ଅନଳ
ଅନଳ
ନିଆଁ ଜଳୁଥିଲା ତା ମନରେ । ସୃଷ୍ଟି ଓ ସୃଷ୍ଟିକର୍ତ୍ତାଙ୍କ ଉପରେ ସେ କ୍ଷୁବ୍ଧ। ହୁଏ ବି ସ୍ତବ୍ଧ। କାହିଁକି ଏ ଅନ୍ୟାୟ। ମଣିଷ ଭିତରେ ଦୁଇଟି ଲିଙ୍ଗ ସ୍ତ୍ରୀ ଓ ପୁରୁଷ, କିନ୍ତୁ ତାର କୋଉ ଲିଙ୍ଗ?? କାହିଁକି ସେ ଦୁନିଆଁ ରେ ଅବହେଳିତ, ନିସ୍ପେସିତ ଦୁନିଆଁ ଆଖିରେ, କାହିଁକି? କିଏ ଏ ଉତ୍ତର ଦେଇପାରିବ?? ପୁଣି ସହର ସଭ୍ୟତା ବାହାରେ, ବଣମୂଳକ ଅଞ୍ଚଳ ର ଏ ଜଙ୍ଗଲ ଘେରା ଗାଁରେ ସେ କେମିତି ଜୀବନ ଜୀବିକା ନିର୍ବାହ କରିବ?? ବୋଉ ଟା ଥିଲା ବେଳେ କୋଳ କରୁଥିଲା, ମନ ଊଣା କରନା କହୁଥିଲା। ବନଦେବୀଙ୍କ ଦାନ ବୋଲି କହୁଥିଲା ତାକୁ। ସେ ସବୁ ଦୁଃଖ ଭିତରେ ହସି ଦେଉଥିଲା ବୋଉ କଥା ଶୁଣି। ହେଲେ ବୋଉଟାକୁ ବାଘ ଭିଡ଼ିନେଲା ଜଙ୍ଗଲ ରେ। ଢେର କାନ୍ଦିଲା ସେ। ବାପା କିଏ ସେ ଜାଣି ନଥିଲା। ବୋଉ କହୁଥିଲା ତା ବାପା ଜଙ୍ଗଲ ନିଆଁରେ, ପୋଡି ମରିଗଲା। କର୍ମ କଲେ ସହସାଥିଙ୍କ ଟାହି ଟାପରା ସହ୍ୟ କରି ପାରୁନଥିଲା। ଜୀବନ ଦୁର୍ବିସହ ଭିତରେ କେବେ ମାଣ୍ଡିଆ ଜାଉ ଟୋପେ ଥାଳି ଗିନା ରେ ପଡୁଥିଲା କି ନଥିଲା ହିସାବରେ ସେ କାନ୍ଦୁଥିଲା। ଲୁହ ଠପ ଠପ ବହିଯାଉଥିଲା ତା ଆଖିରୁ।
ଗାଁ ଦାଣ୍ଡରେ ହାଣ୍ଡିଆ ପିଇ ଧାଙ୍ଗଡ଼ା ଧାଙ୍ଗିଡିମାନେ ନାଚ ଗୀତ ରେ ମସଗୁଲ ହେଲା ବେଳେ ସେ ଦୁଃଖ ପାଉଥିଲା। ନିଜକୁ ଅନ୍ଧାର ଭିତରେ ଜଡ଼ାଇ ଅନ୍ଧାରୁଆ ସାଜି ଯେବେ ଜଙ୍ଗଲ ନିଆଁ ଲାଗିଥିବା କଥା ଶୁଣୁଥିଲା, ଚିତ୍କାର କରୁଥିଲା, ଯାଉ ଜଳି ଯାଉ ଜଙ୍ଗଲ। ସମସ୍ତେ ତା ରଡ଼ିରେ ତାଟି କବାଟ କିଳି ଦେଉଥିଲେ। ଅଶିକ୍ଷିତ ଗ୍ରାମବାସୀ, ଅନ୍ଧ ବିଶ୍ୱାସ ବଶବର୍ତ୍ତୀ ହୋଇ ତାକୁ ତଡିବା କି ମାରିବା ପାଇଁ ଯୋଜନା କରୁ କରୁ ସେ କେମିତି ବଞ୍ଚିଛି ନିଜେ ଜାଣିନଥିଲା।
ଜଙ୍ଗଲ ରେ ନିଆଁ ଲାଗିବା ପରେ ପରେ ସର୍ଭେ ପାଇଁ ବଡ ବଡ଼ ବାବୁ ଆସିଲେ ଗାଁକୁ।
। ସାହାୟତା ଓ ସହଯୋଗ ର ହାତ କେହି ଦେଲେନାହିଁ ଡରରେ, କିନ୍ତୁ ସେ ଦେଲା। ଡରିଲା ନାହିଁ। ଅଘଟଣ ଦୁର୍ଘଟଣା ଯାହାର ଜୀବନ ଓ ଜନ୍ମ ସେ କାହିଁକି ଡରିବ। ଜଙ୍ଗଲ ବାଟ ଘାଟ ଦେଖାଇ, କ୍ଷୟ କ୍ଷତିର ଆକଳନରେ ସହଯୋଗ କରୁ କରୁ ବାବୁମାନଙ୍କର ସହଯୋଗୀ ହୋଇ ସହର ଚାଲିଗଲା। ସହର ରେ କିନ୍ନର ମାନଙ୍କର ଅଲଗା ପରିଚୟ ଅଛି। ସେମାନଙ୍କୁ ଶୁଭଙ୍କର ଭାବି ତାଙ୍କୁ ଶୁଭ କାମରେ ନାଚ ଗୀତ ପାଇଁ ଡକାଯାଏ। ସେ ସାମିଲ ହୋଇଗଲା ସହରୀ ସଭ୍ୟତାର କିନ୍ନର ମାନଙ୍କ ସହିତ। ଭୁଲିଗଲା ଅତୀତ ଭୁଲିଗଲା ମନ ହୃଦୟର ନିଆଁ। ସହଯୋଗ ଓ ସାହାୟତା ଦେଇ ନିଜ ଗ୍ରାମ ପାଇଁ ରାସ୍ତା ଘାଟ, ପାଣି, ବିଜୁଳି, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଇତ୍ୟାଦି ମାଗିବସିଲା। ଜଙ୍ଗଲ ସୁରକ୍ଷା କର୍ମୀ ରୂପେ ନିଯୁକ୍ତି ପାଇ ଫେରିଆସିଲା ଗାଁକୁ। ସମସ୍ତଙ୍କର ପଥ ପଦର୍ଶକ ହୋଇ ଜଙ୍ଗଲ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲା। ତାକୁ କେହି ଅନଳ ଡାକୁଥିଲେ ତ କେହି ଡାକୁଥିଲା ନୀଳ।
ତା ପାଇଁ ଆହୁରି ଗୋଟେ ନୂଆ ଦୁନିଆଁ ଅପେକ୍ଷା କରିଥିଲା। ତାଙ୍କ ଗ୍ରାମକୁ ଆସିଥିବା ଡାକ୍ତର ବାବୁ ଯେବେ ତାକୁ ନୀଳ ନା ଅନଳ ହୋଇ ରହିବାକୁ ଚାହଁ ପଚାରିଲେ, ସେ ପ୍ରଥମେ କିଛି ବୁଝିପାରିନଥିଲେ ମଧ୍ୟ, ତା ମଧ୍ୟରେ ପୁରୁଷାକାର ଜାଗି ଉଠିଲା। ତାଙ୍କ ଗ୍ରାମର ଧାଙ୍ଗଡି ମାନଙ୍କ ଭିତରୁ ଜଣଙ୍କର ହାତ ଧରି ଭିଡି ଆଣିବାର ଇଛା ପୁରଣ କଲେ ଡାକ୍ତର ବାବୁ। ମଲ୍ଲୀ ତାର ସ୍ତ୍ରୀ ହୋଇ ଜଙ୍ଗଲ ଭିତରେ କ୍ଵାଟର ରେ ସଂସାର ବାନ୍ଧିଲା ସତ ହେଲେ ଜଙ୍ଗଲ ନିଆଁ ପରି ଅନଳ ମନରେ ନିଆଁ ଲାଗେ, ସେଥିରେ ଧୂଆଁ ନଥାଏ ସତ ହେଲେ ତା ଗୋଷ୍ଠୀ ପାଇଁ ଆଉ କଣ ସବୁ କରାଯାଇପାରିଲେ, ମଲ୍ଲୀ ପରି ଝିଅ ମାନେ ଖୁସି ହେବେ, ସେ ଡାକ୍ତରଙ୍କୁ ପଚାରୁଥିଲା। ଅଛି ଅନଳ ଅଛି। ବିଜ୍ଞାନର ଉର୍ନ୍ନତି ସହିତ ସବୁକିଛି ହୋଇପାରିବ, ଏବେ ଜଙ୍ଗଲ ନିଆଁ ଆୟତ୍ତ କରିବା ସହ ସେ ବନଦେବୀଙ୍କୁ ମୁଣ୍ଡିଆ ମାରି କହୁଥିଲା ବିଜ୍ଞାନର ଉର୍ନ୍ନତି ହେଉ ଲୋ ମାଆ। ମଲ୍ଲୀ ହସି ହସି ବେଦମ ହେଇଯାଉଥିଲା ବେଳେ ମଲ୍ଲୀ ମୁହଁରେ ହସ ତାକୁ ଖୁବ ସୁନ୍ଦର ଦିଶୁଥିଲା। ତା ମନରେ ହଜାରେ ରଙ୍ଗ ଫଗୁଣ ନେସି ଦେବାକୁ ଅନଳର ଇଛା ହେଉଥିଲା।
