବି ପବ୍ଲିକ୍ ଟ୍ରାନ୍ସପୋର୍ଟର ସୁବିଧା ନାହିଁ l ତେଣୁ ଅଟୋ ରିକ୍ସା ହିଁ ଭରସା l ହରେକୃଷ୍ଣପୁର୍ ଟିକେ ରିମୋଟ୍ l କ’ଣ କରାଯିବ ? ଝିଅକୁ ବଡ କଷ୍ଟରେ ଖଣ୍ଡେ ଚାକିରି ମିଳିଛି, ଦରମା ଯେତେ ହେଉ ପଛେ l ତାଙ୍କ ବଂଶରେ ଝରଣା ହେଉଛି ପ୍ରଥମ ଗ୍ରାଜୁଏଟ୍ ଏବଂ ପ୍ରଥମ ଚାକିରିଆ ହେବାକୁ ଯାଉଛି ଜଣେ ଶିକ୍ଷା ସହାୟିକା ଭାବରେ l ଭଲ ପଢେ l ତେଣୁ ସମସ୍ତ ବାଧା ବିଘ୍ନକୁ ଖାତିର ନ କରି ଏ ପର୍ଯ୍ୟନ୍ତ ଉଠିଛି l ତା’ ବାପାଙ୍କ ଆର୍ଥିକ ଅବସ୍ଥା ଏକଦମ୍ ଖରାପ କହିଲେ ଚଳେ l ଯାହା ହେଉ ଧନ ବଳ ନ ଥିଲେ ବି ମନ ବଳ ଦେଇଥିବାରୁ ଝରଣା ଏ ପର୍ଯ୍ୟନ୍ତ ଆସି ପାରିଛି l ଆପଏଣ୍ଟ ଲେଟରଟି ପାଇ ଝରଣାର ପରିବାର ବହୁତ ଖୁସି l ଝିଅ ଚାକିରି କରିବ l ହେଲେ ପୋଷ୍ଟିଙ୍ଗ୍ ହେଲା ହରେକୃଷ୍ଣପୁର ୟୁlପିl ସ୍କୁଲରେ l ଗାଆଁଠୁ 250 କି.ମି. ଦୂର l ମୁଁ ପାଖ ସହରରେ ବ୍ୟାଙ୍କରେ କାମ କରେ l ତେଣୁ ମୁଁ ଯେତେଟା ସାହାଯ୍ୟ କରିପାରେ l ଭାବୁଛି ସେ ଦୁଇ ଜଣଙ୍କୁ ସ୍କୁଲରେ ପହଞ୍ଚାଇ ଦେଲେ ମୋ ଡ୍ୟୁଟି ଖତମ୍ l ନ ହେଲେ ମୋ ଘରେ ଦିନେ ଅଧେ ରହିବେ l ତା’ପରେ ତାଙ୍କ ସୁବିଧା ସେ କରିବେ l ତା ଛଡା ଝିଅ ପିଲା l ଏଠି ତ ରହିପାରିବନି l

ସେତେବେଳକୁ ସକାଳ ଆଠଟା ବାଜିଗଲାଣି l ପୁଣି ମୋତେ ଫେରି ବ୍ୟାଙ୍କ୍ ଯିବାର ଅଛି l ତରବର ହୋଇ ସମସ୍ତେ ଅଟୋରେ ବସିଲୁ l ବାଟ ସାରା ଝରଣା ତା’ ପଢା ଜୀବନର ସଙ୍ଘର୍ଷ ବିଷୟରେ କହି ଚାଲିଥାଏ l କେମିତି ସମସ୍ତେ ତା’ର ପଢିବାକୁ ବିରୋଧ କରୁଥିଲେ ....... କେମିତି ବିନା ବହି ଖାତାରେ ସେ କ୍ଲାସ୍ ଯାଉଥିଲା ............ ଇତ୍ୟାଦି ଇତ୍ୟାଦି ..........କିନ୍ତୁ ଝରଣା ବାପାଙ୍କ ମୁହଁ ଆଜି ଝିଅ ପାଇଁ ଟିକେ ଗର୍ବିତ ଦେଖାଯାଉଥିଲା l କହିଲେ, ‘ଆଜି ମୋ ଝିଅ ମୋ ମୁଣ୍ଡ ଉପରକୁ କରି ଦେଇଛି l ଏଥର ସିଏ ମାଷ୍ଟ୍ରାଣୀ ହେବ l କେତେ ପିଲାଙ୍କୁ ମଣିଷ କରିବ l କେହି କ’ଣ କେବେ ଆମ ଗାଆଁରେ ଚିନ୍ତା କରିଥିଲେ, ପ୍ରଧାନ ଘର ଝିଅ ମାଷ୍ଟ୍ରାଣୀ ହେବ

