ସୁଦାମା
ସୁଦାମା
ଦ୍ବାରିକାଧୀଶଙ୍କ ବାଲ୍ୟ ମିତ୍ର ଥିଲେ
ଦରିଦ୍ର ବ୍ରାହ୍ମଣ ସୁଦାମା
ଦୁଇ ମିତ୍ରଙ୍କର ସମ୍ପର୍କ ଯେମିତି
ଜଣେ ଶରୀର ଆନ ଆତ୍ମା
ଶରୀର ଭିନ୍ନ
ସିନା ଥିଲା ସେ ଦୁହିଙ୍କର
ମାତ୍ର ଭଗବାନ ଶିରୀକୃଷ୍ଣ ଥିଲେ
ସୁଦାମା ମନ ଅଧୀଶ୍ଵର ।
ସନ୍ଦୀପନି ମୁନି ଆଶ୍ରମରେ ଶିକ୍ଷା
ସମାପ୍ତେ ଚଳି ଯେଝା ସ୍ଥାନ
ସୁଦାମା ନିଜର ବୃତ୍ତି ଆପଣେଇ
କରିଲେ କୁଟୁମ୍ବ ପୋଷଣ
କିନ୍ତୁ ଶ୍ରୀକୃଷ୍ଣ
ସମୁଦ୍ରେ ଦ୍ବାରିକା ନିର୍ମାଣି
ମଥୁରା ନଗର ନରନାରୀ ଧରି
ଥିଲେ ସମୟ ଚକ୍ରେ ପୁଣି ।
ବନ୍ଧୁର ଦରିଦ୍ର ପରିସ୍ଥିତି ଦେଖି
ଶ୍ରୀକୃଷ୍ଣ ଥିଲେ ଛଟପଟ
ସହାୟତା ପାଇଁ କାଳକୁ ଅପେକ୍ଷା
ତାଙ୍କ ପାଖେ ଏକାନ୍ତ ବାଟ
ଶୁଭ ସମୟ
ସୁଦାମା ପାଇଁ ଉପଗତ
ଷଡ଼ାଶ୍ବର୍ଯ୍ୟ ଅଧିକାରୀ ମିତ୍ରଙ୍କୁ ସେ
ଭେଟିବାକୁ ହେଲେ ଉଦ୍ୟତ ।
ପତ୍ନୀ ବାନ୍ଧିଦେଲେ ଭଜା ତଣ୍ଡୁଳକୁ
ସୁଦାମାଙ୍କ ଉତ୍ତରୀୟରେ
ଯେଉଁ ତଣ୍ଡୁଳ କି ପଡ଼ୋଶୀଠୁ ମାଗି
ଆଣିଥିଲେ ବନ୍ଧୁ ପ୍ରୀତିରେ
ସୁଦାମା ଧନ୍ୟ
ମିତ୍ରତା ମୋହରେ ପାଛୋଟି
ଶ୍ରୀକୃଷ୍ଣ ତାଙ୍କର ପଦ ପ୍ରକ୍ଷାଳନ
ବିଭୋର ସାନନ୍ଦରେ ଲୋଟି ।
ପୁରୁଣା ବସ୍ତ୍ରକୁ ଉତାରି ପିନ୍ଧାନ୍ତି
ତାଙ୍କର ରାଜକୀୟ ବସ୍ତ୍ର
ଲୁଚାଇଥିବା ତଣ୍ଡୁଳକୁ ଛଡ଼ାଇ
ସାନନ୍ଦେ ଭକ୍ଷନ୍ତି ସେ ମିତ୍ର
ଦେଖି ଏ ଦୃଶ୍ୟ
ରୁକ୍ମଣୀ ଲକ୍ଷ୍ମୀ ମା' ଅଧିରେ
ପ୍ରଭୁଙ୍କ ହସ୍ତରୁ ଛଡ଼ାଇ ନେଇଣ
ମୁଠାଏ ଦିଅନ୍ତି ତୁଣ୍ଡରେ ।
ଫିଟିଗଲା ସୁଦାମାଙ୍କ ସଉଭାଗ୍ୟ
ଲକ୍ଷ୍ମୀ ମା' ଗୃହେ ବିରାଜିତ
ଭଙ୍ଗା ଘର ରାଜପ୍ରାସାଦ ବନିଲା
ହୋଇ ଧନଧାନ୍ୟେ ପୂରିତ
ସାହି ପଡ଼ିଶା
ସଭିଙ୍କ ରୂପ ବଦଳିଲା
ଧନ୍ୟ ଏ ସୁଦାମା ଧନ୍ୟ ବନ୍ଧୁ ଭକ୍ତି
ଲୋକ ମୁଖରେ ଶୁଣାଗଲା ।
ଦ୍ବାପର ଯୁଗରୁ ତାଙ୍କ ଉପାଖ୍ୟାନ
ଘୋଷୁଅଛି ଏହି ମାନବ
ଭକ୍ତ ଭଗବାନ ମିତ୍ରତା ବନ୍ଧନ
ମହତ ରଖଇ ଏ ଭବ
ହୃଦୟେ ପ୍ରେମ
ଭକ୍ତିଭାବ ପାରିଲେ ବାଢ଼ି
ଜଗଜ୍ଜନ ବନ୍ଧୁ କରୁଣାର ସିନ୍ଧୁ
ଯଥା ପାଉଣା ଦେବେ ବାଢ଼ି ।