Amit Patra

Abstract Comedy Fantasy

3.6  

Amit Patra

Abstract Comedy Fantasy

ଅନ୍ତିମ ସମ୍ବଳ

ଅନ୍ତିମ ସମ୍ବଳ

4 mins
14.5K


ଅନ୍ତିମ ସମ୍ବଳ              

ଅମିତ୍ ପାତ୍ର

          ନିଦ ଭାଙ୍ଗିଲା ପରେ ଅଳସ ଭାଙ୍ଗୁ ଭାଙ୍ଗୁ ବେଡ୍‌ରୁମ୍‌ର ଝରକା ଖୋଲିଲି |ବାହାରଟା ଆଜି କାହିଁ କିଟିମିଟିଆ ଅନ୍ଧାର? ଜୀବନରେ କଉ ରବିବାର ଏତେ ଶିଘ୍ର ସଜ୍ୟା ତ୍ୟାଗ କରିବାର ବିଡ଼ମ୍ବନା ନାହିଁ, ହେଲେ ଆଜି ଏ ବ୍ୟତିକ୍ରମ କେମିତି? ଟେବୁଲ୍ ଘଣ୍ଟାକୁ ଚାହିଁଲି, ସମୟ ୭:୦୦ ବାଜିଛି | ହେଲେ ଏ ରାତି ୭ କି ସକାଳ ୭? ସକାଳ ୭ଟା ବାଜିଥିଲେ ବାହାରଟା ଆଲୁଅ ଦିଶିବା କଥା | ଟେବୁଲ୍ ଘଣ୍ଟାଟା ଖରାପ ହେଲାକି? ଏମିତି ଅନୁଧ୍ୟାନ କରୁକରୁ ମୋବାଇଲ୍ ଫୋନ୍‌ଟି ବାଜିଉଠିଲା| ଅପରପକ୍ଷରେ ମୋର ପ୍ରିୟ ବନ୍ଧୁ ଥା’ନ୍ତି, ସେ କହିଲେ “ବନ୍ଧୁ ସାରା ସହରରେ ହାହାକାର, ଆଜି ସୂର୍ଯ୍ୟ ଉଦୟ ହେଇନି ଆଉ ତମେ ଶୋଇଛ?”

          ବଡ଼ ଆଶ୍ଚର୍ଯ୍ୟର ଘଟଣା , ଏମିତିତ ଆଗରୁ କେବେ ହେଇନି| ସୂର୍ଯ୍ୟ ଦେବ ଆଜି ଛୁଟିନେଲେକି? ସୂର୍ଯ୍ୟ ଉଦୟ ହେବାତ ଜାଗତିକ ସତ୍ୟ|ସେଥିରେ ପୁଣି ଆଜି କିପରି ବ୍ୟତିକ୍ରମ? ପିଆଜ ଆଳୁ ଦରଦାମ୍, ରାଜନୀତି, ସିନେମା ଏ ସବୁର ଚର୍ଚ୍ଚାରେ ସବୁବେଳେ ବଜାର ଗରମ ଥାଏ| ହେଲେ ସୂର୍ଯ୍ୟ ଉଦୟ ହେବା ଆଉ ନ ହେବା ପ୍ରତି କ’ଣ କେହି କେବେ ଧ୍ୟାନ ଦେଇଥିଲେ? ସେତ ସବୁଦିନ ଉଦୟ ହୁଏ ହେବ| ଯେମିତି ଘରର ସବୁ ଦାୟୀତ୍ବ ସମ୍ଭାଳୁଥିବା ସ୍ତ୍ରୀ କିମ୍ବା ମା’ର ସବୁ ତ୍ୟାଗ ଜାଗତିକ ସତ୍ୟ ପରି  ଲାଗେ| ଏବଂ ଯେଉଁଦିନ ସେବା ବନ୍ଦ ହୁଏ, ପ୍ରଳୟ ଆସେ| ଆଜି ସେଇମିତି କିଛି ଅବସ୍ଥା|

