ଆତଙ୍କବାଦର ଅନ୍ତରାଳେ
ଆତଙ୍କବାଦର ଅନ୍ତରାଳେ


- ହେ, ଭଗବାନ!
ସ୍ୱାମୀଙ୍କ ଚିତ୍କାର ଶୁଣି ରୋଷେଇ ଘରୁ ବୈଠକଘରକୁ ଦୌଡ଼ି ଆସିଲା ସରିତା। ସକାଳୁ ସକାଳୁ ଖବରକାଗଜ ପଢିବା ତା ସ୍ଵାମୀଙ୍କର ଗୋଟିଏ ପୁରୁଣା ଅଭ୍ୟାସ, କିନ୍ତୁ ହଠାତ ଏପରି ଚିତ୍କାର? ଏହାର ମାନେ କଣ ହେଇପାରେ?
ତାର ହୃତସ୍ପନ୍ଦନ ବଢ଼ିବାରେ ଲାଗିଥିଲା। ବିଜୟଙ୍କର ଅଚାନକ ଦେହ ଖରାପ ହେଇନି ତ ? ନାନାପ୍ରକାର ପ୍ରଶ୍ନ ତା ମନକୁ ଆନ୍ଦୋଳିତ କରୁଥିଲା।
- କଣ ହେଲା? ଏପରି ଚିତ୍କାର କଣ ପାଇଁ କରିଲ?
ବିଜୟ ମୁଣ୍ଡରେ ହାତ ଦେଇ ନିର୍ବିକାର ଚିତ୍ତରେ ବସିଥିଲେ। ତାର କଥାଗୁଡିକ ଯେପରି ତା ସ୍ୱାମୀଙ୍କ କର୍ଣ୍ଣପଟଳ ଭିତରକୁ ନ ଯାଇ ପୁନର୍ବାର ଫେରି ଆସୁଥିଲା ତା ପାଖକୁ। ସ୍ଥାଣୁ ପାଲଟି ଯାଇଥିବା ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି ତା ହୃଦୟରେ କମ୍ପନ ସୃଷ୍ଟି ହେବାକୁ ଲାଗିଲା। କିଛି ଗୋଟାଏ ହେଇଛି ନିଶ୍ଚୟ। ନଚେତ ଅଫିସ ଯିବା ପାଇଁ ରେଡି ନହେଇ ପଥର ପରି ଏପରି ବସି ନଥାନ୍ତେ।
- କଣ ହେଲା?
ବିଜୟଙ୍କ କାନ୍ଧକୁ ହଲେଇ ପୁନର୍ବାର ପ୍ରଶ୍ନ କଲା ସରିତା।
ବିଜୟଙ୍କ ଆଖିର ଲୁହଧାର ସତେ ଯେପରି ତାଙ୍କ ବୋଲ ମାନୁନଥିଲେ। କିଛି ନ କହି ସରିତାକୁ ଖବରକାଗଜଟି ବଢ଼େଇ ଦେଲେ।
ସରିତା ବଡ଼ ପାଟିରେ ପଢିବାକୁ ଲାଗିଲା
- ତା ୧୬/୧୨/୧୪, ପାକିସ୍ତାନର ପେଶବାରର ଏକ ବିଦ୍ୟାଳୟରେ ଆତଂକବାଦୀମାନଙ୍କ ରକ୍ତର ହୋଲି। ଯାହାର ଶିକାର ପାଲଟିଛନ୍ତି ୧୪୩ରୁ ଅଧିକ ଜୀବନ, ଏବଂ ସବୁଠାରୁ ଦୁଃଖଦାୟକ ଘଟଣା ହେଉଛି ତା ମଧ୍ୟରେ ଅଛନ୍ତି ୧୩୨ଟି ଛାତ୍ରଛାତ୍ରୀ। ଯେଉଁମାନଙ୍କ ବୟସ ମାତ୍ର ଆଠ ବର୍ଷରୁ ବାର ବର୍ଷ ମଧ୍ୟରେ।
ହେଃ ଈଶ୍ୱର!
