ଅବହେଳିତ ଝିଅ ଟିଏ
ଅବହେଳିତ ଝିଅ ଟିଏ


ସତରେ ଭଗବାନଙ୍କ ସୃଷ୍ଟିରେ ନାରୀ ସମାଜର ଭୂମିକା ଅତୁଳନୀୟ । ସେ କେତେବେଳେ ମାଆ'ତ ପୁଣି କେତେ ବେଳେ ଭଗିନୀ ପୁଣି କେତେ ବେଳେ ପାପ ପୂଣ୍ୟର ସହ ଧର୍ମିଣୀ ସ୍ତ୍ରୀ । ସମାଜରେ ନାରୀଙ୍କ ଭୂମିକା ଅବର୍ଣ୍ଣନିୟ,ମନେ ହୁଏ ସେମାନଙ୍କ ପାଈଁ ତ ଆମେ ଅର୍ଥାତ ଏ ମନୁଷ୍ୟ ସମାଜ । ଯେମିତିକି ବୃକ୍ଷ ବିନା ଫୁଲ ଫଳ ସୃଷ୍ଟି ଅସମ୍ଭବ ଠିକ୍ ସେମିତି ମନୁଷ୍ୟ । କିନ୍ତୁ ଜଣେ ନାରୀ ଘର ଏରୁଣ୍ଡିବନ୍ଧ ତଳର ଅବହେଳିତ ନିଷ୍ପେସିତ ପାପି ଟିଏ ଭଳି ଜୀବନ କାଟେ । କାହିଁକି ଭାବୁଛନ୍ତି ? ଆମ ସମାଜ ବୋଧ ହୁଏ ସେମାନଙ୍କୁ ସଦ୍ୟ ଜନ୍ମିତ ଫୁଲଟିଏ ଭଳି ଫୁଟି ବାସିବାକୁ ଦିଏ ନାହିଁ । କଣ ସତରେ ସେ ପାପି ଟିଏ ? ନା କାହିଁ ଜମା ବିଶ୍ୱାସ ହେଉନି ତଥାପି ସେ ଅବହେଳିତ, ନିଷ୍ପେସିତ । ପାପ ପୂଣ୍ୟ ଜୀବନ ଦୋ'ଛକିରେ ଯେମିତି ଥକି ପଡ଼ିଛି ତା ସମସ୍ତ ଅଧିକାର ! ଫୁଲଟି ଫୁଟିଚି ସତ ହେଲେ ଏ ପରିବେଶରେ ଯେମିତିକି ପ୍ରସ୍ଫୁଟିତ ହେବାର ଅଧିକାର ନାହିଁ ତାର। ଯାହା ହେଉନା କାହିଁକି ଜଣେ ନାରୀ ସର୍ବଦା ଏ ଜନମାନସରେ ନମସ୍ୟ ହୋଇ ରହିବା ଉଚିତ ।
ଏକଦା ଗୋଟଏ ଗ୍ରାମରେ ଏକ ମଧ୍ୟବିତ ପରିବାର ବେସ୍ ହସ ଖୁସିରେ ବସବାସ କରୁଥିଲେ । ପରିବାର କହିଲେ ସ୍ୱାମୀ,ସ୍ତ୍ରୀ ଦୁଇ ପୁଅ ଓ ତିନି ଝିଅକୁ ନେଇ ପରିବାର ଗଢା । ସମୟାନୁ କ୍ରମେ ପୁଅ ଝିଅଙ୍କ ପାଠପଢା ବୟସ ଆସିଲା ଓ ପାଠ ପଢିଲେ ମଧ୍ୟ,ଗୋଟଏ ଶ୍ରେଣୀ ପରେ ଗୋଟଏ ଶ୍ରେଣୀ ଉଭୟ ପୁଅ ଝିଅ ଶିକ୍ଷା ଗ୍ରହଣ କରି ଚାଲନ୍ତି । କୌଣସି କାରଣ ବଶତଃ ପ୍ରଥମେ ବଡ଼ ଝିଅ ପାଠ ପଢା ଠାରୁ ଧୀରେ ଧୀରେ ମୁହଁ ବୁଲେଇବାରେ ଲାଗିଲା।