STORYMIRROR

Sunanda Mohanty

Abstract Tragedy Fantasy

3  

Sunanda Mohanty

Abstract Tragedy Fantasy

ଅଲେକ୍ଷଣା ରାଜୁ

ଅଲେକ୍ଷଣା ରାଜୁ

3 mins
190

ନଳକୂପ ମୂଳେ ଦେହ ଧୋଉଥିଲା ରାଜୁ .ଏମିତି ପିଲାବେଳୁ ଦେହ ଧୋଇ ଆସୁଛି ସେ ଏଇ ପ୍ରଥମ ନଳକୂପ ବସିବା ଦିନୁ. ବୋଉ ଆକାଶରେ କେବେ ତାରା ହୋଇଗଲା ତାକୁ ଜଣା ନଥିଲା ସତ ହେଲେ ସେ ଯାହାକୁ ବୋଉ ଡାକୁଥିଲା, ସେ ସମସ୍ତଙ୍କ ବୋଉଠାରୁ ଏତେ ଅଲଗା କାହିଁକି ଥିଲା ବୁଝିଲା ବେଳକୁ ତାଙ୍କ ସାହି ପ୍ରୀତିକୁ କହୁଥିଲା ଯାହା କହ ପ୍ରୀତି ଚେହେରା ଖଣ୍ଡେ ପାଇଛୁ, ଭଲ ବୁଦ୍ଧି ବି ଅଛି ତୋର, ହେଲେ ବୁଦ୍ଧି ହଜେଇ କେବେ କାହାର ସାବତ ବୋଉ ହେବୁନି ଲୋ ପ୍ରୀତି ଆଉ ଯଦି ବି ହେଲୁ ସାବତ ପୁଅ ଝିଅଙ୍କୁ ପର ଭାବିବୁନି ଲୋ କେବେ. ଯେମିତି ସବୁରି ବୋଉଙ୍କ ପଣତ ପିଲାଙ୍କୁ ବଡମନ୍ଦିର ନେତ ପରି ଲାଗିବ, ସେକଥାକୁ ନିଘା ରଖିବୁ.ଦେହ ମୁଣ୍ଡ ଝାଡ଼ି,ରାଜୁ ବୋଉ କେବେ ରାଜୁକୁ ଉଠେଇ ଦେଇନି ତଳୁ କି କେବେ ଛାତିରେ ଜାକି ବୋକ କି ଗେଲ କରିଦେଇନି ତାକୁ ବରଂ ପଡିଗଲା ବେଳେ ମରିଗଲୁନି ଯାହା ବୋଲି କହିଛି, ଦେହ ଝାଡ଼ି ଦେବା ବଦଳରେ ଦୂରରୁ ଢାଳେ ପାଣି ଶୀତରେ ଢାଳି ଦିଏ ଯେ ଆହୁରି ପଙ୍କ ସରସର ହୋଇଯାଏ ତା ଦେହ ମୁଣ୍ଡ. ଏଇ ନଳକୂପ ମୂଳେ ବସି ସେଇଦିନୁ ଦିହ ଧୋଉ ଧୋଉ ରାତି ଆକାଶରେ ଖୋଜୁଥାଏ ନିଜ ବୋଉକୁ, କୁଆଡେ କାହିଁକି ତାରା ହୋଇ ଆକାଶକୁ ଚାଲିଗଲୁ ବୋଉ? ତୋ ବିଷୟରେ ରଚନା ଲେଖିଲା ବେଳେ, ଝୁଣ୍ଟୁଛି ମୁଁ ବୋଉ. ଯାହାର ଅନୁଭୂତି ନାହିଁ ବୋଉ କଣ ବୋଲି, ସେ କିପରି ଭଲ ରଚନା ଲେଖିପାରିବ କହୁନୁ ବୋଉ. ସେଦିନ ପରା ଲେଖୁ ଲେଖୁ ଲେଖିଦେଇଥିଲି ବୋଉ କେବେ ବି ପେଟିମାଛ ଦିଏନି ମତେ. ତେଣୁ ମୁଁ ଲାଞ୍ଜ ଖାଇବାକୁ ଭଲ ପାଏ. ବୋଉ କେବେବି ଦେହର ଧୂଳି ଝାଡ଼ି ଉଠେଇନି ମତେ ବରଂ ବୋଉ ଅପେକ୍ଷା ଆମ ଘର ତୀର୍ଯ୍ୟକରେ ଠିଆ, ଆମ ସାହି ପ୍ରଥମ ନଳକୂପ ମୋର ବୋଉଠୁ ଯଥେଷ୍ଟ ଭଲ. ସାର ରଚନା ପଢି ଡାକିଥିଲେ ରାଜୁକୁ ସବୁ ଶୁଣିଥିଲେ ରାଜୁଠୁ ଆଉ କାନ୍ଦି ପକେଇଥିଲେ.ପ୍ରଥମ ବୋଉ ବିଷୟରେ ଲେଖିଥିବା ରଚନା ବାପାଙ୍କୁ ଦେଖାଇ ସାବଧାନ କରିଦେଇଥିଲେ. ଆଉ ଏଣିକି ଘରକୁ ମାଛ ଆସିଲେ ତାଙ୍କ ଥାଲିର ପେଟି ମାଛ ରାଜୁ ପତ୍ରରେ ଥୋଇ ତା ପତ୍ରରୁ ଲାଞ୍ଜ ଉଠେଇ ନେଉଥିଲେ ବାପା .

