ଆକାଶ ରୁ ଖସିଲା ବେଳେ
ଆକାଶ ରୁ ଖସିଲା ବେଳେ
ଆକାଶରୁ ଖସିବା ସମୟରେ। ଦେବେନ୍ଦ୍ରବାବୁ ସିଧା ଆକାଶରୁ ଖସିଥିଲେ ତଳକୁ|ଏତେ ଦିନର ନାମ ପ୍ରତିପତ୍ତି ସବୁ ମାଟିରେ ମିଶି ଯାଇଥିଲା |ସେ ଆଉ ମୁହଁ ଉଠାଇ ପାରୁନଥିଲେ ଲୋକଙ୍କ ଆଗରେ|ଯୋଉ ଲୋକେ ତାଙ୍କୁ ସମ୍ମାନର ସହ ହାତ ଯୋଡୁଥିଲେ ଆଜି ମୁଚୁକି ହସ ମାରୁଛନ୍ତି ତାଙ୍କ ପଛଆଡେ |
ଦେବେନ୍ଦ୍ରବାବୁ ଜଣେ ସିଭିଲଇଞ୍ଜିନିୟର ଭାବେ କାମ କରନ୍ତି।ବିଶେଷତଃ ସେ ରାସ୍ତାଘାଟ ବଡବଡ ପୋଲ ଆଦି ନିର୍ମାଣ କାମ ତଦାରଖ କରନ୍ତି।କୋଟି କୋଟିଟଙ୍କାର କାମ ହୁଏ।ସେଥିରୁ ସେ ପର୍ସେଣ୍ଟଜ୍ ଭାବରେ ଯାହା ପାଆନ୍ତି ତାହାବି ଅପର୍ଯ୍ୟାପ୍ତ।ସାମାନ୍ୟ ଚାଷି ପରିବାରରୁ ଆସିଥିବା ଦେବେନ୍ଦ୍ର।ପାଞ୍ଚବର୍ଷ ଚାକିରିରେ ଭୂବନେଶ୍ବରରେ କୋଠା ବାଡେଇ ସାରିଲେଣି। ତାସହ ଅନେକ ସହରରେ ଜମିକିଣି ରଖିଛନ୍ତି।ସ୍ତ୍ରୀପାଇଁ ମନକଲେ ନୂଆଁନୂଆଁ ସୁନାହାର ହୀରାସେଟ୍ ଆସୁଛି।କଣ୍ଟ୍ରାକ୍ଟର ମାନେ ବି ଉପହାର ରୂପେ ଅନେକ ମୂଲ୍ୟବାନ ଗହଣା ମେଡମଙ୍କ ପାଇଁ ଆଣିଦିଅନ୍ତି ଖୁସୀ କରିବାକୁ। ବାପାମାଆ ଦିନରାତି ଖଟି ଖଟି ଉଧାରବାଡି କରିପଢାଇଥିଲେ ତାଙ୍କୁ |
ଏବେ ସେ ସବୁ ଋଣ ଚୁକ୍ତା କରୁଛନ୍ତି |ଗାଆଁଘରକୁ ବି ପକ୍କା କରିସାରିଲେଣି।ବପା ଯିବେ ଆସିବେ ବୋଲି କାରଟେ କିଣି ଦେଇଛନ୍ତି। ଭଉଣୀ ମାନଙ୍କୁ ବି ଦାମୀ ଉପହାର ସବୁ ଦେଇ ତାଙ୍କ ଶାଶୁଘରେ ସମ୍ମାନ ଭାଜନ କରିଛନ୍ତି।ଯୋଉଁଠିକୁ ଗଲେ ଲୋକେ ତାଙ୍କୁ ସମ୍ମାନରେ ପୋତି ପକାନ୍ତି।