          ଟିଭି ଲଗେଇ ଦେଖିଲି, ସବୁ ନ୍ୟୁଜ୍ ଚାନେଲ୍‌ରେ ସେଇ ଗୋଟିଏ କଥାର ଚର୍ଚ୍ଚା| ପୃଥିବୀର ଆବର୍ତ୍ତନ ଗତି ହଠାତ୍ ବନ୍ଦ ହୋଇଯାଇଛି| ଅର୍ଦ୍ଧେକ ପୃଥିବୀରେ ଦିନ ସରୁନି କି ଆର ଅର୍ଦ୍ଧେକରେ ରାତି ପାହୁନି| ପଦାର୍ଥ ବିଜ୍ଞାନ ଆଉ ଭୂଗୋଳରୁ ଯାହା ପଢ଼ିଛି ପୃଥିବୀର ଆବର୍ତ୍ତନ ଯୋଗୁଁ ଦିନ ରାତି ହୁଏ, ପବନ ବହେ, ସମୁଦ୍ରରେ ଲହଡ଼ି ଆସେ,ଋତୁ ବଦଳେ, ପୃଥିବୀ ଗହ୍ବରର ଲାଭାର ଗତି ଯୋଗୁଁ ମାଧ୍ୟାକର୍ଷଣ ଶକ୍ତି ଏବଂ ପୃଥିବୀର ଚୁମ୍ବକୀୟ ଶକ୍ତି କାମ କରେ| ଏବେ ଧିରେ ଧିରେ ସବୁ ବନ୍ଦ ହେବ| ପ୍ରଳୟ ନିଶ୍ଚିତ|

          ଆଉ କାହାକୁ ଯୋଗାଯୋଗ କରିବା ପୂର୍ବରୁ ମୋବାଇଲ୍ ନେଟ୍‌ୱର୍କ ଚାଲିଗଲା ତା ସହିତ ଇଲେକ୍ଟ୍ରିସିଟି ମଧ୍ୟ|ବଡ଼ ବିଷମ ଅବସ୍ଥା, କାହା ସହିତ ସମ୍ପର୍କ କରିବାର କୌଣସି ଆଉ ଉପାୟ ନାହିଁ| ବାହାରେ ପ୍ରବଳ ଭିଡ଼ ସହିତ କୋଳାହଳ ଶୁଭୁଥାଏ, ତେଣୁ କବାଟ ଖୋଲି ବାହାରକୁ ଯିବାଟା ଉଚିତ୍ ମନେକଲିନି| କ’ଣ କରିବି କ’ଣ ନାହିଁ ଏମିତି ଭାବୁ ଭାବୁ ହଠାତ୍ ମୋ ଦ୍ବିତୀୟ ମହଲା କୋଠରୀର ବାଲ୍‌କୋନିରେ ଗୋଟେ ବିଶାଳ ଉଡ଼ନ୍ତା ଥାଳିଆ ଆସି ଲାଗିଲା| ନୀଳରଙ୍ଗ ଆଲୋକରେ ଚମକୁଥାଏ ତାର ଚତୁର୍ପାଶ୍ବ ଏବଂ ମଝିରେ ମଝିରେ ନାଲି ବତି ଜଳୁଥାଏ| ହଠାତ୍  ତାର ଆଗ ପାଖକୁ ଥିବା ଫାଟକଟି ଖୋଲିଗଲା ଏବଂ ଜଣେ ଶୁଭ୍ର ବସ୍ତ୍ରଧାରୀ ନାରୀ ବାହାରକୁ ବାହାରି ଆସିଲେ| କହିଲେ “ପୃଥିବୀର ଅନ୍ତ ଅତି ନିକଟରେ, ତମର ଭଲକର୍ମ ଯୋଗୁଁ ତମେ ଆଉ ତମପରି କିଛି ବଛା ବଛା ପୃଥିବୀ ବାସୀ ଆମ ସାଙ୍ଗରେ ଆମ ବ୍ରହ୍ମାଣ୍ଡକୁ ଯିବେ|” ତାପରେ ସେ ଧରିଥିବା ଛଡ଼ିରୁ ଗୋଟେ ଆଲୋକ ଆସି ମୋ ଦେହସାରା ପଡ଼ିଲା| ସେ ପୁଣି କହିଲେ “ଆମ ସାଙ୍ଗରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ସହିତ କେବଳ ଦୁଇଟି ଜିନିଷ ନେଇପାରିବ, ତମ ଓଜନ ହିସାବରେ ତମ ଦୁଇଟି ବସ୍ତୁର ଓଜନ ୩୦୦ ଗ୍ରାମ୍‌ରୁ ବେଶି ନ ହେବା ଦରକାର| ତାଛଡ଼ା ଆଉ କିଛିବି ସାଙ୍ଗରେ ନେଇପାରିବେନି,ପିନ୍ଧିଥିବା ବସ୍ତ୍ର ବି ନୁହେଁ| ତମପାଖରେ ବର୍ତ୍ତମାନ ୧ ଘଣ୍ଟା ସମୟ ରହିଲା| ଘଣ୍ଟାକ ପରେ ମୁଁ ପୁଣି ଆସିବି |”  ଏତିକି କହି ସେ ଯାନ ଭିତରକୁ ପଶିଗଲେ ଏବଂ କେଉଁଆଡ଼େ ଅନ୍ତର୍ଦ୍ଧ୍ୟାନ ହୋଇଗଲେ|

