STORYMIRROR

Sabita Nayak

Inspirational

5  

Sabita Nayak

Inspirational

ଆକାଶର ସୀମା

ଆକାଶର ସୀମା

5 mins
1

 ନୀଳ ସାଗରର ନୀଳ ଉର୍ମିମାଳା ବାରମ୍ବାର କୂଳକୁ ଆସି ମଥା ପିଟି ପୁଣି ଫେରି ଯାଉଥାଏ। ପଶ୍ଚିମ ଆକାଶରେ ସୂର୍ଯ୍ୟଦେବ ସୁନେଲି କିରଣ ଢାଳି ନୀଳ ଲହରୀର ନୀଳ ତନୁକୁ ଆହୁରି କମନୀୟ କରିଦେଇଥାଏ ।ଏକା ଏକା କୂଳରେ ବସିଥାଏ ଆକାଶ । ସତେ ଯେମିତି ସାଗରର ଲହରୀ ଆସି ତା'ର ପାଦକୁ ଛୁଇଁ ଦେଇ ପୁଣିଥରେ ଫେରି ଯାଉଥାନ୍ତି । ଆଉ ଏ ବେଳାଭୂମି ତା'ର ଯେମିତି ଏକାନ୍ତ ଆପଣାର । ଜୀବନର ସବୁ ମିଠା ସ୍ମୃତି ଏଇଠି ବୋଧେ,,,,,,,? ହଁ ଏଇଠି ହିଁ ଶାନ୍ତି ।ଏଇ ଠାରେ ଯେପରି ଆକାଶ ଖୋଜି ପାଏ ନିଜକୁ ।ନିଜ ସହିତ ଆତ୍ମହରା ହୋଇଯାଏ ଆକାଶ । ସୀମା.........ସାଗର.....ବେଳାଭୂମି......ଆଉ ଆକାଶ..... ଏକ ଦୀର୍ଘନିଃଶ୍ବାସଟିଏ ପକାଇଲା ଆକାଶ।ମନେ ମନେ ଗୁଣୁ ଗୁଣୁ ହୋଇ ଗୀତଟିଏ ଗାଇ ଉଠିଲା... "ବିଜନ ଏଇ ସାଗରକୂଳେ ତୁମର ସ୍ମୃତି ମୋ ମନତଳେ ଲହରୀ ସାଜି ଖେଳୁଛି ମନେ ଢେଉଢେଉକା ଆଜି ସମୀରେ। କହିପାରେନା ସାଗରସମ ବ୍ୟଥିତହୃଦେ ତୁଟେନା ଭ୍ରମ ଜାଣିଛି ତୁମେ ଆସିବ ନାହିଁ ତଥାପି କାହିଁ ରହେ ମୁଁ ଚାହିଁ....? ଆକାଶ ଜାଣିଛି ସୀମା କେବେ ବି ତା'ର ହେଇପାରିବନି। ତାକୁ ନେଇ ସେ ସଂସାରର ସ୍ବପ୍ନଟିଏ ଦେଖିପାରବନି। ସଂସାର ଗଢିବା ପାଇଁ ଯେଉଁ ମାତୃତ୍ବ ଟିକକ ଦରକାର ଅର୍ଥାତ୍ ସୀମା ଗର୍ଭଧାରଣ କରିପାରିବ ନାହିଁ।ତଥାପି ସୀମାକୁ ଏତେ ଭଲପାଏ କାହିଁକି?ଆକାଶ ମନର ସୀମା ସୀମାପାଖରେ ଛନ୍ଦି ହୋଇଯାଏ କାହିଁକି?ସୀମାର ଛନ୍ଦହୀନ ହସ,ଅମାୟିକ ବ୍ୟକ୍ତିତ୍ବ,ମାର୍ଜିତ ବ୍ୟବହାର ବାରମ୍ବାର ତା' ପାଖକୁ ଆକର୍ଷିତ କରେ।