ସମୟର ସୁଅ
ସମୟର ସୁଅ


ତୁମେ ଗଲାପରେ ସବୁ କିଛି ବଦଳି ଗଲାଣି
ଆମ୍ବତୋଟା, ନଇପଠା, ସବୁଜ ଧାନକ୍ଷେତ
ସବୁ ଶ୍ରୀହୀନ ହୋଇପଡିଛି ।
ଆଉ ଶୁଭୁ ନାହିଁ କୃଷକର ହଳିଆ ଗୀତ
କି ବାହା ପୁଆଣିରେ ଝିଅର କାନ୍ଦଣା ଗୀତ।
ଗାଁ ଦାଣ୍ଡରେ ପୁଷ ପୁନିର ଛେଉଛେରା ଡାକ ଦାଣ୍ଡ ଗହଳିରେ ହଜି ଗଲାଣି ।
ବାଘମାମୁଁର ପିଠା ଖୁଆ ମନଗଢା କାହାଣୀ
ଟୁଆଁ ଟୁଇଁ କଥା ସବୁ ପୃଷ୍ଠାରେ ସାଇତା ହୋଇ ରହିଗଲାଣି ।
କାହାଣୀ କହିବା ପାଇଁ ଅଛନ୍ତି ଯେ କେ ନା ଶୁଣିବା ପାଇଁ ଅଛନ୍ତି ନାତି ନାତୁଣୀ,
ଆମେ ଦୁଇ ଆମର ଏକରେ
ପରିବାର ସୀମିତ ।
ଗାଁ ଦାଣ୍ଡର ପାଣି ସୁଅରେ ଆଉ
ଭାସୁନି କାଗଜର ଡଙ୍ଗା ।
ସବୁଠି ବୋଝ !
ପିଲାମାନଙ୍କର ବସ୍ତାନି ବୋଝ,
ମୁରବୀମାନଙ୍କର କର୍ମ ବୋଝ
ସମସ୍ତେ ଅଣନିଃଶ୍ୱାସୀ ହୋଇ ଧାଇଁଛନ୍ତି
ଏଠି କା ପାଇଁ କିଏ,
ବିବେକ ବନ୍ଧା ପଡିଛି
ମାନବିକତା ବାଟ ହୁଡ଼ିଛି
ମାଟିର ମଣିଷ ଆଜି ମିଲେନିୟମରେ ପହଂଚି, ଫୋର ଜିର କଥା କହୁଛି
ନିଜ ଗାଁ ମଶାଣି ପର ଗାଁ ପାଣି ଉକ୍ତିକୁ
କେହି ଭୟ କରୁନାହାଁନ୍ତି ।
ଲୋକେ ଦଧୀଚି ହେବାକୁ ଉଚିତ ମଣିଲେଣି।