ସେତେବେଳେକୁ ଝିଅଟି ପଞ୍ଚମ ଶ୍ରେଣୀରେ ପଢୁଥାଏ । ଏମିତି ଦିନେ ଦୁଇ ଦିନ ବିଦ୍ୟାଳୟ ଯିବା ଆସିବା ଶେଷକରି ସମ୍ପୁର୍ଣ୍ଣ ପାଠ ଛାଡ଼ି ଦେଲା । ଏ କାହାଣୀ ଆଜି କିମ୍ବା କାଲିର ନୁହେଁ ଏ ତ ଦୀର୍ଘଦିନର କଥା । ଯଦିଓ କାହାଣୀଟି ବ୍ୟାସକବି ଫକୀରମୋହନଙ୍କ ଓଡିଆ ରଚିତ ଗଳ୍ପ"ରେବତୀ"ଭଳି ନଥିଲା ଅର୍ଥାତ ନାରୀ ଶିକ୍ଷାକୁ ପ୍ରୋତ୍ସାହନ ମିଳୁନଥିବା ବିଷୟବସ୍ତୁ ନଥିଲା କିନ୍ତୁ ଏଠି ପ୍ରୋତ୍ସାହନ ଥିଲା ହେଲେ ଶିକ୍ଷାର ବିକାଶ ଦିଗରେ ସଚେତନତା ନଥିଲା । ବଡ଼ ଭଉଣୀର ଚାଲୀ ଚଳଣିକୁ ସାନ ଭଉଣୀ ଅନୁସରଣ କରେ ଓ ସର୍ବଦା ତା'ନିତ୍ୟ ଜୀବନରେ ନିୟୋଜନ କରେ ହେଲେ ଏଠି ପାଠ ପଢା ଠାରୁ ଦୂରେଇ ରହିବାକୁ ମଧ୍ୟ ସାନ ଭଉଣୀ ଆପଣାଇ ନେଇଥାଏ । ସେତେବେଳକୁ ସେ ସପ୍ତମ ଶ୍ରେଣୀ ପଢୁ ଥାଏ । ଅନ୍ୟପଟେ ତିନି ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ ସମ୍ପୁର୍ଣ୍ଣ ଭିନ୍ନ,ସେ ନିଜେ ନିଜ ଇଚ୍ଛାନୁସାରେ ନିଜ ଭାଗ୍ୟ ତିଆରି କରିବାକୁ ପସନ୍ଦ କରେ । ସାନ ଭଉଣୀଟି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିଜର ପାଠ ପଢା ଅନବରତ ଚାଲୁ ରଖିଥାଏ ହେଲେ ସେ ପ୍ରି ଟେଷ୍ଟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ପାଠ ପଢା ଠାରୁ ଦୂରେଇ ରହେ । ଇଏ ତ ଗଲା ତିନି ଝିଅଙ୍କ ଶିକ୍ଷା ଜୀବନୀ କଥା ଏବେ ଆମେ ଆଲୋଚନା କରିବା ଦୁଇ ପୁଅଙ୍କ କଥା । ପ୍ରଥମ ପୁଅଟି ଘରର ସମସ୍ତ ପୁଅ ଝିଅଙ୍କ ମଧ୍ୟରେ ବଡ଼ ଥିଲା ହେଲେ ସେ ଦ୍ୱିତୀୟ ଶ୍ରେଣୀରୁ ପାଠ ପଢା ଛାଡିଦେଇଥିଲା ଓ ସାନ ପୁଅଟି ବହୁତ ବାପ ମା ଙ୍କ ଗେଲ୍ଲା ଥିଲା ହେଲେ ସେ ମାତ୍ର ଅଷ୍ଟମ ଶ୍ରେଣୀରୁ ହିଁ ପାଠ ପଢା ଜୀବନରୁ ଓହରି ଯାଇଥିଲା । ଏହିଭଳି ଭାବେ ସେହି ମଧ୍ୟବିତ ପରିବାରର ସମସ୍ତ ପୁଅ ଝିଅଙ୍କ ପାଠ ପଢା ଥିଲା ।