ବୋଲି ?’ ସବୁ କଥା ଶୁଣୁଥାଏ l ହେଲେ ମୋ ଆଖି ଘଣ୍ଟାରେ ଥାଏ l ମୋର ବି ନୂଆ ଚାକିରି l ଟାଇମରେ ଅଫିସ୍ ନ ପହଞ୍ଚିଲେ ଭୀଷଣ ଅସୁବିଧା l କଷ୍ଟମର୍ ପହଞ୍ଚିବା ପୂର୍ବରୁ କାଉଣ୍ଟରରେ ବସିବାକୁ ପଡିବ l ବିଳମ୍ବକୁ ଜମ୍ମା ସହ୍ୟ କରନ୍ତିନି ବ୍ରାଞ୍ଚ୍ ମ୍ୟାନେଜର୍ l

ସ୍କୁଲରେ ପହଞ୍ଚି, ହେଡ୍ ମାଷ୍ଟରଙ୍କୁ ଦେଖା କରି ଜଏନ୍ ହୋଇଗଲା l ଖୁବ୍ ଭଲ ଲୋକ l କଥା ପ୍ରସଙ୍ଗରେ ହେଡ୍ ମାଷ୍ଟର ପଚାରିଲେ, ‘ଆଜି ଜଏନ୍ କରି ଫେରିଯିବ ନା ରହିଯିବ l’ ମୁଁ କହିଲି, ‘ଆଉ ଫେରିକି ଯିବ କୁଆଡେ ? ଆଜିଠୁ କ୍ଲାସ୍ ଆରମ୍ଭ କରିବ l ଏଠି କିଛି ରହିବାର ବନ୍ଦୋବସ୍ତ ହୋଇପାରିବ ?’

ହେଡ୍ ମାଷ୍ଟର କହିଲେ, ‘ମୋର ଜଣେ ବନ୍ଧୁ ଅଛନ୍ତି l ସେ ବି ଟିଚର୍ l ତାଙ୍କର ଗୋଟେ ଘର ଖାଲି ଅଛି l ଏମିତି ଭଡା ଫଡା ତ ଏଠି ଲାଗେନି l ମୁଁ ତା’କୁ ଅନୁରୋଧ କରିଥିଲି l ତାଙ୍କର ଛୋଟ ପରିବାର l ଏମାନେ ଯାଇ ଘର ଦେଖନ୍ତୁ l ଯଦି ପସନ୍ଦ ହୁଏ ରହିଯିବେ l ଭାବୁଛି କିଛି ଅସୁବିଧା ହେବନି l ବହୁତ ଭଲ ଲୋକ l ତାଙ୍କ ମାଉସୀଙ୍କ କଥା ନ କହିବା ଭଲ l

ବହୁତ ସ୍ନେହୀ l’

ମୁଣ୍ଡରୁ ମୋର ଗୋଟେ ବିରାଟ ବୋଝ ଉତୁରିଗଲା ଭଳି ଲାଗିଲା l ସବୁ କଥା ଯାଇ ଝରଣା ଆଉ ତା’ ବାପାଙ୍କୁ କହିଲି l ଦେଖିଲି, ସେମାନେ କିଛି କହିବା ଅବସ୍ଥାରେ ନାହାନ୍ତି l ଯାହା କହିଲେ

ହଁ l ତା’ ଛଡା ସେମାନେ କ’ଣ ଚାହିଁବେ ? ମୁଁ ଯେମିତି ତା’ର ଅଭିଭାବକ l କହିଲି, ‘ଝରଣା ! ତୁମେ ହେଡ୍ ମାଷ୍ଟରଙ୍କ ସହ କଥା ହେବ l ତୁମ କଥା ମୁଁ ତାଙ୍କୁ କହି ଦେଇଛି l ଯଦି ସମୟ ହେଉଛି, ପିଅନ୍ ସାଥିରେ ଯାଇ ଘର ଦେଖିନେବ l ମୋ ମତରେ ଆଖି କାନ ବୁଜି ରହିଯାଅ l ପରେ ଦେଖାଯିବ l

