ସ୍ନାନ ପୂର୍ଣ୍ଣିମା ଓ ସୁନା କୂଅ
ସ୍ନାନ ପୂର୍ଣ୍ଣିମା ଓ ସୁନା କୂଅ
ଭକତ ମାନଙ୍କ ପାଇଁ କାଳିଆରେ
କେତେ ତୋର ନୂଆ ବେଶ
ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ
କି ସୁନ୍ଦର ତୋର ରୂପ ।
ଗଣପତି ଭଟ୍ଟ ଗଜାନନ ବେଶେ
ଦେଖିବାକୁ ଇଚ୍ଛା କଲା
ସେ ରୂପ ଦର୍ଶନେ ଅମର ଆତ୍ମାତା
ବ୍ରହ୍ମରେ ବିଲୀନ ହେଲା ।
କାହିଁ କେତେ ଦୂରୁ ଆସନ୍ତି ଭକତେ
ଦେଖିବ ସେ ରୂପ ତୋର
ସୁନା କୂପ ଜଳେ ସ୍ନାନ ତୋର ହୁଏ
ଚତୁର୍ଦ୍ଧା ବେଶ ତୋହର ।
ଘଣ୍ଟା ଶଂଙ୍ଖ ବାଜି ଦୁଲୁକି ଉଠଇ
ଶ୍ରୀ ମନ୍ଦିର ଚତୁର୍ଦ୍ଦିଗ
କେତେ ସେବାୟତ ଲାଗି ଥାନ୍ତି କାର୍ଯେ
ଭକତେ ହୁଅନ୍ତି ମୁଗ୍ଧ ।
ଜ୍ୟେଷ୍ଠ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ
ଭକ୍ତ ମାନ ରକ୍ଷା ପାଇଁ
ଗଜାନନ ବେଶ ହୁଅ କଳା ଧଳା
ସ୍ନାନ ମଣ୍ଡପରେ ଯାଇ ।
ସେହିଦିନ ଠାରୁ ଅଣଷର ବିଜେ
ଭକ୍ତଙ୍କୁ ଦେଖିବା ମନା
ଦଇତା ପତିଙ୍କ ହାତେ ପୂଜାପାଅ
ଉଡାଇ ପତିତ ବାନା ।
ଶହେ ଆଠ ଗରା ସୁନା କୂଅ ଜଳେ
ସ୍ନାନ ତୋର କରାଗଲା
ଥଣ୍ଡା ଜଳ ହେତୁ ଶରୀର ତୋହର
ରୋଗ ଗ୍ରସ୍ଥ ହୋଇଗଲା ।
ଅଣଷର ଘରେ ସ୍ନାନ ପରେ ଯାଇ
ଜ୍ଵରରେ ପୀଡିତ ହେଲ
ଫଳ ଆହାରରେ ବିନା ଭକତରେ
ସେଠି ଦିନ ବିତାଇଲ ।
ଜ୍ୱର ଉପଶମ ପାଇଁ ପଞ୍ଚ ମୂଳି,
ଦଶ ମୂଳି ଦିଆ ଗଲା
ଫୁଲୁରି ତେଲକୁ ମାଲିଶ କରିଣ
ପୀଡା ଉପଶମ ହେଲା ।
ସ୍ନାନ ପୁର୍ଣିମାରୁ ନେତ୍ରୋତ୍ସବ ଯାଏ
ଅଣଷରେ ବିତେ ଦିନ
ଦଇତା ପତି ଯେ ସେବା କରିଥାନ୍ତି
ଜାଣି ପ୍ରଭୁଙ୍କର ମନ ।
ନେତ୍ର ଉତ୍ସବରେ ମନ୍ଦିର ଚୁଡାରେ
ନେତ ମାନ ବନ୍ଧା ଯାଏ
ଚକ୍ଷୁ ଦାନପାଇ ନବ ଯଉବନ
ଦର୍ଶନ ତୁମର ହୁଏ ।
ଆଷାଢ଼ର ଶୁକ୍ଳ ଦ୍ଵିତୀୟା ତିଥିରେ
ଘୋଷ ଯାତ୍ରା ତୋର ହୁଏ
ଦେଶ ବିଦେଶର ଅନେକ ଭକତ
ରଥରେ ଦର୍ଶନ ପାଏ ।
ଗୋଟିଏ ଭକତ ପାଇଁ ଗୋଟେ ରୂପ
ନିଅନ୍ତି କଳାଠାକୁର
ଭାବକୁ ନିକଟ ଅଭାବକୁ ଦୂର
ଇଏତ ତାଙ୍କ ବିଚାର ।
ବାର ମାସେ ତେର ପୂର୍ଣ୍ଣିମା ପଡଇ
ପାଳୁଛି ସାରା ଜଗତ
ଭିନ୍ନ ଭିନ୍ନ ରୂପେ ପୁଜା ପାଉଅଛ
ଖୁସି ରହୁ ତୋ ଭକତ ।
