Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Tragedy

4.0  

Lalita Mohan Mishra

Tragedy

ଅନୁତପ୍ତ

ଅନୁତପ୍ତ

7 mins
11.9K



    ଜୀବନ ଯାତ୍ରାରେ କେତେ ସମସ୍ୟା ଦେଇ ମନୁଷ୍ଯ ଆଗକୁ ଗତି କରିଥାଏ । ବେଳେ ବେଳେ ଏମିତି... ନିଜର ପଦମର୍ଯ୍ୟାଦା ଓ ସ୍ବାଭିମାନକୁ ବଜାୟ ରଖି ପରିବାରକୁ ହତାଦର କରିବାକୁ ପଡିଥାଏ । ଆମେ ସମସ୍ତେ ଏକ ଶୃଙ୍ଖଳିତ ଶିକୁଳିରେ ବନ୍ଧା । ଯଦି ଶୃଙ୍ଖଳିତ ଶିକୁଳିକୁ ଛିଣ୍ଡାଇ ଆମେ ଆମର ନିଜସ୍ବ କର୍ମରେ ବ୍ୟସ୍ତ ରହିବା । ତାହାହେଲେ ଆମେ ନିଜସ୍ବ କର୍ମ କ୍ଷେତ୍ରରେ ଦଣ୍ଡିତ ହେବା ଏବଂ ଆମର ଦାୟିତ୍ବ କର୍ତ୍ତବ୍ୟ ଠିକ୍ ରେ ସମ୍ପାଦନା କରିପାରିବା ନାହିଁ । ଅନ୍ୟ ପକ୍ଷରେ ଆମ ପରିବାର... ଯେଉଁଥି ପାଇଁ କି... ଆମେ ରୋଜଗାର କରୁଛେ । ଦୂରଦୂରାନ୍ତରେ ପରିବାରକୁ ଛାଡି ରହୁଛେ ? ଏଭଳି ସ୍ଥିତିରେ ମନୁଷ୍ଯ ବେଳେ ବେଳେ ଅସମଞସ ଅବସ୍ଥାରେ ପଡିଥାଏ । 


  ଚେନ୍ନାଇ ରୁ ସେଦିନ ଲକ୍ଷ୍ମୀଧର ବାବୁ ପୁଅ ସାଙ୍ଗେ ଆସିଛନ୍ତି ନିଜର ଭିଟାମାଟି ବାସଭବନ ଭୁବନେଶ୍ଵରକୁ , କୌଣସି ଏକ ଅଫିସିଆଲ କାଗଜ ପତ୍ର କାମରେ । ବୟସାଧିକ୍ୟ ଯୋଗୁଁ ଯାତ୍ରା ଜନିତ କ୍ଲାନ୍ତିଟା ବେଶୀ ପରିମାଣରେ ଅନୁଭୂତ ହେଉଥାଏ । ପୂର୍ବରୁ ଖବର ପାଇ ତଳ ଘରେ ଭଡା ରହୁଥିବା ମହାନ୍ତି ବାବୁ ଘରଟାକୁ କିଛି ମାତ୍ରାରେ ସଫା କରାଇଦେଇ ଥାଆନ୍ତି । ଅନେକ ଦିନ ପରେ କଷ୍ଟାର୍ଜିତ ସମ୍ପତ୍ତିରେ ଗଢିଥିବା ଘରଟିରେ ପାଦଦେଇ ଯେତିକି ଆନନ୍ଦ ଅନୁଭବ କରୁଥାନ୍ତି ତା'ଠାରୁ ବେଶୀ କଷ୍ଟ ଅନୁଭୂତ ହେଉଥାଏ ତା'ର ଦୁରାବସ୍ଥା ଦେଖି । ବଡ ପୁଅ ଅବିନାଶ ଚିନ୍ନାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇ ସେଠି ରହିଆସୁଛି । ସାନ ପୁଅ ଅମରେଶ ଇନକମଟାକ୍ସ ଅଫିସର , ବାରମ୍ବାର ସ୍ଥାନାନ୍ତରିତ ହେବାକୁ ପଡିଥାଏ । ତେଣୁ ଲକ୍ଷ୍ମୀଧର ବାବୁ ଅବସର ପରଠାରୁ ବେଶୀ ସମୟ ଚିନ୍ନାଇରେ କଟାଇଥାନ୍ତି ।