ହଁ l ମୁଁ ଯାଉଛି l ଅଟୋ ବି ଫେରିବ l ଆଉ ମୁଁ ଅଫିସ୍ ଯିବି l ସନ୍ଧ୍ୟା ବେଳକୁ ମୋତେ ଜଣେଇବ l ଅସୁବିଧା ହେଲେ ମୁଁ ଅଟୋ ନେଇ ଆସିବି l’

ତା’ ପରେ ମୁଁ ଫେରି ଆସିଲି l

*** *** *** *** ***

ଅଫିସରୁ ଫେରୁ ଫେରୁ ଝରଣାର ଫୋନ୍ l ବହୁତ୍ ଖୁସି ଚାକିରି ଜୀବନ ଆରମ୍ଭ ପାଇଁ l ଆଉ ତା’ଠୁ ବେଶି ରହିବାର ବନ୍ଦୋବସ୍ତ ପାଇଁ l ମୋତେ, ହେଡମାଷ୍ଟର୍, ସ୍କୁଲ୍ ପିଅନ୍ ଆଉ ଜନ୍ମେଜୟ ସାହୁ (ଯାହାଙ୍କ ଘରେ ଝରଣା ରହିବ), ସମସ୍ତଙ୍କ ପାଇଁ ଧନ୍ୟବାଦର ସ୍ୱର l କହିଲା, ବାପା ଦିନେ ଦିଦିନ ପରେ ଗାଆଁକୁ ଫେରିଯିବେ l ମୁଁ ବି ଟିକିଏ ଆଶ୍ୱସ୍ତ ହେଲି l

*** *** *** *** ***

ଏ ଭିତରେ ବ୍ୟାଙ୍କର ଗୋଟେ ଟ୍ରେନିଙ୍ଗ୍ ପ୍ରୋଗ୍ରାମ୍ ଥିଲା l ତିନି ମାସର ଟ୍ରେନିଙ୍ଗ୍ ଭିତରେ ଏତେ ବ୍ୟସ୍ତ ରହିଲି ଯେ ଆଉ ଝରଣା କଥା ଭାବିବାକୁ ସମୟ ପାଇନି l ଫେରିବା ପରେ ବ୍ୟାଙ୍କ କାମ l ବେଳେବେଳେ ଭାବେ ଝରଣା କଥା ବୁଝିବାକୁ, ହେଲେ ଫୋନ୍ କଲାବେଳକୁ ଆଉଟ୍ ଅଫ୍ ରେଞ୍ଜ୍ lଭାବିଲି କେବେ ଯାଇ ବୁଲି ଆସିବି l ହଠାତ୍ ଦିନେ ଦେଖାହେଲା ହେଡ୍ ମାଷ୍ଟରଙ୍କ ସହ l ସେ ଦିନର ପରିଚୟ ଯଦିଓ ତାଙ୍କର ସେତେଟା ମନେ ନ ଥିଲା, ମୁଁ ଦେଖୁ ଦେଖୁ ଚିହ୍ନି ଯାଇଥିଲି l ଖୁବ୍ ଭଦ୍ରଲୋକ l ପୁଣି ଥରେ ଦେଖି ଖୁସି ହୋଇଗଲେ l ପଚାରୁ ପଚାରୁ ଝରଣା କଥା

ପଚାରିଲି l

: ଆଜ୍ଞା ! ଝିଅଟା ବହୁତ ଇଣ୍ଟେଲିଜେଣ୍ଟ୍ l ଆମ ସ୍କୁଲ୍ ପାଇଁ ଗୋଟେ ଆସେଟ୍ l

କଥାର ମୋଡ ବଦଳାଇ ପଚାରିଲି, ‘ଆଉ ତା ରହିବା ବ୍ୟବସ୍ଥା କେମିତି ଚାଲିଛି ?’

ଟିକିଏ ହସିଦେଲେ l ‘ଆଉ ପଚାରନ୍ତୁନି l ପୁରାପୁରି ତାଙ୍କ ପରିବାର ସାଥିରେ

ମିଶିଯାଇଛି l କେହି ସେମାନଙ୍କୁ ଦେଖିଲେ ଜାଣିପାରିବେନି ଯେ ଘରମାଲିକ କିଏ ଆଉ ଭଡାଟିଆ କିଏ l ମାଉସୀ ତା’କୁ ଝିଅ ଭଳି ଦେଖୁଛନ୍ତି l ତାଙ୍କର ଝିଅ ନାହିଁ ତ l’

ମୁଁ କହିଲି, ‘ପ୍ରକୃତରେ ଝିଅଟା ବହୁତ ଭଲ l’

: ହଁ....... ହଁ....... ଆରେ ମୁଁ ତା’ ସାଥିରେ ଛଅ ମାସ ହେଲା କାମ କରୁଛି l ଆଉ ବେଶି କଥା ହୋଇ ପାରିଲି ନାହିଁ ସେ ଦିନ l

*** *** *** *** ***

ପ୍ରାୟ ଦୁଇ ବର୍ଷ ହୋଇଗଲାଣି l ଦେଖା ସାକ୍ଷାତ୍ ନାହିଁ ମୁଁ ଝରଣା କଥା ପୁରା ଭୁଲି

ଯାଇଥିଲି l ଏମିତି ଦିନେ ପୁଣି ହେଡ୍ ମାଷ୍ଟରଙ୍କ ସାଥରେ ଦେଖା ହେଲା l ବହୁତ ଦିନ ପରେ

ଦେଖା l ତାଙ୍କୁ ଟାଣି ନେଇ ଗଲି ଗୋଟେ ଛୋଟ ଚା ଦୋକାନକୁ l ଭାରି ଖୁସି ଲାଗୁଥାଏ l ଯେମିତି ମୁଁ ଝରଣା କଥା ପଚାରିଲି, ଟିକିଏ ହସି ଉତ୍ତର ଦେଲେ,

ଅପେକ୍ଷା କରନ୍ତୁ ସୁସମ୍ବାଦ ପାଇଁ l ମୁଁ ଟିକିଏ ବୁଝି ପାରିଲି ନାହିଁ l

ହେଡ୍ ମାଷ୍ଟର୍ କହିଲେ, ‘ମାଉସୀଙ୍କ ମନ ଝରଣାକୁ ବୋହୁ କରିବେ l’

ଶୁଣିକି ମୁଁ ବହୁତ ଖୁସି ହୋଇଗଲି l ଭାବିଲି ସରକାରୀ ସ୍କୁଲ୍ ଟିଚର୍ l ଭଲ ଦରମା l ଘର ଅଛି l ଦେଖିବାକୁ ହ୍ୟାଣ୍ଡସମ୍ l ଝରଣାର ତ ଭାଗ୍ୟ ଖୋଲିଯିବ l

: ଆଜ୍ଞା ! ମୁଁ ବି ଏବେ ଦେଖୁଛି ଜୁଜୁ (ଜନ୍ମେଜୟ ସାହୁଙ୍କର ଡାକ ନାମ) ବେଶ୍ ଖୁସି ଅଛି l ଅନେକ ସମୟରେ ଦୁହେଁ ମୋଟର୍ ସାଇକେଲରେ ଟାଉନ୍ ଆଉଛନ୍ତି l ତା’ ଛଡା ମୁଁ ଲକ୍ଷ୍ୟ କରୁଛି, ଝରଣା ମାଡାମ୍ ତାଙ୍କ ଠାରୁ ବି ଖୁସି ଅଛନ୍ତି l ଜୁଜୁ ମୋ ସାନ ଭାଇର କ୍ଲାସ୍ ମେଟ୍ ଥିଲା l ବ୍ରିଲିଆଣ୍ଟ୍ ଷ୍ଟୁଡେଣ୍ଟ୍ l ଦି ଥର ଓଡିଶା ସିଭିଲ୍ ସର୍ଭିସରେ ରିଟିନ୍ କ୍ୱାଲିଫାଏ କଲା l କିନ୍ତୁ ଭାଏଭାରେ

କଟିଗଲା l ଏତେ ରାଗିଗଲା ଯେ ଆଉ ଦେବନି ବୋଲି ନିଷ୍ପତ୍ତି ନେଲା l ଟିକିଏ ଜିଦିଆ l ଏବେ ତ ଝରଣା ମାଡାମଙ୍କର ହାତୀ ସୁନା କଳସ ଢାଳୁଛି l

: ମାନେ.......

