ଗପ ହେଲେ ଵି ସତ
ଗପ ହେଲେ ଵି ସତ
4 mins
0
ଝଡ଼ ପରି ଘର ଛାଡି ଆସିବା ବେଳେ ସେ ଝିଅ ଆଡକୁ ମୁହଁ ଟେକି ଚାହିଁନଥିଲା ବରଂ ଭାବିଥିଲା ସେ ତ ତାକୁ ବାପଘରୁ ଆଣିନଥିଲା ସାଙ୍ଗରେ ତେବେ ନେଇଯିବ କାହିଁକି ତାକୁ ! ସ୍ୱାମୀଙ୍କୁ ଯଦି ତା ଠାରୁ ଛଡାଇ ପାରିଲା ସୋନା ତେବେ କରୁ ଝିଅର ସବୁକିଛି. ସହୁ ଅଳି ଅର୍ଦ୍ଦଳି ଅଝଟପଣ ସବୁ ଭାବି ମାଆ ମାଆ ଡାକ ଛାଡୁଥିବା ଅଢେଇ ବର୍ଷର ଝିଅ ପ୍ରତି ନିଷ୍ଠୁର ହୋଇ ଆସିବା ପରେ ଆନ୍ନାର ପିଲାଦିନ ହିଁ ମନେ ପଡୁଥିଲା. ସେ ପାଠ ଶାଠ ସବୁଥିରେ ଆଗୁଆ ଥିଲେ ମଧ୍ୟ ହସିବା ତାକୁ ମନା. ସାନଭାଇ ସ୍କୁଲରେ ଓ ତା ସାଙ୍ଗମାନଙ୍କ ତୁଳନାରେ ପଛୁଆ ଥିଲେ ମଧ୍ୟ ଭାରି ଗେଲବସର. ସେ ଝିଅ ପିଲା ବୋଲି ତା ପାଇଁ ସାଇକେଲ କିଣା ହେଲା ନବମ ଶ୍ରେଣୀ ପରେ କିନ୍ତୁ ସାନଭାଇ ତୃତୀୟ ଶ୍ରେଣୀ ପଢିଲା ବେଳକୁ ଛୋଟ ସାଇକେଲ କିଣା ସରିଥିଲା ତା ପାଇଁ.ଆଉ ଯୋଉଦିନ ସାନଭାଇ ସାଇକେଲରୁ ପଡିଗଲା ଆନ୍ନା ମଜ୍ଜାରେ ତାଳମାରି ହସୁଥିଲା ବୋଲି ଜେଜେମା ତାକୁ କିଛି ନକହି କହିଥିଲା ଉପରମୁହିଁ ଓ ମାଆ ଭିତରକୁ ଡାକି ନେଇ କହିଥିଲେ କାହା କଷ୍ଟ ଦେଖିଲେ ତତେ ହସ କେମିତି ମାଡ଼େ ଝିଅ? ବାବୁଲା ପୁଣି ତୋ ନିଜ ଭାଇ. ଝିଅ ପିଲାଙ୍କଠି ସ୍ନେହ ଶ୍ରଦ୍ଧା ଓ ତ୍ୟାଗ ଭାବ ନରହିଲେ ପରିବାର ତ ପରିବାର ଦୁଇ ଦୁଇଟା ପରିବାରର ହିତା ହେବୁ କେମିତି ଝିଅ!ହଠାତ ଟ୍ରେନ ଛାଡ଼ିବା ଶବ୍ଦରେ ଛାତିଟା ଧଡ଼ପଡ଼ ହେଲା ଆନ୍ନାର ଓ କାହିଁକି କେଜାଣି ଝିଅ କଥା ଖୁବ ମନେପଡ଼ିଲା. ଜେଜେମା ଏବେ ଦେଖୁ ଦେଖୁ ଯଦି କହିବ କି ଝିଅ ହେଇଥିଲୁ କେଜାଣି, ସ୍ୱାମୀଟାକୁ ପଣତରେ ବାନ୍ଧି ପାରିଲୁନି ଯେ ସେ ଆଉ କାହାର ହୋଇଗଲା!କେମିତିକା ଝିଅ କେଜାଣି କୋଉ ବେଳା ନକ୍ଷତ୍ରରେ ତୋର ଜନ୍ମ?