      ନିତ୍ୟକର୍ମ ସମାପନ ପରେ ବାପାଙ୍କୁ ବିଶ୍ରାମ ନେବାପାଇଁ କହି ଅବିନାଶ ଚାଲିଗଲା । ସହରରେ ପୁରୁଣା ସାଙ୍ଗ ସାଥୀଙ୍କୁ ମିଶିବ ତା'ସହିତ ମଧ୍ୟାହ୍ନ ଭୋଜନ ପାଇଁ ଅନନ୍ତ ବାସୁଦେବଙ୍କ ଠାରୁ ପ୍ରସାଦ ଆଣିବ । ସୋଫାରେ ବିଶ୍ରାମ ନେଉ ନେଉ ମନେ ପଡିଗଲା..... ନାତି କହିଛି ଭୁବନେଶ୍ବର ରୁ ତାପାଇଁ ସ୍ମୃତି ହିସାବରେ କିଛି ନେଇକି ଆସିବାପାଇଁ । କ'ଣ ନେବେ ଭାବୁଛନ୍ତି ... ଘରଟି ବହୁଦିନ ହେଲା ବନ୍ଦ ଥିଲା । ଘରଟିରେ ଏବେ ବି ଲକ୍ଷ୍ମୀଧର ବାବୁଙ୍କର ଜିନିଷ ପତ୍ର ବହିପତ୍ର ଗୁଡିକ ଅସଜଡା ହୋଇ ପଡି ରହିଛି । ନଜର ପଡିଲା ଘରର ଗୋଟିଏ କୋଣରେ ଥିବା ଏକ ପୁରୁଣା ଆଟାଚଟି ଉପରେ । ଘର ଛାଡ଼ିଗଲା ବେଳେ ପିଲାମାନେ କ'ଣ ସବୁ ଅଲୋଡ଼ା ଭାବି ତାରି ଭିତରେ ରଖିଦେଇ ଥିଲେ ।


        ଭାବିଲେ ତା'କୁ ଖୋଲି ଦେଖିବେ , କାଳେ ପୁରୁଣା ହେଲେବି କିଛି ମିଳିଯିବ ନାତିପାଇଁ । ଅଳସୁଆ ଦେହଟାକୁ ବଡ଼କଷ୍ଟରେ ଉଠାଇନେଇ ଆଟାଚ ଟି ପାଖକୁ ଯାଇ ଖୋଲିଲେ । କେତେ କ'ଣ ଜିନିଷ ସବୁ ଇତଃସ୍ତତଃ ହୋଇ ତା' ଭିତରେ ଅଛି । ଘାଣ୍ଟୁ ଘାଣ୍ଟୁ ହାତ ବାଜିଗଲା ଗୋଟିଏ ପୁରୁଣା ଡାଏରୀ ଉପରେ , ଧୂଳିର ସ୍ତରଟାକୁ ପୋଛିବାକୁ ଉଦ୍ୟତ ହୁଅନ୍ତେ ଗଳି ପଡ଼ିଲା ସେଥିରୁ ଗୋଟିଏ ଚାରିଚଉତା କାଗଜଟିଏ । କାଗଜଟିକୁ ଧରିଆସି ସୋଫାରେ ବସିପଡି ଲେ ଲକ୍ଷ୍ମୀଧର ବାବୁ। ଦୀର୍ଘ ପଚିଶ ବର୍ଷ ତଳର ଫିକାପଡି ଯାଇଥିବା କାଗଜରେ ଆରପାରିକୁ ଚାଲି ଯାଇଥିବା ସ୍ତ୍ରୀ ଧରିତ୍ରୀର ହାତ ଲେଖା କେତୋଟି ଧାଡି। କବର ଭିତରୁ ଶରୀରର କଙ୍କାଳକୁ ଅଵଲୋକନ କଲାପରି ସଯତ୍ନେ ଖୋଲିଲେ କାଗଜଟିକୁ ।