ସେ ଯଦିଓ ବହୁତ ସୁନ୍ଦର,ତଥାପି ତା' ମନ ତା'ଠାରୁ ଆହୁରି ସୁନ୍ଦର।ଇଛାଥିଲେ ସବୁ ସମ୍ଭବ।ସେ ନିଶ୍ଚୟ ପାରିବ।ସୀମାକୁ ଆପଣାର କରିବାପାଇଁ ନୀତିନିୟମ,ଆଇନକାନୁନ ସବୁକୁ ବଦଳାଇଦେବ।ତା ପ୍ରେମର ସ୍ବାକ୍ଷରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହେବ।ହଁ ଅସମ୍ଭବ ସମ୍ଭବ ହେବ। ସେଦିନ ସୀମା ନଥିଲେ ,ଆକାଶ ବୋଧେ ଆଜି ନଥାନ୍ତା।ଆକାଶର ବାଇକ ଯଦିଓ ଦ୍ରୁତ ଗତିରେ ନଥିଲା ତଥାପି ଆଗରୁ ଦୌଡି ଦୌଡି ଆସୁଥିବା କୁକୁର ଛୁଆକୁ ବଞ୍ଚାଇବାକୁ ଯାଇ ଆକାଶ ହଠାତ୍ ହଡବଡେଇ ଯାଇ ବ୍ରେକ୍ ଦେଇଦେଲା ଏବଂ ଗାଡି ଭାରସାମ୍ୟ ହରାଇ ଗୋଟେ ଗଛରେ ପିଟି ହୋଇଗଲା।ତା'ପରେ ଆକାଶ କିଛି ଜାଣିନାହିଁ।ଆଖିଖୋଲିଲା ବେଳକୁ ସେ ଡାକ୍ତରଖାନାର ଗୋଟିଏ ବେଡରେ ନିଜକୁ ପାଇଲା।ସାଲାଇନ୍ ଲାଗିଥାଏ ।ପାଖରେ ଗୋଟିଏ ସୁନ୍ଦରୀ ଝିଅ ଠିଆହୋଇଥାଏ।ଆକାଶକୁ ଆଖିଖୋଲିବା ଦେଖି ଝିଅଟି ପାଟିକରି ଡାକଲା,"ସିଷ୍ଟର ସିଷ୍ଟର ପେସେଣ୍ଟକୁ ହୋସ୍ ଆସିଲାଣି"।ସଙ୍ଗେ ସଙ୍ଗେ ନର୍ସ,ଡାକ୍ତର ସମସ୍ତେ ଆସିଲେ।ଆକାଶକୁ ଚେକ୍ ଅପ କଲେ।ସେ ଝିଅଟିକୁ ଡାକ୍ତର ଖୁବ୍ ପ୍ରଶଂସା କରୁଥାନ୍ତି।" ସୀମା ତୁମଲାଗି ଆଜି ଯୁବକଟିର ଜୀବନ ବଞ୍ଚିଗଲା।" ଡାକ୍ତର ଆକାଶର ନାଁ,ଠିକଣା ପଚାରି ତା' ଘରକୁ ଫୋନ୍ ଦ୍ବାରା ସବୁ ଜଣାଇଲେ।ସୀମା ଆକାଶର ଜୀବନ ବଞ୍ଚାଇଥିବାରୁ ତା'ର ହୃଦୟରେ ସେ ଏକ ଦେବୀର ଆସନ ନେଇସାରିଥିଲା। ଇତିମଧ୍ୟରେ ଆକାଶର ବାପାବୋଉ,ଭଉଣୀ ଭିଣୋଇ ସମସ୍ତେ ଆସି ଡାକ୍ତରଖାନାରେ ପହଞ୍ଚିସାରିଥିଲେ ।ସମସ୍ତେ ବ୍ୟସ୍ତବିବ୍ରତ ହୋଇପଡିଥିଲେ।ଡାହାଣ ଗୋଡର ଦ୍ବିତୀୟ ଆଙ୍ଗୁଳିଟି ଫାଟି ଯାଇଥିଲା।ମୁଣ୍ଡ ଯଦିଓ ଟିକିଏ ଫାଟିଥିଲା ବିଶେଷ କିଛି ହୋଇନଥିଲା।