ତୁମେ ଦେଇପାରିବ ତ ଉତ୍ତର
ତୁମେ ଦେଇପାରିବ ତ ଉତ୍ତର
ମୁଁ ଫେରିବାକୁ ଚାହେଁ ମୋ ରାଇଜକୁ
ଯୋଉଠି ଥିଲା ଖାଲି ସୁଖ ଆଉ ଶାନ୍ତି
ନା ହରେଇବାର ଦୁଃଖ ନା ପାଇବାର ମୋହ
ନା ଅଶାର ଝଲକ ନା ସ୍ୱପ୍ନର ମହକ ।
କିନ୍ତୁ ସମୟଟା ଉପହାସ କରି କୁହେ
ସତରେ ତୁ କି ବୋକି
ଭୁଲିଯାଇଛୁ ମୁଁ ଚାଲିଆସିଛି ତୋତେ ସାଥେ ନେଇ
ଭିନ୍ନ ଏକ ରାଇଜକୁ ।
ଯେଉଁଠି ଅମାପ ବାସ୍ତବତା ଭିତରେ
ଶୂନ୍ୟତାର ମହାମନ୍ତ୍ର ଝଙ୍କୃତ ହୁଏ
ଯେଉଁଠାରେ ଅସରନ୍ତି ସ୍ନେହଶ୍ରଦ୍ଧା ପ୍ରେମ ଭିତରେ
ବିରାଟ କାଳୀମା ଘୋଟିଥାଏ
ଯେଉଁଠାରେ ଶହ ଶହ ଜୀବନ ଭିତରେ
ଅସ୍ତିତ୍ୱ ବିହୀନ ପ୍ରତିଛବି ଥାଏ
ଯେଉଁଠାରେ ବାହାରକୁ ସୁଖମୟ ଦେଖାଯାଉଥିବା ପ୍ରାଣ
ଅନ୍ତରରେ କୁହୁଳି କୁହୁଳି ପାଉଁଶ ସାଉଁଟୁଥାଏ ।
ଚମକି ପଡି ଭାବିଲିତେବେ କଣ ମୋର ସତ୍ତା?
ନା ପଛକୁ ଫେରି ଚାହିଁପାରିବି
ନା ଆଗକୁ ବଢିବାର ମୋହ ଅଛି
କେବଳ ହୃଦୟରେ ଅଜସ୍ର କୋହକୁ
ନିଜର କରି ଜଳିବାର ଅଛି ଜୀବନରେ ।
କାହିଁକି ଏମିତି ଘଟିଲା?
କାହିଁକି କ୍ଷତାକ୍ତ ହୋଇଗଲା ଏ ହୃଦୟ ?
ରକ୍ତ ସିନା ଝରୁନି ହେଲେ ସେ କ୍ଷତର ଯନ୍ତ୍ରଣା
କାହାକୁ ବା ଦେଖାଇବି ।
ସମୟ ସହ ଚାଲିବାକୁ ଚେଷ୍ଟା କରି ମୁଁ କଣ
ଭୂଲ କରିଛି ?
ବିଶ୍ୱାସକୁ ଦୃଢ଼ କରି ମୁଁ କଣ ପାପ କରିଛି ?
ଏ ମନଟା ଆଜି ଉତ୍ତର ମାଗୁଛି ।
ତୁମେ ଦେଇପାରିବ ତ ଏହାର ଉତ୍ତର ?