      ଲେଖାଥିଲା ..... ଏ ଚିଠି ପାଇ ଦୁଃଖ କରିବନି ,ବ୍ୟସ୍ତହେବନି ।ଏ ଚିଠି ତମ ପାଖରେ ପହଂଚିଲା ବେଳକୁ ଆଉ କିଛି ବାକିନଥିବ । ଆମେ ଗଢିଥିବା ସଂସାର ଟିର ଆଉ ନିଜର କଥା ସବୁ କର୍ତ୍ତବ୍ୟ ଭିତରେ ବି ବୁଝୁଥିବ ।ଏଇ ଜୀବନ ସଂଘର୍ଷ ରେ ମୁଁ ହାରି ଗଲି । ମୋତେ କ୍ଷମା କରିଦେବ ।ଆଉ ବିଶେଷ କିଛି ଲେଖିପାରୁନି ।ଆକ୍ଷି ପତା ମୁଦି ହେଇଆସୁଛି .... ଧରିତ୍ରୀ ....


     ମନେ ପଡେ ଲକ୍ଷ୍ମୀଧର ବାବୁଙ୍କର ଅତୀତରେ ବିତିଯାଇଥିବା ସେଇ ନିଷ୍ଠୁର ସମୟକୁ । ଅତି ଗରିବ ପରିବାରରୁ ବାପା-ମାଆଙ୍କ ଆଶୀର୍ବାଦରେ ଘରର ବଡ଼ ପୁଅ ଲକ୍ଷ୍ମୀଧର ପଙ୍କ ରୁ ପଦ୍ମଜାତ ହେଲାପରି ନିଜର ଅଧ୍ୟବସାୟ ବଳରେ ଓଡ଼ିଶା ସରକାରଙ୍କର ପ୍ରଶାସନିକ ସେବାରେ ଯୋଗ ଦେଇଥାନ୍ତି । ଯୋଗ୍ୟତା ଦେଖି ପାଖ ଗାଁର ନରୋତ୍ତମ ସାର୍ ତାଙ୍କର ଏକମାତ୍ର ଅଲିଅଳି କନ୍ୟା ଧରିତ୍ରୀର ହାତ ଟେକିଦେଇଥିଲେ ଲକ୍ଷ୍ମୀଧରଙ୍କ ସହିତ । ସୌନ୍ଦର୍ଯ୍ୟ ଓ ଉତ୍ତମ ସ୍ୱଭାବରେ ପରିପୂର୍ଣ୍ଣା ଧରିତ୍ରୀଙ୍କୁ ପାଇ ଶ୍ୱଶୁରଘରେ ସମସ୍ତଙ୍କ ମନ ଖୁସିଥାଏ । ଦୁଇବର୍ଷ ପରେ ହଠାତ୍ ଅଜଣା ଜ୍ବରରେ ଆକ୍ରାନ୍ତ ହୋଇ ବାପା ଚାଲିଗଲେ । ଲକ୍ଷ୍ମୀଧରଙ୍କ ଉପରେ ଚାରୋଟି ଭାଇଭଉଣୀ ଓ ମାଆଙ୍କ ଦାୟିତ୍ୱ ପଡିଲା । ସଚ୍ଚୋଟ ଓ କର୍ମଠ ଅଧିକାରୀ ହିସାବରେ ଲକ୍ଷ୍ମୀଧର ଙ୍କର ଖ୍ୟାତିଥାଏ ଓଡ଼ିଶାରେ । ଏହାରି ଭିତରେ ସେ ଝିଅ ଅପର୍ଣ୍ଣା , ଦୁଇଟି ପୁଅ ଅବିନାଶ ଓ ଅମେରେଶଙ୍କର ବାପା ହେବାର ସୌଭାଗ୍ୟ ଅର୍ଜନ କରିସାରିଥାନ୍ତି ।


