Lipi Sahoo

Comedy

4.7  

Lipi Sahoo

Comedy

ଅଣ୍ଡାଝଡ଼

ଅଣ୍ଡାଝଡ଼

3 mins
433


ସକାଳ ୭ଟା ରେ ଉଠି ବେଡ୍ ଟି ମାଗୁଥିବା ଚମ୍ପିଙ୍କୁ ଭୋର୍ ରୁ ଉଠି ନିତ୍ୟକର୍ମ ସାରି ଜଳଖିଆ ରେଡ୍ଡି କରି ଦେବାର ଦେଖି ନକୂଳ ଆଶ୍ଚର୍ଯ୍ୟ । ସେ ସ୍ୱପ୍ନ ଦେଖୁଚି ନା ସତ ପରୀକ୍ଷା କରିବା ପାଇଁ ନିଜକୁ ଜୋର୍ ରେ ଚିମୁଟି ପକେଇଲା । ଉଃ ! ବୋଲି ପାଟିରୁ ବାହାରି ପଡ଼ିଲା । 


             ଚମ୍ପି କନକନ ହେଇ ବେଡରୁମ୍ କୁ ପଶି ଆସି କହିଲା ସେତିକି ଉଃ ଆଃ...ହେଇଥାଅ । ସକାଳ ଆସି ଆଠଟା ବାଜିଲାଣି । ଜଲଦି ଉଠି ମାର୍କେଟ ଯାଅ । ନ ହେଲେ କହିବ ଅଫିସ୍ ଟାଇମ୍ ହେଇଗଲାଣି ଯାଇ ପରିବିନି । 


                 ଆଜି ତ କିଛି ପର୍ବପର୍ବାଣୀ ନାହିଁ । ଏମିତି ସୁଗୃହିଣୀ ସାଜିବାର ମାନେ ??? ନକୂଳ ପାଟିରୁ ବାହାରି ତ ଯାଇଛି ଏତିକି ...... ।


                   ଆ ହା... ହା..... ମୁଁ କାଇଁ ସୁଗୃହିଣୀ ହେବି । ମିସେସ୍ ଦାଶ, ମହାପାତ୍ର, ପଣ୍ଡା ସେମାନେ ସିନା ହେବେ । ମୋ ମାଁ ତ ମୋତେ କିଛି ଶିଖେଇନି । ତମେ ଦୟା କରି ମୋତେ ବାହା ହେଇ ପଡିଚ । ଆଉ .....

                   କାଳ ବିଳମ୍ବ ନକରି ନକୂଳ ପଚାରି ଦେଲେ ମାର୍କେଟ ରୁ କ'ଣ ଆସିବ ଜଲଦି କୁହ ଆଉ ବ୍ୟାଗଟା ଦିଅ । ଯା ହେଉ , ଏତିକିରେ ରାଜଧାନୀ ଏକ୍ସପ୍ରେସ ରେ ବ୍ରେକ୍ ଲାଗିଲା । ନ ହେଲେ ଦିଲ୍ଲୀ ପର୍ଯ୍ୟନ୍ତ ସେ ଘୋଷାରି ହେଇ ପଳେଇ ଥାଆନ୍ତା । ପ୍ରାଣ ବଞ୍ଚିଗଲା ।

                   ଲିଷ୍ଟ ଆଉ ବ୍ୟାଗ୍ ବଢ଼େଇ ଦେଲା ଚମ୍ପି । ମୁହଁ ଫୁଲେଇଲେ ରୋଷେଇ ଘରକୁ ପଳେଇଲା ତମତମ ହେଇ ।  ଲିଷ୍ଟ ଉପରେ ଦୁଇ ଡର୍ଜନ ଅଣ୍ଡା ଦେଖି ନକୂଳର ଆଖି ମେଲା କୁ ମେଲା ରହିଗଲା । ଆମେ ତ ଦୁଇ ପ୍ରାଣୀ ୟେତେ ଅଣ୍ଡା କରିବ କ'ଣ ??? ପଚାରିବ ନା ନାହିଁ ଭାବିଲା । ଏଇ ସାଙ୍ଗେ ସାଙ୍ଗେ ଆଗ୍ନେୟଗିରି ବିସ୍ଫୋରଣ ହେଇ ଶାନ୍ତ ହେଇଛି । ଯଦି ପୁଣି ହୁଏ ?? ହେଲେ ନିଜ ଉତ୍କଣ୍ଠା କୁ ଦବେଇ ପାରିଲାନି ନକୂଳ । ଭୂଲରେ ଲେଖି ଦେଇନି ତ??? ନେଇ ଆସିଲେ ପୁଣି ପ୍ରଳୟ ହେଇଯିବ ।