ଗାଡିରୁ ଓଲ୍ହେଇ ଷ୍ଟେସନ ଭିଡ଼ ଭିତରେ ଚାଲୁ ଚାଲୁ ଛୋଟ ଝିଅଟିଏ ତା ହାତ ମୁଠେଇ ଚାଲିବାର ଦେଖି ସେ ଚମକି ପଡିଲା. ଠିକ ତା ନିଜ ଝିଅ ସ୍ନେହା ବୟସର ହେବ. ସେ ଯୁଆଡେ ଯୁଆଡେ ଯାଉଥିଲା ଭିଡ଼ ଭିତରେ ତା ହାତ ମୁଠା ଜାବୁଡି ଧରି ଛୋଟ ଶିଶୁକନ୍ୟାଟି ଚାଲିବା ଦେଖି ତା ଭାବନାର ସୂତାଖିଅ ସବୁ ଓଲଟ ପାଲଟ ହୋଇଯାଉଥିଲା. ଜୀଵନର ପ୍ରତ୍ୟେକ ଘଡି ସନ୍ଧିରେ କାହାରି ନା କାହାରି ହାତର ସାହାରା ଯେ ନିଶ୍ଚୟ ଦରକାର ଭାବୁ ଭାବୁ ଛୋଟ ପିଲାଟିର ଉଷ୍ମ ହାତ କେତେବେଳେ ଖସିଯାଇଥିଲା ତା ହାତମୁଠାରୁ ଭିଡ଼ ଭିତରେ ତ ଏଣିକି ତେଣିକି ଚାହିଁ ଦେଖିଲା ଟିକି ଝିଅ ତା ମାଆ ପାଖରେ ପହଁଞ୍ଚି ଯାଇଛି. ମାଆ ହାତ ମୁଠାରେ ପୁଣି ତା ଝିଅର ସ୍ପର୍ଶ ପାଇ ମାଆ ତାର ବିଭୋର ହୋଇ ଗେଲ କରି ଚାଲିଛି ତା ଶିଶୁ କନ୍ୟାକୁ. ଗହଳି ଭିତରେ ବସି ପଡିଲା ଆନ୍ନା. ସେ ନିଜେ ସମର୍ଥ. ତାର ରୋଜଗାର ଅଛି.ତେବେ କାହିଁକି କାହା ହାତ ମୁଠାରେ ହାତ ଥାପି ବାଟ ଚାଲିବାକୁ ସେ ଏଡ଼େ ବକଟେ ଝିଅକୁ ଛାଡି ଆସିଛି କାହା ଭରସାରେ!
ଭିଡ଼ କମି ଯାଇଥିଲା. ଫେରନ୍ତା ଟ୍ରେନରେ ରାତି ସାରା ବସି ସେ ଫେରିଆସିଥିଲା. ତାକୁ ଫେରିଆସିବା ଦେଖି ନା ସ୍ୱାମୀ କି ତାଙ୍କ ପ୍ରେମିକା ସୋନା କେହି ଖୁସି ହୋଇନଥିଲେ କିନ୍ତୁ ରାତି ସାରା କାନ୍ଦି କାନ୍ଦି ବିକଳରେ ଆଖିରୁ ଲୁହଧାର ଶୁଖିନଥିବା ସ୍ନେହା ଉଠିପଡ଼ି ଜାବୁଡି ଧରିଥିଲା ମାଆ ଆନ୍ନାକୁ, ସତେ ଯେମିତି ଗଛର ବକଳ ଗଛରେ ଲାଖିଗଲା ପରି . ଝିଅକୁ ଗେଲ କରି ଛାତିରେ ତୋଳି ଧରି ପୁଣି ଫେରିଥିଲା ଆନ୍ନା ହେଲେ ବାପା ମାଆଙ୍କ ପାଖକୁ ନୁହେଁ ବରଂ ଝିଅ ସହ କର୍ମକ୍ଷେତ୍ରକୁ.ଝିଅ ଯେବେ ତା ହାତ ମୁଠାରେ ହାତ ରଖି ପଚାରୁଥିଲା ମତେ ଛାଡି ଆଉ କୁଆଡେ ଯିବୁନି ତ ମାଆ? ଆନ୍ନା କହିଥିଲା, କାନ ମୋଡି ହେଉଛି ଧନ, ଆଉ କେଵେ ବି ନୁହେଁ.ଖୁବ ଶୀଘ୍ର କିନ୍ତ ସ୍ୱାମୀ ଡାକ୍ତର ଅମୀୟ ସୋନା କୁ ପରିତ୍ୟାଗ କରି ଆନ୍ନା ପାଖକୁ ଫେରିଆସିଥିଲେ. ଝିଅ ସ୍ନେହା ର ବାପା ବାପା ଡାକରେ ଆନ୍ନା ମଧ୍ୟ ସବୁ ଭୁଲିଯାଇ ସ୍ୱାମୀଙ୍କୁ କ୍ଷମା କରିଦେଇଥିଲେ.