      ସମୟକ୍ରମେ ପୁରା ପରିବାରର ଦାୟିତ୍ୱ ଗାଢ଼ହୋଇ ଚାଲିଥାଏ । ଧରିତ୍ରୀ ଓ ଲକ୍ଷ୍ମୀଧରଙ୍କ ସ୍ୱାର୍ଥରହିତ ହୋଇ ପୂର୍ଣ୍ଣପ୍ରାଣରେ ପରିବାରର ସମସ୍ତ ଦାୟିତ୍ୱ ତୁଲାଉଥାଆନ୍ତି । ଆସ୍ତେ ଆସ୍ତେ ଭାଇଭଉଣୀ ମାନଙ୍କର ଥଇଥାନ ବ୍ୟବସ୍ଥା ବୁଝୁବୁଝୁ ନିଜ ସ୍ତ୍ରୀ ଓ ଛୁଆ ମାନେ କିଭଳି ଦୈନ୍ୟ ପରିସ୍ଥିତିର ସାମ୍ନା କରୁଥାନ୍ତି , ସେ କେବେ ହୃଦୟଙ୍ଗମ କରିବାକୁ ଚେଷ୍ଟା କରିନାହାନ୍ତି । ସବୁବେଳେ କାର୍ଯ୍ୟାଳୟର ଭାର , ବାରମ୍ବାର ସ୍ଥାନାନ୍ତରଣ ଇତ୍ୟାଦିକୁ ଆଖିରେ ରଖି ଧରିତ୍ରୀ ଏବଂ ପିଲାମାନଙ୍କୁ ଭୁବନେଶ୍ଵରେ ଥଇଥାନ କରି ଲକ୍ଷ୍ମୀଧରଙ୍କ ବାବୁ ନିଜେନିଜ କଥା ବୁଝିବା ପାଇଁ ମନସ୍ଥିର କରିନେଲେ । ସରକାରଙ୍କ ତରଫରୁ ମିଳିଥିବା ବାସଭବନ ଓ କିଛିଟା ଅର୍ଦଳିଙ୍କୁ ନେଇ କାମ ଚଳାଇ ନେଉଥିଲେ । ଏହାରି ଭିତରେ ସୁପାତ୍ର ଦେଖି ଅପର୍ଣ୍ଣା ର ବାହାଘର କରିଦେଇଥାନ୍ତି । ଏତେବଡ଼ ପରିବାରର ବିବାହ ,ବ୍ରତ କାର୍ଯ୍ୟ ଓ ଦୁଇ ପୁଅଙ୍କର ପଢ଼ାପଢ଼ିର ସବୁ ଦାୟିତ୍ୱ ଧରିତ୍ରୀ ଭାରୀ କଷ୍ଟରେ ତୁଲାଉଥାନ୍ତି ।ପ୍ରତ୍ୟେକ ମାସ ରେ ସ୍ୱାମୀଙ୍କଠାରୁ ମନି ଅର୍ଡର ରେ କିଛି ଟଙ୍କା ଓ ତାଙ୍କ ପ୍ରୋଗ୍ରାମ ବିଷୟ ରେ ଦୁଇଧାଡ଼ି ଲେଖା ହିଁ ସହୋଯୋଗ ହିସାବରେ ପାଇଥାନ୍ତି ।


     ଦାମ୍ପତ୍ୟ ଜୀବନ ର ପ୍ରଥମ ରାତିରେ ହିଁ ଧରିତ୍ରୀ ଅନୁଭବ କରିଥିଲେ ଲକ୍ଷ୍ମୀଧରଙ୍କ ଭିତରେ ଗୋଟିଏ ଏକଛତ୍ରବାଦୀ ଶାସକ ର ବ୍ୟକ୍ତିତ୍ୱକୁ ।ସ୍ୱାମୀ ସୁଲଭ ପ୍ରେମାଳାପକୁ କେବେ ବି ଆସ୍ୱାଦନ କରିନାହାନ୍ତି ଧରିତ୍ରୀ । ବିନାକାରଣରେ ବର୍ଷିଦେଇ ଯାଆନ୍ତି ଲକ୍ଷ୍ମୀଧର ତାଙ୍କ ଉପରେ ।