ସରିତା କାନ୍ଥକୁ ଆଉଜି ବସି ପଡ଼ିଲା। କି ଜଘନ୍ୟ ହତ୍ୟାକାଣ୍ଡ? ଦେହ ହାତ ତାର ଥରିବାକୁ ଲାଗିଲା। ତା ଛାତି ଭିତରଟାକୁ ସତେ ଯେମିତି କୋରଣାରେ କିଏ କୋରି ପକାଉଥିଲା।
କଣ ଭୁଲଥିଲା ସେ କୋମଳମତି ଶିଶୁମାନଙ୍କର? ନିଜକୁ ଭଲରେ ଚିହ୍ନିବା ପୂର୍ବରୁ ଦୁନିଆରୁ ତାଙ୍କୁ ଜବରଦସ୍ତି ବିଦାୟ ଦିଆଗଲା। କେତେ କଷ୍ଟରେ, କେତେ ଘାତ - ପ୍ରତିଘାତ ସହି ମା ବାପା, ନିଜ ଛୁଆମାନଙ୍କୁ ଲାଳନ ପାଳନ କରନ୍ତି। ଛୁଆର ମୁହଁରେ ଚେନାଏ ହସ ଫୁଟେଇବା ପାଇଁ ବଳଦ ପରି ଦିନ ତମାମ ଖଟନ୍ତି। କେମିତି ଥିବେ ସେ ବାପା ମା? କିଏ ଦେଉଥିବ ପ୍ରବୋଧନା? କାହାକୁ ଅନେଇ ବାପା ମା ଦିହେଁ ବଂଚିବେ? କଣ ସବୁ କରିଗଲେ ସୈତାନ ଗୁଡ଼ିକ? ରକ୍ତମୁଖା ଦାନବମାନଙ୍କର ତନ୍ତ୍ରୀ ସବୁ ଥରି ଉଠିଲାନି ଏପରି ଲୋମହର୍ଷଣକାରୀ ଦୃଶ୍ୟ ଘଟେଇବାକୁ? ସତରେ ଏମାନେ ମନୁଷ୍ୟ ନା ମନୁଷ୍ୟରୂପୀ ପିଶାଚ?
ସରିତାର ମୁଣ୍ଡ ବୁଲେଇ ଦେଉଥିଲା। ଏସବୁ କଣ ହେଉଛି? ଆତଙ୍କବାଦୀ, ସନ୍ତ୍ରସବାଦୀମାନଙ୍କର ବର୍ବରତା ବେଲଗାମ ଘୋଡ଼ା ପରି ଆଗକୁ ମାଡ଼ି ଚାଲୁଛି। ଯଦି କାହାର ପ୍ରଶାସନ ବିରୋଧରେ କିଛି ଅଭିଯୋଗ ଅଛି , ତେବେ ହତ୍ୟା କଣ ଏହାର ପ୍ରକୃତ ପନ୍ଥା? ସତରେ କଣ ଏମାନଙ୍କ ହୃଦୟରେ ଅନ୍ୟ ମାନଙ୍କ ପ୍ରତି ସ୍ନେହ, ପ୍ରେମ, ଭଲପାଇବା କିଛି ନାହିଁ? ଏ ଦାନବଙ୍କ ଶରୀରରେ କଣ ରକ୍ତ ପ୍ଲାବିତ ହେଉନି? ନା ସବୁ ରକ୍ତକଣିକାଗୁଡ଼ିକ ପାଣି ଫାଟିଗଲାଣି? ଏ ବର୍ବରମାନେ କଣ ନିଜ ମନ, ନିଜ ଆତ୍ମାକୁ ଶରୀର ଭିତରେ କବର ଦେଇ ଦେଇଛନ୍ତି? ଏପରି ଅନେକ ପ୍ରଶ୍ନ ଅଜଗର ସର୍ପ ପରି ତା ମନକୁ କବଳିତ କରିଦେଉଥିଲେ। ସେ ଅଣନିଃଶ୍ୱାସୀ ହେଇ ଯାଉଥିଲା।
