ତରୁଣ ପରାଣେ
ତରୁଣ ପରାଣେ
ତରୁଣ ପରାଣେ ଏ କି ଶିହରଣ
ହୃଦୟେ ଅକୁହା କଥା
ମୋହାବିଷ୍ଟ କରେ ମୁକ୍ତ ଯଉବନ
ସ୍ୱପ୍ନ ବୁଣେ ଆଖିପତା ।
ଆଙ୍କି ହୁଏ କେତେ ସୁନେଲି ସପନ
ଅଚିହ୍ନା ଅପ୍ସରୀ ଛବି
ଲୋମେ ଲୋମେ ଖେଳେ ପୁଲକର ଧାରା
ନିଶି ପାହେ ତାକୁ ଭାବି ।
ମତୁଆଲା କରେ ପ୍ରଣୟ ପୂରବୀ
ଗୋପନେ ଛୁଅଁଇ ଛାତି
ପ୍ରୀତିର ପିଆଲା ପିଇଯିବା ପାଇଁ
ଉଚ୍ଚାଟ କରେ ସେ ନିତି ।
ବିଜନ ବେଳାରେ ନିବିଡ଼ ଆଶ୍ଳେଷେ
ପରଶି ତନୁକୁ ଲାଜେ
ଅଜଣା ଆବେଗେ ଭିଜାଇ ସଜନୀ
ମୋ ପ୍ରେମରେ ସିଏ ଭିଜେ ।
ଅଭିସାର ମଗ୍ନ ଉପହାର ଦିଏ
ନୀରବରେ ଦରହାସେ
ନିଃସଙ୍ଗ ଜୀବନେ ବିରହ ନିଃଶେଷେ
ପ୍ରୀତିର ସୁରଭି ବାସେ ।
ଜହ୍ନ ହଜିଯାଏ ସୂରୁଜ ଆଭାରେ
ଭାବନା ଲୁଚଇ କାହିଁ
ବ୍ୟାକୁଳ ତରୁଣ ପରାଣ ନିଃଶବ୍ଦେ
ଝୁରୁଥାଏ ସାଥି ପାଇଁ ।