ବାପଘର ଏରୁଣ୍ଡିବନ୍ଧ ଡେଇଁ ଆସିଲାବେଳେ ସେ ଜୀବନ ପୃଷ୍ଠା ରୁ ସୁଖ,ସ୍ୱାଛନ୍ଦ୍ୟ , ନିଜର ବିଳାସ ବ୍ୟସନ ଏସବୁ ଶବ୍ଦକୁ ଲିଭାଇ ଦେଇ ଆସିଛନ୍ତି ଯେମିତି ।


     ଏକଦମ ନିଅଣ୍ଟିଆ ବଜେଟରେ ଚଳିଚଳି ନିଜର ହିଁ ଅଯତ୍ନ କରି ଚାଲିଥାନ୍ତି ଧରିତ୍ରୀ ।କେବେ ଏସବୁ ଦୃଷ୍ଟି ଗୋଚର ହୁଏ ନାହିଁ ସ୍ୱାମୀଙ୍କର । ସବୁବେଳେ ଖର୍ଚ୍ଚକାଟ ପାଇଁ ତାଗିଦ୍ କରିଥାନ୍ତି ଲକ୍ଷ୍ମୀଧର ବାବୁ । ସ୍ୱାମୀଙ୍କର ଏପରି ଅନୁଶାସନରେ ବାନ୍ଧିହୋଇ ଏକରକମ ଭାଙ୍ଗି ପଡ଼ିଥାନ୍ତି ଧରିତ୍ରୀ । ଶରୀର ଆସ୍ତେ ଆସ୍ତେ କ୍ଷୀଣହେବାକୁ ଲାଗିଲାଣି । ବେଶୀ ଦେହ ଖରାପ ଲାଗିଲେ ପୁଅକୁ କହି କମ୍ ଖର୍ଚ୍ଚ ରେ ହୋମିଓପ୍ୟାଥି ଡାକ୍ତରଙ୍କ ଠାରୁ କିଛି ଔଷଧ ଆଣି ଖାଇଦେଉଥାନ୍ତି ।


    ଏମିତି କିଛିଦିନ ଅତିବାହିତ ହୋଇଗଲା । ପୁଅମାନଙ୍କ ଶିକ୍ଷା ମହାବିଦ୍ୟାଳୟ ସ୍ତର କୁ ଗଲାଣି । ନିୟମିତ ଭାବେ ବାଧ୍ୟ ଶିଶୁ ଭଳି ସ୍ୱାମୀଙ୍କ ପାଖକୁ ଲେଖୁଥିବା ଘରର ଅବସ୍ଥା ସମ୍ପର୍କିତ ସଂକ୍ଷିପ୍ତ ଚିଠିର ବ୍ୟବଧାନ ଆସ୍ତେ ଆସ୍ତେ ବଢିବାକୁ ଲାଗିଲା । କ'ଣ ଆଉ ବିଶେଷ ଲେଖିବେ ଚିଠିରେ ! ବୈବାହିକ ଜୀବନରେ କେବଳ ପରିଚାରିକାଟିଏ ପରି କର୍ତ୍ତବ୍ୟ କରିବା ଛଡା ସେ ଆଉ କିଛି ପାଇ ନାହାଁନ୍ତି । ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମରେ ନିଜକୁ ସମର୍ପିଦେଇ ଜୀବନର ସାୟାହ୍ନରେ ।