ପାଠ ପଢା ଶେଷକରି ଦୁଇ ପୁଅ ବେକାର ଏଣେ ଘରେ ଝିଅ ମାନଙ୍କୁ ବାହା ଦେବାର ଚିନ୍ତା କାରଣ ସେମାନେ ପାଠ ଛାଡିବାର ବହୁ ବର୍ଷ ବିତି ଯାଇଥାଏ,ଏହି ଭଳି ଅନେକ କଥା ଭାବି ଭାବି ବାପ ମା ଦୁହେଁ ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି ହେଲେ କରିବେ କଣ ? ଚାଷବାସ ଅବା ଫସଲ ବାଡ଼ି କରି ବାପା ମାଙ୍କୁ ପରିବାର ଚଳାଇବାକୁ ପଡ଼ିଥାଏ । ଏ ସବୁ ଯେମିତି ସମସ୍ତ ଆବଶ୍ୟକତା ପୂରଣ କରିବାରେ ସମୁଦ୍ରକୁ ସଙ୍ଖେ ! ଏଣେ ଦୁଇ ପୁଅ ଚିନ୍ତା କରନ୍ତି ପରିବାର ଚଳାଇବା ସମ୍ପର୍କରେ ଓ ବିଦେଶ ଗସ୍ତ କରନ୍ତି ଟଙ୍କା ଉପାର୍ଜନ କରିବା ପାଇଁ । ବିଦେଶରେ ଶ୍ରମ ପଡ଼ି ଘରକୁ ମାସେ ଦୁଇ ମାସ ବ୍ୟବଧାନରେ ଥରେ ଦୁଇ ଥର ଟଙ୍କା ପଠନ୍ତି । ଦୁଇ ପୁଅଙ୍କ ଏହିଭଳି କାର୍ଯ୍ୟରେ ବାପା ମା କିଂଚିତ ଖୁସୀ ହୋଇଯାନ୍ତି କାରଣ ଯଦିଓ ଘର ଚଳଣି ପାଈଁ ଅସୁବିଧା କମିଲା ହେଲେ ସେମାନଙ୍କ ଭବିଷ୍ୟତ ବିଷୟରେ ଭାବିଲେ ବାପା ମାଙ୍କୁ ଅନ୍ଧାର ଦିଶେ ।ଯାହାବି ହେଉ ଏବେ କିଛି ଉପାୟ ନାହିଁ ବର୍ତ୍ତମାନ ନିଜେ ନିଜର ଭବିଷ୍ୟତ ସରଳ ସୁଗମ କରିବା ଦାୟୀତ୍ୱ ନିଜ ହାତରେ । ଦୁଇ ବର୍ଷ ବିଦେଶରେ ରହି ପୁଅ ଦୁହେଁ ଘରକୁ ଆସନ୍ତି । ଆସିବାର କିଛିଦିନ ପରେ ବଡ଼ ଭଉଣୀଙ୍କୁ ଶାଶୁଘର ଦିଅନ୍ତି ଓ ପୁଣି କାମଧାମ ଶେଷ କରି ବିଦେଶ ଚାଲି ଯାଆନ୍ତି । ପୂର୍ବ ଭଳି କିଛି ଦିନ ବିଦେଶରେ ରହି ଗୋଟଏ ପରେ ଗୋଟଏ ଭଉଣୀଙ୍କୁ ଶାଶୁଘର ଦେଇ ଏବେ ଦୁଇ ପୁଅ ଏବଂ ବାପ ମାଆ ନିଶ୍ଚିନ୍ତରେ,ବର୍ତମାନ ବାପା ମାଆଙ୍କୁ କେବେଳ ଗୋଟଏ ଚିନ୍ତା ଦୁଇ ପୁଅଙ୍କୁ ହାତରୁ ଦୁଇ ହାତ କରିବା ।
ତିନି ଝିଅଙ୍କୁ ଶାଶୁଘର ପଠାଇବା ଯଦିଓ କଷ୍ଟକର ବ୍ୟାପାର ତଥାପି ଭଲରେ ଭଲରେ ବିବାହ ଉତ୍ସବ ଏବଂ ପରବର୍ତୀ କାର୍ଯ୍ୟ ସମାପନ କରି ପ୍ରସ୍ତୁତ ହୁଅନ୍ତି ଦୁଇ ପୁଅ ପୁଣି ବିଦେଶ ଗସ୍ତ ପାଈଁ । ଦିନେ ଦୁଇ ଦିନ ଗାଁରେ ରହି ଦୁହେଁ ଠିକ୍ ପୂର୍ବ ସ୍ଥାନକୁ ଫେରନ୍ତି ଏବଂ ଶ୍ରମ କାର୍ଯ୍ୟରେ ନିୟୋଜନ ହୁଅନ୍ତି । ପୁଅ ଦୁହେଁ ଘରର ସମସ୍ତ ଭଲ ମନ୍ଦ କାର୍ଯ୍ୟରେ ନିୟମିତ ଭାଗିଦାର ହୋଇ ଘର ଚାଳିବାରେ ବେସ୍ ପାରଙ୍ଗମ ହୋଇଥାନ୍ତି । ଏଣେ ବାପା ମାଆ ଚିନ୍ତା କରନ୍ତି ଏଥର ପୁଅ ମାନଙ୍କ କଥା ବୁଝିବା ଓ ହାତରୁ ଦୁଇ ହାତ କରାଇବା ।କିଛି ବର୍ଷ ବିଦେଶରେ ରହି ପୁଅ ମାନେ ଘରକୁ ଆସିବା ମାତ୍ରେ ବାପା ମାଆଙ୍କ ଗୋଟିଏ କଥା ତୁମ ଦୁଇ ଭାଇଙ୍କୁ ହାତରୁ ଦୁଇ ହାତ କରିଦେଲେ ଆମ ଚିନ୍ତା ଯିବ,ଏହି କଥାରେ ବଡ଼ ପୁଅ ରାଜି ହେବା ବେଳେ ସାନ ପୁଅ ନାରାଜ । ସାନ ପୁଅ କୁହେ ମୋ ବୟସ କମ ଏବେ ମୁଁ ବାହା ହେବିନି । କିଛି ଦିନ ବିତିବା ପରେ ପୁଅ ପାଈଁ ବୋହୂ ଖୋଜିବା ଆରମ୍ଭ ହେଲା ଓ ପୁଅର ବାହାଘର ମଧ୍ୟ ହେଲା ।କିଛି ବର୍ଷର ବ୍ୟବଧାନ ପରେ ଏହି ଦମ୍ପତ୍ତିଙ୍କ ଗୋଟଏ ପୁଅ ଓ ଝିଅ ମାତୃ କୋଳରେ ଜନ୍ମ ନେଲା ।ପ୍ରଥମେ ଝିଅ ଓ ପରେ ପୁଅ । ପୁଅ ଝିଅଙ୍କ ବୟସ ବଢ଼ିଲା ଏଥର ବାପା ମାଙ୍କ ଚିନ୍ତା ଆମ ପୁଅ ଝିଅଙ୍କୁ ପାଠ ପଢ଼ାଇବା ।
