ତମ ଗାଁ ବର୍ଷା ରାତି
ତମ ଗାଁ ବର୍ଷା ରାତି
ଆସିବ ଆସିବ ବୋଲି କଥା ଦେଇ
ପ୍ରତୀକ୍ଷାର ରାତି ଶେଷ ହେଲା
ଆସିଲତ,ମୋ ଗାଁ ମୋ ନଈ
ସବୁକୁ ଭିଜେଇ
ତୁମ ସାଥେ ଭିଜି ଭିଜି ତୋଳିବି ମୁଁ
ପ୍ରୀତିର କଦମ୍ବ ଖାସ୍ ତୁମ ପାଇଁ।
ଶ୍ରାବଣୀ ତମ ସ୍ପର୍ଶ ଏତେ ରୋମାଞ୍ଚିତ
ଭୁଲିଯାଏ, ସଂସାରର ଯେତେ
ସବୁ ପାପ ଆଉ ପୂଣ୍ୟ
ବୈଶାଖରେ ସିଝିଥିବା ଦେହ ଆଉ ମନ
ମୁଠାଏ ତତଲା ନିଃଶ୍ଵାସ
ଉତ୍ତପ୍ତ ଆତ୍ମାର
ଥରେ ଖାଲି କର ସମର୍ପଣ
ଯେତେସବୁ ଭିଜାଭିଜା ପଣ।
ଦେଖତ, ଆକାଶରେ କଳା କଳା ମେଘ
ଅଙ୍ଗେ ଅଙ୍ଗେ ଖେଳେ ଶିହରଣ
ବୈଶାଖର ଡହଡହ ଖରାପରି
ତମେ ମତେ ଉତ୍ତାଳ କରନି
ଆସିବତ, ମେଘ ପାଲିଙ୍କିରେ
ନୀଳ ଛିଟ ଶାଢୀ ପିନ୍ଧି
ଉଛୁଳା ଯମୁନା ପରି
ବଢୁଛି ମୋ ବୁକୁର ସ୍ପନ୍ଦନ
ବର୍ଷାର ଗଜଲ୍ ଗାଇ ତମେ
ମତେ ମନ୍ତ୍ରମୁଗ୍ଧ କର
ସାରା ରାତି ମଧୂମୟ ହେଉ
ବର୍ଷା ଭିଜା ଚନ୍ଦନ ବନର।
ବର୍ଷା ଭିଜା ଦେହରେ ଥରି ଥରି
ଫୁଟୁଛି କଦମ୍ବର ଫୁଲ
ମଧୁମାଳତୀର ବାସ୍ନାରେ
ମହକିତ ହେଉ ଏ କବିର କୁଟୀର
ସତେ କେଡେ ଚମତ୍କାର ଦିଶେ
ଆକାଶରେ ମେଘର କୁନ୍ତଳ।
ତଥାପି ମେଣ୍ଟୁନାହିଁ ମନ ଅଵଶୋଷ
ଥମୁନାହିଁ ଶ୍ରାବଣର ବର୍ଷା
ଲିଭୁନାହିଁ ଅନଳର ଶିଖା
ଆଜି ଖାଲି ମନେପଡେ ତମ ଗାଁ ବର୍ଷାରାତି
ଆସିବ ଆସିବ ବୋଲି ଦେଇଥିଲ କଥା
ହେଲେ ଆସିଲନି ଜିଦିଆ ଶ୍ରାବଣ ପରି
ଚିଠିରେ ଲେଖିଲ ତୁମେ ଆରସନ
ଶ୍ରାବଣକୁ ଆସିବତ ଫେରି।