          ମୁଁ ମନେ ମନେ ଭାବୁଥାଏ ଜିମ୍ ଯାଇ ଟିକେ ଓଜନ କମ୍ କରିଥିଲେ ଅନ୍ତତଃ ୪ ରୁ ୫ କିଲୋ ଜିନିଷ ନେଇ ଯାଇପାରିଥା’ନ୍ତି| ହେଲେ ଏବେ ୩୦୦ ଗ୍ରାମ୍ ଜିନିଷ କ’ଣ ନେବି? ପର୍ସ ଖୋଲି ଭାବିଲି କ୍ରେଡ଼ିଟ୍ କାର୍ଡ଼ ଆଉ ଡେବିଟ୍ କାର୍ଡ଼ ଦୁଇଟା ନେଇଯିବି| ହେଲେ ତାଙ୍କ ଗ୍ରହରେ ଷ୍ଟେଟ୍ ବ୍ୟାଙ୍କ ଥିବ କି ନଥିବ? ପୁଣି ତାଙ୍କ ଗ୍ରହର କରେନ୍ସି କ’ଣ ଥିବ? ନା ଏଦୁଇଟା ନବା ବୃଥା| ତାପରେ ଭାବିଲି ମୋ ପୁରୁଣା ସ୍ମୃତିର ସନ୍ତକ ଡାଏରୀ ଦୁଇଖଣ୍ଡ ଧରିବି, ସେଥିରେ ମୋ ପ୍ରେମିକାର ପୁରୁଣା ଚିଠି, କେତେଖଣ୍ଡ ଶୁଖିଲା ଗୋଲାପ ପୁଲ ଆଉ କେତେ କେତେ ଗପ , କାହାଣୀ ଆଉ ଭାବନା| ନା ନା, ହାଇଟେକ୍ ଯୁଗରେ ମୋବାଇଲ୍ ଫୋନ୍ ନେଇଯିବା ଠିକ୍ ହେବ, ଫୋଟ ସହିତ ମ୍ୟୁଜିକ୍,ଭିଡ଼ିଓ ଆଦି ନେଇହେବ| ଏମିତିବି ଡାଏରୀ ଦୁଇଖଣ୍ଡର ଓଜନ ୩୦୦ ଗ୍ରାମ୍‌ରୁ ବେଶି ହେବ| ହେଲେ ସେଠି ମୋବାଇଲ୍ ଚାର୍ଜ କରିବା ପାଇଁ ଇଲେକ୍ରିସିଟି ନଥିଲେ ଲାଭ କ’ଣ| କ’ଣ ନେବି? ମୋ ପାଖରେ ସୁନା କି ହୀରା ଥିଲେ ସେଥିରୁ ୩୦୦ଗ୍ରାମ ନେଇନିଅନ୍ତି| ସୁନା ହେଲା ପୃଥିବୀର ବିଶୁଦ୍ଧ ଧାତୁ ଏବଂ ହୀରା ସବୁଠାରୁ ମୁଲ୍ୟବାନ ଏବଂ ଶକ୍ତ ବସ୍ତୁ| ହେଲେ ସେମିତି କିଛି ଗଚ୍ଛିତ ସମ୍ବଳ ମୋପାଖରେ ନାହିଁ|