ପ୍ରାୟ ୧୨ଘଣ୍ଟା ଆକାଶ ବେହୋଶ ଥିଲା।ଆକାଶର ଘରଲୋକ ସୀମା ତା'ର ଜୀବନ ବଞ୍ଚାଇଛି ଜାଣି ତା'ପ୍ରତି ବହୁତ କୃତଜ୍ଞତା ଜ୍ଞାପନ କଲେ।ସୀମା ସମସ୍ତଙ୍କୁ ବିଦାୟ ଜଣାଇ ତା'ର କର୍ମକ୍ଷେତ୍ରକୁ ବାହୁଡି ଯାଇଥିଲା।ଯିବା ପୂର୍ବରୁ ଆକାଶ ମାଆଙ୍କ ଫୋନ ନମ୍ବର ମାଗି ନେଇଥିଲା।ଡାକ୍ତର ତା'କୁ ତିନିମାସ ଘରେ ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ।ବେଳେବେଳେ ଦୁର୍ଘଟଣା ବି ବରଦାନ ସଦୃଶ ହୋଇଥାଏ।ଡାକ୍ତରଖାନାରୁ ଘରକୁ ସେ ଆସିଲା ସତ କିନ୍ତୁ ମନ ମଧ୍ୟରେ ସୀମା ରହିଗଲା ସବୁଦିନ ପାଇଁ ସୀମାବଦ୍ଧ ହୋଇ। ସାତଦିନ ପରେ ସୀମାର ଫୋନ ଆସିଲା ଆକାଶର ମାଆଙ୍କ ଫୋନକୁ।ଆକାଶର ହାଲଚାଲ ସୀମା ପଚାରିଲା।ମାଆ ସୀମା ସହିତ ଭାରି ଖୁସିରେ କଥା ହେଉଥାନ୍ତି।ମାଆ ପଚାରି ବୁଝିଲେ ଯେ ସୀମା ଓକିଲାତି ପଢୁଛି ।ସୀମାକୁ ଘରକୁ ମାଆ ନିମନ୍ତ୍ରଣ କଲା।"ହଁ ମାଉସୀ ଛୁଟିହେଲେ ନିଶ୍ଚୟ ଯିବି,ହସି ହସି ସୀମା ଜବାବ ଦେଲା।ଏମିତି ମାଆ ଆଉ ସୀମା ସବୁବେଳେ କଥା ହୁଅନ୍ତି ।ସୀମା ଆକାଶ ବିଷୟରେ ପଚାରେ ଅଥଚ ତା' ସାଙ୍ଗରେ ଦୁଇପଦ କଥା ହୁଏନା।ଆଶ୍ଚର୍ୟ୍ୟ! ତା'ର କିନ୍ତୁ ଇଛାହୁଏ ଦୁଇପଦ କଥାହେବା ପାଇଁ ସୀମା ସହିତ।ମାଆକୁ କହିପାରେନା ।ମନ କଥା ମନରେ ରହିଯାଏ।ସେ ଧିରେ ଧିରେ ସୁସ୍ଥ ହେଲା।ପୁଣିଥରେ ତା'ର କର୍ମସ୍ଥଳରେ ଯୋଗଦେଲା।     ଏକବର୍ଷ ପରେ ଦିନେ ସୀମା ସହିତ ଅଚାନକ ଦେଖା ହୁଏ ଏଇ ବେଳାଭୂମିରେ।ଆକାଶ -"( ପାଟିକରି ଡାକିବା) ସୀମା... ସୀମା....ମୋତେ ଚିହ୍ନିପାରୁଛ ।ମୁଁ ଆକାଶ ।ଏକବର୍ଷତଳେ ତୁମେ ମୋତେ ଏକ ଦୁର୍ଘଟଣାରେ ଡାକ୍ତରଖାନା ନେଇ ମୋର ଜୀବନ ବଞ୍ଚାଇଥିଲ ।