   ରାଜୁର ଏବେ ବି ମନେଅଛି. ତାଙ୍କ ଗାଁର ଆଠ ବର୍ଷର ବାଳକକୁ ବାଘ ଝାମ୍ପି ନେଲା ପରେ ତା ବୋଉ ଦାଣ୍ଡରେ କାନ୍ଦି ଗଡୁଥିଲା ଭୂଇଁ ସାଉଁଟି. ଘରକୁ ଯାଇନଥିଲା ଢେର ଦିନ.କହୁଥିଲା ଯୋଉ ବାଘ ମୋ ପୁଅକୁ ନେଇଛି, ସେଇ ବାଘ ମୁହଁରେ ନଯିବା ଯାଏଁ ଘରକୁ ଯିବିନି ମୁଁ. ସେତିକିବେଳେ ରାଜୁର ବୋଉ କହୁଥିଲା ଭଲ ପିଲାଟାକୁ ବାଘମୁହଁରେ ପଡିବାର ଥିଲା!ଅଲେକ୍ଷଣାମାନଙ୍କୁ ବାଘ ନେଉନି ଯାହା!ସେଦିନ ରାଜୁ ଏଇ ନୂଆ ନଳକୂପ ପାଣିରେ ଦେହ ଧୋଉଥିଲା ଢେର ସମୟ ଯାଏଁ ତ ବୋଉ ନୁହେଁ ବରଂ ପ୍ରୀତି କହିଥିଲା, ମୋ ବୋଉ କୁହେ ଏତେ ସମୟ ଧରି ଗାଧେଇଲେ ଜର ହେବ. ତୁ କାହିଁକି ଏତେ ଗାଧଉଛୁ ରାଜୁ ଭାଇ? ସେଦିନ ପ୍ରୀତି କଥା ଶୁଣି ରାଜୁ ଭାବୁଥିଲା ଆକାଶକୁ ଚାହିଁ,ବୋଉଲୋ ତୁ ବଞ୍ଚିଥିଲେ ମତେ ଯେତିକି ଭଲ ପାଉଥାଆନ୍ତୁ, ମତେ ଆମ ଗାଁ ଝିଅ ପ୍ରୀତି ସେତିକି ଭଲ ପାଏ, ହେଲେ ମୁଁ ବୁଝିପାରୁନି ଆଲେକ୍ଷଣା କାହିଁକି ହେଲି ବୋଉ?