ଦଶହରା ଗଣେଶପୂଜା ଅଷ୍ଟପ୍ରହରୀ କୋଉ ସାମାଜିକ କାମରେ ଚାନ୍ଦା ପ୍ରଭୃତି ଦେବାରେ କାର୍ପଣ୍ୟ କରନ୍ତି ନାହିଁ କୋଉ ନିଜ ହାତରୁ ଦେବାକୁ ପଡୁଛିଯେ ଲୋଭକରିବେ।ସରକାରି ମାଲ ଦରିଆରେ ଡାଲ।ଏପଟେ କିଛି ସରୁସରୁ ଅନ୍ୟ କୋଉପଟୁ ଟାଣିକି ଆଣିସାରିଥିବେ ପୁଳାଏ।ଏତେ କମ୍ ସମୟରେ ସେ ଆକାଶ ଛୁଇଁ ପାରିଥିଲେ।ପିଲା ପରିବାର ଧରି ଉଡାଜାହାଜ ଯାତ୍ରା କରୁଥିଲେ ଦେଶ ବିଦେଶ।ସମସ୍ତେ ତାଙ୍କ ଭାଗ୍ୟ ଦେଖି ଇର୍ଷା କରୁଥିଲେ।ହେଲେ ଚୋରଘର ସବୁଦିନ ଅନ୍ଧାର ନଥାଏ।କେବେନା କେବେ କାହାରି ନଜର ପଡେ।ଭିଜିଲାନ୍ସ ମାନଙ୍କ ନଜରରେ ପଡିଲା ତାଙ୍କର ପ୍ରତିପତ୍ତି।ଦଳବଳ ଧରି ଅକସ୍ମାତ ଛାପା ପଡିଲା।ଆୟ ବହିର୍ଭୁତ ଅନେକ ସମ୍ପତ୍ତି ଘରୁ ବାହାରିଲା।ବସ୍ତାବସ୍ତା ଟଙ୍କା ସୁନା।ବେଙ୍କରେ ଜମାଥିବା କୋଟି କୋଟି ଟଙ୍କାର କାଗଜପତ୍ର ସବୁ ମିଳିଲା।ସବୁ ବ୍ୟଜାପ୍ତି କରି ନେଇଗଲେ।ତାସାଙ୍ଗରେ ଜେଲ୍ ବି ହେଲା।ଏତେ ଦିନ ଯେଉଁ ଆକାଶରେ ଚଢିଥିଲେ ଏବେ ତଳକୁ ଖସୁଥିଲେ ଅକସ୍ମାତ ଭାବରେ ସେତେବେଳେ ଲଜ୍ଜାରେ ମୁଣ୍ଡ ତଳକୁ ନଇଁ ଯାଉଥିଲା।ଯେଉଁ ମାନେ ତାଙ୍କ ଭାଗ୍ୟକୁ ଦେଖି ଇର୍ଷା କରୁଥିଲେ ଏବେ ଭାବୁଥିଲେ ସମାନେ ସତ ପଥରେ ରହି ଶାଗପଖାଳ ଖାଇ ଠିକ ଅଛନ୍ତି।ଅତି କମରେ ନିଜ ଇଜ୍ଜତ ତ ଅଛି ସମ୍ମାନର ସହ ବଞ୍ଚୁଛନ୍ତି।ଏମିତି ଅସତ୍ ଉପାୟରେ ଧନ କମାଇ ଶେଷରେ ମୁହଁମାଡି ଗାଢରେ ପଡିବା ଅପେକ୍ଷା କମ ଜିନିଷ ସହ ଶାନ୍ତିରେ ବଞ୍ଚିବା ଶ୍ରେୟଷ୍କର।ସମସ୍ତେ ବୁଝିବା ଉଚିତ୍ ଯେ ଯେତେ ଆକାଶରେ ଉଡିଲେ ବି ଦିନେ ମାଟିକୁ ଫେରିବାକୁ ହୁଏ।ଆକାଶ ରେ ବିଶ୍ରାମ ନେଇ ହୁଏନାହିଁ।ପକ୍ଷୀବି ଡେଣା ଥକିଲେ ମାଟିକୁ ଫେରି ଆସେ ବିଶ୍ରାମ ପାଇଁ। ଆଉ ମଣିଷ ନିଜର ସ୍ଥିତିକୁ ଭୂଲି ଲୋଭର ବଶବର୍ତ୍ତୀ ହେଇ ଆକାଶ ଉଡାହେଲେ ସେବି ଏମିତି କଚାଡି ହେଇ ଭୂଇଁରେ ପଡେ। ସେତେବେଳେ ସମସ୍ତେ ତାକୁ ଘୃଣା ନଜରରେ ଦେଖନ୍ତି ଓ ନିନ୍ଦା କରନ୍ତି।ଚାରିଣୀଟିଏ ର ଆଉ ସମ୍ମାନ ମିଳେ ନାହିଁ ତାକୁ।