ମୋ ମାଆ ସବୁବେଳେ ତୁମ ସହିତ କଥା ହୁଅନ୍ତି।" ଏକା ନିଃଶ୍ବାସରେ ଆକାଶ କହିପକାଇଲା।ସୀମା-(ସ୍ମିତହସି)-" ହଁ ହଁ ତୁମକୁ ମୁଁ ମନେରଖିଛି। " ସୀମା ସହିତ ପଦେ ଦୁଇପଦ କଥାପରେ ସୀମା ଚାଲିଯାଏ ତା' କାମରେ।ଆକାଶ ଚାହିଁ ରହିଥାଏ ସୀମାର ବାଟକୁ।ମନରେ ଅନେକ କଥା,କିନ୍ତୁ କହିହୁଏନା। ପୁଣିଥରେ ଦେଖାହୁଏ ସୀମା ସହିତ ଏଇ ସାଗରକୂଳେ।ସୀମାର ସେଇ ସ୍ମିତହାସ୍ୟଭରା ମୁଖମଣ୍ଡଳର ଦିବ୍ୟ ଆଭାରେ କିଛିକ୍ଷଣ ନିଜକୁ ହଜାଇ ଦିଏ ଆକାଶ।ଆକାଶ-"ତୁମକୁ କ'ଣ ଏଇ ବେଳାଭୂମୀ ଭଲଲାଗେ।" ସୀମା-"ବହୁତ।ଏଇ ସୀମାହୀନ ସାଗରର ସୀମାରେ ମୋ ଜୀବନର ସୀମାକୁ ହଜାଇ ଦେବାର ଆନନ୍ଦମୟ ଅନୁଭବ .....କହିହୁଏନା।" ବାଃ କି ସୁନ୍ଦର ଦାର୍ଶନିକ ଚିନ୍ତାଧାରା।ଆକାଶ ମନ୍ତ୍ରମୁଗ୍ଧ ହୋଇ ସୀମାକୁ ଚାହିଁରହେ।ଏଇ ସୀମାର ପରିସୀମା ମଧ୍ୟରେ ଆକାଶ ମନର ସୀମା ହଜିଯାଏ କିଛି ସମୟ ପାଇଁ।ମନର କଥାକୁ କହିବି କହିବି ଭାବି ଭାବି ସମୟ ଆଉ ସୀମା ଉଭୟ ଚାଲିଯାନ୍ତି ତା' ଆଖି ଆଢୁଆଳରୁ।ଏବେ ସୀମା ଆଉ ଆକାଶ ପରସ୍ପରର ଭଲ ବନ୍ଧୁ।ଯେବେ ବି ଭେଟ ହୁଅନ୍ତି ଏ ବେଳାଭୂମିରେ ।କଥାବାର୍ତ୍ତା ମାନେ ଆକାଶ ତ ବହୁତ ମନେ ମନେ କେତେ କ'ଣ ଗପେ।କିନ୍ତୁ ସୀମା ଏକ ଲୟରେ ସାଗରର ଢେଉସବୁକୁ ଉପଭୋଗ କରେ ।ନା ତା'ର ଆକାଶ ପ୍ରତି ଲକ୍ଷ୍ୟ ଥାଏ ନା କାହା ପ୍ରତି। ସୀମାର ଏଇ ନିଃଶବ୍ଦ ଭାଷା ଆକାଶକୁ କେଜାଣି କାହିଁକି ଅଧିକ ଆନମନା କରିଦିଏ।ଆକାଶ-"ସୀମା !ସୀମା-"ହଁ କୁହ" ଆକାଶ-"ସୀମା ,ତୁମ ଜୀବନର ସୀମା ମଧ୍ୟରେ ମୋ ଜୀବନର ସୀମାକୁ ଛନ୍ଦି ଦେବାକୁ ଚାହେଁ।" ସୀମା-" ଜୀବନର ରାସ୍ତା ବହୁତ ଲମ୍ବା ଆକାଶ! ଏ ରାସ୍ତାରେ ଏକା ଏକା ଚାଲିବାର ମଜା ନିଆରା।ମୁଁ ଅଭିଶପ୍ତ,କିନ୍ତୁ ମୁଁ ମୁକ୍ତ।