  ସତକୁ ସତ, ଏବେର ବୋଉ ତୁଣ୍ଡ କଥା ସତ ହେଇଗଲା. ଦୁଇ ଚାରି ଦିନ ଯାଉ ନଯାଉ ବାଘ ରାଜୁ ଉପରେ ଆକ୍ରମଣ କରିଥିଲା ହେଲେ ବାପା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ, ବାଘ ମୁହଁରୁ ବଞ୍ଚିଗଲା ରାଜୁ. ଏଇ ନଳକୂପ ମୂଳେ ତା ଦେହକୁ ସମ୍ପୂର୍ଣ୍ଣ ରୂପେ ଧୋଇ ବାପା ଡାକ୍ତରଖାନା ନେଇଗଲା ବେଳେ ତା ବୋଉ ନୁହେଁ ବରଂ ପ୍ରୀତି କାନ୍ଦିଥିଲା ଖୁବ. ବୋଉ ବୋଉ କହି ଚେତା ବୁଡିଯିବା ପୂର୍ବରୁ ତା କାନରେ ଶୁଭୁଥିଲା କିଏ ଯେମିତି କହୁଛି ତୁ ବଞ୍ଚିଯିବୁ ଧନ, ସେ ସ୍ୱର ସହ ସେ ପରିଚିତ ନଥିଲେ ବି ସେ ତା ଆକାଶ ବୋଉ ଥିଲା ନିଶ୍ଚୟ, ନହେଲେ ସେ ମରଣ ମୁହଁରୁ ବଞ୍ଚି, ଫେରିଲା. ବାଘ ଯନ୍ତାରେ ପଡିସାରିଥିଲା ଆଉ ବାପାଙ୍କ ସଙ୍ଗେ ପୁଣି ସ୍କୁଲ ଗଲା, ପାଠ ପଢିଲା. ସାଙ୍ଗମାନେ ତା ସାର୍ଟ ଖୋଲି ତା ପିଠିରେ ପଡ଼ିଥିବା ପଟା ପଟା ଆଞ୍ଚୁଡା ଦାଗ ଉପରେ ହାତ ବୁଲେଇ ଆଣିଲା ବେଳେ ତାକୁ ଲାଗେ ତା ଆକାଶ ବୋଉର କଅଁଳ ହାତ ତା ଦେହରେ ହାତ ବୁଲେଇ ଦେଉଛି ଯେମିତି. ବାପାଙ୍କୁ ପଚାରେ, ମୋ ବୋଉକୁ ତାରା ହେବାକୁ କାହିଁକି ଛାଡିଲ ବାପା. କାନ୍ଦିପକାନ୍ତି ବାପା. କହନ୍ତି ବଡ଼ ହେଲେ ଜାଣିବୁ. ବଡ଼ ହେଲା ରାଜୁ ଆଉ ବୋଉ କାହିଁକି ଆକାଶରେ ତାରା ହେଲା କି ନାହିଁ ବୁଝିବା ସହ ବୁଝିସାରିଥିଲା ଏ ଜନ୍ମରେ ତାର ବୋଉ ପରି କେହି ଜଣେ ଅଛି. ସତରେ ପ୍ରୀତି ତାକୁ ଖୁବ ଭଲ ଲାଗୁଥିଲା ଏଣିକି. ଏଇ ନୂଆ ନୂଆ ନଳକୂପ ତା ଜୀବନ କାହାଣୀ ସହିତ ଯେତିକି ପୁରୁଣା ହେଉଥିଲା ତା ବଢୁଥିବା ବୟସର କାହାଣୀ ସେତିକି ନୂଆ.ଦୀପାବଳୀରେ ପ୍ରୀତି ହାତକୁ ଦୀପ ବଢ଼େଇ ରାଜୁ କହୁଥିଲା ଦୀପ ଛୁଇଁ ଶପଥ କର ପ୍ରୀତି ମୋ ଛଡା ଆଉ କାହାର ହେବୁନି ଯେମିତି. ପ୍ରୀତି ମୁହଁ ଝଟକୁ ଥିଲା ଆଲୋକର ରୋଷଣୀରେ. ବାପା ଡାକୁଥିଲେ ଆ ରାଜୁ କାଉଁରିଆ ଜାଳି ପିତୃପୁରୁଷଙ୍କୁ ଡାକିବା ଅନ୍ଧାରେ ଆସି ଆଲୁଏ ଯାଅ. ପ୍ରୀତି ହସୁଥିଲା ଦୂରରୁ.ରାଜୁ ଭାବୁଥିଲା ପ୍ରୀତି କୁହେ ସେ ଜମା ଅଲେକ୍ଷଣା ନୁହେଁ.



Rate this content
Log in

Similar oriya story from Abstract