      ପୌଷ ମାସର ଗୋଟିଏ ଶୀତୁଆ ସକାଳ । ବର୍ଷ ତମାମ ଭୋର୍ ରୁ ଶଯ୍ୟାତ୍ୟାଗ କରୁଥିବା ଧରିତ୍ରୀ ଆଉ ଉଠିପାରୁ ନାହାଁନ୍ତି ଶଯ୍ୟା ତ୍ଯାଗ କରି। ପୁଅମାନେ ବ୍ୟସ୍ତହୋଇ ଆସି ମାଆଙ୍କୁ ଡାକିଲେ । ଦେହର ଉତ୍ତାପ , ଉପରେ ଢାଙ୍କିହୋଇଥିବା ଚଦରରୁ ବି ପରିସ୍ଫୁଟ ହୋଇପାରୁଛି । କ'ଣ ହୋଇଛି ମାଆ ? କାହିଁକି ଉଠୁନ ଆଜି ଏତେବେଳ ଯାଏଁ ?? ଧରିତ୍ରୀ ବହୁ କଷ୍ଟରେ ଉଠି ଦେଖିଲେ ପିଲାଙ୍କ ବ୍ୟାକୁଳତା । କହିଲେ " ଆଉ ଜମା ବଳ ପାଉ ନାହିଁ ରେ ଉଠିବା ପାଇଁ । ମତେ କାଗଜ ଓ କଲମଟା ଟିକେଦିଅ ତୁମ ବାପାଙ୍କ ପାଖକୁ ଦୁଇଧାଡ଼ି ଲେଖିଦିଏ । " ଅବିନାଶ କାଗଜ କଲମ ଯୋଗାଡି ଦେଉ ଦେଉ ଅମରେଶ ଚାଲିଗଲା ବାପାଙ୍କୁ କିପରି ହେଲେ ଫୋନ୍ ମାଧ୍ୟମରେ ଖବରଟା ଜଣାଇ ଦେବାପାଇଁ । ସୁଦୂର କୋରାପୁଟରେ ଲକ୍ଷ୍ମୀଧର ବାବୁ ବ୍ୟସ୍ତ ଥାଆନ୍ତି । ଜନୈକ ମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇବା ପାଇଁ । ବହୁତ ସମୟ ପରେ ଯୋଗାଯୋଗ ହୋଇପାରିଲା ଅମରେଶର । " ବାପା ! ମାଆ ଦେହ ବହୁତ ଖରାପ , ତୁମେ ଶୀଘ୍ର ଆସ " , ଏତିକି କହୁ କହୁ ସବୁବେଳେ ରାଜକାର୍ଯ୍ୟରୁ ହିଁ ଅଧିକ ଗୁରୁତ୍ୱ ଦେଇ ଆସୁଥିବା ଲକ୍ଷ୍ମୀଧର କହିଲେ , " ହେଉ ପରେ ବୁଝିବି , ମୁଁ ଏବେ ବ୍ୟସ୍ତ ଅଛି " .... ଫୋନ୍ କଟିଗଲା ।


       ଅବିନାଶ ଆଉ ଡେରି ନକରି ବନ୍ଧୁ ମାନଙ୍କ ସହାୟତାରେ ମାଆଙ୍କୁ ନେଇ ଡାକ୍ତରଖାନା ରେ ପହଞ୍ଚିଲା । ଅବସ୍ଥା ଗୁରୁତର ଦେଖି ଡାକ୍ତର ବଡ଼ ଡାକ୍ତର ଖାନାକୁ ନେଇଯିବା ପାଇଁ ପରାମର୍ଶ ଦେଲେ । ଅମରେଶକୁ ଘର ଦାୟିତ୍ୱ ଦେଇ ଅବିନାଶ ମାଆଙ୍କୁ ନେଇ କଟକ ଚାଲିଗଲା । ସେଠି ଡାକ୍ତରଙ୍କ କଥା ଶୁଣି ହତବାକ୍ ହୋଇଗଲା ଅବିନାଶ ... ଧରିତ୍ରୀଙ୍କୁ ସେତେବେଳେକୁ ଲିଭର୍ କ୍ୟାନ୍ସରର ଶେଷ ସ୍ତରରେ । ଗୋଟିଏ ଦିନପରେ କୋମାକୁ ଚାଳିଗଲେ । ଡାକ୍ତର ବିି ସେତେବେଳକୁ ଆଶା ଛାଡ଼ିଦେଇଥାନ୍ତି ।