: ଜୁଜୁ ଝରଣା ମାଡାମଙ୍କୁ ସବୁ ଷ୍ଟଡି ମେଟେରିଆଲ୍ ଦେଇ ପ୍ରତିଦିନ କୋଚିଙ୍ଗ୍ ଦେଉଛି, ଓଡିଶା ସିଭିଲ୍ ସର୍ଭିସ୍ ପାଇଁ l ଏକେ ତ ବିନା ଭଡାରେ ରହୁଛନ୍ତି l ଖାଉଛନ୍ତି ତାଙ୍କରି ଘରେ l ଆଦର ପାଉଛନ୍ତି ଘର ସଦସ୍ୟଙ୍କଠୁ l ତା ସହ ଫ୍ରି କୋଚିଙ୍ଗ୍ ୱିଥ୍ ଷ୍ଟଡି ମେଟେରିଆଲସ୍ l

ଏତେ କଥା ଶୁଣି ମୁଁ ଭାରି ଖୁସି ହୋଇ ଯାଇଥିଲି l

: ଝରଣା ମାଡାମଙ୍କୁ ଜୁଜୁ ଜବରଦସ୍ତି କରି ଫର୍ମ୍ ଫିଲ୍ ଅପ୍ କରେଇଥିଲା l କହିଲା, ‘ତୁମେ ଜଣେ ଭଲ ଷ୍ଟୁଡେଣ୍ଟ୍ l ବେଟର୍ ଜବ୍ ପାଇଁ ଟ୍ରାଏ କର l ଝରଣା ମାଡାମତ କେବେ ସ୍ୱପ୍ନରେ ସୁଦ୍ଧା ଓlସିlଏସ୍ କଥା ଚିନ୍ତା ବି କରି ନ ଥିଲେ l ତାଙ୍କର ଯାହା ଦରମା, ଭଡାରେ ରହି ଏଠି ଗଣ୍ଡେ ଖାଇବା ବି ସମ୍ଭବ ହୋଇ ନ ଥାନ୍ତା l ଏବେ ତ ରିଜଲ୍ଟ୍ ବାହାରିବ l ମାଡାମ୍ ଆଶାବାଦୀ ଅଛନ୍ତି l ଆରେ ହଁ........l ସେ କଥାଟା ଭୁଲିଯାଇଛି l ତାଙ୍କ ବାପା ଆସିଥିଲେ l କିଛି ନ ଜାଣିବା ପରି କହିଲି, ଝିଅ ତ ଏଠି ରହିଗଲାଣି l ମାଉସୀଙ୍କୁ ଦେଇ ଦେଉ ନାହାନ୍ତି ? ଭଲ ଶାଶୁଟିଏ ପାଇବ l କ’ଣ କହିଲେ ଜାଣନ୍ତି ?’

ମୁଁ ତାଙ୍କ ମୁହଁକୁ ଅନେଇଥାଏ l କହିଲେ,‘ଆମେ ଗରୀବ ଲୋକ l ତାଙ୍କ ଦୟାରୁ ମୋ ଝିଅ ଏଠି ରହିପାରିଲା l ନ ହେଲେ କୋଉଠି ମୁଣ୍ଡ ଗୁଞ୍ଜିଥାଆନ୍ତା ? ଟାଉନରେ ସିନା ଭଡା ଘର ଅଛି l ସେଠି ରହିଲା ଭଳିଆ ଦରମା କାହିଁ ? ସବୁତକ ଦରମା ଦେଲେ ବି ଭଡା ଘର ମିଳି ନ ଥାନ୍ତା l ଆମେ ବାମନ l ମୋର ଚନ୍ଦ୍ରକୁ ହାତ ବଢେଇଲେ ଲୋକହସା ହେବା କଥା l’

