ସ୍ମୃତି ଏକ ହଜିଲା ଅତୀତର
ସ୍ମୃତି ଏକ ହଜିଲା ଅତୀତର
ଖୋଲା ଆକାଶ ତଳେ
ଘାସର ଗାଲିଚା ଉପରେ
ଶୋଇ ରହିଥାଏ ଯେତେବେଳେ,
ଭାବୁଥାଏ ତୁମରି କଥା ସେତେବେଳେ ।
ଜହ୍ନ ରାତିରେ
ତା'ର ତରଳ ଜ୍ୟୋସ୍ନାରେ
ଗାଧୋଇ ପଡୁଥାଏ ଯେତେବେଳେ
ସେହି ଅନାମନା କଥା
ମନେ ପଡି ଯାଉଥାଏ ସେତେବେଳେ ।
ଯେତେବେଳେ ତମ କୋଳର ଉଷ୍ମତା
ମନେ ପଡ଼ିଯାଏ, ଏକ ଅନନ୍ୟ ଶିହରଣ ସଞ୍ଚରି
ଯାଏ ମୋ ଦେହରେ
ହେଲେ, ଏସବୁ ଅତୀତ ପାଲଟି ଯାଇଥାଏ
ବହି ଯାଇଥାଏ ନଦୀର ସ୍ରୋତରେ ।
ଏବେ ଲୀନ ହେଇ ଯାଇଛି ସମୁଦ୍ର ବକ୍ଷରେ
ହେଲେ, ଏ ଯାଏଁ ଜୀବିତ ରହିଛି ମୋ ଛାତିତଳେ,
ମନେ ପଡ଼ିଯାଏ ଯେତେବେଳେ
ଛାତିଟା ଚିପୁଡି ହେଇ ଯାଉଥାଏ ଆଖି
ଭିଜି ଯାଉଥାଏ ଲୁହର ବନ୍ୟାରେ ।
ତମର ଏକଥା କେବେ ମନେ ପଡେ ହୁଏତ ନା
ତମେ ଆଶ୍ରୟ ନେଇଥାଅ,
ତମ ସ୍ୱାମୀର ନିରାପଦ ବକ୍ଷରେ,
ସେତେବେଳେ ମୋ ଚକ୍ଷୁ
ଧୋଇ ହୋଇ ଯାଉଥାଏ ଲୁହର ବନ୍ୟାରେ ।