          ଏମିତି ଭାବୁ ଭାବୁ ୧ ଘଣ୍ଟା ସମୟ ପାର ହୋଇଗଲା| ସେ ଉଡ଼ନ୍ତା ଥାଳିଆ ପୁଣି ଆସି ମୋ ବାଲ୍‌କୋନିରେ ଲାଗିଲା| ସେ ନାରୀ ଜଣଙ୍କ ପୁଣି ବାହାରିଆସି ମୋତେ କହିଲେ ତମ ପାଖରେ ୧ ମିନିଟ୍ ସମୟ ରହିଲା, ଶିଘ୍ର ନ ଆସିଲେ ତମକୁ ଏଠାରେ ଛାଡ଼ି ଆମେ ପ୍ରସ୍ଥାନ କରିବୁ| କିଛି ଚିନ୍ତା କରିପାରୁନଥାଏ ମୁଁ| ସବୁ ତ ଏଠି ଦରକାରୀ, ସେଥିମଧ୍ୟରୁ ଦୁଇଟି ଜିନିଷ ବାଛିବା ଏତେ ସହଜ ନୁହେଁ| ଏତିକି ବେଳେ ମୋର ଆଖି ପଡ଼ିଲା ବାଲ୍‌କୋନିରେ ଶୁଖୁଥିବା ଦୁଇଖଣ୍ଡ ଖୋର୍ଦ୍ଦା ଗାମୁଛା ଉପରେ| ଲଜ୍ୟା ନିବାରଣାର୍ଥେ ବସ୍ତ୍ର ଅପରିହାର୍ଯ୍ୟ| ଆମ ମଣିଷ ମାନଙ୍କ ପାଇଁ ଲଜ୍ୟା ହେଲା ଅମୁଲ୍ୟ ସମ୍ପଦ| ଏମିତିବି ସମ୍ମୁଖରେ ନାରୀ ଜଣଙ୍କ ଅଛନ୍ତି ତାଙ୍କ ସହିତ ବିବସ୍ତ୍ର ହୋଇ ଯିବି କେମିତି? ଦୁଇଖଣ୍ଡ ଗାମୁଛା ନେଲେ ଗୋଟେକୁ ଧୋଇ ଆରଟିକୁ ପିନ୍ଧିହେବ| ଏବଂ ଏ ଦୁଇଟିର ଓଜନ ନିଶ୍ଚିତ ଭାବରେ ୩୦୦ଗ୍ରାମ୍ ରୁ କମ୍ ହେବ| ଗୋଟେ ଗାମୁଛା କୁ ପିନ୍ଧିଲି ଏବଂ ଆରଟିକୁ କାନ୍ଧରେ ପକେଇଲି| ହଠାତ୍ ବେଲ୍ ବାଜି ଉଠିଲା| ଯାନଟିର କବାଟ ବନ୍ଦ ହେବ ବୋଧେ| ମୁଁ ତର ତର ହୋଇ ଯାନ ଭିତରକୁ ପାଦ ବଢ଼ଉ ବଢ଼ଉ ମୋ ଗୋଡ଼ ଖସିଗଲା, ଏବଂ ମୁଁ ତଳେ ଖସିପଡ଼ିଲି| ଓଃ ଅଣ୍ଟାରେ ଦରଜ, ଆଲାରାମ୍ ଘଣ୍ଟାଟି ଫୁଲ୍ ଦମ୍‌ରେ ବାଜୁଥାଏ ଆଉ ମୁଁ ଖଟରୁ ତଳକୁ ଖସିପଡ଼ିଥାଏ| ଅଣ୍ଟାକୁ ଆଉଁସି ଆଉଁସି ସମୟ ଦେଖିଲି ୭:୦୦ ବାଜିଛି| ସକାଳ ହୋଇଗଲାଣି ବୋଧେ| ଦଇଡ଼ିଯାଇ ବାଲ୍‌କୋନି କବାଟ ଖୋଲିଦେଲି| ସୂର୍ଯ୍ୟର ସୁନେଲୀ କିରଣ ଚଉଦିଗରେ ନିଜର କାୟା ବିସ୍ତାର କରିଥାଏ|ଆଜି ସୂର୍ଯ୍ୟ ପୁଣି ଉଦୟ ହୋଇଥିବାରୁ  ଜୀବନରେ ପ୍ରଥମଥର ପାଇଁ ସୂର୍ଯ୍ୟ ଦେବଙ୍କୁ ଅଶେଷ ଧନ୍ୟବାଦ ଦେଲି, ଏବଂ କହିଲି ହେ ସୂର୍ଯ୍ୟ ଦେବ ତମ କରୁଣା ଏଇମିତି ସବୁ କାଳରେ ଆମ ଉପରେ ବରଷୁଥାଉ| ପାଖରେ ଶୁଖୁଥିବା ମୋର ଅନ୍ତିମ ସମ୍ବଳ ଦୁଇଖଣ୍ଡ ଖୋର୍ଦ୍ଦା ଗାମୁଛା ବିଜୟ ପତାକା ଭଳି ଫର ଫର ହୋଇ ଉଡ଼ୁଥା’ନ୍ତି| ଆନନ୍ଦରେ ସେ ଦୁଇଟିକୁ ଛାତିରେ ଲଗେଇ ନେଲି| ସେଥିରୁ ବାହାରୁଥିବା ନଡ଼ିଆ ତେଲ ଆଉ ସିନ୍ଥଲ୍ ସାବୁନ୍ ର ବାସ୍ନା ଆଜି କାହିଁ ମୋତେ ଚନ୍ଦନ ଚନ୍ଦନ ପରି ଲାଗୁଥିଲା|


Rate this content
Log in

Similar oriya story from Abstract