ମୁଁ କାହାର ଜୀବନର ସୀମା ଭିତରେ ପ୍ରବେଶ କରିପାରିବିନି।ତଥାପି ସମ୍ମାନର ସହ ସମାଜରେ ବଞ୍ଚିବାକୁ ଚାହେଁ,କାହାର ସମାଲୋଚନାର ପାତ୍ର ନୂହେଁ,କାହାର ମଜାକ୍ ର ଖୋରାକ ନୂହେଁଁ।"ଆକାଶ- "ସୀମା! ଏସବୁ କ'ଣ ଗପିଯାଉଛ।ମୁଁ ମଜାକ୍ କରୁନାହିଁ। ତୁମକୁ ମୁଁ ବହୁତ ଭଲପାଏ।ବହୁତ ସମ୍ମାନ କରେ।" ସୀମା-"ଆକାଶ! ମୁଁ କେବେ ବି ତୁମକୁ ଏକ ପୂର୍ଣ୍ଣ ସଂସାର ଦେଇପାରିବିନି।ମୁଁ କେବେ ବି ମାଆ ହୋଇପାରିବିନି।କାହିଁକି ନା ମୁଁ ଜଣେ କିନ୍ନର।ତୁମ ଭବିଷ୍ୟତ ମୁଁ ନଷ୍ଟ କରିପାରିବିନି।ତୁମକୁ ମୁଁ ବହୁତ ଭଲପାଏ।ତୁମର ଖୁସି ଦେଖିବାକୁ ଚାହେଁ।ତୁମର ଘର ବସାଇବାକୁ ଚାହେଁ,ଉଜାଡିବାକୁ ନୂହେଁ।ମୁଁ ତୁମର ଭଲ ବନ୍ଧୁ ହୋଇପାରିବି ,ଜୀବନସାଥି ନୂହେଁ।" କହି କହି ସୀମା ଚାଲି ଯାଉଥିଲା ଦୂରକୁ ଦୂରକୁ।କିଂକର୍ତ୍ତବ୍ୟମୁଢ ହୋଇ ଚାହିଁ ରହିଥିଲା ଆକାଶ।ସତରେ ସୀମାର ସୀମାକୁ ସ୍ପର୍ଶ କରିବା ଏକ ଦୂରୁହବ୍ୟାପାର।ତଥାପି ଆକାଶ ନିଷ୍ପତ୍ତିରେ ଅଟଳ ଥିଲା।ତା' ଜୀବନରେ ସୀମା ବ୍ୟତିତ ଆଉ କାହାର ଜାଗା ନାହିଁ। " ବାବୁ କିଛି ପଇସା ଦିଅ ବାବୁ ।ଦୁଇଦିନ ହେଲା କିଛି ଖାଇନାହୁଁ। ବାବୁ କିଛି ପଇସା ଦିଅ ବାବୁ।ଦୁଇଦିନ ହେଲା କିଛି ଖାଇନାହୁଁ।"ଆକାଶ ପଛକୁ ଫେରି ଚାହିଁଲା। ଛଅ ସାତବର୍ଷର ପିଲାଟିଏ ନାଉକରି ଛୋଟ ଝିଅଟିକୁ ବୁଲୁଛି।ଝିଅଟିର ବୟସ ପ୍ରାୟ ଏକବର୍ଷ ହେବ। ଆକାଶ ପାଖକୁ ଡାକି -"ଦହିବରା ଖାଇବୁ।"ପିଲା-"ହଁ ବାବୁ କିଛି ପଇସା ଦେଲେ ଟିକି ଝିଅ ପାଇଁ କ୍ଷୀର ଆଣିବି।ସେ କ୍ଷୀର ପିଇସାରିଲେ,ମୁଁ ଖାଇବି।"ଆକାଶ-"ଆଛା।ତୋ ପାଖରେ ଏବେ କେତେ ଟଙ୍କା ଅଛି।" ପିଲା-"ବାବୁ ଆଉ ମାତ୍ର ୪ଟଙ୍କା ହେଲେ ଭଉଣୀ ପାଇଁ କ୍ଷୀର ଆଣିପାରିବି।" କେତେ ସଚ୍ଚୋଟ ପିଲାଟି ,କେତେ ଯତ୍ନବାନ ଛୋଟ ଭଉଣୀଟି ପ୍ରତି ?