ମୁଁ ଵି ଦିନେ ଡାକ୍ତର ହେବି
ମୁଁ ଵି ଦିନେ ଡାକ୍ତର ହେବି
ଜେଜେମାଆ ମିନତି ପଡିଗଲେ. ବାମ ହାତ ନ ଭାଙ୍ଗିଲେ ମଧ୍ୟ ଅଚଳ. କହୁଣୀ ପାଖରୁ ହାତ ଉଠୁନି. ମୁଣ୍ଡ କୁଣ୍ଡେଇ ହେଉନି. ପୁଅ କଲିକତାରୁ ବୋହୁ ଓ ନାତି କୁ ନେଇ ଆସୁଛି. ତିନିମାସ ଆଗରୁ ଟିକେଟ ହୋଇଛି. ଆସିବାର କଥା.ସେଥିରେ ପୁଣି ମାଆ ଗାଁରେ ପଡିଯାଇଛି ତ ଆସିବ ନିଶ୍ଚୟ କିନ୍ତୁ ଜେଜେମାଆ ଭାବୁଥିଲେ ଅନ୍ୟ ରକମ. ଯେତେବେଳେ ସେ ଆସେ କେତେ କେତେ ଦରବ କରି ରଖିଥାନ୍ତି ପୁଅ ବୋହୁ ଓ ନାତି ପାଇଁ. ଜଳଖିଆ ରେ କଣ ଖାଇବେ, ମଧ୍ୟାହ୍ନ ରେ କଣ ଖାଇବେ ପୁଣି କି ନୂଆ ନୂଆ ଟିଫିନ କରିବେ ଭାବନ୍ତି. ଏମିତିରେ ତ ଗାଁ ପାଖ ସ୍କୁଲରେ ଚାକିରୀ କରୁ କରୁ ପିଲାଙ୍କୁ ସେମିତି କିଛି ଖାଇବା ପିଇବାକୁ ଦେଇ ନାଁହାଁନ୍ତି. ଏବେ ଅବସର ବେଳକୁ ଝିଅ ତା ସଂସାର ରେ ବ୍ୟସ୍ତ, ପୁଅ ତା ସଂସାର ନେଇ ଆଜି ଦିଲ୍ଲୀ ତ କାଲି କଲିକତା ରେ ଘର ଖୋଜିବାରେ ବ୍ୟସ୍ତ. ତାରି ଭିତରେ ଗୁଲୁଗୁଲିଆ ନାତିଟିଏ. ଭାରି ଜେଜେମାଆ ପ୍ରିୟ. ଟିକେ କାଖ କରିଦେଇ ସବୁ ଦୁଃଖ ଭୁଲିଯାଆନ୍ତି ଜେଜେମାଆ ସୁମତି. ଏବେ ଚିନ୍ତା ପଡିଛି ଯେ ଭଙ୍ଗା ହାତରେ ନାତି ଟୋକା କୁ କାଖ କରିବେ କେମିତି!ପୁଅ କହୁଛି ସେ ବୁଝିଲାଣି ଅଳ୍ପ ଅଳ୍ପ ଯେ ମାମା ଜେଜେ ର ଦେହ ଭଲ ନାହିଁ. ହାତରେ ତାର ଉ ହୋଇଛି. ଶ୍ରଦ୍ଧାରେ ଟିକିନାତି ମାମା ଜେଜେ ଡାକେ ସୁମତିଙ୍କୁ. ପିଲାଟା ଭାରି ବୁଦ୍ଧିଆ. ଠାକୁର ପୂଜା କରିବା ସମୟରେ ବୋହୁ ଯେବେ ଦିଅଁ ବା ଠାକୁର ଓ ଠାକୁରାଣୀ ଙ୍କ ଭିତରେ ପ୍ରଭେଦ ଆଣି କୁନି ପୁଅକୁ କହେ ଏ ହେଲେ ପ୍ରଭୁ ଆଉ ଏ ହେଲେ ମାମା ପ୍ରଭୁ ତେଣୁ ବୁଝିଯାଇଛି ନାତି ଲିଙ୍ଗ ଭେଦ କରିବାକୁ ହେଲେ ମାମା ଶବ୍ଦଟିକୁ ସ୍ତ୍ରୀ ବା ମହିଳା ଜାତୀୟ ଵ୍ୟକ୍ତି ବିଶେଷ ଙ୍କ ପାଖରେ ପ୍ରୟୋଗ କରିବାକୁ ହେବ. ସେଇଥିପାଇଁ ତ ଗାଈ କୁ ସେ ମାମା ହମା କହୁଥିଲା ବେଳେ ଷଣ୍ଢ କୁ ବଡ଼ ହମା କୁହେ. ସତରେ ଛୋଟ ପିଲା ହେଲେ ମଧ୍ୟ ଶିଶୁ କେତେ କଥା ବିଶ୍ଳେଷଣ କରିପାରନ୍ତି!ସେଇଥିପାଇଁ ତ ଜେଜେ ବୋଲି ଡାକେ ମଧୁସୁଦନ ଙ୍କୁ ଆଉ ଜେଜେମାଆ ଶିଖେଇଲେ ମଧ୍ୟ ନିଜ ଅନୁଭୂତି ଜ୍ଞାନ ମିଶେଇ ଡାକେ ମାମା ଜେଜେ. ଆଜି ସୁମତି ବ୍ୟସ୍ତ ବିବ୍ରତ. ପିଲାଟା ଦିନେ ଅଧେ ରହିବ କି ନାହିଁ କିନ୍ତୁ ତାକୁ ଟିକେ ଧରି ପାରିବେ ନାହିଁ ମନଭରି.