ସତରେ ଝିଅ ଜନ୍ମ କଣ ପାପ ? ଝିଅଟିଏ ସମାଜ ଏରୁଣ୍ଡିବନ୍ଧ ତଳର ଅବହେଳିତ ନିଷ୍ପେସିତ ଜୀବଟିଏ ? ସମାଜରେ ପୂର୍ଣ୍ଣ ଅଧିକାର ନଥିବା ଜୀବନଟିଏ ? ଏମିତି କେତେ କଣ ପ୍ରଶ୍ନ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ,କାରଣ କଣ ଭାବୁଛନ୍ତି ? ମାଆର କଥାନୁସାରେ ବାପା ଝିଅଟିକୁ ନିଜ ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ପାଠପଢା ଆରମ୍ଭ କଲା ଏବଂ ଦୁଇ ବର୍ଷର ବ୍ୟବଧାନ ପରେ ପୁଅଟି ଝିଅ ଭଳି ଗ୍ରାମ ବିଦ୍ୟାଳୟରେ ନାମ ଲେଖାଇ ପାଠପଢା ଆରମ୍ଭ କଲା । ହଁ ପୁଅଟି ପାଠପଢା ଆରମ୍ଭ କରିଲା ସତ କିନ୍ତୁ ଏକ ଘରେଇ ବିଦ୍ୟାଳୟରେ ! ତେବେ ଏଠାରେ ଝିଅ କଣ ଅବହେଳିତ ସମାଜ ଏରୁଣ୍ଡିବନ୍ଧ ତଳର ଅବହେଳିତ ନିଷ୍ପେସିତ ଯିବ ଟିଏ ? ହଁ ହଁ ସେ ଅବହେଳିତ ଜୀଵ ଟିଏ, କାରଣ ନିଜ ସମାଜ ତ ନିଜର ଅଧିକାର ଛଡାଇ ନିଏ । ଏଠାରେ ଏହି ଉକ୍ତି କହିବାର ଉଦେଶ୍ୟ ପୁଅ ଝିଅଙ୍କ ପାଠ ପଢା ସମ୍ପର୍କରେ ମାଆ ନିଷ୍ପତି ନେଇଥିଲା । ଝିଅଟି ଯଦି କେବେ କେବେ ଅଭିମାନ କରି ନିରବ ହୋଇ ବସେ ତେବେ ଠିକ୍ ସେତିକିବେଳେ ମାଆ ନାନା କଥା କହି ବୁଝେଇ ଦିଏ ଓ ଝିଅଟି ବୁଝିଯାଏ । ଝିଅଟି ମାଆର ଗେଲ୍ଲା ଥିଲା ସତ କିନ୍ତୁ ପୁଅ ତୁଳନାରେ ବହୁତ କମ୍ ଏବଂ ଅବହେଳିତ । ପୁଅଟି ବିଦ୍ୟାଳୟ ଯିବା ବେଳେ ଘରର ଯେକୌଣସି ସଭ୍ୟ ବିଦ୍ୟାଳୟ ପ୍ରଯ୍ୟନ୍ତ ଯାଆନ୍ତି ଓ ପାଠ ପଢା ସମ୍ପର୍କରେ ବୁଝା ସୁଝା କରନ୍ତି । ଝିଅଟି କିନ୍ତୁ ବିଦ୍ୟାଳୟ ଏକା ଯାଏ କେହି ବିଦ୍ୟାଳୟ ପ୍ରଯ୍ୟନ୍ତ ଛାଡିବା ପାଈଁ ଯାଆନ୍ତି ନାହିଁ ।ସାଙ୍ଗ ସାଥୀଙ୍କ ବାପା ମାଆ କିମ୍ବା ଘରର ଯେକୌଣସି ସଭ୍ୟ ବିଦ୍ୟାଳୟ ପ୍ରଯ୍ୟନ୍ତ ଛାଡିବା ପାଈଁ ଆସନ୍ତି ଓ ଭଲ ମନ୍ଦ ବୁଝି ଯାଆନ୍ତି ।ଝିଅଟି ଏସବୁ ଦେଖି ବେଳେ ବେଳେ ଦୁଃଖରେ ଭାଙ୍ଗି ପଡ଼େ ଓ ମନେ ମନେ କାନ୍ଦିପକାଏ ।