ଆକାଶକୁ ମିଳିଗଲା ସମାଧାନ।ଛୁଆଦୁଇଟିକୁ ବୁଝାଇ ଘରକୁ ନେଇଆସିଲା।ଘରେ ବାପାମାଆ, ଭଉଣୀ ଭିଣୋଇ ସମସ୍ତେ ଆକାଶର ପଦକ୍ଷେପକୁ ସମ୍ମାନର ସହ ସ୍ବାଗତ କଲେ।ସୀମାକୁ ବୋହୁକରି ଆଣିବା ପାଇଁ ସମସ୍ତେ ଉତ୍ସୁକତାର ସହ ଆୟୋଜନରେ ଲାଗି ପଡିଲେ।ଆକାଶ ସୀମାକୁ ସାଗରର ବେଳାଭୂମିକୁ ଆସିବାକୁ ଅନୁରୋଧ କଲା।ସୀମା ସେହି ପରିଚିତ ସାଗରର ବେଳାଭୂମିରେ ପହଞ୍ଚିବା କ୍ଷଣି ଛୋଟ ଛୁଆଦୁଇଟି ମାମା ମାମା କହି ସୀମା ପାଖକୁ ଦୌଡିଆସି କୁଣ୍ଢାଇ ପକାଇଲେ।ତା'ପରେ ଆକାଶ,ଆକାଶର ମାଆବାପା,ଭଉଣୀ ଭିଣୋଇ ଆସି ସବୁକଥା ଜଣାଇଲେ। ଆକାଶ- ( ଗୋଲାପ ଫୁଲ ଧରି)" ଏବେ ତ ତୁମ ସୀମା ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଅ।ମୁଁ ତୁମ ଦେହକୁ ଭଲପାଏନି ତୁମ ସୁନ୍ଦର ମନକୁ ଭଲପାଏ।ତୁମେ ଏବେ ପୂର୍ଣ୍ଣ ।ଦୁଇଟି ସନ୍ତାନର ଜନନୀ।କେବଳ ଗର୍ଭଧାରଣ କଲେ ଯେ ଜଣେ ମାଆ ହୋଇପାରିବ ତାହା ନୂହେଁ,ପ୍ରକୃତ ମାଆ ସିଏ ଯେ ସନ୍ତାନକୁ ଲାଳନପାଳନ କରିଥାଏ।" ଆକାଶର ମାଆବାପା-"ଏକାସାଙ୍ଗରେ ପୁଅବୋହୁ ନାତିନାତଣୀଙ୍କୁ ପାଇ ଆମେ ବହୁତ ଖୁସି।" ଆକାଶର ଭିଣୋଇ-"ତେବେ ଆଉ ଡେରି କାହିଁକି ନିଅ ଏଇ ଫୁଲମାଳ ଦୁଇଟି ପରସ୍ପର ଅଦଳବଦଳ କରିନିଅ।" ସାଗର ନୀଳ ଲହରୀ ପଢୁଥିଲେ ମନ୍ତ୍ର। ଦଶଦିଗପାଳ ରହଥିଲେ ସାକ୍ଷୀ।ଆକାଶର ପିତାମାତା ଆଶୀର୍ବାଦଦେଇ ସମ୍ମାନର ସହିତ ସୀମାକୁ ଗ୍ରହଣକରିଥିଲେ,ଭଉଣୀ ଭିଣୋଇ ଆକାଶର ନିଷ୍ପତିକୁ ଖୁସିରେ ସ୍ବୀକାର କରିଥିଲେ।ସୀମା...ବେଳାଭୂମି...ଆକାଶ...ସମୟ ସହିତ ତାଳଦେଇ ଏକକାର ହୋଇଯାଇଥିଲେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational