ଉତ୍କଳ ଜନନୀ
ଉତ୍କଳ ଜନନୀ
ପୁଣ୍ୟଧାମ ନୀଳାଚଳ ଜଗତେ ବିଖ୍ୟାତ
କାଳିଆ ମହିମା ସେ ତ ବିଶ୍ୱରେ ବିଦିତ
କମନୀୟ କାନ୍ତି କୃତି ମନ୍ଦିର ମାଳିନୀ
ସେଇ ମୋର ପୁଣ୍ୟଭୂମି ଉତ୍କଳ ଜନନୀ ।
କୀରତିରେ ଭାସ୍ୱର ଯା' କୋଣାରକ କଳା
କାନ୍ଥରେ ତା' କୋଟିକୋଟି କାରୁକାର୍ଯ୍ୟ ଶିଳା
ବିପ୍ଳବୀ ସେ ସ୍ୱାଭିମାନୀ ବୀର ପ୍ରସବିନୀ
ସେଇ ମୋର ପୁଣ୍ୟଭୂମି ଉତ୍କଳ ଜନନୀ ।
ଚଷାପୁଅ ଗୀତ ଗାଏ ସୁନା କ୍ଷେତ ହସେ
ପଖାଳ କଂସାର ମୋହ ମହମହ ବାସେ
ଶତ ନଦନଦୀ ତୀରେ ଶସ୍ୟ ଶ୍ୟାମଳିନୀ
ସେଇ ମୋର ପୁଣ୍ୟଭୂମି ଉତ୍କଳ ଜନନୀ ।
ବିହଙ୍ଗମ କାକଳିରେ ଅରଣ୍ୟର ଶୋଭା
ଆହା କି ସେ ମନୋହର ପ୍ରଭାକର ଆଭା!
ସୁଶୀତଳ ନିର୍ଝରେ ସେ ଅମୃତ ଦାୟିନୀ
ସେଇ ମୋର ପୁଣ୍ୟଭୂମି ଉତ୍କଳ ଜନନୀ ।
ଶାନ୍ତି ମୈତ୍ରୀ ପ୍ରୀତିରେ ସେ ଚିର ଅପସରୀ
ଶୁଭ ଶଙ୍ଖନାଦେ ଶୁଭେ ଏକତାର ଶିରୀ
ଗୀତା-ବେଦ, ମନ୍ତ୍ର-ଶ୍ଳୋକେ କାବ୍ୟ କଲ୍ଲୋଳିନୀ
ସେଇ ମୋର ପୁଣ୍ୟଭୂମି ଉତ୍କଳ ଜନନୀ ।