ଅତ୍ୟାଚାରୀମାନଙ୍କ କବଳରୁ ମନୁଷ୍ୟ ଜଗତକୁ ବଞ୍ଚେଇବା ପାଇଁ କୃଷ୍ଣ, ଯୀଶୁ, ମହମ୍ମଦ - ଏପରି ଅନେକ ରୂପରେ ପ୍ରଭୂଙ୍କ ଧରାବତରଣ ଘଟିଥିଲା। ଏବେ କଣ ଆଉ ସେପରି ହେବନି? ପାପଗର୍ଭରେ ଏ ଧରିତ୍ରୀ ଲୀନ ହେବା ପୂର୍ବରୁ କଣ ବାଜିବନି ପଞ୍ଚଜନ୍ୟ ଶଙ୍ଖଧ୍ୱନି? ଶୁଭିବନି ଆହ୍ଲା କି ପ୍ରଭୂ ଯୀଶୁଙ୍କର ଅମୃତବାଣୀ? ଆଉଥରେ କଣ ସେ ମହାପୁରୁଷମାନେ ଅବତୀର୍ଣ୍ଣ ହେବେନି ଏ ଧରାପୃଷ୍ଠରେ? ଚାରିଆଡ଼େ କଣ ଖେଳିବନି ଶାନ୍ତି , ମୈତ୍ରୀ? 'ବସୁଧୈବ କୁଟୁମ୍ବକମ୍ ' ଏହି ଭାବନା କଣ ଫେରି ଆସିବନି ସଭିଙ୍କ ମନକୁ ପୁଣିଥରେ?
ସରିତା ଆଖିରୁ ନିଜେ ନିଜେ ଲୁହ ପୋଛିଲା। ମଳିନ ପଡିଯାଇଥିବା ମୁହଁଟି ତାର ଉଜ୍ଜ୍ୱଳ ଦିଶିଲା। ଆଖି ଦିଟା ଦପ୍ ଦପ୍ ଜଳିବାକୁ ଲାଗିଲା। ତା ଅନ୍ତରାତ୍ମା ଯେମିତି କହୁଥିଲା , ଏ ଧରାପୃଷ୍ଠରେ ଶାନ୍ତି ବିରାଜମାନ କରିବ। ପୁଣିଥରେ ହସଖୁସିର ବାତାବରଣ ଫେରିଆସିବ। ହେଲେ ଏସବୁ ସମ୍ଭବ ହେବ ଖାଲି ଆମ ମନରେ ଶୋଇଯାଇଥିବା ଭଲପାଇବାକୁ ଉଠାଇଦେଲେ। ଆମ ଚେତନାଶକ୍ତିକୁ ଜାଗ୍ରତ କରିଲେ। ଆମ ମନରେ ଥିବା ଇର୍ଷା, ହିଂସା, ଦ୍ଵେଷ, ଗର୍ବକୁ ମୂଳୋତ୍ପାଟନ କରିଲେ। ପରସ୍ପର ମଧ୍ୟରେ ଶାନ୍ତି ଓ ଭାଇଚାରାର ବୀଜ ସ୍ଥାପନା କରିଲେ।
ସରିତା ଗୁଣୁଗୁଣେଇବାକୁ ଲାଗିଲା
- ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ
ମା କଶ୍ଚିତ ଦୁଃଖୋ ଭାଗ୍ ଭବେତ୍।
ଓଁ ଶାନ୍ତିଃ ଶାନ୍ତିଃ।
ଆଉ ସରିତା ସହିତ ଯୋଗ ଦେଇଥିଲେ, ତା ସ୍ବାମୀ ବିଜୟ, ପୁଅ ଅମ୍ଳାନ, ଝିଅ ସାକ୍ଷୀ ଓ ଆପଣମାନେ। (କଣ ସତରେ ତ?)