ତାଙ୍କ କଥା ଶୁଣି ମୁଁ ତାଙ୍କୁ କଥା ଦେଉଥିଲି – ମୋ ଉପରେ ଛାଡି ଦେବାକୁ l

ମୁଁ କହିଲି,‘ତେବେ ଭୋଜିଟା ଜଲଦି ମିଳୁଛି l’

: ଦେଖାଯାଉ ପ୍ରଭୁଙ୍କ ଇଚ୍ଛା l ବାସ୍ ସେ ଦିନ ଆଉ ବେଶି କିଛି କଥା ହୋଇ ପାରି

ନ ଥିଲୁ l

*** *** *** *** ***

ହଠାତ୍ ଆଉ ଦିନେ ସନ୍ଧ୍ୟାବେଳେ ଜନ୍ମେଜୟ ବାବୁ ଆସି ପହଞ୍ଚିଗଲେ l ମୋ ଘରେ ଖୁସି ଖବର ଦେବାକୁ ଆସିଛନ୍ତି l ଝରଣା ଓ.ସି.ଏସ୍. କ୍ୱାଲିଫାଏ କରିଛି l ସେହି ଖୁସିରେ ଗୋଟିଏ ଭୋଜି ଦେବେ l ବହୁତ ଖୁସି ହେଲେ l ଘରେ ବସିଲେ l କଥା ଆରମ୍ଭ ହେଲା l ଆଉ ସରିବାର ନାଆଁ ନେଉନି l ଲାଗିଲାନି ଆମେ ଜୀବନରେ ଦ୍ୱିତୀୟ ଥର ଦେଖା ହେଉଛୁ l ଲାଗିଲା ମଣିଷ ଟିକିଏ ବେଶି ଖୁସି ହେଲେ ଏମିତି ବୋଧେ ଗପିଚାଲେ l

କଥା କଥାରେ କହିଲେ, ‘ଆପଣ ମୋତେ ଆଉ ବାବୁ କହନ୍ତୁନି, ନାଆଁ ଧରି ଡାକନ୍ତୁ l ମୁଁ ଆପଣଙ୍କ ସାଙ୍ଗ ଭଳି l’

: କିନ୍ତୁ ଏତେ ବଡ ନାଁ.... ଜନ୍ମେଜୟ...... ନାଁ ବାବା..... ମୋ ପାଟିରେ ପଶୁନି l ମୁଁ ସାହୁ ବାବୁ ଡାକିବି l

: ସେ କହିଲେ,ନାଁ..... ନାଁ..... ଆପଣ ଖାଲି ଜୁଜୁ ଡାକନ୍ତୁ l ସେ ଅନୁରୋଧ

କଲେ l

ଅନିଚ୍ଛା ସତ୍ତ୍ୱେ ରାଜି ହୋଇଗଲି l ସେହି ଦିନ ଠାରୁ ମୁଁ ତାଙ୍କୁ କେବଳ ଜୁଜୁ ବୋଲି ସମ୍ବୋଧନ କରେ l

ଆଜି ରବିବାର l ପହଞ୍ଚିଗଲି ଯାଇ ଜନ୍ମେଜୟଙ୍କ ଘରେ l ଆଗେ ମାଉସୀକୁ ଗୋଟେ ପ୍ରଣାମ କରିଦେଲି l ସତରେ ଲାଗିଲା ସ୍ନେହର ଭଣ୍ଡାର l ଗୋଟେ ମିନିଟରେ ନିଜର କରି

ନେବେ l କିଛି ସମୟ କଥା ହେବା ପରେ ପଚାରିଲି, ‘ମାଉସୀ ! ଝରଣା ତ କ୍ୱାଲିଫାଏ କଲା l ଆଉ ସାନ୍ତାରା କ’ଣ ପାର୍ଟି ଦେଉଛି ?’

ମାଉସୀ ହସି ଦେଇ କହିଲେ, ‘ବାଁ ପକେଟରୁ ଗଲେ କେତେ, ଡାହାଣ ପକେଟରୁ ଗଲେ କେତେ ?’

କଥାଟା ମୁଁ ଠିକ୍ ବାରି ନେଲି l ତା’ ହେଲେ ଏତେ ବାଟ ଆଗେଇଗଲାଣି l ଖୁସି ହୋଇ ପଚାରିଲି, ‘ତା’ହେଲେ ବଡ ଭୋଜିଟେ ଦେବେ l ’

: ତା’ ବାପା ଆସିଛନ୍ତି ....... ଜାଣିଯିବ ଯେ............ ହସିଦେଇ ପଳେଇଲେ ସେ l

ଆରେ.......... ସେ ଦୁଇ ଜଣ ଦେଖା ଯାଉନାହାନ୍ତି l ଦେଖିଲି ଗୋଟେ କୋଣରେ ଠିଆ ହୋଇ କ’ଣ କଥା ହେଉଛନ୍ତି l ଖୁସିର ତିଳେ ମାତ୍ର ଆଭାସ ନାହିଁ l ମୋ ପଛେ ପଛେ ହେଡ୍ ମାଷ୍ଟର୍ ପହଞ୍ଚି ଗଲେ l ଦୁଇ ଜଣଙ୍କୁ ଏତେ ଟେନ୍ସ୍ ଦେଖି ପଚାରିଲେ, ‘କଥା କ’ଣ ?’

: ନାଃ..... କିଛି ନୁହେଁ l ଝରଣା ମାଡାମ୍ କହୁଥିଲେ ତାଙ୍କ ବାପାଙ୍କ କଥା l ଦୁଇଟା ବିବାହ ପ୍ରସ୍ତାବ ଆସିଛି l ଜଣେ ତହସିଲଦାର l ଆଉ ସେମାନେ ଚାହୁଁଛନ୍ତି ଜଲଦି ଫାଇନାଲ୍ କରିବାକୁ l

ଘଟଣା ବୁଝିବାକୁ ବାକି ରହିଲାନି ଆମର l ଜନ୍ମେଜୟଙ୍କୁ ଦେଖି ଲାଗିଲା, ପୁରା ଭାଙ୍ଗି ପଡିଛନ୍ତି l ଝରଣା ମାଡାମ୍ କହିଲେ, ‘ଏ ବୟସରେ ବାପାଙ୍କୁ କଷ୍ଟ ଦେବା କ’ଣ ଠିକ୍ ହେବ ?’

: ଆରେ ନାଁ........... ନାଁ...........

ମୁହଁ ବୁଲେଇ ଚାଲି ଯାଉଥିଲେ l ଅବସ୍ଥା ଦେଖି ହେଡ୍ ମାଷ୍ଟର୍ ଜନ୍ମେଜୟଙ୍କ ହାତ ଧରି ପକାଇଲେ l ହେଡ୍ ମାଷ୍ଟରଙ୍କ ହାତରେ ହାତ ରଖି ଜନ୍ମେଜୟ କିଛି କହିବାକୁ ଚେଷ୍ଟା କଲେ l କିନ୍ତୁ ପାଟିରୁ କିଛି କଥା ବାହାରିଲା ନାହିଁ l ପିଲାଟି ଦିନରୁ ଦେଖି ଆସୁଛନ୍ତି ଜନ୍ମେଜୟଙ୍କୁ l ଏତେ ଭାଙ୍ଗି ପଡିବାର କେବେ ଦେଖି ନ ଥିଲେ l ଦୁଇ ପାପୁଲିରେ ଜନ୍ମେଜୟଙ୍କ ହାତକୁ ଚାପି ଧରି କହିଲେ, ମୁଁ ଟିକେ ଝରଣା ବାପାଙ୍କୁ କନଭିନ୍ସ୍ କରିବି କି ? ଆରେ ନା ନା ....... ଏଇଠି ଫୁଲ୍ ଷ୍ଟପ୍ ପଡି ଯିବାଟା ବେଟର୍ l କିଛି ସମୟ ନିଜର କୋହକୁ ଚାପି ରଖି କହିଲେ ମାଷ୍ଟ୍ରିଆ ଲୋକ ତ....... ପିଲାଙ୍କୁ ଗଣିତ ପଢେଇ ପଢେଇ ଏ ଗଣିତ ଠିକ୍ ଭାବରେ ପଢି ପାରିଲି ନାହିଁ l ଭଲ ହେଇଛି l ବେଶି ଡେରି ହେଇନି l

ପ୍ରମୋଦ କୁମାର ଜେନା


Rate this content
Log in

Similar oriya story from Tragedy