ଏବେ ସାତ ସାତଟା ଝିଅ ହେବା ପରେ ବି ଟିକେ ମନଦୁଃଖ ନାହିଁ ଆନ୍ନାଙ୍କର. ସେମାନଙ୍କ ଜନ୍ମ ପୂର୍ବରୁ କେହି ଯେମିତି ଆସି ତାଙ୍କ ପେଟ ଆଉଁସି ତାଙ୍କ ଦେହରେ ପ୍ରବେଶ କରିଯାଏ. ଖୁବ ଆତ୍ମତୃପ୍ତି ମିଳି ଭଲ ଲାଗେ ତାଙ୍କୁ. ସ୍ୱାମୀ ଜଣେ ଡାକ୍ତର ହୋଇ ମଧ୍ୟ କନ୍ୟା ସନ୍ତାନ ମାନଙ୍କୁ ଘୃଣା କରିବା ଦେଖିଲେ, ଆନ୍ନା ବୁଝାନ୍ତି, ତୁମେ ଜାଣ ଝିଅ ହେବା ପାଇଁ କେବଳ ପୁରୁଷ ଦାୟୀ. ତୁମ ଶରୀରରୁ ସବୁଥର ଏକ୍ସ କ୍ରମୋଜମ ଆସୁଛି ବୋଲି ଝିଅ ହେଉଛି, ଏଥିରେ ମୋର ଭୁଲ କେଉଁଠି? ତୁମ ଭୁଲ କଥା ମୁଁ କହୁନି କିନ୍ତୁ ତୁମେ ଯେଉଁ ପରିମାଣରେ ଖୁସି ହେଉଛ, ସତ କହୁଛି ଏଥର ଏ ସପ୍ତମ ସନ୍ତାନ ଯଦି ଝିଅ ହେବ, ମୁଁ ତା ମୁହଁ ଚାହିଁବି ନାହିଁ କହିଦେଉଛି.
ଆନ୍ନା ବ୍ୟସ୍ତ ହୋଇପଡିଲେ. ଆରେ ଏଥର ବି ଝିଅ ହେବ ଆଉ ତା ନାମ ମୌସୁମୀ ହିଁ ରହିବ. କି ଆଶ୍ଚର୍ଯ୍ୟ. ମୁଁ ପିତା ହୋଇ ଝିଅର ନାମ ଦେବା କଥା, ସବୁଥର ତୁମ ସିଦ୍ଧାନ୍ତ ରହୁଛି, ପୁଣି ତୁମେ କେମିତି ଜାଣିଲ ଝିଅ ହେବ ଆଉ କାହା ନାମ ସହିତ ମିଶୁ ନଥିବା ତା ନାମ ମୌସୁମୀ କାହିଁକି ରହିବ?ଏସବୁ କିଛି ବୁଝି ପାରୁନି ମୁଁ ବୋଲି କହି ଚାଲିଥିଲେ, ଡାକ୍ତର ଅମୀୟ ପଟ୍ଟନାୟକ.
ତାଙ୍କ ଉତ୍ତର ଦେବାକୁ ଯାଇ ଆନ୍ନା କହୁଥିଲେ, ଯେତେବେଳେ ପିଲାର ଆତ୍ମା ମୋ ଦେହରେ ପଶେ, ସେ ମତେ କହିଥାଏ ତା ନାମ ସେୟା ହିଁ ରଖିବାକୁ. ଆଶ୍ଚର୍ଯ୍ୟ ହୋଇ ଅମୀୟ କୁହନ୍ତି କାହିଁ ତୁମେ କଣ ଗଙ୍ଗାଙ୍କ ଭଳି ପୁତ୍ର ଜନ୍ମ କରି ନଦୀରେ ଭସାଇ ଶାପମୁକ୍ତ କରିବାକୁ କୋଉ ସାତ କନ୍ୟାଙ୍କୁ ପୂର୍ବଜନ୍ମରେ କଥା ଦେଇଛ ନା କଣ?