                 ଛେପ ଢ଼ୋକି ପଚାରିଲା, ଦୁଇ ଡର୍ଜନ ଅଣ୍ଡା କ'ଣ ଲେଖିଛ ?? 

                 ହସି ହସି ଚମ୍ପି ଆସି କହିଲା । ଆଜି ଆମ ଘରେ କିଟ୍ଟି ପାର୍ଟି ହେବ ପରା । ସେଇଥି ପାଇଁ ଲେଖିଛି । ଅଣ୍ଡା ଚପ୍ କରିବି ଆଉ କେକ୍ ବି । ତମେ ଟିକେ ଶିଘ୍ର ଯାଅ ।


                   କେତେବେଳେ ଅଗ୍ନିବର୍ଷା ପୁଣି କେତେବେଳେ ମଳୟ । ଆଉ କିଛି ନକହି ନକୂଳ ବାହାରି ଗଲା । ଗେଟ୍ ଖୋଲିବା ପରେ ଗରଗର ହେଇ କହିଲା ଆଜିକାଲି କି ଫେସନ୍ ବାହାରିଛି କେଜାଣି ?? ଖାଲି ଖର୍ଚ୍ଚାନ୍ତ ହେବା ସାର । ଖାଣ୍ଟି ଓଡ଼ିଆରେ କହୁନ 'ମାଇପିମେଳି' ବୋଲି । ସୁନାଥାଳି ରେ କଲରା ପରଶିଲା ଭଳିଆ କଥା । କିଟ୍ଟି ନା ଫିଟ୍ଟି ।


                ସବୁ କିଣାକିଣି ସାରି ଲୋଭି ସାହୁ ଦୋକାନରେ ପଶିଲେ ଅଣ୍ଡା କିଣିବା ପାଇଁ । ଲୋଭି ପଚାରିଲା ବାବୁ କ'ଣ ନେବେ ??? ନକୂଳ କହିଲା ଦୁଇ ଡର୍ଜନ ଅଣ୍ଡା ଦିଅ ।


                  ସେ ହାଁ କରି ଅନେଇ ରହିଲା ନକୂଳକୁ । ଏମିତି କ'ଣ ଅନେଇଚ ? ଦେଉନ ଜଲଦି । ମୋର ଅଫିସ୍ ଟାଇମ୍ ହୋଉଚି । ମୁଣ୍ଡ କୁଣ୍ଡେଇ ଲୋଭି କହିଲା, ସାର୍ ଦେଇ ହେବନି । ବିରକ୍ତ ହେଇ ନକୂଳ କହିଲା କ'ଣ ସରି ଯାଇଛି କି ?

                  ସେ କହିଲା ଅଛି ସାର୍, ହେଲେ ଦେଇ ହେବନି । ନିୟମ ନାହିଁ । 


                 ନକୂଳ ପଚାରିଲା ମାନେ ??? ଦେବନି କାହିଁକି ?? ମୁଁ କ'ଣ ମାଗଣା ନେଉଛି କି ??? ହକ୍ ପଇସା ଦେଇ ନେବି । ଜଲଦି ଦିଅ ମ ଥଟ୍ଟା ଖେଳନି ।


                  ସାର୍ ମୁଁ ସତ କହୁଛି । ଛଅଟା ରୁ ଅଧିକ ନେଇ ପାରିବେନି । ପୋଲିସ ବାବୁ ଙ୍କ ଠାରୁ ଲେଖା ଆଣନ୍ତୁ ତା ପରେ ଦୁଇ ଡର୍ଜନ ନେବେ । ଏବେ ଏଇ ନିୟମ ହେଇଛି ।


               ସତେ ନା କ'ଣ ??? ଏମିତି କାହିଁକି ??? 