ଜାଗର ପୂର୍ବ ରାତିରୁ ପହଁଞ୍ଚି ଗଲେ ପୁଅ, ବୋହୁ ଓ ନାତି ବାବା. ଖନେଇ ଖନେଇ କେତେ କଥା କହିଯାଉଥାଏ ବାବା ଓ ଫୁଙ୍କି ଚାଲିଥାଏ ସୁମତିଙ୍କ ହାତକୁ. ଉ ଭଲ ହେଇଯିବ କହୁଥାଏ. ମୁଁ ଡାଟର ହେଇ ତୋ ହାତ ଭଲ କଲିଦେବି କହୁଥିଲେ ମଧ୍ୟ ଦୁଇହାତ ଟେକି ନାତିଟା କାଖ ହେବାକୁ ନେହୁରା ହେଲାବେଳେ ସୁମତି କାନ୍ଦି ପକାନ୍ତି. ଏତିକି ବେଳକୁ ତାଙ୍କର ପଡ଼ିବାର ଥିଲା!ପୁଅ ନେଇଯାଏ ବାବା କୁ ଏଣେ ତେଣେ. ଭୁଲେଇ ଦିଏ ଚଢ଼େଇକୁ କୁ ବୋଲି ଡାକୁଥିବା ନାତି ବାବାକୁ କୁ ଦେଖେ ଦେଖେ କହି ଯେ ସେ କହୁଥାଏ କୁଉ କୁଉ ତ ସୁମତିଙ୍କୁ ଲାଗୁଥାଏ ପ୍ରକୃତ ଫାଲ୍ଗୁନୀ ଏବେ ତାଙ୍କ ଘରେ. ରାତି ପାହିଲେ ଜାଗର ବୋଲି ପୁଅ ଘରେ ଶିବଶଙ୍କର ଙ୍କ ପୂଜା ପାଇଁ ବୋହୁ ସହ ମିଶି ସବୁ ଆୟୋଜନ କରୁଥାଏ. ଲଗେଇଦେଇଥାଏ ଡେ଼କ ଓ ଶିବ ଭଜନ. କି ନାଚ ନାତି ବାବାର!ଧୁମ ଧଡ଼ାକ ନାଚ ଭିତରେ ଭୁଲି ଯାଇଥାଏ ମାମା ଜେଜେ ପାଖେ କାଖ ହେବା କଥା.ଝିଟିପିଟି କୁ ଝିଟି କାଇଁ କହି କାନ୍ଥ ସାରା ଖୋଜି ବୁଲିବା କଥା.ପୁଣି ଟାଇଲ ରେ ଥିବା ତିନିଗୋଟି ଡ଼ଲଫିନ ଚିତ୍ର କୁ ଦେଖାଇ ମାମା ଡଲଫିନ, ପାପା ଡଲଫିନ ଓ ବାବା ଡଲଫିନ କୁ ଦେଖିବା କଥା. ସେସବୁ ଭୁଲି ନାଚୁଥାଏ ଶିବ ତାଣ୍ଡବ ଓ କହୁଥାଏ ଡମ ଡମ ଡିଗା ଡିଗା. ତାକୁ ଟିକେ କାଖ କରିନାପାରିବା ଗ୍ଲାନିରେ ଆଖିରୁ ଝରି ଆସୁଥିବା ଲୁହ ଦେଖି ମାମା ଜେଜେର, ବାବା କହୁଥାଏ ଉ କାଟୁଚି? ଔଷ ଲଗେଇଦେବି କି!ପୁଣି ଫେରିଯାଇ ଡେ଼କ ବାଜୁଥିବା ସ୍ଥାନରେ ନାଚୁଥାଏ ଧୁମ ଧଡ଼କ. ପୁଅ ବୋହୁ ଓ ନାତି ବାବା ଫେରିଗଲା ପରେ ପୁଅ ଫୋନ କରି କହୁଥାଏ ଯେ ବାବା କହୁଛି ମୁଁ ଡାଟର ବାବୁ ହେବି ଓ ମାମା ଜେଜେ ହାତ ଭଲ କଲିଦେବି. ସୁମତି ଙ୍କ ଆଖି ଲୁହରେ ନରମି ଯାଉଥାଏ.