ଏଥର ଆନ୍ନା ବୁଝେଇଲେ ଦେଖ ଆମ ଦେଶରେ ଝିଅଙ୍କ ସଂଖ୍ୟା କମିଗଲାଣି. କନ୍ୟା ଭୃଣ ହତ୍ୟା ଅପରାଧି ମାନେ ବଢିଗଲେଣି. ତେଣୁ, ଅହଲ୍ୟା ପରି ନହେଲି ନାହିଁ କି ଗଙ୍ଗାଙ୍କ ପରି ନହେଲି ନାହିଁ. ତୁମ ପାପ ବୋଝରୁ ମୁକ୍ତି ପାଇବାକୁ ସେମାନଙ୍କୁ ଜନ୍ମ ଦେଇ ଅନ୍ତତଃ ତୁମ ପାପ ବୋଝ ହାଳକା କରିବା କଣ ସହଧର୍ମିଣୀ ଓ ସହକର୍ମିଣୀ ତଥା ଅର୍ଦ୍ଧଙ୍ଗିନୀ ହିସାବରେ ମୋର କଣ ଗୁରୁ ଦାଇତ୍ଵ ନାହିଁ!
କଣ ଏମିତି ସବୁ କହିଯାଉଛ ଆନ୍ନା?? ମୁଁ ଠିକ କହୁଛି, ଯୋଉ କୁଆଁରୀ ଝିଅ ମାନଙ୍କର ତୁମେ କନ୍ୟା ଭୃଣ ହତ୍ୟା କରାଇଛ, ଓ ସେ ଶିଶୁ କନ୍ୟା ମାନଙ୍କୁ ଆମ ଘର ପଛ ପାଖେ ଗାତ ଖୋଳି ପୋତିବାକୁ ଦେଇଛ, ସେହି ଶିଶୁ କନ୍ୟା ମାନଙ୍କ ଅଭିଶାପ ବଳରେ ତୁମେ ୱାଇ କ୍ରମୋଜମ ହରାଇ ବସିଛ, ଆଉ ସେମାନଙ୍କ ମାଆମାନଙ୍କ ନାମରେ ତାଙ୍କ ନାମ କରଣ କରି ମୁଁ ଜନ୍ମଦାତ୍ରୀ ସାଜିଛି କେବଳ. ହେଲେ ତୁମେ ଏତେକଥା କିପରି ଜାଣିଲ,ଆନ୍ନା?ଆରେ ବହୁ ପୂର୍ବରୁ ଜାଣିଥିଲି ବୋଲି ତ ଥରେ ଘର ଛାଡ଼ିଥିଲି.ସୋନା ସେହି ଭଳି ଏକ କୁଆଁରୀ ମାଆ ଥିଲା ଆଉ ତା ପାଖରେ କଣ ଥିଲା ବୋଲି ତାକୁ ତୁମେ ସେଇ କେଇଦିନ ନିଜ ପ୍ରେମିକା ପରି ରଖିନେଇଥିବା ଦେଖି ମୁଁ ମୋ ଝିଅ ସ୍ନେହାକୁ ଛାଡ଼ି ଯେଉଁ ଭୁଲ କରିଛି ତାହାର ପ୍ରାୟଶ୍ଚିତ କରୁଛି ମାତ୍ର.ପୁଣି ଏଇ ଶେଷ କୁମାରୀ ମାଆ ର ନାମ ମୌସୁମୀ ବୋଲି ତୁମେ କିପରି ଜାଣିଲ??? ଆନ୍ନା ଙ୍କ ଉତ୍ତର ଥିଲା, ସେହି ଶିଶୁ କନ୍ୟା ମାନଙ୍କ ଆତ୍ମା ମତେ ସବୁ କହି ମାତୃତ୍ୱ ପାଇଁ ଅଳି କରନ୍ତି.ଅମୀୟ ଆଁ କରି ଚାହିଁ ରହିଥିଲେ ଆନ୍ନା ଙ୍କୁ, ଭାବୁଥିଲେ କଳି ଯୁଗ ସରି ହୁଏତ ସତ୍ୟ ଯୁଗ ଆସିଯାଇଛି.
,,,,,,,,,,,,,,,,,,,,,,,,
