ଅଜବ ଏ ରାମରାଜ୍ୟ
ଅଜବ ଏ ରାମରାଜ୍ୟ
ସାଧୁଆ ବୁଢାକୁ ମୁଁ ପିଲାଦିନୁ ଜାଣିଛି । ପାଣି କାଦୁଅରେ ଗୋଳେଇ ହେଇ ପାଟଜମିରେ ସୁନା ଫସଲ ଫଳାଇବାରେ ସେ ଥିଲା ସିଦ୍ଧହସ୍ତ । ଦୁଇପୁଅ ତା’ର ବିଦେଶରେ ରହୁଥିଲେ ବୁଢା ଏକୁଟିଆ ଗାଁରେ । ରାମଭକ୍ତ ସାଧୁଆ ଗାଁ ରାମନବମୀ କମିଟିର ମୁଖ୍ୟ ସଦସ୍ୟ ଥିଲା । ଗାଁ ଲୋକଙ୍କ ଆଗରେ ଯେତେ ଦେଖେଇ ଶିଖେଇ ହେଲେ ବି ତା’ର ନିଜସ୍ଵ ପାରିବାରିକ ରାମରାଜ୍ୟ ଦାଣ୍ଡରେ ପଡି ହାଟରେ ଗଡଗଡଉ ଥିଲା । ଅସଲ ଘରର ଗୁମର କଥା ପଦାକୁ ଆସିଲା ବୁଢା ମଲାପରେ । ସାହିଭାଇ ବାସିମଡା ରଖେଇ ଦେଲେନି ରାମନାମ ସତ୍ୟ ହୈ ଡାକରେ ବୁଢାର କୋକେଇ ଉଠିଲା । ପୁଅ ଆଉ ବୋହୁ ପହଞ୍ଚୁ ପହଞ୍ଚୁ ପାଞ୍ଚଦିନ । ଏଇ ଦି’ ଦିନ ଆଗରୁ ଭାଇ ବରାଦ ସରିଥିଲା କ୍ଷୀରି ପୁରି ଛଙ୍କା ଡାଲମା ସହ ରସଗୋଲା ଆଉ ମିଠାଦହି କଥା ଶୁଣି ମୁଁ ମନେ ମନେ ବୁଢାର ରାମରାଜ୍ୟର ପରିକଳ୍ପନା ଭିତରେ ହଜି ଯାଇଥିଲି । କାଲି ଦଶାହ ଥିଲା ଡେରି ରାତି ପର୍ଯ୍ୟନ୍ତ ସାଧୁଆ ଘର ଆଗରେ ଗାଁ ଲୋକେ ଟୁପୁରୁ ଟାପୁରୁ ହେଉଥିଲେ ଯେ ବୁଢା ଶୁଦ୍ଧିକ୍ରିୟା ଖର୍ଚ୍ଚ ବାବଦକୁ କୁଆଡେ ସନ୍ଧ୍ୟା ବେଳଠାରୁ ଦୁଇଭାଇଙ୍କର ଝଗଡା ଲାଗିଛି । ମୁଁ ଟିକେ ଅଟକି ଗଲି ଦୁଇଭାଇ ମଶାଣିରେ ଦଶହାଣ୍ଡି ରଖି ଘରକୁ ଫେରିଲେ ପରମ୍ପରା ମୁତାବକ ଚାଳରେ ଠେଙ୍ଗାପିଟା ପରେ ଘରୁ କାହାର ପ୍ରଶ୍ନରେ ସେମାନେ କହୁଥିଲେ ....... ଆମେ ଦୁଇଭାଇ ରାମଲକ୍ଷ୍ମଣ ଯାଇଥିଲୁ ଅଶୁଭ ନେଇ.. ପୁଣି ଘରଭିତରୁ କେହି ଜଣେ କହୁଥିଲା ..... ହାତେ ଶୁଭ ଧରି ଘରକୁ ଆସ । ସେମାନେ ଗୃହ ପ୍ରବେଶ କରି ସାରିଥିଲେ କିନ୍ତୁ ରାତିର ବୟସ ସହ ବଢି ଚାଲିଥିଲା ଅନେକ ଝଗଡା , ଶେଷରେ ଦୁଇଭାଇଙ୍କ ଭିତରେ କଥା ଛିଡିଲା ଖର୍ଚ୍ଚବାର୍ଚ୍ଚ ଯାହାର ଘରଢିଅ ତାହାର । ମୁଁ ତ ତାଜୁବ ହେଲି ରାମରାଜ୍ୟର ରାମଲକ୍ଷ୍ମଣଙ୍କ ବିଚାରରେ ଆପଣ ହେଲେ କି ?