ନିଜେ ନିଜକୁ କାନ୍ଦି କାନ୍ଦି ବୁଝାଇ ଦିଏ ନାରୀ ଜନମ ସମାଜରେ ଏକ ଅଦରକାରୀ ଅବହେଳିତ ଜୀବନଟିଏ ।ଦୁଃଖରେ ଝିଅଟି ଭାଙ୍ଗି ପଡ଼େ ସତ ହେଲେ ତା ସାନ ଭାଇପ୍ରତି ସ୍ନେହ ଶ୍ରଦ୍ଧା ଆଦର ଓ ଭଲପାଇବା କୌଣସିମତେ କମ୍ କରିନଥାଏ, ସମୟେ ସମୟେ ସାନ ଭାଇକୁ ବିଦ୍ୟାଳୟକୁ ଛାଡିବାକୁ ଝିଅଟି ଯାଇ ନିଜ ମନକୁ ବୁଝାଇ ଦିଏ ଏବଂ ସେ ତା ବିଦ୍ୟାଳୟକୁ ପାଠ ପଢିବା ପାଇଁ ଚାଲିଯାଇଥାଏ ।
ଦିନକର କଥା ଗାଁରେ ବର୍ଷା ଝିପ୍ ଝିପ୍ ଲାଗିଥାଏ । ବିଦ୍ୟାଳୟ ଯିବା ପାଇଁ ଉଭୟ ଭାଇ ଭଉଣୀ ପ୍ରସ୍ତୁତ ହୁଅନ୍ତି ହେଲେ ସେତିକି ବେଳକୁ ପୁଅଟି ମାଆକୁ କହେ ମାଆ ଚାଲ ମୋତେ ଆଜି ତୁମେ ମୋ ବିଦ୍ୟାଳୟରେ ଛାଡ଼ି ଆସିବ କିନ୍ତୁ ମାଆ କହେ ଦେଖ ଧନ ମୋର ଅନେକ ଘର କାମଅଛି ତୁ ବଡ଼ ଭଉଣୀ ସହ ବିଦ୍ୟାଳୟ ଯାଆ ।ସେହି ସମୟରେ ମାଆଙ୍କ କଥା ମାନି ଭଉଣୀ ହଁ କରିଦିଏ ବିଦ୍ୟାଳୟ ଛାଡ଼ି ଯିବା ପାଇଁ ଓ ଯାଏ ।ସାନ ଭାଇ ଘରେଇ ବିଦ୍ୟାଳୟର ଛାତ୍ର ହୋଇଥିବାରୁ ବିଦ୍ୟାଳୟ ନିୟମନୁସାରେ ତା'ପାଈଁ ଏକ ପଲଥିନ୍ ତିଆରି ବର୍ଷା ନିରୋଧକ ଆବରଣ ଦରକାର ହେଲେ ଘରେ ବଜାରରୁ କିଣା ହୋଇ ନଥାଏ ।ଗୋଟଏ ଛତା ଦେଇ ଉଭୟ ପୁଅ ଝିଅଙ୍କୁ ମାଆ ବିଦ୍ୟାଳୟ ପଠାଇ ଦିଏ । ଝିଅ ତୁ ଭାଇକୁ ତା ବିଦ୍ୟାଳୟରେ ଛାଡ଼ି ତୋ ବିଦ୍ୟାଳୟ ଯିବୁ। ଝିଅ ଭାଇକୁ ଛାଡିବା ପାଈଁ ଯିବା ସମୟରେ ବର୍ଷା ଜୋରରେ ହୁଏ ହେଲେ ସେତେବୋଳେ ଭଉଣୀଟି ବର୍ଷା ପାଣିରେ ଓଦା ହୋଇ ଭାଇକୁ ନିରାପଦରେ ଛାଡ଼ି ସେ ବିଦ୍ୟାଳୟ ଚାଲିଯାଏ । ଝିଅଟିର ଏହି ଗୁଣ ଦେଖି ଗ୍ରାମର ଲୋକମାନେ ବେସ୍ ପ୍ରଶଂସାର ଝିଅକୁ ପୋତି ପକାନ୍ତି ଓ ବାପା ମାଆର ଗୁଣକୁ ସଭିଏଁ ନିନ୍ଦନ୍ତି । ଦିନେ ଝିଅର ବିଦ୍ୟାଳୟ ଶ୍ରେଣୀ ଗୃହରେ ଶ୍ରେଣୀ ଶିକ୍ଷକ "ଭୃଣ ହତ୍ୟା" ସମ୍ପର୍କରେ ଏକ ଗଳ୍ପ କହିଲେ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇ ଦେଲେ ସମସ୍ତ ଜୀବର ଆବଶ୍ୟକତା ସମ୍ପର୍କରେ । ସେହି ଦିନ ଏହି ଝିଅର ଗୁଣକୁ ଶିକ୍ଷକ ବେସ୍ ପ୍ରଶଂସା କଲେ କାରଣ ଝିଅଟି ଅବହେଳିତ ହୋଇ ତା'ଭାଇକୁ ସେ ବହୁତ ଭଲ ପାଉଥିଲା ଏବଂ ସମସ୍ତଙ୍କୁ କହିଲେ ମୋ ସହ ସମସ୍ତେ ସ୍ୱର ମିଶାଇ କୁହ "କନ୍ୟା ରତ୍ନ, କର ଯତ୍ନ" । ଆଜି ଠାରୁ ଆମ୍ଭେ ସଭିଏଁ ପୂର୍ଣ୍ଣ ଅଧିକାର ନେଇ ସମାଜରେ ବଞ୍ଚିବା ସହ ଭାଇ ଭଉଣୀ ପ୍ରେମ ଏକତାର ବାନ୍ଧି ହେବା । ଶିକ୍ଷକଙ୍କ କଥାକୁ ସଭିଏଁ ଆଦରି ନେଲେ ଓ ଜନସଚେତନତା କରିବାରେ ଲାଗିଲେ ।
ଛାତ୍ର ଛାତ୍ରୀଙ୍କ ଏହି ମହତ କାର୍ଯ୍ୟ ଦେଖି ସଭିଏଁ ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ପ୍ରଶଂସା କରିଲେ ଓ ଲୋକମାନେ ଚିନ୍ତା କରିଲେ ବାସ୍ତବରେ ଛାତ୍ର ଛାତ୍ରୀଙ୍କ ଏହି ଉକ୍ତି ଠିକ୍ "କନ୍ୟା ରତ୍ନ, କର ଯତ୍ନ" । କୁନି କୁନି ଝିଅ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ତଥା ଜନ୍ମରୁ ମାରି ଦେଉଥିବା ହିଂସ୍ର ମଣିଷ ମାନଙ୍କୁ କଠୋର ଦଣ୍ଡ ଦେବା ଆବଶ୍ୟକତା ରହିଅଛି । ଏହାର ସମାଧାନ ପାଇଁ ଆମ ଗ୍ରହଣରେ ପୁଣି ଥରେ ମହିଷା ମର୍ଦିନି ଦୁର୍ଗତି ନାଶିନୀ ମା ଦୂର୍ଗାଙ୍କ ଭଳି ଜଣେ ସତସାହସୀ ନାରୀ ଜନ୍ମ ନେବା ଆବଶ୍ୟକତା ରହିଛି କାରଣ ଏଠି ତ ଜଣେ ନାରୀ ଆଊ ଜଣେ ନାରୀର ଶତୃ କିଏବା କଣ କରିବ ? ତେଣୁ ଆଜି ଠାରୁ ଆମେ ବି ସେହି କୁନି କୁନି ପିଲାଙ୍କ ସହ ସ୍ୱର ମିଳାଇ କହିବା "କନ୍ୟା ରତ୍ନ, କର ଯତ୍ନ" ।