Madhabi Patel

Inspirational

3  

Madhabi Patel

Inspirational

ଅଚିହ୍ନା ବ୍ୟକ୍ତି

ଅଚିହ୍ନା ବ୍ୟକ୍ତି

3 mins
226


କଞ୍ଚନ ସପ୍ତମ ଶ୍ରେଣୀରେ ପଢେ । ନାଆଁ ଯେମିତି କଞ୍ଚନ ରୂପ ବି କଞ୍ଚନବରନା । ସୁଗଠିତ ମନଲୋଭା ଶରୀର, ହସହସ ମୁହଁ, ନିରୀହ ଆଖି ଲାଜୁକି ହସ ସମସ୍ତଙ୍କୁ ଆକର୍ଷିତ କରେ ନିଜ ଆଡକୁ । ସ୍କୁଲରେ ପଢୁଥିବା ଛାତ୍ରମାନେ ତାକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ତା ସହ କଥା ହେବା ପାଇଁ ସୁଯୋଗ ଖୋଜିବୁଲୁଥାନ୍ତି । ହେଲେ ଏମିତି କିଛି କୁତ୍ସିତ ଭାବନାର ବ୍ୟକ୍ତି ବି ଥାଆନ୍ତି ଯିଏ ପୈଶାଚିକ ମନୋଭାବର ପୂର୍ତ୍ତି ପାଇଁ ସବୁବେଳେ ଚେଷ୍ଟାରେ ଲାଗିଥାନ୍ତି । ପ୍ରତିଦିନ ସ୍କୁଲ ଗଲାବେଳେ ଏକ ଅସୁନ୍ଦର ଭୟଙ୍କର ଅଚିହ୍ନା ବ୍ୟକ୍ତି ଅନେଇ ରହିଥାଏ ଏକ ଗଛ ଅଢୁଆଳରୁ । ଲୋକଟାର ଗାଲରେ ଏକ କଟା ଦାଗ ତାକୁ ବହୁତ ବିକୃତ ବୀଭତ୍ସ କରେ । ସେ ତାକୁ ଦେଖିଲେ ତରତର ହେଇ ଆଗକୁ ସ୍କୁଲ ଚାଲିଯାଏ । ସେ ତା ମାଆକୁ ଏ ଅଚିହ୍ନା ଲୋକ ବିଷୟରେ ସବୁ ବତାଇଥିଲା । ମାଆ ସେଥିପାଇଁ ସବୁବେଳେ ଆଶଙ୍କିତ ରହୁଥିଲା । ସେ ଖରାପ ଲୋକଟା ତା ଝିଅ ଉପରେ କୁନଜର ରଖିଛି । କେତେବେଳେ କଣ କରିଦେଇପାରେ? ଟିକେ ଦେରି ହେଲେ ସେ ଘର ବାହାର ହେଉଥାଏ । ପ୍ରତି ମାଆ ମନ ଏମିତି ଝିଅ ପାଇଁ ଛଟପଟ ହେଉଥାଏ । ତା ପାଇଁ ଯତ୍ନଶୀଳ ଥାଏ । ଯେମିତି ତା ଝିଅ ବିପଦ ମୁକ୍ତ ହେଇ ରହୁ । ସେ ଛୋଟବେଳୁ ଝିଅକୁ ଅଜଣା ବ୍ୟକ୍ତିଙ୍କୁ କେବେ ବିଶ୍ୱାସ କରିବୁନି ବୋଲି ଶିଖାଇଛି । କିଏ କିଛି ତା ପସନ୍ଦର ଜିନିଷ ଚକଲେଟ୍ ପ୍ରଭୃତି ଖାଇବାକୁ ଦେଲେ ଖାଇବୁନି ବୋଲି ବାରମ୍ବାର କହୁଛି । କିଏ ତତେ ଛୁଇଁଲେ ଯଦି ସେ ଛୁଆଁ ତତେ ଖରାପ ଲାଗୁଛି ତେବେ ତାଠୁ ଦୂରେଇ ରହିବୁ । ମତେ କହିବୁ ତା ବିଷୟରେ । ସ୍କୁଲରେ ଥିଲେ ଶିକ୍ଷୟତ୍ରୀଙ୍କୁ ଜଣାଇବୁ । ଝିଅ ବି ବଡ ବୁଦ୍ଧିମାନ । ସିଏ କରାଟେର ପ୍ରଶିକ୍ଷଣ ବି ନେଇଛି । କେବେ କିଛି ବିପଦ ପଡିଲେ ନିଜକୁ ଯେମିତି ଲଢି ବଞ୍ଚାଇ ପାରିବ । 

ଦିନେ ସ୍କୁଲରୁ ଫେରିଲାବେଳେ ତିନିଜଣ ଯୁବକ ଯେଉଁମାନେ ପାନ ଦୋକାନରେ ଥାଇ ତାକୁ ନିରିଖେଇ ଦେଖୁଥିଲେ ତାପଛେ ପଛେ ଅନୁଧାବନ କଲେ । ସେ ବିପଦର ଆଶଙ୍କା କରି ତାର ପାଦ କ୍ଷୀପ୍ର କରିଦେଲା । ହେଲେ ସେ ଯୁବକଗୁଡାକ ଦଉଡି ତା ପାଖକୁ ପହଞ୍ଚିଗଲେ । ଯଦିଓ ସେ ଯୁବକମାନେ ଶିକ୍ଷିତ, ଭଲ ଘରର ଜଣା ପଡୁଥିଲେ ହେଲେ ତାଙ୍କର ଭାବନା କୁତ୍ସିତ ଥିଲା । ସେମାନେ ତାକୁ ଧରିନେବାରେ ସଫଳ ହେଇ ଯାଇଥିଲେ । ସେ ତାର କରାଟେର କୌଶଳ ପ୍ରୟୋଗ କରି ଲାତଟିଏ ମାରି ଧରିଥିବା ଲୋକଠୁ ଛଡାଇହେଇ ଦଉଡିବାକୁ ଲାଗିଲା । ଠିକ୍ ସେତିକି ବେଳେ ସେ ସେହି ଗଛ ତଳକୁ ପହଞ୍ଚି ଯାଇଥାଏ । ସେଇ ଅପରିଚିତ ଭୟଙ୍କର ଲୋକଟି ଏବେ ତା ସମ୍ମୁଖରେ ଥିଲା । ସେ ଏବେ କିଂକର୍ତ୍ତବ୍ୟବିମୂଢ ଅବସ୍ଥାରେ ପଡିଥିଲା । ପଛରେ ବିପଦ ଆଗରେ ବିପଦ । ହରିଣୀ ଯେମିତି ଚାରିକଡରୁ ବିପଦରେ ଘେରି ଭଗବାନଙ୍କୁ ସ୍ତୁତି କଲା । ଯା ଫଳରେ ଜୋରରେ ଝଡପବନ ବର୍ଷା ଆସି ପବନରେ ଜାଲ ଛିଣ୍ଡିଗଲା ବର୍ଷାରେ ନିଆଁ ଲିଭିଗଲା । ସାପ ଆସି ଶବରକୁ କାମୁଡିଦେଲା ଶିକାରୀର କୁକୁର ବଜ୍ରାଘାତରେ ମରଣ ହେଲା । ସେମିତି ସେ ନିରୂପାୟ ହେଇ ଭଗବାନଙ୍କୁ ରକ୍ଷା କର ବୋଲି ଡାକିବାକୁ ଲାଗିଲେ । ତାର ଚିନ୍ତାର ବାହାରେ ଏକ ଘଟଣା ଘଟିଥିଲା ସେତେବେଳେ । ସେଇ ଅଚିହ୍ନା ବ୍ୟକ୍ତିଟି ଆସି ସେ ଯୁବକମାନଙ୍କ ମଧ୍ୟରୁ ଜଣକୁ ଧରି ଶୂନ୍ୟରେ ଉଠାଇ ତଳେ କଚାଡି ଦେଲା । ତାର ଏପରି ଦୂରବସ୍ଥା ଦେଖି ଅନ୍ୟ ଦୁଇ ଜଣ ଯୁବକ ଡରି ଲାଙ୍ଗୁଡ ଜକା କୁକୁର ପରି ଚାଲି ଯାଇଥିଲେ । ତଳେ ପଢିଥିବା ଯୁବକଟି ଆଉ ଉଠି ପାରିଲାନି । ଲୋକଟି ଯୁବକକୁ ଲକ୍ଷ୍ୟ କରି କହୁଥାଏ । ତୁମପରି ଲମ୍ପଟମାନଙ୍କ ପାଇଁ ମୁଁ ମୋର ଝିଅକୁ ହରାଇ ବଞ୍ଚିଛି । ମୋ ଝିଅର ବଳତ୍କାର ହେଲାପରେ ସେ ଆତ୍ମହତ୍ୟା କରିଦେଲା । ତାର ମାଆ ଝିଅର ମରଣ ଦୁଃଖରେ ପାଗଳୀ ହେଇଗଲା । ଏବେ କାଞ୍ଚନର ସେ ଅପରିଚିତ ଲୋକପ୍ରତି ଥିବା ଭୟ ଚାଲିଯାଇଥିଲା । ସେ ପାଖକୁ ଯାଇ କହିଲା ବାବା ତୁମେ କିଏ ? ଏଠି ସବୁ ଦିନ ରହି କଣ କର? ସେ ଲୋକଟି କହିଲା । ସେ ଜଣେ ସୈନିକ ଥିଲା । ଘରେ ନିଜ ସ୍ତ୍ରୀ ଝିଅକୁ ଛାଡି ଦେଶ ସେବାରେ ସୀମାରେ ଯୁଦ୍ଧରେ ରତ ଥିଲା । ଚେହେରାର ଏ କ୍ଷତ ସେଇ ଯୁଦ୍ଧର ଚିହ୍ନ । ଯୁଦ୍ଧରୁ ଫେରି ଶୁଣିଲା ତା ଝିଅର ବଳତ୍କାର ହେଇଗଲା । ସେ ଆତ୍ମହତ୍ୟା କରିଦେଲା ଲୋକଙ୍କ ନିନ୍ଦା ସହିନପାରି । ଏ ସମାଜ ବି ବଡ ଅଜବ ବିନା ଦୋଷରେ ଝିଅଟେ ହିଁ ନିନ୍ଦିତ ହେଇଥାଏ । ଆଜି ଯଦି ମୁଁ ନଥାନ୍ତି ତୋର ବି ସେ ଅବସ୍ଥା ହେଇଥାନ୍ତା । ମୋ ସ୍ତ୍ରୀ ଝିଅର ବିଛେଦର ଦୁଃଖରେ ପାଗଳୀ ହେଇଗଲା । ମୋ ଝିଅ ଦେଖିବାକୁ ଠିକ୍ ତୋ ପରି । ଏଇ ଦେଖ ତାର ଫଟୋ । ସତକୁ ସତ ଫଟୋଟି ଦେଖିବାକୁ ତା ପରି ଥିଲା । ମୁଁ ତୋ ଭିତରେ ନିଜ ଝିଅକୁ ଦେଖୁଥିଲି । ସେଥିପାଇଁ ତୋର ଝଲକଟେ ପାଇବାପାଇଁ ଏଠି ଜଗିଥାଏ । ତୁ ସ୍କୁଲ ଗଲା ଓ ଫେରିଲା ବେଳେ । ସେଦିନ କାଞ୍ଚନ ଭାବୁଥିଲା ଯାହାକୁ ସେ କଦର୍ଯ୍ୟ ଭୟଙ୍କର ଅପରିଚିତ ଭାବୁଥିଲା ସିଏ କେତେ ଭଲ । ଅଥଚ ଭଦ୍ରମୁଖା ପିନ୍ଧା ସେ ଯୁବକଗୁଡାକ କେତେ ଭୟଙ୍କର । 



Rate this content
Log in

Similar oriya story from Inspirational