     ମନ୍ତ୍ରୀଙ୍କ ପ୍ରୋଗ୍ରାମ୍ ସାରି ଲକ୍ଷ୍ମୀଧର ଭାରାକ୍ରାନ୍ତ ମନରେ ଦୁଇଦିନ ପରେ ଭୁବନେଶ୍ବର ରେ ପହଞ୍ଚିଲେ । ପରିସ୍ଥିତିର ଗୁରୁତ୍ୱ ବୁଝି ଘରେ ଭଉଣୀ ଓ କିଛି ନିକଟ ସମ୍ପର୍କୀୟ ଆସିଯାଇଥାନ୍ତି । ପ୍ରଶ୍ନିଳ ଆଖିରେ ଲକ୍ଷ୍ମୀଧର ସମସ୍ତଙ୍କୁ ଦେଖୁଥାନ୍ତି । ଆଖି ଖୋଜୁଥାଏ ଧରିତ୍ରୀଙ୍କୁ । ଏହି ସମୟରେ ଅବିନାଶ ମାଆର ଚିଠିଟି ବାପାଙ୍କୁ ଦେଇ ଜୋର୍ ରେ କାନ୍ଦିବାକୁ ଲାଗିଲା । ସବୁ ଶୁଣି ପୁଅକୁ ସାନ୍ତ୍ୱନାଦେଇ ଅଣ ନିଶ୍ୱାସୀ ହୋଇ ଦୌଡ଼ିଲେ କଟକ ବଡ ଡାକ୍ତରଖାନାକୁ ।


   ଏଇ ଦୁଇଘଣ୍ଟା ରାସ୍ତା ରେ ଲକ୍ଷ୍ମୀଧର ଭାବି ଚାଲିଥିଲେ ---- ସବୁବେଳେ ଏକ ବସ୍ତୁଭଳି ବ୍ୟବହାର କରିଆସୁଥିବା ନିଜ ସ୍ତ୍ରୀ କୁ କେବେବି ତ ତା'ର ଭଲମନ୍ଦ ଅବସ୍ଥା ପଚାରି ବୁଝି ନାହାନ୍ତି ... ବରଂ ଏକ ପ୍ରଶାସକ ତା'ର ଅଧସ୍ତନ କର୍ମଚାରୀ ଠାରୁ କୈଫିୟତ ତଲବ କଲାପରି ସବୁବେଳେ କଠୋରତା ହିଁ ପ୍ରଦର୍ଶନ କରିଛନ୍ତି । ପ୍ରୀତି ବଦଳରେ କେବଳ ଭୀତି ହିଁ ସଞ୍ଚାର କରି ଆସିଛନ୍ତି ପତ୍ନୀ ଙ୍କ ମନରେ । ଆଜି କାହିଁକି ମନଟା ଏତେ ବ୍ୟାକୁଳିତ ହେଉଛି ? ନା ! ଏହା ପରଠାରୁ ଆଉ ହେଳା କରିବେ ନାହିଁ । ଧରିତ୍ରୀର ପୁରା ଯତ୍ନ ନେବି .... ଏମିତି ଭାବନାର କୁହୁଡି ଭିତରେ ପହଁରି ପହଁରି କେତେବେଳ ଯାଇ ପହଁଚି ସାରିଲେଣି ଗନ୍ତବ୍ୟରେ ।


