ଅନୁଭବ
ଅନୁଭବ
ପିଲାଙ୍କ ଖାତା ଦେଖୁଥିଲି ଆଉ ମନେମନେ ଟିକେ ବିରକ୍ତ ହଉଥିଲି ।ଯେତେ ସୁଧାରିଲେ ବି ସେଇ ସମାନ ଭୁଲ୍ !ବାରମ୍ବାର କହିଲେ ବି ମୁଣ୍ଡରେ ପଶୁନି ।ଟେବୁଲ୍ ଉପରେ ଖାତା ପକେଇ ବାହାରକୁ ଗଲି ।ବାହାରେ ଖୋଲା ଆକାଶ ତଳେ ଟିକେ ବୁଲାବୁଲି କରି ନିଜ ଭିତରର ହତାଶାବୋଧକୁ ପବନ ଭିତରେ ବାଣ୍ଟି ଦେବି ବୋଲି ।ପିଲେ ଦିପହର ଖାଇବା ଖାଇସାରି ଖେଳୁଥିଲେ।ସେମାନଙ୍କଠୁ ଦୂରରେ ରହି ବଗିଚାର ଆରପଟେ ବୁଲୁବୁଲୁ ସେଇମାନଙ୍କୁ ହିଁ ଦେଖୁଥିଲି ।ନିଜକୁ ଫୁଲ ଭଳି ଖୋଲିଦେଇ ଖେଳୁଥିଲେ ସେମାନେ ।ହସି ହସି ଗଡିଯାଉଥିଲେ କଣ ସବୁ ଅନାବନା ଗପ କୁହା କୁହି ହେଇ ।କଥାଗୁଡାକ ନିହାତି ମାମୁଲି ଥିଲା ।କିନ୍ତୁ ଭରପୁର ମଜା ଉଠଉଥିଲେ ପିଲେ ସେଇ କଥାକୁ ପକେଇ ।ଆହା ,କଥାକୁ ନେଇ କେତେ ସିରିୟସ୍ ହେଇଯାଉ ଆମେ ।ଏମାନେ କିନ୍ତୁ ଜମାରୁ ସିରିୟସ୍ ନଥିଲେ ।ବୟସର ପ୍ରଭାବ ଇଏ ।ବୟସ ବଢେ,ପତିଆରା ବଢେ ଆଉ ବନ୍ଦୀ ହେଇଯାଉ ଆମେ ନିଜ ଭିତରେ ।
"ଏ ଦେଖିଲୁ ,ମୋ ଗେଣ୍ଡୁ ଗଛରେ କଢ ହେଲାଣି ।"
"କାଇଁ ଦେଖି ଦେଖି ,"କହି ଆଉ କେତୋଟି ଉତ୍ସାହୀ ମୁହଁ ଧାଇଁ ଆସିଲେ ଗଛ ପାଖକୁ ।ପୃଥିବୀ ବୋଧେ ସେଇ ଗଛ ପ୍ରଥମେ କଢ ଧରିଲା ।ଅବଶ୍ୟ କଥାଟା ସତ। କାରଣ ସାଙ୍ଗ ତାଙ୍କର ନିଜ ହାତରେ ଗଛ ଲଗେଇଥିଲା ।ଆଜି କଢଟେ ହେଇଛି ମାନେ ଇଏ ତ ଅପୂର୍ବ ଅନୁଭବ ।"ଜାଣିଛୁ ଏଡିକି ଛୋଟଟେ ହେଇଥିଲା (ତା କାଣି ଆଙ୍ଗୁଠି ଲମ୍ବର) ,ଆମେ ଏଠି ଆଉରି କେତେ ଗଛ ବି ଲଗେଇଲା ବେଳେ ଇଏ ବଞ୍ଚିବ ବୋଲି ମୁଁ ଭାବି ନଥିଲି " ତୃପ୍ତିର ହସ ଧାରେ ମୁହଁରେ ମାଖି କହୁଥିଲା ଝିଅଟି ।
"ମୋର ମନେ ଅଛି ଆଠ ମାସରେ ଆମେ ଗଛ ଲଗେଇଥିଲେ ।'
"ହଁ ଆଠମାନେ ଅଗଷ୍ଟ ।ଏବେ ତ ଦଶ ମାସମାନେ ଅକ୍ଟୋବର ବି ସରିଯିବ ।ନଭେମ୍ବର ଆସିବ ।"
"ଆରେ ଆଉ ମାସେ ଗଲେ ନୂଆ ବର୍ଷ ଆସିଯିବ ପରା ! ଭାରି ମଜା ହବ ।ଏଇଟା ଅଠର ମସିହା ହବ।"
"କେତେ ଜଲ୍ଦି ସତର ସରିଗଲା ମ୍।"ସବୁଠୁ କମ୍ କହୁଥିବା ତୃତୀୟ ଶ୍ରେଣୀର ଝିଅଟି କହିଲା ।
ବିଭୋର ହେଇ ସେମାନଙ୍କ କଥା ଶୁଣୁଥିଲି ।ସତେ ତ,ଦିନ କୁଆଡେ କୁଆଡେ ଯାଉଛି ।ମସିହା ଗୁଡାକ କୋଉଠି ଯାଇ ପଡୁଛନ୍ତି ।ଦେଖୁ ଦେଖୁ ଶତାବ୍ଦୀର ସତରଟା ବର୍ଷ ସରିଗଲା ,ଯୋଉ ଶତାବ୍ଦୀକୁ ନେଇ କେତେ କଳ୍ପନାଜଳ୍ପନା ଆଉ ସ୍ବପ୍ନ ଥିଲା ଆମ ମନରେ ।ସବୁ ଏମିତି ପଳାଏ ସ୍ବଭାବିକ ଭାବେ ।ଏତେ ବ୍ୟାପକ ଏଇ ସମୟ ସୁଅରେ ମୁଁ ବି ଭାବୁଥିଲି ପାରନ୍ତି କି ଭସେଇ ମୋ ଅନ୍ତରର ଦୁଃଖ ସମୂହକୁ ।
ଆଉ ବିରକ୍ତ ଲାଗୁ ନଥିଲା ମୋତେ ।ଆଉଟିକେ ଅଧିକ ଧୈର୍ଯ୍ୟର ସହ ପିଲାଟିର ଭୁଲ୍ ସୁଧାରିବି ବୋଲି ମନକୁ ବୁଝେଇ ପାରିଲି ।କାରଣ ମନ ମୋର ସେତେବେଳକୁ ସଂକୀର୍ଣ୍ଣତା ଅତିକ୍ରମ କରି ବିଶାଳତା ଭିତରେ ନିଜକୁ ବ୍ୟାପ୍ତ କରି ସାରିଥିଲା ।