              ଲାଗୁଛି ଆପଣ ଆଉ ଟିଭି ଫିଭି ଦେଖୁ ନାହାଁନ୍ତି । ଜୋଉ ରେଟ୍ ରେ ଅଣ୍ଡାମାଡ଼ ଚାଲିଛି ରାଇଜରେ ଅଣ୍ଡାଝଡ ହେଲା ଭଳି ଲାଗୁଛି । ପୋଲିସବାଲା ଙ୍କ ନିଦ ଉଡେଇ ସାରିଲାଣି । ଏବେ ସେମାନେ ନିୟମ କରିଦେଲେ, ସବୁ ଅଣ୍ଡା ଦୋକାନୀ ଙ୍କର ଅଣ୍ଡା ହିସାବ ରଖୁଛନ୍ତି । ସକାଳେ ଆସି ଗଣିକି ଯାଉଛନ୍ତି । ଆଉ ସଂନ୍ଧ୍ୟାରେ କିଏ କିଏ କେତେ ନେଇଛନ୍ତି ତା'ର ହିସାବ ଚେକ୍ କରୁଛନ୍ତି । ମୁଁ ନିରୂପାୟ ସାର୍ । ଆପଣ ଯଦି ଏତେ ଅଣ୍ଡା ନେବେ ତେବେ ପୋଲିସ ବାବୁଙ୍କ ଠାରୁ ଲେଖା ଆଣନ୍ତୁ । ଆପଣ କୋଉ ଦଳର କର୍ମୀ ନୁହଁନ୍ତି ବୋଲି ପ୍ରମାଣ ଦେବାକୁ ପଡ଼ିବ ।


                  ସତେ ନା କ'ଣ ?? ମୁଁ ଖାଲି ହାତରେ ଘରକୁ ଗଲେ ଘରେ ମହାଭାରତ ହେଇଯିବ । ଅଣ୍ଡା କିଣିବା ପାଇଁ ଫାଣ୍ଡି କୁ ଯିବାକୁ ପଡ଼ିବ । କି ଯୁଗ ହେଲା ରେ ବାପା !


                  ଖାଲି କ'ଣ ସେତିକି ଏଇ ମାଡ଼ରେ ଆମେ ଅଣ୍ଡା ଦର ପାଞ୍ଚ ଟଙ୍କା ଲେଖା ବଢ଼େଇ ଦେଇଚୁ । ଏବେ ପରା ସାରା ରାଜ୍ୟରେ ଅଣ୍ଡାଝଡ ଉଠିଛି । ଏହାର ତ ପାର୍ଶ୍ଵ ପ୍ରତିକ୍ରିୟା ରହିବ ହିଁ ରହିବ । ପରିବାର ଭିତରେ ୟାକୁ ନେଇ ଛୋଟ ବଡ଼ ଝଡ଼ ଉଠିବା କିଛି ଅସମ୍ଭବ ନୁହେଁ । ଆପଣ ତ ଏତିକି ରେ ଏମିତି ହେଉଛନ୍ତି । ଆଗକୁ ଦେଖନ୍ତୁ କଳାରଙ୍ଗ ବି ରାଜ୍ୟ ରୁ ଉଭେଇ ଯିବ । ଲୋଭି ଟିକେ ରସିକପଣିଆ ଦେଖାଇ କହିଲା ।

                  ମାନେ ??? ଆତଙ୍କିତ ହେଇ ନକୂଳି ପଚାରିଲା ।

                ମାନେ ମାନେ କ'ଣ ପଚାରୁଛନ୍ତି ଯେ ?? କଳାରଙ୍ଗ ବ୍ୟାନ୍ ହେଇଯିବ । ଆପଣ ଟିଭି ଯମା ଦେଖୁ ନାହାଁନ୍ତି ବୋଧେ । ଆଉ କ'ଣ ବୁଝେଇବି ଆପଣଙ୍କୁ । ଘରକୁ ଯାଆନ୍ତୁ ଆଉ ମ୍ୟାଡାମ୍ ଙ୍କୁ କେମିତି ବୁଝେଇବେ ସେଇ କଥା ଭାବନ୍ତୁ ...... ।


                  


                      


Rate this content
Log in

Similar oriya story from Comedy