      ମୃତବତ୍ ପଡ଼ି ଥାଆନ୍ତି ଧରିତ୍ରୀ ମେଡିକାଲ ବେଡ଼୍ ରେ । ବ୍ୟଥିତ ହୋଇ ଡାକ୍ତରଙ୍କୁ ପଚାରନ୍ତେ , ତାଙ୍କ କଥା ଶୁଣି ଭାରି କଷ୍ଟରେ ନିଜକୁ ସମ୍ଭାଳିନେଲେ ଲକ୍ଷ୍ମୀଧର । " ବହୁତ ଡେରି କରିଦେଲେ ସାର୍ ! ଏଇ କେଇ ଘଣ୍ଟାହିଁ ତାଙ୍କ ଜୀବନର ଶେଷ ସମୟ । " ଲଥ୍ କରି ବସିପଡିଲେ ଧରିତ୍ରୀ ଙ୍କ ପାଖରେ । ଲକ୍ଷ୍ମୀ ପ୍ରତିମା ପରି ସୁନ୍ଦର ଚେହେରାଟି ଝାଉଁଳିଯାଇ ବିବର୍ଣ୍ଣ ପ୍ରାୟ । ହାତ ଧରି ବହୁତ ଡାକିଲେ ଧରିତ୍ରୀ ଙ୍କୁ । ଚେତା ଫେରାଇ ଆଣିବା ପାଇଁ ବହୁତ ଚେଷ୍ଟା କରିଲେ , କିନ୍ତୁ କିଛି ଫଳ ହେଲାନି । ଭାବୁଥିଲେ ଜୀବନରେ କେବଳ ଧରିତ୍ରୀ ଙ୍କ ମଥାରେ ଝଟକୁଥିବା ନିଜର ଅସ୍ତିତ୍ୱ - ସିନ୍ଦୁର ଟୋପାଟିଏ ଆଉ ଗୋଟାଏ କର୍ତ୍ତବ୍ୟର ପାହାଡ଼ ଛଡା ଅନ୍ୟ କିଛି ଦେଇ ନାହାନ୍ତି ନିଜ ପତ୍ନୀଙ୍କୁ । ସେଥି ପାଇଁ ବୋଧେ ଅଭିମାନରେ ନିରବ ହୋଇ ଯାଇଛି ତା'ର ମନ , ଶରୀର ସବୁ କିଛି ।


      ଡାକ୍ତର ଆସି ଶେଷ କେଇଟା ଚିକିତ୍ସା କରି ଇସାରା ଦେଇଦେଲେ ଯେ ଧରିତ୍ରୀ ଆଉ ଇହ ଜଗତରେ ନାହାନ୍ତି ବୋଲି । ଧରିତ୍ରୀ ଙ୍କୁ ଜାବୁଡି ଧରି କାନ୍ଦୁ ଥାଆନ୍ତି ଲକ୍ଷ୍ମୀଧରଙ୍କ ବାବୁ .... ଧିକ୍କାର କରୁଥାନ୍ତି ନିଜର ଅପାରଗତାକୁ । ପ୍ରଶାସକର ସ୍ପର୍ଦ୍ଧାରେ , ଅସନ୍ତୁଳିତ ଭାବେ ଏକପାଖିଆ କର୍ତ୍ତବ୍ୟ କରୁକରୁ ସେ କେତେ ବଡ଼ କ୍ଷତି କରିଦେଲେ ନିଜରର ଆଉ ପରିବାରର ।


      ସ୍ମୃତିସବୁ ଲୁହ ହୋଇ ବହିଯାଇ ବକ୍ଷଦେଶ ସିକ୍ତ କରିସାରିଲାଣି । ଅବିନାଶ ଫେରିଛି ହାତରେ ଅଭଡ଼ା କୁଡୁଆ ଧରି । ବାପାଙ୍କ ହାତରେ ପୁରୁଣା କାଗଜ , ଅଧା ଖୋଲା ଆଟାଚ୍ ଏବଂ ତାଙ୍କର ବତୁରା ଆଖି ଦେଖି ଆଉ ପଚାରି ବୁଝିବାକୁ କିଛି ବାକି ନଥିଲା ତା'ର । ବାପାଙ୍କ କୋଳରେ ମୁଣ୍ଡ ରଖି ଭୋ ଭୋ ହୋଇ କାନ୍ଦିଉଠି ବିଗତ ଦିନର ଅଭିମାନ ସବୁକୁ ଲୁହରେ ବୁହାଇଦେଲା ଅବିନାଶ । ଆତ୍ମଗ୍ଲାନିରେ ଜର୍ଜରିତ ପ୍ରଶାସକର କଠୋରତା ଭିତରେ ଆବଦ୍ଧ ଥିବା ହୃଦୟଟି ନିଃଶବ୍ଦ ରେ ବିଳାପ କରୁଥିଲା ଲକ୍ଷ୍ମୀଧର ବାବୁଙ୍କର । ଅନୁତପ୍ତ ବ୍ୟତୀତ ଆଉ କିଛି ନାହିଁ... ଏହି ସମୟରେ....


Rate this content
Log in